Unknown

କେମ୍ୱ୍ରିଜ୍‌ ସ୍ମୃତି

ସୀତାକାନ୍ତ ମହାପାତ୍ର

ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ

 

ମୁଖଶାଳା

‘‘କେମ୍ୱ୍ରିଜ୍‌ ସ୍ମୃତି’’ ମୋର ଚତୁର୍ଥ ଭ୍ରମଣ କାହାଣୀ । ନାମକରଣରୁ ସ୍ପଷ୍ଟ ଏଇଟି ସ୍ମୃତିଚାରଣର ଇତିକଥା ଏବଂ ଲେଖୁଛି ଖୁବ୍ ବିଳମ୍ୱରେ । ସୌଭାଗ୍ୟବଶତଃ ମୋର ସେ ସମୟର ଡାଇରୀ, ଆତ୍ମୀୟସ୍ୱଜନଙ୍କୁ ଲେଖିଥିବା ଚିଠି, କେମ୍ୱ୍ରିଜ୍‌ର କବି ଓ ନୃତତ୍ତ୍ୱବିତ୍‌ମାନଙ୍କଠାରୁ ପାଇଥିବା ଚିଠି ଏବଂ ସର୍ବୋପରି ବିଶ୍ୱବିଦ୍ୟାଳୟ ଓ ମୁଁ ରହିଥିବା ସିଡ଼୍‌ନୀ ସସେକ୍ସ କଲେଜସହ ନିରବଚ୍ଛିନ୍ନ ସମ୍ପର୍କ ଏଥିରେ ସହାୟତା କଲା । ପ୍ରତିବର୍ଷ କଲେଜର ବାର୍ଷିକ ପିପୋର୍ଟ ପାଏ, କୁଳପତିମାନଙ୍କଠାରୁ ବି ମଝିରେ ମଝିରେ ଚିଠି ପାଏ । Cambridge Alumni Magazine ନିୟମିତ ଭାବେ ପାଏ । କିକଟ ଅତୀତରେ ଆଠଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ସବିଶେଷ ସମ୍ୱାଦ ମିଳୁଥାଏ । ବର୍ଷେ ରହଣି ପରେ କେମ୍ୱ୍ରିଜ୍‌ ଛାଡ଼ିଥିଲି । ତା‘ପରେ ସଂକ୍ଷିପ୍ତ ଭ୍ରମଣରେ ଦୁଇଥର ଯାଇଥିଲି । ବିଶ୍ୱବିଦ୍ୟାଳୟରୁ ପାଇଥିବା CAMCARD ଅର୍ଥାଥ୍‌ କେମ୍ୱ୍ରିଜ୍‌ ଆଲୁମ୍ନିଙ୍କ ପାଇଁ କାର୍ଡ଼ ମୋ ପାଖେ ଏଯାବତ୍‌ ଅଛି, ଯାହାକୁ ବ୍ୟବହାର କରି ବିଶ୍ୱବିଦ୍ୟାଳୟର ବହୁ ସାମଗ୍ରୀ ରିହାତିରେ କିଣାଯାଇପାରେ ।

 

ସ୍ମୃତି ତ ଅସୀମ । ସେଥିରୁ ଯେତିକି ସାଉଁଟିବା ସମ୍ଭବ ସେତିକିରେ ଏ ବହି ସୀମିତ । କେମ୍ୱ୍ରିଜ୍‌ ପ୍ରଥମଥର ୟୁରୋପର କିଛି ଦେଶ ସ୍ୱଳ୍ପ ଫେଲୋସିପ ପଇସାରେ ୟୁରୋରେଲ ପାସ୍‌ ଥରି ବୁଲିବା କଥା ମଧ୍ୟ ଲେଖିଛି । ସେଥିରେ ମଧ୍ୟ ଅନ୍ତର୍ଭୁକ୍ତ କରିଛି ସେଇ ସେଇ ସହର ବା ଦେଶକୁ ପରବର୍ତ୍ତୀ ସମୟରେ ଯଦିବାର ଅନୁଭବ ଦୃତ୍ତାନ୍ତ ।

 

ଏ ବହି ପୂର୍ବରୁ ‘‘ହାର୍ଭୁର୍ଡ଼ାରେ ସେଇ ସବୁଦିନ’’ ବିଦ୍ୟାପୁରୀ ପ୍ରକାଶ କରିଛନ୍ତି । ମୋର ପ୍ରଥମ ଭ୍ରମଣବୃତ୍ତାନ୍ତ ‘‘ଅନେକ ଶରତ’’ ପାଠକ ସମାଜ ଦ୍ୱାରା ଆଦୃତ ହୋଇଚି ଓ ଏହାର ପଞ୍ଚମ ସଂସ୍କରଣ (ହିନ୍ଦୀ ଅନୁବାଦରେ ଚତୁର୍ଥ ସଂସ୍କରଣ) ପକ୍ଷୀଘର ପ୍ରକାଶ କରିଛନ୍ତି । ଦୁଇଦଶକ ବ୍ୟବଧାନରେ ଚାରିରଥ ଜାପାନ ଭ୍ରମଣ ବୃତ୍ତାନ୍ତ ‘‘ଶାଣିତ ତରବାରି ଓ ସେବତୀ ଫୁଲ’’ ଶୀର୍ଷକରେ ଫ୍ରେଣ୍ଡ୍‌ସ ପବ୍ଲିଶର୍ସ ପ୍ରକାଶ କରିଛନ୍ତି ।

 

ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନର ଶ୍ରୀ ଗଙ୍ଗାଧର ତ୍ରିପାଠୀ, ଓ ତାଙ୍କର ସୁପୁତ୍ର ଶ୍ରଦ୍ଧେୟ ଶକ୍ତି ପ୍ରସାଦ ତ୍ରିପାଠୀ ଓ ବିଭୁ ପ୍ରସାଦ ତ୍ରିପାଠୀ ଏ ବହିଟି ଛାପିବା ପାଇଁ ଅନେକ ଦିନୁଁ ଦୃଢ଼ ଆଗ୍ରହ ପ୍ରକାଶ କରିଥିଲେ । ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଉଛି । ଆଶ, ସୁଧୀ ପାଠକଙ୍କ ପାଖରେ ପୂଜା ଅବସରରେ ଏଇଟି ପହଞ୍ଚିବ ଓ ସେମାନଙ୍କର ପାଠକୀୟ ଶ୍ରଦ୍ଦା ମୋତେ ମିଳିବ ।

 

(ସୀତାକାନ୍ତ ମହାପାତ୍ର)

ଅକ୍ଷୟ ତୃତୀୟାଳ ୨୦୧୩

ଭୁବନେଶ୍ୱର

 

 

ସୂଚୀପତ୍ର

୧.

କେମ୍ୱ୍ରିଜ୍‌ରେ ବର୍ଷକର ରହଣି

 

କେମ୍ୱ୍ରିଜ୍‌ ଓ ଆକ୍ଟଫୋର୍ଡ଼, ପରଂପରାର ପ୍ରତିଦ୍ୱନ୍ଦିତା

 

କେମ୍ୱ୍ରିଜ୍‌ ଯାତ୍ରାର ପୃଷ୍ଠଭୂମି

 

ଶିଲା-ବିନୋଦ ଓ ରାମ୍‌କି

 

କ୍ୟାମ୍‌ ନଦୀ କୂଳ

 

ମୋ କଲେଜ ସିଡ଼୍‌ନି ସସେକ୍ସ

 

ଗୌରକିଶୋର ଦାସ, ନିରୋଦ ଚୌଧୁରୀ

 

କଲେଜ ହିଁ ଛାତ୍ରାବାସ

 

ରବିନ୍‌ସନ ଦମ୍ପତି

 

କ୍ରିସ୍‌ ଖୁ, ନାଗରାଜ, ବ୍ରଜଦୁଲାଲ

 

ତିସ୍‌ସା ଦେବେନ୍ଦ୍ର ଓ ପାକିସ୍ଥାନୀ ବନ୍ଧୁ ଖଣ୍ଡେକାର

୨.

ଡେଭିଡ଼୍ ହଲ୍‌ବ୍ରୁକ୍‌

 

ସଂସ୍କୃତି ଓ କବିତାର ବିଶାଳ ବ୍ୟକ୍ତିତ୍ୱ

୩.

ନୃତତ୍ତ୍ୱ - ଏଡ଼ମଣ୍ଡ୍ ଲିଚ୍‌, ଆର୍ଚର ଓ ଅନ୍ୟମାନେ

୪.

ନେତା ଗଢ଼ିବାର ନର୍ସରୀ : ଛାତ୍ର ୟୁନିଅନ୍‌

୫.

ଆଠଶହ ବ‌ର୍ଷ ପୂର୍ତ୍ତି : ପଶ୍ଚାତ୍‌ଦୃଷ୍ଟି ଓ ସେଥିପାଇଁ ବିବିଧ ଯୋଜନା; ସ୍ମୃତିର ପୁନର୍ଜୀବନ

୬.

କେମ୍ୱ୍ରିଜ୍‌ରୁ ଇଂଲାଣ୍ଡର ଅନ୍ୟ ଦିଗନ୍ତ

 

ହ୍ରଦ ଅଞ୍ଚଳ, ୱେଲ୍‌ସ, ବାଥ୍ ଓ ସେକ୍ସପିଅରଙ୍କ ଘର

 

ହେ-ଅନ୍‌-ୱାଇ : ପୁରୁଣା ବହିର ସହର

୭.

ପ୍ୟାରିସ୍ : ଇତିହାସ, ବିପ୍ଲବ ଓ ସଂସ୍କୃତିର ପ୍ରାଣକେନ୍ଦ୍ର

 

ପ୍ୟାରିସ୍‌ ପ୍ରଥମଥର ପରେ ବହୁଥର, ଏଇଫିଲ୍ ଟାୱାର ସିନ୍‌ ନଦୀ ଓ ଗାନ୍ଦିଜୀ, ବାସ୍ତାଇଲ ଦୁର୍ଗ ପତନର ବେଳ, ପୃଥିବୀର ପ୍ରଥମ ‘କାଫେ’

୮.

ପ୍ୟାରସ୍‌ରୁ

 

ଜର୍ମାନୀ ଆମଷ୍ଟରଡ଼୍ୟାମ, କ୍ୟୁକେନହଫ୍‌ର ଟ୍ୟୁଲିପ୍‌ ବଗିଚା ଓ କେମ୍ୱ୍ରିଜ୍‌ ପ୍ରତ୍ୟାବର୍ତ୍ତନ

୯.

ଶେଷ ଦୁଇପଦ

 

କେମ୍ୱ୍ରିଜ୍‌ରେ ବର୍ଷକର ରହଣି

(ଏକ)

ଭାରତ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ୧୯୬୮-୬୯ ମସିହାରେ ଅଧିକ ଅଧ୍ୟୟନ ପାଇଁ କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ମୁଁ ବର୍ଷଟିଏ କାଟିଥିଲି । ତହା ଥିଲା କଲମ୍ୱୋ ଯୋଜନା ଅନ୍ତର୍ଗତ ଏବଂ ଇଂଲାଣ୍ଡର Overseas Development Studies ବିଭାଗ ଦ୍ୱାରା ପରିଚାଳିତ । ଯୋଚନା ଅନ୍ତର୍ଗତ ୧୨ଟି ଦେଶରୁ ୨୦ ଜଣଙ୍କୁ ନିମନ୍ତ୍ରଣ କରାଯାଇଥାଲଏ । ପ୍ରତ୍ୟେକ ଦେଶ ନିଜ ନିଜର ଅଫିସର ବାଛନ୍ତି । ସେ କୋର୍ସଟିରେ ଚାରିଟି ମୁଖ୍ୟ ବିଷୟ ଥାଏ । ଉନ୍ନୟନର ଅର୍ଥନୈତିକ ଦିଗ, ତା’ର ସମାଜତାତ୍ୱିକ ଦିଗ, ରାଜନୈତିକ ଦିଗ ଏବଂ ସର୍ବୋପରି ସାଧାରଣ ପ୍ରଶାସନ ଦିଗ । ଏତଦ୍‌ବ୍ୟତୀତ ପ୍ରତ୍ୟେକ ଶିକ୍ଷାନବିସଙ୍କୁ ଗୋଟିଏ ସ୍ପେଶାଲ ପେପର ନେବାକୁ ହୁଏ । ବିଶ୍ୱବିଦ୍ୟାଳୟର ତିନୋଟି ଟର୍ମ : ମିକେଲମାସ୍‌, ଲେଣ୍ଟ ଓ ଇଷ୍ଟର । ପ୍ରତ୍ୟେକ ଟର୍ମ ଶେଷରେ କିଛି ଦିନ ଛୁଟି ଥାଏ । ବର୍ଷ ଶେଷରେ ୫ଟି ଯାକ ବିଷୟରେ ପରୀକ୍ଷା ହୁଏ ଏବଂ ପରୀକ୍ଷାର୍ଥୀଙ୍କୁ Overseas Development Studiesରେ ଡିପ୍ଲୋମା ମିଳେ (D.O.D.S.)

 

ପରଂପରାର ପ୍ରତିଦ୍ୱନ୍ଦ୍ୱିତା : ତା’ର ଆଧାର :

ଇଂଲାଣ୍ଡରେ ଅକ୍ସଫୋର୍ଡ଼ ଓ କେମ୍ୱ୍ରିଜ୍‌ ଦୁଇଟି ପ୍ରମୁଖ ବିଶ୍ୱବିଦ୍ୟାଳୟ । ପ୍ରାରମ୍ଭରୁ ସେମାନେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଛନ୍ତି । କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠ ୧୨୦୯ ଖ୍ରୀଷ୍ଟାବ୍‌ଦରେ, ଅକ୍ସଫୋର୍ଡ଼ ସାମାନ୍ୟ ପରେ । କେମ୍ୱ୍ରିଜ୍‌ କାଉଣ୍ଟି ସହରଟିକୁ ପ୍ରାଚୀନ ଶେଅଳୀରେ ଚୋଟ ରିବାକୁ ସିଦ୍ଧାନ୍ତ କରିଛନ୍ତି । ସେଥିପାଇଁ ସହରଟିର ଆକାର, ଆୟତନ ଓ ଜନସଂଖ୍ୟା ସୀମିତ ରହିଛି ଓ ତାର ପରଂପରା ଅବ୍ୟାହତ ରହିଛି । ଅନ୍ୟପକ୍ଷରେ ଅକ୍ସଫୋର୍ଡ଼ କାଉଣ୍ଟି ସହରର ବୃଦ୍ଧି ବିରୋଧରେ ନ ଥାନ୍ତି । ସୁତରାଂ ସହର ଉପକଣ୍ଠରେ କିଛି କିଛି ଶିଳ୍ପ ପ୍ରତିଷ୍ଠାନ ଗଢ଼ି ଉଠିଛି । କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଗୋଟିଏ ସମୟରେ ଶିକ୍ଷା-ପ୍ରଣାଳୀ ଓ ଉଚ୍ଚଶିକ୍ଷାର ଭବିତବ୍ୟ ବିଷୟରେ ଭୀଷଣ ଯୁକ୍ତିତର୍କ ହୋଇଥିଲା ଏବଂ ନୂତନ ମହାଦେଶ ଆମେରିକାରେ ନୂଆ ଭାବରେ ଶିକ୍ଷାନୁଷ୍ଠାନ ଗଢ଼ିବା ଇଚ୍ଛା କିଛି ପ୍ରମୁଖ ଛାତ୍ରଙ୍କର ମନକୁ ଆସିଲା । ତା’ ସହିତ ଅନେକ ରାଜନୈତିକ କାରଣରୁ କିଛି ଇଂରେଜୀ ଲୋକଙ୍କୁ ତାଙ୍କ ସରକାର ଦେଶରୁ ନିର୍ବାସିତ କରି ଦେବାକୁ ଚାହିଁଲେ । ସେଇମାନେ ହିଁ ଆମେରିକାକୁ ଯାଇ ସେଠି ହାର୍ଭାଡ଼ ବିଶ୍ୱବିଦ୍ୟାଳୟ ସ୍ଥାପନ କଲେ ଓ ଯେଉଁଠି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠ ହେଲା ସେଇ ସହରକୁ କେମ୍ୱ୍ରିଜ୍‌ ନାଁ ଦେଲେ । ସେଇ ‘‘ସୁପୁତ୍ର’’ ବୋଲି ଜନୈକ ଶିକ୍ଷାବିତ୍‌ କହିଛନ୍ତି ଏବଂ ତା’ର ଜନ୍ମତାରିଖ ୧୬୩୧ ଅର୍ଥାତ୍‌ କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ପାଖାପାଖି ୪୦୦ ବର୍ଷ ପରେ ସେ ଯାହା ହେଉ ଉଭୟ କେମ୍ୱ୍ରିଜ୍‌ ଓ ଓ ଅକ୍ସଫୋର୍ଡ଼୍‌ର ଐତିହ୍ୟ ଅତି ପୁରାତନ । ସେଇ ଦୁଇ ବିଶ୍ୱବିଦ୍ୟାଳୟରେ ପିଲାଙ୍କୁ ପଢ଼େଇବା ପାଇଁ ସବୁ ବାପାମାଆଙ୍କର ପ୍ରବଳ ଇଚ୍ଛା ଥାଏ । ଦୁଇ ବିଶ୍ୱବିଦ୍ୟାଳୟରେ ସ୍ଥାନ ପାଇବା ପାଇଁ ପ୍ରବଳ ପ୍ରତିଯୋଗିତାରେ ଯେଉଁମାନେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନେ ସ୍ଥାନ ପାଆନ୍ତି । ଏ ଦୁଇ ବିଶ୍ୱବିଦ୍ୟାଳୟ ବିଶ୍ୱର ଦୁଇ ପ୍ରମୁଖ ବିଶ୍ୱବିଦ୍ୟାଳୟ ଏବଂ ହାର୍ଭାଡ଼ ସହିତ ଅଧିକାଂଶ ସମୟରେ ବିଶ୍ୱର ତିନୋଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ । ଇଂଲାଣ୍ଡରେ ପରେ Ivy Leaque ନାମରେ କେତେକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠ ହେଲା । ସେପଟେ ଆମେରିକାରେ ଷ୍ଟାନ୍‌ଫୋର୍ଡ଼୍‌, ୟେଲ, ପ୍ରିନ୍ସଟନ୍‌ ପ୍ରଥମେ ପଢ଼ି ତା’ରେ କେମ୍ୱ୍ରିଜ୍‌ର ଟ୍ରିନିଟି କଲେଜକୁ ଗଲେ । ପରେ ଅମର୍ତ୍ତ୍ୟ ସେନ୍‌ ସେଇ କଲେଜର ପ୍ରେସିଡ଼େଣ୍ଟ ହୋଇଥିଲେ ।

 

ଆଗକୁ ଲେଖିଛି କେମ୍ୱ୍ରିଜ୍‌-ଅକ୍ସଫୋର୍ଡ଼ ସବୁକାଳେ ପରସ୍ପରର ପ୍ରତିଦ୍ୱନ୍ଦୀ ହୋଇ ଆସିଅଛି । ସେ ପ୍ରତିଦ୍ୱନ୍ଦ୍ୱିତାର ସବୁଠୁଁ ବଡ଼ ପ୍ରତୀକ ବାର୍ଷିକ ବୋଟ୍‌ରେସ ବା ନୌକାଚାଳନ ପ୍ରତଯୋଗିତା । ଏ ପ୍ରତିଯୋଗିତା ୧୮୨୯ ମସିହାରେ ଟେମସ୍‌ ନଦୀରେ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ବିଶ୍ୱବିଦ୍ୟାୟ ନିଜ ନିଜର ସବୁଠୁଁ ବଛା ବଛା ନୌଚାଳକଙ୍କୁ ନେଇ ‘‘ଟିମ୍‌’’ ଗଢ଼ନ୍ତି । ସେ ପ୍ରତିଯୋଗିତା ପାଇଁ କେମ୍ୱ୍ରିଜ୍‌ର ‘‘କ୍ୟାମ୍‌’’ ନଦୀରେ ପ୍ରତିଯୋଗୀମାନେ ଅଭ୍ୟାସ କରନ୍ତି । ଏଇଠି କହିରହିବା ଉଚିତ ହେବ ଯେ, ମୋ ରହଣି ବର୍ଷ ଆମେ ସମସ୍ତେ (କେମ୍ୱ୍ରିଜ୍‌ କୋର୍ସର ଅଫିସର୍‌) ଆମ ଟିମ୍‌କୁ ଉତ୍ସାହିତ କରିବାକୁ ଲଣ୍ଡନ ଯାଇଥିଲୁ । ସେ ବର୍ଷ କେମ୍ୱ୍ରିଜ୍‌ ହାରିଥିଲା । ମୁଁ କେମ୍ୱ୍ରିଜ୍‌ ସହ ୪୦ ବର୍ଷର ସଂପୃକ୍ତି ରକ୍ଷା କରିଥିବା କଥା ପଛକୁ ଲେଖିଛି । ୨୦୦୮ରେ କେମ୍ୱ୍ରିଜ୍‌ ନୌଚାଳନରେ ଜିତିଥିବା ଯୋଗୁଁ ମୋ ପାଖକୁ ଗୋଟେ ସୁନ୍ଦର ବୋତାମ ସେଟ୍ ଓ ଦୁଇଟି Cufflink ଆସିଥିଲା । ଦୁଇ ବିଶ୍ୱବିଦ୍ୟାଳୟର ପ୍ରତିଯୋଗିତା ମଧ୍ୟ ଅନ୍ୟ ଦୁଇଟି କ୍ଷେତ୍ରରେ । ସବୁଠୁଁ ପାରଦର୍ଶୀ, ଉଚ୍ଚଶିକ୍ଷିତ ଅଧ୍ୟାପକବୃନ୍ଦ ସଂଗ୍ରହ କରି ଶକ୍ତିଶାଳୀ ‘‘ଫାକ୍‌ଲଟି’’ ଗଢ଼ିବା । ଆମେରିକାର ବିଶ୍ୱବିଦ୍ୟାଳୟମାନଙ୍କରୁ ଏବଂ ଇଂଲାଣ୍ଡର ଅନ୍ୟ ବିଶ୍ୱବିଦ୍ୟାଳୟରୁ କେମ୍ୱ୍ରିଜ୍‌ରେ ଅଧିକ ସୁଯୋଗ ଓ ସୁବିଧା ପାଇଁ ଅଧ୍ୟାପକମାନେ ଆସନ୍ତି । କହିବା ନିଷ୍‌ପ୍ରଯୋଜନ ଉଭୟ ବିଶ୍ୱବିଦ୍ୟାଳୟ ତାଙ୍କ ସଂସ୍ଥାରେ କେତେଜଣ ନୋବେଲ ଲରିଏଟ୍‌ ଅଛନ୍ତି, ସେଇଟାକୁ ପ୍ରତିଯୋଜିତାର ପ୍ରମୁଖ ନିଦର୍ଶନ ବୋଲି ବିାରନ୍ତି । ଉଦାହରଣସ୍ୱରୂପ ମୋ ୧୯୬୮ ରହଣି ବେଳେ କେମ୍ୱ୍ରିଜ୍‌ରେ ୮ ଏବଂ ଅକ୍ସଫୋର୍ଡ଼ରେ ୬ ନୋବେଲ ଲରିଏଟ୍ ଥିଲେ ।

 

ଆଉ ଗୋଟିଏ ପ୍ରତିଯୋଗିତା ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ସଂପର୍କରେ । ଏ ଦୁଇ ବିଶ୍ୱବିଦ୍ୟାଳୟ ଅବଶ୍ୟ ହାର୍ଭାଡ଼ରେ Widener ଲାଇବ୍ରେରୀର ସମକକ୍ଷ ନୁହଁନ୍ତ- ହାର୍ଭାଡ଼ ଲାଇବ୍ରେରୀଟି ୧୦ ତାଲା ଓ ସେଥିରେ ୩୮ ଲକ୍ଷ ବହି । ତାଠୁଁ ଅଧିକ ପ୍ରାଚୀନ ଡକୁମେଣ୍ଟସ୍‌ ଏବଂ Harvard Oriental Series ମଧ୍ୟ । ସେତେବେଳେ କେମ୍ୱ୍ରିଜ୍‌ ଲାଇବ୍ରେରୀରେ ପ୍ରାୟ ୧୫ ଲକ୍ଷ ବହି ଓ ବହୁତ Archival ବସ୍ତୁ । ସେମିତି ଅକ୍ସଫୋର୍ଡ଼ରେ ରୋଡ଼୍‌ସଙ୍କ ନାମାନୁସାରେ Rhodes Scholarship ରହିଛି ଏବଂ ବିଶ୍ୱର ସବୁଠୁଁ ଭଲ ଛାତ୍ର (ଭାରତ ସମେତ) ସେଠ ସ୍ଥାନ ପାଇବାକୁ ପ୍ରତିଯୋଗିତା କରନ୍ତି । ମୋ କେମ୍ୱ୍ରିଜ୍‌ ରହଣି ବେଳେ ଶ୍ରୀଯୁକ୍ତ ପ୍ରଭାତ ପଟ୍ଟନାୟକ (ପ୍ରାଣନାଥ ପଟ୍ଟନାୟକଙ୍କ ସୁପୁତ୍ର) ରୋଡ଼୍‌ସ ସ୍କଲାର ଏବଂ ତାଙ୍କ ସ୍ତ୍ରୀ ଉତ୍‌ସା ମଧ୍ୟ ତାଙ୍କ ସହ ଥିଲେ । ମଝିରେ ମଝିରେ ମୁଁ ସେ ଦୁହିଁଙ୍କୁ ଭେଟିଥିଲି । ଅକ୍ସଫୋର୍ଡ଼ରେ ମୋର ଜରେ ଭାରତୀୟ ବଂଧୁ କଲମ୍ୱୋ ପ୍ଲାନରେ ସ୍ଥାନିତ ହୋଇଥିଲେ – ନାଁ ଅଜିତ୍‌ ମୁଖର୍ଜୀ । ମୋ ବ୍ୟାଚ୍‌ରେ ମୁଁ ପ୍ରଥମ ଏବଂ ସେ ଚତୁର୍ଥ ହୋଇଥିଲେ । ତାଙ୍କୁ ମଧ୍ୟ ସେଠି ଭେଟେ ଓ ଅକ୍ସଫୋର୍ଡ଼ର ବିଭିନ୍ନ କଲେଜ ବୁଲି ଦେଖେ ।

 

(ଦୁଇ)

କେମ୍ୱ୍ରିଜ୍‌ରେ ବର୍ଷଟିଏ କାଟିବାର ପୃଷ୍ଠଭୂମି ପାଠକେ ଜାଣିବା ଉଚିତ । ୧୯୬୮ ସେପ୍ଟେମ୍ୱରରେ ମୁଁ ସୁନ୍ଦରଗଡ଼ ଜିଲ୍ଲାପାଳ ଥାଏ । ଅଳ୍ପ କିଛି ଦିନ ଆଗରୁ ଶ୍ରୀ ହେରମ୍ୱ୍‌ ନାରାୟଣ ଦାଶମହାପାତ୍ରଙ୍କଠୁଁ ଚାର୍ଜ ନେଇଥାଏ । ଜିଲ୍ଲାରେ ତଦାନୀନ୍ତନ ଏସ୍.ପି.ଙ୍କର ଜଣେ ଡାକ୍ତରାଣୀଙ୍କ ପ୍ରତି ଦୁର୍ବ୍ୟବହାର ଯୋଗୁଁ ଅଶାନ୍ତି କୁହୁଳୁଥାଏ । ସେଇ କାରଣରୁ ସରକାର ଏ ଆଦିବାସୀ-ଅଧୁଷ୍ଠିତ ଜିଲ୍ଲାରୁ ମୋତେ ଛାଡ଼ିବା ପାଇଁ ପ୍ରଥମତଃ ରାଜି ହେଲେନି । ସେମାନେ ଭାରତ ସରକାରଙ୍କୁ ଲେଖିଲେ ଶ୍ରୀ ମହାପାତ୍ରଙ୍କୁ ଆସନ୍ତାବର୍ଷ କୋର୍ସରେ ସ୍ତାନ ଦିଆଯାଉ । ଭାରତ ସରକାର କହିଲେ ମନୋନୟନ ପ୍ରଣାଳୀ ଯାହା ସେଥିରେ ଆସନ୍ତାବର୍ଷପାଇଁ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେବା ସମ୍ଭବ ନୁହେଁ (ସରକାର ବାଛନତି ସତ କିନ୍ତୁ ବିଶ୍ୱବିଦ୍ରାଳୟ ମଧ୍ୟ ରାଜି ହେବା ଆବଶ୍ୟକ) ।

 

ସୁନ୍ଦରଗଡ଼ରେ ଏ ସଂବାଦ ପାଇ ମୁଁ ଉଭୟ ଦୁଃଖିତ ଓ ଆନନ୍ଦିତ ହେଲି । ଉଭୟର କାରଣ ପ୍ରାୟ ସୁସ୍ପଷ୍ଟ । ଚାକିରି ଜୀବନ ପ୍ରାରମ୍ଭରେ ବିଶ୍ୱବିଖ୍ୟାତ ବିଶ୍ୱବିଦ୍ୟାଳୟରେ ବର୍ଷେ କାଟିବାର ସୌଭାଗ୍ୟର ବିଷୟ । ଏହା ହାତଛଡ଼ା କରିବା ବୋଧହୁଏ ଅନୁଚିତ । କିନ୍ତୁ ଅନ୍ତରାତ୍ମାରେ କେଉଁଠି ଲୁଛିଥାଏ ଆଉ ଏକ ବିରୋଧୀ ଅନୁଭବ ଯେ କେମିତି ଏମାନଙ୍କୁ ଚାଡ଼ିକରି ଯିବି । ବାର୍ଦ୍ଧକ୍ରରେ ପାଦ ଦେଇଥିବା ବାପମାଆ, ଛୋଟ ଛୋଟ ତିନୋଟି ଝିଅ ଏବଂ ମାତ୍ର ଦୁଇମାସରେ ସୁନ୍ଦରଗଡ଼ରୁ ଡେରା ଉଠେଇ ଭୁବନେଶ୍ୱରରେ ଏକୁଟିଆ ରହିବାର ମୋ ସ୍ତ୍ରୀଙ୍କ ଅବସାଦ ଏସବୁ ମନକୁ ଆସୁଥାଏ । ଭାବୁଥାଏ, ହିଁ, ହେଲା ନ ଗଲେ ବି ଚଳିବ । ଏତେ ସ୍ନେହକୁ, ଦାୟିତ୍ୱକୁ ପଛରେ ପକେଇ ମୋ ଯିବା କ’ଣ ଉଚିତ ହେବ ?

 

ଯିବା ବନ୍ଦ ହେବା ଖବରରେ ସମସ୍ତେ ଆଶ୍ୱସ୍ତ ହେଲେ । ତିନି ପିଲାଏ, ବାପା ବୋଉ ଓ ମୋ ସ୍ତ୍ରୀ ଖୁସି ଜଣାପଡ଼ିଲେ । ବାପା କହିଲେ, ‘‘ହଉ, ଆସନ୍ତା ବର୍ଷ ତ ଯିବୁ, ଚାକିରି ତ ମାତ୍ର ୬ବର୍ଷ ହୋଇଛି । ଚାହୁଁ ଚାହୁଁ ବର୍ଷଟେ ପଳେଇଯିବ’’ । ପରେ ସୁନ୍ଦରଗଡ଼ରୁ ସରକାରଙ୍କ ଡାକରା ପାଇ ଓ ମୋର ମାନସିକ ଦ୍ୱନ୍ଦ୍ୱ କଥା ମନରେ ରଖି ତଦାନୀନ୍ତନ ଚିଫ୍ ସେକ୍ରେଟାରୀ ବାରେନ୍‌ (A.K. Barren) ଙ୍କୁ ଦେଖାକଲି । ଆଶ୍ଚର୍ଯ୍ୟ ହେଲି ସେ କହିଲେ, ‘‘ତୁମେ ନିଶ୍ଚୟ କେମ୍ୱ୍ରିଜ୍‌ ଯିବ । ସୁନ୍ଦରଗଡ଼କୁ ସମୁଚିତ ଅଫିସର ପଠାହେବ । ଏ ସୁଯୋଗ ଓଡ଼ିଶା ସରକାରଙ୍କର ହାତଛଡ଼ା କରିବା ଉଚିତ ହେବନି ।’’ ସେ କ୍ୟାବିନେଟ୍‌ ସେକ୍ରେଟାରୀଙ୍କ ସହ ଆଲୋଚନା କରି ପୂର୍ବବର୍ତ୍ତୀ ସିର୍ଦ୍ଧାନ୍ତ ବଦଳେଇଲେ ଓ ସାମାନ୍ୟ ବିଳମ୍ୱରେ କୋର୍ସରେ ଯୋଗ ଦେବା ଲାଗି ଅନୁମତି ବି ବ୍ୟବସ୍ଥା କରିଦେଲେ । କିନ୍ତୁ ସେଥିପାଇଁ ସପ୍ତାହେ ମାତ୍ର ଅଧିକ ସମୟ ଦେଲେ ।

 

ସୁନ୍ଦରଗଡ଼ରୁ ଭୁବନେଶ୍ୱର ଆସିବା ବେଳେ, ବାପା ବୋଉ ଓ ମୋ ସ୍ତ୍ରୀ ଧରିନେଇଥିଲେ ଏ ବର୍ଷ ଯିବା ବନ୍ଦ ହେଲା । ଟେଲିଫୋନ୍‌ରେ ସରକାରୀ ସିର୍ଦ୍ଧାନ୍ତ ବଦଳିଛି ଓ ମୋତେ ସଚନ୍ଦରଗଡ଼ ଫେରି, ସେଠୁ ଆସି ଶୀଘ୍ର କେମ୍ୱ୍ରିଜ୍‌ ଯିବାକୁ ପଡ଼ିବ ସେ କଥା ଜଣେଇବା ପରେ ମୁଁ କଳ୍ପନାଚକ୍ଷୁରେ ଦେଖିପାରୁଥାଏ ବାପା ବୋଉଙ୍କ ମୁହଁ ଶୁଖିଗଲା; ସାମୟିକ ଆନନ୍ଦ ଉଭେଇଗଲା । ମୋ ସ୍ତ୍ରୀ ଟେଲିଫୋନ୍‌ରେ ବେଶ୍ ସମୟ ନୀରବତା ପରେ କହିଲେ, ‘‘ହେଉ ତୁମେ ଆସ । ସବୁ ବ୍ୟବସ୍ଥା ହେବ ।’’ ମୁଁ ଜାଣିପାରୁଥାଏ ସଭିଙ୍କ ମନଦୁଃଖ କଥା ଓ ପୁନଶ୍ଚ ଭାବୁଥାଏ ନ ଗଲେ ତ ଚଳିଥାନ୍ତା । ବାପା, ବୋଉ, ତିନି ଛୋଟ ଝିଅ ଖୁସି ହୋଇଥାନ୍ତେ ।

 

ଅତି ହରବରରେ ସୁନ୍ଦରଗଡ଼ ଛାଡ଼ିଲି । ଅଫିସରଙ୍କ ବିଦାୟ ସଭା, ଡିନର୍ ଇତ୍ୟାଦି ସଂକ୍ଷିପ୍ତ କରି ବା ବାଦ୍‌ ଦେଇ, ଜିନିଷପତ୍ର ଧରି ଭୁବନେଶ୍ୱରରେ ୩ ଦିନ ଭିତରେ ପହଞ୍ଚିଲୁ । ରିଜିଓନାଲ କଲେଜ ସାମ୍ନା ଉପର ମହଲା 4r Flatଟିଏ ସରକାର ଦେଲେ ।

 

ଛୋଟ ଛୋଟ ତିନି ଝିଅ ବୁଝିପାରୁ ନ ଥାନ୍ତି ମୋର ବର୍ଷକର ଆଗକୁ ଅନୁପସ୍ଥିତି । ବୋଧହୁଏ ଭାବୁଥାନ୍ତି ବାପି ଟୁର୍‌ରେ ଯେମିତି ଯାଏ, ୨ ଦିନ ପରେ ଲେଉଟିଆସିବ । ଯେତେବେଳେ ପଚାରିଲି ଯୁଆଡ଼େ ଯାଉଛି ତୁମ ପାଇଁ କ’ଣ କ’ଣ ଆଣିବି । ସେମାନେ ଯାହା ଯାହା ‘‘ଦାବୀ’’ ବାଢ଼ିଲେ ସେ ସବୁ ଥିଲା ପ୍ରାୟ ହାସ୍ୟାସ୍ପଦ ବଡ଼ ମଣିଷଙ୍କ ଆଖିରେ । ଯିବାଦିନ ପାଖ ହେଉଥାଏ । ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ବାପା ବୋଉଙ୍କୁ ବୁଝାଉଥାନ୍ତି, ’’ଆମେ ସବୁ ଅଛୁ । କିଛି ଅସୁବିଧା ହେବନି, ଆପଣ ଦୁହିଁଙ୍କର କି ପିଲାଙ୍କର ।’’ ଯେଉଁ 4R-Flatଟି ମିଳିଲା ସୌଭାଗ୍ୟକୁ ବନ୍ଧୁ ଓ ସଂପର୍କ ନିକଟରେ ଥାଆନ୍ତି । ସେତେ‌ବେଳେ ପାଖ ଫ୍ଲାଟରେ ଅଧ୍ୟାପକ ବିକ୍ରମ ଦାସ RCEରେ; ବୀରଭାଇ (ବୀରକିଶୋର ପଟ୍ଟନାୟକ- Chief Inspector Factory & Boilers) ଆମ ଫ୍ଲାଟ ତଳ ମହଲରେ । କିଛି ଦମ୍ଭ ଆସିଲା ମନରେ ।

 

ମୁଁ ପ୍ରଥମଥର ପାଇଁ ବିଦେଶ ଗସ୍ତରେ ଯାଉଥାଏ । ପ୍ରଥମଥର ବି ବିମାନ ଯାତ୍ରା କରୁଥାଏ । ସାତ ବର୍ଷ ଚାକିରିରେ ପ୍ଲେନରେ ଆଉ କୁଆଡ଼େ ଯାଇ ନ ଥାଏ । ଚାହୁଁ ଚାହୁଁ କେମ୍ୱ୍ରିଜ୍‌ ଯିବା ଦିନ ପହୁଞ୍ଚିଗଲା । ସେଦିନ ସେପ୍ଟେମ୍ୱର ୨୫, ୧୯୬୮ । ଭୁବନେଶ୍ୱର ଏୟାରପୋର୍ଟରେ ମୋର ବଂଧୁ, ଜ୍ଞାତି, ଅଫିସରମାନେ‌, ପରିବାରର ସଭିଏଁ ବିଦାୟ ଦେବାକୁ ଆସିଥାଆନ୍ତି । ମନ ଭିତରେ କିଛି ଭାଙ୍ଗିରୁଜି ଯାଉଥାଏ । ଗୋପୀମାମୁ ସବୁଠୁଁ ଦମ୍ଭ ଦେଉଥାଆନ୍ତି । ମନେପଡ଼ୁଥାଏ ପାଞ୍ଚବର୍ଷର ବଡ଼ ଝିଅର ଖେଳଣା ପାଇଁ ବରାଦ । ନ ବୁଝିପାରୁଥିବା ସାନ ଦିଓଟି ଝିଅ କହିଥାନ୍ତି Crayon, ରଙ୍ଗ ପେନ୍‌ସିଲ୍‌ ଓ ଭଲ ରିବନ୍‌ ପାଇଁ । ବଡ଼ମାନଙ୍କୁ ଦଣ୍ଡବତ ଓଳଗି, ସଂଧୁମାନଙ୍କୁ ନମସ୍କାର ଓ ପିଲାଙ୍କ ମୁଣ୍ଡ ଆଉଁଶି ଦେଲି । ମୋ ସ୍ତ୍ରୀ, ମାଈଁ, ଭାଉଜ ଇତ୍ୟାଦି ପଛକୁ ଥାଆନ୍ତି । ମୋ ସ୍ତ୍ରୀଙ୍କ ଆଖି ଛଳ ଛଳ ଦୁଶୁଥାଏ । ବଡ଼ ମଣିଷ କାନ୍ଦିବା ଅସୁନ୍ଦର ଜାଣିଲେ ବି ମୋ ଭିତରୁ କୋହ ଉଠି ଆସୁଥାଏ । ଏକ ଲୟରେ ପଛକୁ ଆଉ ନ ଅନେଇ ବିମାନ ଆଡ଼େ ଚାଲିଲି । ବାପା, ବୋଉ, ସବୁ ବଂଧୁ, ସକଳ ସାଥି ପରିଜନଙ୍କ ପରିଚିତ ପୃଥିବୀ ପଛରେ ପଡ଼ି ରହିଲା ।

 

ବିମାନ ପହଞ୍ଚିଲା କଲିକତାରେ । ସେତେବେଳେ ଦିଲ୍ଲୀକୁ ସିଧା ଇଣ୍ଡିଆନ୍‌ ଏୟାର ଲାଇନ୍ସ ନ ଥାଏ । ଦିଲ୍ଲୀ ଯିବାକୁ ହେଲେ ରାତିରେ ଓଡ଼ିଶା ଭବନରେ ରହି ସକାଳ ଫ୍ଲାଇଟ୍ ଧରିବାକୁ ପଡ଼େ । ମୋ ସାଥିରେ ଥାନ୍ତି ବିପିନ ବିହାରୀ ରଥ, ସେତେ‌ବେଳେ ହୋମ୍ ସେକ୍ରେଟାରୀ । ସେ ଦିଲ୍ଲୀ ଯାଉଥାନ୍ତି । ଏକାଠି ଯାତ୍ରା ଭଲ ଲାଗିଲା । ଗପସନ କରିବାକୁ ଜଣେ ମିଳିଗଲେ । ତା’ ପରଦିନ ଦିଲ୍ଲୀରୁ ଲଣ୍ଡନ ଯାତ୍ରା । ପ୍ରଥମ ବିମାନଯାତ୍ରା ମୋର । ଝର୍କାକଡ଼ ସିଟ୍‌ରେ ବସି ଦୃଶ୍ୟ ଦେଖୁଥାଏ ବାହାରର । ବିମାନ ରହିଲା ପ୍ରଥମେ ବିରୁଟ୍‌ରେ । ଭୂମଧ୍ୟସାଗର କୂଳର ଲେବାନନ୍‌ର ରାଜଧାନୀ । ଅଦୂରରେ ସମୁଦ୍ର । ଦୁଇପଟେ ସହର । ବିରୁଟ୍‌ ମଧ୍ୟପ୍ରାଚ୍ୟର ନାମଜାଦା ସହର । ପ୍ରାଚୀନ ସଭ୍ୟତାର ପୀଠସ୍ଥଳ । ପଡ଼ୋଶୀ ରାଷ୍ଟ୍ର ଇଜ୍‌ରାଏଲ୍‌, ପାଲେଷ୍ଟାଇନ୍‌ । ସବୁବେଳେ ସଂଘର୍ଷ ଓ ଗୃହଯୁଦ୍ଧ ସତ୍ତ୍ୱେ ସୁନ୍ଦର ସହର । ଟିକେ ପ୍ଲେନ୍‌ ବାହାରେ ଆସି ବୁଲିଲି । ଶୀତଳ ପବନରେ ମନ ଖୁସି ହୋଇଗଲା, ଆଖି ବୁଜି ଆସିଲା । ପରେ ଜାଣିଲି ଖଲିଲ୍‌ ଜିବ୍ରାନଙ୍କ ଜୀବନ ସହ ସଂକୃକ୍ତ ଏଇ ଲେବାନନ୍‌ । ପ‌ରେ ପିଢ଼ିଲି Colin Thubornଙ୍କ ବହି The Hills of Adonic : A Ouest for Lebanon. ସମଗ୍ର ଲେବାନନ୍‌ରେ ୪ ମାସ କାଳ ୫୦୦ ମାଇଲ୍‌ ପଦବ୍ରଜରେ ବୁଲି ଏ ସୁନ୍ଦର ବହିଟି ସେ ଲେଖିଛନ୍ତି । ଭ୍ରମଣ ବୃତ୍ତାନ୍ତ ବ୍ୟତିରେକେ ଏଇଟି ତାଙ୍କର ବ୍ୟକ୍ତିଗତ ଲେବାନନ୍‌ ଅନୁଭୂତି- ପ୍ରସୂତ । ବିରୁଟ୍‌ ଓ ଲେବାନନ୍‌ ଉପରେ ଏତେ ସୁନ୍ଦର ଭ୍ରମଣ କାହାଣୀ ମୁଁ ପଢ଼ିନି । ଲେବାନନ୍‌ ଖଲିଲ୍‌ ଜିବ୍ରାନଙ୍କ ଦେଶ, ବିରୁଟ୍‌ ତାଙ୍କର ପ୍ରିୟ ସ୍ଥାନ । ବିରୁଟ୍‌ ଲେବାନନ୍‌ରେ । ଏ ବହିଟି ମୋ ପାଇଁ ପଢ଼ିଥିବା ୧୫ ଖଣ୍ଡି ଭଲ ବହି ଭିତରେ ଅନ୍ୟତମ ।

 

ବିରୁଟ୍‌ ଛାଡ଼ି ଆଲବସ୍‌ ପର୍ବତମାଳା ଅତିକ୍ରମ କଲାବେଳେ ଛୋଟ ପିଲାଙ୍କ ତିଆରି ବା ଏବେ ସୁଦର୍ଶନ ପଯ୍ଟନାୟକଙ୍କ ବାଲୁକାସ୍ଥାପତ୍ୟ ପରି ଦୃଶ୍ୟ । ସେଗୁଡ଼ିକ ଉପରେ ଖାଲି ପାଉଡ଼ର ଛିଞ୍ଚା ହୋଇଛି ।

 

ହିଥ୍ରୋ, ଲଣ୍ଡନରେ ପହଞ୍ଚି ଟାକ୍ସିରେ ସିଟି ସେଣ୍ଟରକୁ ଗଲି । ସେଠାରେ ବ୍ରିଟିଶ କାଉନ୍ସିଲ ପ୍ରତିନିଧି ଅଭ୍ୟର୍ଥନା ଜଣାଇ ହୋଟେଲକୁ ନେଲେ । ତା’ ପରଦିନ ଟ୍ରେନ୍‌ରେ କେମ୍ୱ୍ରଜ୍‌ ଯିବାର ବ୍ୟବସ୍ଥା ହେଲା । ଲଣ୍ଡନରେ ଥିବା ବଂଧୁ ଚିତ୍ରକର ଲେଖକ ପ୍ରଫୁଲ୍ଲ ମହାନ୍ତିଙ୍କୁ ଭେଟିଲି । ଲଣ୍ଡନରେ ତାଙ୍କ ଘର ଗୋଟିଏ ରହଣି ସ୍ଥାନ ପରେ ହୋଇଥିଲା । କେମ୍ୱ୍ରିଜ୍‌ରୁ ଲଣ୍ଡନ ତ ଅନେକ ଥର ଆସେ । ତାଙ୍କ ସହ କଥା ହୁଏ ।

 

ପ୍ରଥମେ କୋର୍ସ କଥା । ମୁଁ ଟିକେ । ମୁଁ ଟିକେ ବିଳମ୍ୱରେ ପହଞ୍ଚିବା ସତ୍ତ୍ୱେ କିଛି ଅସୁବିଧା ହେଲାନି । ଯେଉଁ ୨୦ ଜଣ ଟ୍ରେନିଂରେ ସେ ଭିତରେ ଥାଆନ୍ତି ଆମ ଭାରତର ବିନୋଦ ଦୀକ୍ଷିତ (ଦିଲ୍ଲୀରେ ତ୍ରିବାର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଶିଲା ଦୀକ୍ଷିତଙ୍କ ଦିବଂଗତ ସ୍ୱାମୀ), ଶ୍ରୀଯୁକ୍ତ ପଦ୍ମନାଭନ ଏବଂ କେ. ଏସ୍. ରାମକ୍ରିଷ୍ଣନ୍‌ । କେମ୍ୱ୍ରିଜ୍‌ରେ ରହଣି ପାଇଁ ମୋତେ Sidney Sussex କଲେଜରେ ସ୍ଥାନ ମିଳିଥାଏ । ଅନ୍ୟ ତିନିହେଁ କୌଣସି କଲେଜରେ ସ୍ଥାନ ନ ମିଳିବା ଯୋଗୁଁ ଆପାର୍ଟମେଣ୍ଟ ଭଡ଼ା ନେଇ ରହିଥାନ୍ତି । କେମ୍ୱ୍ରିଜ୍‌, ସିଡ଼୍‌ନି ସସେକ୍ସ କଲେଜ । ନୂଆ ଜୀବନ ଆରମ୍ଭ । ଛାଡ଼ିଆସିଥିବା ପ୍ରିୟଜନଙ୍କ ଚିଠିକୁ ଅପେକ୍ଷା । କଲେଜର ଅନ୍ତେବାସୀ ପ୍ରତ୍ୟେକଙ୍କ ପାଇଁ ଗୋଟିଏ ଲକର ଥାଏ ଚିଠି ଆସିଲେ ରହିବା ପାଇଁ । ଆଜିବି ମୋ ଆର୍-ବି ଡ୍ରୟର କଥା ମନେପଡ଼ୁଛି । ଟେଲିଗ୍ରାମ୍‌ ପହଞ୍ଚି ପଠେଇଥାଏ । ଟେଲିଫୋନ୍ ଜରିଆରେ ଘର ଓ ପିଲାମାନଙ୍କ ସହ କଥାଭାଷା ହୋଇଥାଏ । ଏୟାରପୋର୍ଟ (ହିଥ୍ରୋ)ରୁ ଓ କଲେଜରୁ ଚିଠି ଦେଇଥାଏ । ସବୁ ଖବର ଧରି ପ୍ରଥମ ଚିଠି ମୋ ସ୍ତ୍ରୀଙ୍କ ଠୁଁ ପହୁଞ୍ଚିଲା । ଠିକ୍‌ ୧୫ ଦିନ ପରେ । ସେଥିରେ ବାପା ବୋଉଙ୍କ ସ୍ୱାସ୍ଥ୍ୟ ପିଲାଙ୍କ ନୂଆ ଅନୁଭୂତି (‘ବାପି’ର ଅନୁପସ୍ଥିତି) କଥା ଲେଖାଥାଏ ।

 

ପରେ ପରେ ପହୁଞ୍ଚିଲା । ମାମୁଁ ଗୋପୀନାଥ ମହାନ୍ତିଙ୍କ ଚିଠି । ତାଙ୍କ ଚିଠି ଖାଲି ଚିଠି ନୁହେଁ, କବିତାଟିଏ । ସବୁ ଖବର ସହିତ (ପୁନରପି ବାପା, ବୋଉ ପିଲା ଓ ମୋ ସ୍ତ୍ରୀଙ୍କ କଥା ଛଡ଼ା) ମୋ ଭୁବନେଶ୍ୱର ଛାଡ଼ିବା ଦିନକଥା ଲେଖିଥାନ୍ତି । ତଳେ ସେ ଚିଠିରୁ ପାରାଗ୍ରାଡ଼୍‌ଟିଏ ଥାଏ ଏମିତି:

‘‘ଏଠୁ ତୁମ ଉଡ଼ାଜାହାଜ ଉଡ଼ିଗଲା ସେପ୍ଟେମ୍ୱର ୨୫ ତାରିଖ ଚାରିଟା ବେଳେ । ଅନୁଭବ ହେଲା, ତୁମର ବିଲାତ ଯିବା ସଂଗେ ସଂଗେ ମୋ ଜୀବନରୁ କିଛି ମୋତେ ଛାଡ଼ି ବିଦେଶ ଗଲା । ଉଡ଼ାଜାହାଜ ଗଲା ପରେ ଦେଖିଲି ତୁମ ବାପା ରେଲିଂ କରେ କରେ ବହୁତ ଦୂରରେ ଚାଲିଛନ୍ତି, ଆକାଶକୁ ଅନେଇଛନ୍ତି । ତା’ପରେ ସେ ଫେରିଲେ । ଗମ୍ଭୀର ଦିଶୁଥାନ୍ତି, ଦୃଦୟର କଥା ଦୃଦୟ ଗହନରେ ଥାଏ । ତୁମ ବୋଉ ସେଇଠି ସେଇ ପିଣ୍ଡା ଉପରେ ମହାଦେବଙ୍କ ଆଡ଼କୁ ଅନେଇ ତଳେ ଗୋଡ଼ତଳେ ପଡ଼ିଗଲେ । ମନେ ମନେ ଗୋଡ଼ତଳେ ପଡ଼ିଗଲେ ସମସ୍ତେ । ସେଇଠି ସେହି ପରିସ୍ଥିତିରେ ଏକା ଝଲକରେ ଦେଖିଲି କବି ସୀତାକାନ୍ତ ମଣିଷ ସୀତାକାନ୍ତଙ୍କର ବୁନିଆଦି ଉପାଦାନରୁ କିଛି । ମନେ ରହିଗଲା ।’’

 

(ତିନି)

ଆଗରୁ ଲେଖିଛି ବିନୋଦ ଓ ତାଙ୍କ ସ୍ତ୍ରୀ ଶିଲା ଦୀକ୍ଷିତ ଏକାଠି ଆସିଥାନ୍ତି, ପଦ୍ମନାଭନ ମଧ୍ୟ ସସ୍ତ୍ରୀକ ଆସିଥାନ୍ତି । ରାମକ୍ରିଷ୍ଣନ (ସ୍ନେହର ଡାକ ନାଁ ରାମ୍‌କି) । ମୋ ପରି ଏକା ଆସିଥାଏ । ବିନୋଦ ଆଇ.ଏ.ଏସ୍ କାମରେ ଯେତିକି ଦକ୍ଷ ସେତିକି ଅଭିନୟ-ପ୍ରିୟ, ନିଜେ ବହୁ ଥିଏଟର୍‌ରେ ତାଙ୍କ ଅଭିନୟ ଦେଖିଛି । ଶିଳା ଖୁବ୍‌ ଭଲ ରାନ୍ଧନ୍ତି । ଶ୍ରୀ/ଶ୍ରୀମତୀ ପଦ୍ମନାଭନ୍‌ ଖୁବ୍‌ ସ୍ମାର୍ଟ ଏବଂ କଠୋର ପରିଶ୍ରମୀ । ଶ୍ରୀମତୀ ପଦ୍ମନାଭନ୍‌ ସାୟିକ ଚାକିରିଟିଏ ବି ଯୋଗାଡ଼ କରିନେଲେ ଆମ ‘ସ୍ୱଚ୍ଛ ଫେଲୋସିପ୍‌ ଷ୍ଟାଇପେଣ୍ଟ’କୁ ବଢ଼େଇବା ପାଇଁ । ରାମ୍‌କି ସୁନ୍ଦର ହାଲ୍‌କା କବିତା ଲେଖନ୍ତି, ଯାହା ଆମ ଗ୍ରୁପ୍‌ର ୨୦ ଜଣଯାକଙ୍କୁ ଖୁବ୍‌ ଭଲ ଲାଗେ । ତାଙ୍କୁ ‘‘ଆଶୁ କବି’’ ଆମେ ଡାକୁ । ଆମେ ଚାରିଜଣ କେମ୍ୱ୍ରଜ୍‌ରେ । ଅକ୍ସଫୋର୍ଡ଼ରେ ମଧ୍ୟ ଜଣେ ସ୍ଥାନ ପାଇଥାନ୍ତି ସେଇ କଲମ୍ୱୋ ପ୍ଲାନରେ । ଅଜିତ୍‌ ମୁଖାର୍ଜୀ ମୋ ବ୍ୟାଚ୍‌ IASରେ ଚତୁର୍ଥ ହୋଇଥିଲେ – ବଙ୍ଗଳାରେ ତାଙ୍କୁ ମୁଁ ‘‘ମେଜୋ’’ ବୋଲି ଡାକେ ।

 

ମୋ କଲେଜକୁ ଧୀରେ ଧୀରେ ‘ଆମ କଲେଜ’ କହି ଲାଗିଲି । ନିଜର ହେବାକୁ ଲାଗିଲା ସିଡ଼୍‌ନି ସସେକ୍ସ । କେମ୍ୱ୍ରିଜ୍‌ରେ କଲେଜମାନଙ୍କର ବିଶେଷତ୍ୱ ସବୁଠୁଁ ବଡ଼କଥା । ଟ୍ରିନିଟି କଲେଜ, କିଙ୍ଗସ୍‌, କୁଇନ୍ସର ଅପେକ୍ଷାକୃତ ବେଶି ନାଆଁ । ଏ ତିନୋଟିଯାକ କଲେଜ କାମ ନଦୀକୁ ଲାଗିକରି । ଆଉ ସବୁ କଲେଜ ଛୋଟ ସହର ଭିତରେ ପାଖ ପାଖ ହୋଇ ବିଭିନ୍ନ ରାସ୍ତାରେ । ବର୍ଣ୍ଣବିଦ୍ୱେଷ ତ ମୋଟେ ନ ଥାଏ; କାରଣ ଭାରତୀୟ ବା ପାକିସ୍ଥାନୀ ବା ଲାଟିନ୍‌ ଆମେରିକାନ୍‌ ବା ଯେ କୌଣସି ଅଣ-ବ୍ରିଟିଶ୍‌ ଲୋକ ଏଠି ‘ଛାତ୍ର’ ହୋଇ ଆସିଥିବ, ଆମ ଚାକିରି ନେଇଯିବନି ଏ ପ୍ରକାର ଧାରଣାର ସେମାନେ ବଶବର୍ତ୍ତୀ । କେମ୍ୱ୍ରିଜ୍‌ର କଲେଜ ଆମ କଲେଜ ପରି ନୁହେଁ । ବାସ୍ତବରେ ସେଗୁଡ଼ି ଛାତ୍ରାବାସ । ପାଠ ପଢ଼ା ହୁଏ ଡିପାର୍ଟମେଣ୍ଟମାନଙ୍କରେ ।

 

ମୋ କଲେଜରେ ମୋତେ ରହଣି ପାଇଁ ଦୁଇଟି ରୁମ୍ ମିଳିଥାଏ । ଗୋଟିଏ ବେଡ଼୍‌ରୁମ୍‌ ଅପେକ୍ଷାକୃତ ଛୋଟ ଏବଂ ବେଶ୍‌ ବଡ଼ ଡ୍ରଇଁ ଓ ପଢ଼ାପଢ଼ି ପାଇଁ ଆଉ ଗୋଟେ ରୁମ୍‌ । ସେତେବେଳେ ସେଣ୍ଟ୍ରାଲ୍‌ ହିଟିଂ ଆସି ନ ଥାଏ – ଶୀତଦିନ ପାଇଁ ଗ୍ୟାସ୍‌ ହିଟିଂ । ପ୍ରତ୍ୟହ ସକାଳେ ‘‘ବେଡ଼୍‌ମେକର’’ ମହିଳା ବିଛଣା କରିଦିଅନ୍ତି । ଗାଧୋଇବା ଓ ଟଏଲେଟ୍‌ କମନ୍‌ । ଆମେ ଜାଣୁ ବ୍ରିଟିଶ ଲୋକ ପ୍ରତ୍ୟହ ସ୍ନାନ କରନ୍ତିନି ତେଣୁ ଟଏଲେଟ୍ ଉପରେ ଚାପ କିନ୍ତୁ ବାଥ୍‌ରୁମ୍‌ ପ୍ରାୟ ମୋ ୱାର୍ଡ଼ରେ ସବୁବେଳେ ଖାଲି ଥାଏ ଏବଂ ରାତିରେ ସୁନ୍ଦରଭାବେ ଗରମ ପାଣିରେ ଗାଧୋଇବାକୁ ଭଲ ଲାଗେ । ବେଳେବେଳେ ଦିନକୁ ୨ଥର ଗାଧାଏ । ଘରୁ ନେଇଥିବା ଶ୍ରୀଜଗନ୍ନାଥଙ୍କ ଫଟୋଟି ପାଖରେ ଥାଏ ପଢ଼ା ଟେବୁଲ୍‌ରେ । ପ୍ରତ୍ୟହ ପ୍ରାର୍ଥନା କରେ – ସକାଳେ ଗାଧୋଇସାରି ଯେତେବେଳେ ସମ୍ଭବ । ପ୍ରତ୍ୟେକ ଅନ୍ତେବାସୀଙ୍କ ପାଇଁ ଚିଠି ବାକ୍ସ ଲକର ହିସାବରେ ଥାଏ । କେମ୍ୱ୍ରିଜ୍‌ରେ ସେତେବେଳେ ଶ୍ରୀ ଗୌରକିଶୋର ଦାସ ଥାଆନ୍ତି । ସେ କୁଇନ୍ସ କଲେଜରେ ଭିଜିଟିଂ ଲେଖକ ଇ.ଏମ୍.ଫଷ୍ଟରଙ୍କ ଉପରେ ପିଏଚ୍.ଡି. କରିଥାଆନ୍ତି । ସପରିବାର (ସ୍ତ୍ରୀ ବୁଲ୍‌ବୁଲ୍‌, ଝିଅ ମିତା) ଭଡ଼ାଘରେ ରହୁଥାଆନ୍ତି । ଗୌରବାବୁଙ୍କ ଘର ଅତି ଆପଣାର ଘର ହୋଇପଡ଼ିଲା । ତଙ୍କ ଘର ସହ ଅନ୍ତରଙ୍ଗ ସଂପର୍କ କଥା କହିଲେ ଅଳ୍ପରେ କଥା ସରିବନି । ସେ ଥିବାରୁ ଘର ଛାନି ଆସିବାର ଏକାକୀତ୍ୱ ମନୋଭାବ ଅନେକ ଦୂର ହୋଇଗଲା । କ୍ଲାସ ସରିଲା ପରେ ଅନେକ ଦିନ ତାଙ୍କ ଘରକୁ ଚାଲି ଚାଲି ଚାଲିଯାଏ । ଖୁବ୍ କମ୍‌ ବାଟ । ବସ୍ତୁତଃ ସେ ମୋର ଅଭିଭାବକ ହୋଇଗଲେ । ଅନେକ ବିଷୟରେ କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପନା, ତାଙ୍କ ଗବେଷଣା କଥା ତାଙ୍କ ଘରେ ଆଲୋଚିତ ହୁଏ । ବହୁତ ଦିନ ସେଇଠି ରାତ୍ରିଭୋଜନ ସାରି ରୁମ୍‌କୁ ଫେରେ । ବୁଲ୍‌ବୁଲ୍‌ ଭାଉଜ ଓ ଗୌରଭାଇ (ସେମିତି ଡାକିବା ଅଭ୍ୟାସ ହୋଇଗଲା) ମୋର ଖୁବ୍‌ ଦିନ ମନେରହିବ । ମୋତେ ଛତୁ ଭଲ ଲାଗେ ଜାଣିବା ପରେ ବୁଲ୍‌ବୁଲ୍‌ ଭାଉଜ ଅଧିକାଂଶ ସମୟରେ ଛତୁ ରାନ୍ଧନ୍ତି । ଗୌରଭାଇ ବି ଭଲ ପାଆନ୍ତି ଛତୁ । ତାଙ୍କ ସହ ଯେତେଦୂର ମନେପଡ଼ୁଛି ଦୁଇଥର ଇ.ଏମ୍. ଫଷ୍ଟରଙ୍କୁ ଭେଟିଥିଲି । ଫଷ୍ଟରଙ୍କ ଉପରେ ଗବେଷଣା କରୁଥିବାରୁ ସେ ତାଙ୍କୁ ଭଲଭାବେ ଜାଣିଥିଲେ ।

 

ଗୌରବାବୁଙ୍କ ମାଧ୍ୟମରେ ଆଉ ଦୁଇଜଣ ଭାରତୀୟ ମୋର ଖୁବ୍‌ ଘନିଷ୍ଠ ବନ୍ଧୁ ହୋଇଗଲେ । ବ୍ରଜଦୁଲାଲ ଚଟ୍ଟୋପାଧ୍ୟାୟ ପ୍ରାଚୀନ ଭାରତ ଇତିହାସ ଛାତ୍ର ଓ ପିଏଚ୍‌.ଡି. numismatics ବିଷୟରେ କାମ କରୁଥାଆନ୍ତି । ସେ ମୋରି ପରି ଏକୁଟିଆ ରହୁଥାନ୍ତି । ଦ୍ୱିତୀୟ ବଂଧୁ ଶ୍ରୀ ନାଗରାଜ ରାଓ ଚର୍ଚ୍ଚିଲ କଲେଜରେ ସସ୍ତ୍ରୀକ ଥାଆନ୍ତି – ତାଙ୍କ ପିଏଚ୍‌.ଡି. ବିଷୟ ପୁରାତତ୍ତ୍ୱ ବା Archaeology । ବ୍ରଜଦୁଲାଲ ବେଶି ଥର ମୋ କଲେଜଆଡ଼େ ଆସନ୍ତି, ବିଶେଷକରି ରବିବାରରେ ଆମେ ଏକାଠି କଲେଜ ପଛ ରାସ୍ତା (College backs)ରେ ବୁଲୁ, ଲଞ୍ଚ ଖାଉ । ଗପସପ କରୁ ।

 

କ୍ୟାମ ନଦୀକୂଳ

କ୍ୟାମନଦୀ କେମ୍ୱ୍ରିଜ୍‌ର ଅନ୍ୟତମ ପ୍ରମୁଖ ପରିଚୟ । କେମ୍ୱ୍ରିଜ୍‌ ଯିବା ପୂର୍ବରୁ ମୁଁ ଶ୍ରୀ ପ୍ରାଣକୃଷ୍ଣ ପରିଜାଙ୍କୁ ତାଙ୍କ ଘରେ ଯାଉ ଭେଟିଥିଲି । ସେ ପ୍ରଥମ ଓଡ଼ିଆ ଯେ କେମ୍ୱ୍ରିଜ୍‌ରେ ପଢ଼ିଥିଲେ । ସେତେବେଳେ ତାଙ୍କୁ ଆମେ ‘‘ପରିଜା ସିହେବ’’ ବୋଲି ସଂବୋଧନ କରୁଥିଲୁ । କେମ୍ୱ୍ରିଜ୍‌ ସଂପର୍କରେ ଅନେକ କଥା କହିବା ଭିତରେ ସେ କ୍ୟାମ ନଦୀ କଥା କହିଥିଲେ । ‘‘ସେଇ ନଈକୂଳରେ ନୀବରେ ଅନେକ ସମୟ ବସିଲେ ତୁମକୁ ଖୁବ୍‌ ଭଲ ଲାଗିବ, ଛୋଟ ଡଂଗାରେ ଏକୁଟିଆ ବା ବଂଧୁଙ୍କ ସଂଗରେ ଆହୁଲା ପକେଇ ଡଂଗା ଚଳେଇବା ଆହୁରି ଖୁସି ଲାଗିବ ।’’ ମୁଁ ତାଙ୍କ କଥା ମନରେ ରଖିଥାଏ । ନଈଟି ଖୁବ୍ ଅଣଓସାରିଆ, ପହିଲି ଦେଖାରେ ସେଇଟିକୁ ନଈ ବୋଲି କହିବାକୁ ମନ ଡାକିଲାନି । ତାଳଦଣ୍ଡା କେନାଲର ଖୁବ୍ ହେଲେ ୨ ବା ୩ ଗୁଣ ଓସାର । ତିନୋଟି ପ୍ରମୁଖ କଲେଜ ସେଇ ନଇଈକୂଳରେ କିଙ୍ଗ୍‌ସ କଲେଜ, କୁଇନ୍ସ କଲେଜ ଓ ଟ୍ରିନିଟି କଲେଜ । ଧୀରେ ଧୀରେ ମୋତେ ଗଭୀର ଆନନ୍ଦ ଦେଲା । ସୁନ୍ଦର ଘାସର ଗାଲିଚା ପାଣିକୂଳ ଯାଏ ଲମ୍ୱିଥାଏ । ଅନେକ ଅନ୍ତବାସୀ ଏକା ଏକା ଡଂଗାରେ ବୋହି ନେଉଥାନ୍ତି । କେତେକ ଡଂଗାରେ ୨/୩ ଜଣ ମଧ୍ୟ ଥାଆନ୍ତି । ଧୀରେ ଧୀରେ ମୁଁ ଡଂଗା ଚଲେଇଲି । ବେଳେବେଳେ ଏକା, ଆଉ କେବେ ବଂଧୁ ବ୍ରଜଦୁଲାଲଙ୍କ ସହ । କୁଇନ୍ସ କଲେଜ ପଛର Bridge of sights (ଦୀର୍ଘଶ୍ୱାସର ପୋଲ) କିଙ୍ଗ୍‌ସ କଲେଜ କାଥେଡ଼୍ରାଲ ହୋଇ ଟ୍ରିନିଟିରେ ଓହ୍ଲେଇ ଯାଉ । ପରେ ପରେ କେମ୍ୱ୍ରିଜ୍‌ ଅକ୍ସଫୋର୍ଡ଼ର ବୋଟ୍‌ ରେସ୍‌ କଥା ଜାଣିଲି ଓ ସେଥିଲାଗି ନିୟମିତ ଟ୍ରେନିଂ ପାଉଥିବା ‘ଟିମ୍‌’ କଥା ଜାଣିଲି । ଚିତ୍ରୋତ୍ପଳା ନଈକୂଳିଆ ଲୋକ ମୁଁ, ଡଂଗା ଚଳେଇବା, କାତ ମାରିବା, ଆହୁଲା ପଳେଇବା ଏ ସବୁରେ ମୁଁ ଅଭ୍ୟସ୍ତ ଥାଏ ।

 

କେତେଥର ସେଇ ନଈକୂଳରେ ମୁଁ ନ ବସିଛି । ଟ୍ରିନିଟି କଲେଜ ପଛ ରାସ୍ତା କଡ଼ରେ, କିଂଗ୍‌ସ କଲେଜ କାଥେଡ୍ରାଲ ସାମ୍ନା ଲନ୍ ଘାସ ଉପରେ ଓ କୁଇନ୍ସ କଲେଜର ‘‘ଦୀର୍ଘଶ୍ୱାସ ପୋଲ’’ର ରେଲିଂକୁ ଆଉଳି । ୮୦୦ ବର୍ଷ ତଳର କାହାର ଦୀର୍ଘଶ୍ୱାସ ଶୁଣିବାକୁ ପ୍ରଚେଷ୍ଟା କରିଛି । ଅନେକଥର ‘‘ନୌକା ବିହାର’’ ଜହ୍ନରାତିରେ ବଂଧୁ ବ୍ରଜଦୁଲାଲ ଓ ସିଡ଼୍‌ନି ସସେକ୍ସର ବଂଧୁ କ୍ରିସ୍‌ ଖୁ ( Chrish khoo)ଙ୍କ ସଂଗେ । ନଈ ଆରପଟକୁ କଲେଜ ‘‘ବ୍ୟାକ୍‌’’ କୁହାଯାଏ । ଚଲା ରାସ୍ତା ଦାଢ଼ରେ ଅସଂଖ୍ୟ ଫୁଲ କିଆରି । ଋତୁ ବଦଳିବା ସହ ସେ ରାସ୍ତାର ଆବହାୱା ବଦଳେ । ଶୀତ ଶେଷ ଓ ବସନ୍ତ ଆଗମନ ଋତୁରେ ୱାର୍ଡ଼ୱାର୍ଥଙ୍କ ବର୍ଣ୍ଣିତ ତାଫୋଡ଼ିଲ୍‌ରେ ‘‘କଲେଜ ବ୍ୟାକ୍‌’’ ଭାଂଗିପଡ଼େ । ମନକୁ ଆସେ ୱାର୍ଡ଼୍‌ସ ୱାର୍ଡ଼ ଏଇଠି ବୁଲିଥିଲେ ଓ ଡାଫୋଡ଼ିଲ୍‌ର ମହତ୍ତ୍ୱକୁ ବୁଝିଥିଲେ । ଏମିତି କ୍ୟାମ୍‌ ନଈର ଉଭୟ କୂଳ ମୋତେ ଅଭୂତପୂର୍ବ ଆନନ୍ଦ ଦେଇଥିଲା ବର୍ଷକ ରହଣି ଭିତରେ ।

 

କଲେଜ ହିଁ ଛାତ୍ରାବାସ :

କେମ୍ୱ୍ରିଜ୍‌ର କଲେଜ କହିଲେ ଆମ ଅର୍ଥରେ କଲେଜ ନୁହେଁ । ସେଗୁଡ଼ିକ ଛାତ୍ରାବାସ । ସେଥିରେ ପିଲାମାନେ ରୁହନ୍ତି । କେମ୍ୱ୍ରିଜ୍‌ ଅକ୍ସଫୋର୍ଡ଼ ଉଭୟରେ କେବଳ ଗ୍ରାଜୁଏଟ୍‌ ତିଆରି ହୁଅନ୍ତି । ସାଧାରଣ ଅର୍ଥରେ ସେ ଦୁଇଟିରେ ଏମ୍.ଏ. ପଢ଼ା ଯାଏନି । ଗ୍ରାଜୁଏଟ୍‌ ହେଲା ପରେ ନିର୍ଦ୍ଦିଷ୍ଟ ‘‘ଫି’’ ଡିପୋଜିଟ୍‌ କରିବା ଓ କଲେଜର ହାଇ ଟେବୁଲ୍‌ରେ ୨୦ ବା ୨୫ଟି ଡିନର୍‌ରେ ଯୋଗ ଦେବା ପରେ ଏମ୍.ଏ. ଉପାଥି ମିଳିଥାଏ । କଲେଜରେ ଟ୍ୟୁଟୋରିଆଲ କ୍ଲାସ ପାଇଁ ରୁମ୍ ଥାଏ । ନିର୍ଦ୍ଦିଷ୍ଟ ବିଷୟରେ ଫ୍ୟାକଲଟି ଅଧ୍ୟାପକ ସେଠାକୁ ଆସନ୍ତି; ସଂପୃକ୍ତ ଛାତ୍ରଙ୍କ ସହ ଆଲୋଚନା କରି ତାଙ୍କର ପ୍ରଶ୍ନର ଉତ୍ତର ଦିଅନ୍ତି । ଅଧିକ ପଢ଼ିବା ପାଇଁ ବହିର ତାଲିକା ଓ ପତ୍ରପତ୍ରିକା କଥା କୁହନ୍ତି । ମୋ କଲେଜରେ ଜନୈକ ଅଧ୍ୟାପକଙ୍କର ବକ୍ତବ୍ୟ ମୋର ମନରେ ଗଭୀର ରେଖାପାତ କରିଥିଲା । ସେ କହିଥିଲେ, We are here to extend the frontiers of knowledge. Incidentally, we also teach.”ଅର୍ଥାତ୍ ଆମେ ଏଠି ଅଛୁ ଜ୍ଞାନର ଦିଗ୍‌ବଳୟ ବୃଦ୍ଧି କରିବା ପାଇଁ । ତା‘ ସହିତ ଆମେ ବି ଶିକ୍ଷାଦାନ କରୁ । ଟ୍ୟୁଟୋରିଆଲ୍‌ କ୍ଲାସକୁ ଛାଡ଼ିଦେଲେ କଲେଜ ସବୁ ଠିକ୍‌ ଛାତ୍ରାବାସ । ଠିକ୍‌ ସମୟରେ ଗାଉନ୍‌ ପିନ୍ଧି ଡାଇନିଂ ହଲ୍ରେ ପହୁଞ୍ଚିବାକୁ ପଡ଼ିବ । ଯେଉଁଦିନ ଖାଇବାର ନ ଥିବ ସେ କଥା ପୂର୍ବରୁ ଜଣେଇ ଦେବାକୁ ପଡ଼ିବ ଯେପରି ତୁମର ଅନୁପସ୍ଥିତି କଥା ସ୍ପଷ୍ଟ ହୋଇଯାଏ । ଠିକ୍‌ ଯୁଆଡ଼େ ଯାଇଥିଲେ ବି ତୁରନ୍ତ ଫେରିଆସି ରୁମ୍‌ରୁ ଗାଉନ ପିନ୍ଧି ଡାଇନିଂ ହଲ୍‌କୁ ଦୌଡ଼ିବା ଅଭ୍ୟାସରେ ଧୀରେ ଦୀରେ ପରିଣତ ହେଲା । ମୁଁ ଭାରତବର୍ଷରେ ଏମ୍.ଏ. କରିଥିବାରୁ ‘ହାଇ ଟେବୁଲ’ରେ ଅଧ୍ୟାପକ ଓ ଗ୍ରାଜୁଏଟ୍‌ଙ୍କ ସହ ବସୁଥିଲି । ଅଣ୍ଡର ଗ୍ରାଜୁଏଟ୍‌ମାନେ ଲୋ ଟେବୁଲ୍‌ରେ ବସନ୍ତି । ଖାଇବା ପୂର୍ବରୁ ଲାଟିନ୍‌ରେ ପ୍ରାର୍ଥନା ବୋଲାଯାଏ । ମନେ ହେଉଥିଲା ଯେମିତି ବାପା ଭଗବାନ୍‌ଙ୍କୁ ସ୍ମରଣ କରି ଖାଇବା ଆରମ୍ଭ କରୁଥିଲେ । ସେ ଲାଟିନ୍‌ ଶ୍ଲୋକର ଅର୍ଥ ମୋତେ ଯେ କେବଳ ଜଣା ନ ଥିଲା ତା’ ନୁହେଁ । ଅଧିକାଂଶ ଅନ୍ତେବାସୀଙ୍କୁ ମଧ୍ୟ ତା’ର ଅର୍ଥ ଜଣା ନ ଥିଲା ବା ଅନେକ ତା’ ଅର୍ଥ ଜାଣିବାର ପ୍ରଚେଷ୍ଟା କରିନଥିଲେ । ଦିନେ ମୋ କଡ଼ରେ ବସିଥିବା ବଂଧୁଙ୍କୁ ସେ ଶ୍ଲୋକର ଅର୍ଥ ପଚାରନ୍ତେ ସେ କହିଲେ ମୁଁ ଜାଣିନି । କିନ୍ତୁ ମୁଁ ବିଚାରୁଛି ବୋଧହୁଏ ତା’ର ଅର୍ଥ ‘God is good, because he gives us food.’ । ମୋତେ କୁବ୍‌ କୌତୁକିଆ ଲାଗିଲା ତାଙ୍କ କଥା । ମନେହେଲା, ସବୁ ଐତିହ୍ୟ କାଳକ୍ରମେ ଔପଚାରିକ ହୋଇପଡ଼େ । ତା‘ର ପ୍ରକୃଷ୍ଟ ଅର୍ଥ ବୁଝିବା ପାଇଁ କାହାରି ପ୍ରଚେଷ୍ଟା ତ ନ ଥାଏ । ବୋଧହୁଏ ଇଚ୍ଛା ବି ନ ଥାଏ ।

 

ଖାଇବାରେ ମୋର କିଛି ଅସୁବିଧା ହୁଏନି । ଯେଉଁମାନେ ଖାଇବା ପରଷନ୍ତି ମୁର୍ର୍ ସେମାନଙ୍କୁ କହିଥାଏ ଯେ, ମୁଁ ଗୋମାଂସ ବା ‘ବିଫ୍‌’ ଖାଏନି । ମାଛ, ଚିକେନ୍‌ ଖାଏ । ପ୍ରତ୍ୟହ ପ୍ରାୟ ବିବିଧ କିସମର ସୁପ୍‌ ଥାଏ । ମୁଁ ସୁପ୍‌ ପ୍ରିୟ, ତେଣୁ ଭଲ ଲାଗେ । ଦିନେ ଦିନେ Mashed Potato (ଅର୍ଥାତ୍‌, ଆମ ଆଳୁଭର୍ତ୍ତା – ବଘରା ନ ହୋଇଥିବା) ଦିଆଯାଏ । ଆଉ ଦିନେ ଦିନେ ଦୁଇ ଦୁଇ ଖଣ୍ଡ କରି ରୋଷ୍ଟେଡ଼୍ ଆଳୁ ବା ଫୁଲକୋବିର ରୋଷ୍ଟ । କେମ୍ୱ୍ରିଜ୍‌ରେ ଯେଉଁ ମିଠା ହଷ୍ଟେଲରେ ଦିଆଯାଏ ସେ ହେଲା ମୁଖ୍ୟତଃ କେକ୍‌, ଆପଲ୍‌ ପାଇ ଜାତି ଜାତି ଆଇସ୍‌କ୍ରିମ୍‌ । ସେ ସବୁ ଖାଇବାରେ କିଛି ଅସୁବିଧା ହୁଏନି । ଚାହିଁଲେ ତୁମେ ଆଗରୁ ନୋଟିସ୍‌ ଦେଇ ଅତିଥିବଂଧୁଙ୍କୁ ନିମନ୍ତ୍ରଣ କରିପାରିବ । ଶିଲା-ବିନୋଦ, ଶ୍ରୀ/ଶ୍ରୀମତୀ ପଦ୍ମନାଭନ ଓ ରାମକି ମୋର କଲେଜ ଖାଇବା ଓ ରହିବାର ସୌଭାଗ୍ୟକୁ ଉଭୟ ପ୍ରଶଂସା ଓ ଈର୍ଷା କରୁଥିଲେ କାରଣ ଭଡ଼ା ନେଇ ଲ୍ୟାଣ୍ଡ ଲେଡ଼ିଙ୍କ ସାଥିରେ ରହିବା ଫଳରେ ନିଜକୁ ରାନ୍ଧିବାକୁ ପଡ଼େ, ନୋହିଲେ ହୋଟେଲ୍‌ରେ ଖାଇବାକୁ ପଡ଼େ ।

 

ରବିନ୍‌ସନ୍‌ ଦମ୍ପତ୍ତି : ଜ୍ଞାନ ଓ ସରଳତା :

ଆଗରୁ ଲେଖିଛି କେମ୍ୱ୍ରିଜ୍‌ ଡେଭ୍‌ଲପ୍‌ମେଣ୍ଟ କୋର୍ସରେ ୪ଟି ବିଷୟ ଥିଲା । ଉନ୍ନୟନର ଆର୍ଥନୀତିକ, ରାଜନୈତିକ, ସାମାଜିକ ଦିଗ ଓ ଚତୁର୍ଥତଃ ସାଧାରଣ ପ୍ରଶାସନିକ ଦିଗ । ମୁଁ ମୋର ସ୍ପେଶିଆଲ୍‌ ବିଷୟବସ୍ତୁ ଭାବେ କୃଷି ଅର୍ଥନୀତି ନେଇଥାଏ ଯାହାର ଗାଇଡ଼୍ ଥାନ୍ତି ଏ.ଏମ୍. ମାକ୍‌ଫର୍କୁହାର । ସେ ଆଇରିସ୍‌ ଏବଂ ବର୍ଷର ପ୍ରାୟ ଅଧେ ସମୟ ୟୁନିଡ଼ୋ, ଓଇସିଡ଼ି ବା ଓ୍ୟାର୍ଲଡ଼ବ୍ୟାଙ୍କରେ ବିଶେଷଜ୍ଞ ଭାବେ ଯାଆନ୍ତି ।

 

ଉନ୍ନୟନ ଅର୍ଥନୀତି ବିଷୟର ଅଧ୍ୟାପକ ଥାଆନ୍ତି ଇ.ଏ.ଜି.ଏରବିନ୍‌ସନ । ତାଙ୍କ ସ୍ତ୍ରୀ ଜୋଆନ୍‌ ରବିନ୍‌ସନ୍‌ ଅର୍ଥନୀତିଜ୍ଞ ଭାବେ ସମସ୍ତଙ୍କର ସୁପରିଚିତ । ଉଭୟେ ବିଭାଗକୁ ସାଇକେଲ୍‌ରେ ଆସନ୍ତି ଆଗପଛ ହୋଇ । କାର୍ ବ୍ୟବହାର କରନ୍ତି ନାହିଁ । ଉଭୟ ସେମାନଙ୍କଠାରୁ ଜୁନିଆର ଅଧ୍ୟାପକଙ୍କ ଶିକ୍ଷାଦାନ ପଦ୍ଧତି ଓ ବିଦବତ୍ତା ଦେଖିବା ପାଇଁ ସବା ପଛଧାଡ଼ିରେ ବସି ବକ୍ତୃତା ଶୁଣନ୍ତି । ବକ୍ତୃତାର ପଦ୍ଧତି ମଧ୍ୟ ଆମ ପଦ୍ଧତିଠୁଁ ବେଶ୍‌ ଭିନ୍ନ । ସଂପୃକ୍ତ ବିଷୟରେ ପ୍ରାୟ କୋଡ଼ିଏ ମିନିଟ୍‌ କହିବା ପରେ ଅଧ୍ୟାପକ ରେଫରେନ୍ସ ବହି ଏବଂ ମୁଖ୍ୟ ପ୍ରଶ୍ନଗୁନିକ ଉତ୍‌ଥାପନ କରନ୍ତି ଓ ଜଣେ ଦୁଇଜଣଙ୍କୁ ତା‘ ଉପରେ ମନ୍ତବ୍ୟ ଦେବାପାଇଁ ଅନୁରୋଧ କରନ୍ତି । ମୋର ସ୍ପଷ୍ଟ ମନେଅଛି କ୍ଲାସ ପରେ ଯେତେବେଳେ ଜୋଆନ୍‌ ବା ତାଙ୍କ ସ୍ୱାମୀ ଲନ୍‌ରେ ଚୌକି ପକେଇ ବସନ୍ତି, ଜୁନିଅର ଅଧ୍ୟାପକ ଓ ଛାତ୍ରମାନେ ତଳେ ଉନ୍‌ରେ ବସି ତାଙ୍କ ସହ ପ୍ରଶ୍ନୋତ୍ତରରେ ନିଜକୁ ନିୟୋଜିତ କରନ୍ତି । ପ୍ରମୁଖ ଶିକ୍ଷକଙ୍କ ପ୍ରତି ଏ ଗଭୀର ଶ୍ରଦ୍ଧା ଓ ସମ୍ମାନ ମୋତେ ମୁଗ୍‌ଧ କରିଥିଲା ଏବଂ ଜୋଆନ ଓ ଇଏଜିଙ୍କର ସାଦାରଣ ସରଳ ଜୀବନଚର୍ଯ୍ୟା ଅଦ୍‌ଭୂତ ଲାଗିଥିଲା । ସବୁଠୁଁ ବେଶି ମନେରହିଛି ସେମାନେ ସାଇକେଲ୍‌ରେ ଆସି ଅର୍ଥନୀତି ବିଭାଗରେ ଓହ୍ଲେଇବା – ଅବଶ୍ୟ ଇଏ ୧୯୬୮ ମସିହାର କଥା । ଦ୍ୱିତୀୟ କଥାଟି ଖୁବ୍‌ ସ୍ମରଣକୁ ଆସିଛି । ଅନେକ ଥର ପ୍ରିନ୍ସ ଚାର୍ଲସଙ୍କୁ ସାଇକେଲ ଯଦିବାଆସିବା କରିବାର ଦେଖିଥିଲି । ମଝିରେ ମଝିରେ ଗୋଲ ଚର୍ଚ୍ଚ ପାଖରେ ଏବଂ ମୁଖ୍ୟ ରାସ୍ତାରେ ସାଇକେଲ ଚଲା ବଂଦ ରଖି ସେ କେତେକଙ୍କ ସହ କଥାବାର୍ତ୍ତା କରୁଥିବା ବି ଦେଖିଛି । ସେମାନେ ଅବଶ୍ୟ ତାଙ୍କର ଅତି ପ୍ରିୟ, ଜଣାଶୁଣା ବନ୍ଧୁ ହୋଇଥିବେ । ନିଜେ ସେ ଯେ ବ୍ରିଟିଶ ରାଜସିଂହାସନରେ ଅଧିଷ୍ଠିତ ହେବେ ସେ କତା ମୁଁ କଳ୍ପନା କରିପାରି ନ ଥିଲି ।

 

ଛାତ୍ରମାନେ ଯେୁଁ ବିଷୟ ଅଧ୍ୟୟନ କରୁଥାଆନ୍ତୁ ପଛକେ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବକ୍ତୃତା ଶୁଣିବା ପାଇଁ ଆସନ୍ତି ଓ ସେଥିପାଇଁ ବେଶ୍‌ ଭିଡ଼ ହୁଏ । ବିଶେଷଭାବେ ମୋର ଅନେଅଛି Fine Arts Facultyରେ ଜଣେ କଳା ସମାଲୋଚକ ୩ଟି ବକ୍ତୃତା ଦେଉଥିଲେ । ବିଷୟବସ୍ତୁ ଥିଲା Three Ste[s to Modern Art : The dutch Painters । ସେଥିପାଇଁ ଏତେ ଭିଡ଼ ହୋଇଥିଲା ଯେ ବାହାରେ ମାଇକ୍ ଲଘାଇ ଛାତ୍ରମାନଙ୍କୁ ବକ୍ତୃତା ଶୁଣିବାର ସୁଯୋଗ ଦିଆଯାଇଥିଲା । Rembrant, Van Gogh ଏବଂ Piet Mondrianଙ୍କ ସଂପର୍କରେ ଏ ତିନୋଟି ବକ୍ତୃତା ଥିଲା । ଆମ ବିଶ୍ୱବିଦ୍ୟାଳୟରେ ଯେତେ ବଡ଼ ଜ୍ଞାନୀ ବକ୍ତୃତା ଦେବାକୁ ଆସିଲେ କେବଳ ସେଇ ବିଭାଗର ପିଲା ହିଁ ଯୋଗ ଦିଅନ୍ତି ଶୁଣିବାକୁ । Liberal Arts ମାନବଶାସ୍ତ୍ରର ସାମଗ୍ରୀକତା ପ୍ରତି ଆମ ବିଶ୍ୱବିଦ୍ୟାଳୟମାନଙ୍କରେ ଆଦୌ ଦୃଷ୍ଟି ନ ଥାଏ । ମୁଁ ମାତ୍ର ଗୋଟିଏ ଉଦାହରଣ ଦେଲି । ଏମିତି ଅନେକ ଉଦାହରଣ ଦେଇହେବ । ସତେ ଯେମିତି ନିଜ ବିଭାଗର ପଢ଼ାପଢ଼ି ସହିତ ଆଉ କିଛି ଜ୍ଞାତବ୍ୟ ବସ୍ତୁ ନାହିଁ । ଆମ ରହଣି ବେଳେ ଶ୍ରୀ ନିରଦ ଚୌଧୁରୀ ଓ ତାଙ୍କ ଝିଆରୀ ଆସିଥିଲେ । ବ୍ରଜଦୁଲାଲଙ୍କ ସେ ବୋଧେ ସଂପର୍କୀୟ । ସେ ମୋ‌ତେ ତାଙ୍କୁ ଚିହ୍ନା କରେଇ ଦେଇଥିଲେ । ଆମେ ଏକତ୍ର କିଙ୍ଗସ୍‌ କଲେଜର କାଥେଡ଼୍ରାଲ ବୁଲି ଦେଖୁଥିଲୁ । ତାଙ୍କ ଲିଖିତ ବହି ସଂପର୍କରେ ମୁଁ ତାଙ୍କୁ କିଛି ପଚାରିଥିଲି ଏବଂ A Passage to England ବିଷୟରେ ସ୍ୱତଃ ସିଏ କିଛି କହିଥିଲେ ।

 

ପରେ ଆମ ବିଶ୍ୱବିଦ୍ୟାଳୟ ଭାରତୀୟ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନିମନ୍ତ୍ରିତ ହୋଇ ବକ୍ତୃତାଟିଏ ଦେଇଥିଲେ । ବିଷୟ ରଖିଥିଲେ The Geronto cracy of India ଭାରତର ବାର୍ଦ୍ଧକ୍ୟ ବ୍ୟକ୍ତିଙ୍କ ଶାସନ । ସେ ବିଷୟରେ ବହି ପ୍ରଶ୍ନ ଉଠିଥିଲା । ଆମ ବଂଧୁମାନେ, ଆମେ ଭାରତୀୟ ନିମନ୍ତ୍ରିତ ବଂଧୁମାନେ ବହୁ ପ୍ରଶ୍ନ ପଚାରିଥିଲୁ । ସେ ଯତାସମ୍ଭବ ଉତ୍ତର ଦେଇଥିଲେ । ଅନେକ ଅପ୍ରାସଙ୍ଗିକ କଥା ମଧ୍ୟ କହିଥିଲେ । ଆମର ତଥାକଥିତ ‘ବୁଦ୍ଧିଜୀବୀ’ ମଧ୍ୟ ‘ବାର୍ଦ୍ଧକ୍ୟ ଦଶାରେ ପହୁଞ୍ଚୁଛନ୍ତି ବୋଲି ମୁଁ କହିଲି । ବୋଧହୁଏ ତେଣୁ ନୂଆ ସ୍ୱର ଶୁଭୁଛି । ଭଲ ଲାଗୁନି । ଖୁବ୍ ବଂଧୁତ୍ୱ ହୋଇଗଲା ନିରୋଦବାବୁଙ୍କ ସଂଗରେ – ସିଏ ମୋର ଲେଖା କିଛି ପଡ଼ିବାକୁ ଚାହିଁଲେ । ପରେ ବ୍ରଜଦୁଲାଲଙ୍କ ଜରିଆ‌ରେ ମୁଁ ତିନୋଟି ବହି ପଠେଇଥିଲି । ତିନୋଟି ସେମିଷ୍ଟାର ପରେ ପରୀକ୍ଷାର ବ୍ୟବସ୍ଥା ଥାଏ । ଆମେ କୋଡ଼ିଏ ଜଣ ଯାକ ପରୀକ୍ଷା ଦେଲୁ – ଚାରୋଟି ବିଷୟ ତଥା ନିଜ ନିଜର Special paper । ପରେ ଜାଣିଲି ସେଇ ପରୀକ୍ଷାରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିଲି ଏବଂ ସେଇଥିପାଇଁ ୧୦ ପାଉଣ୍ଡର ଗୋଟିଏ ଚେକ୍‌ ମୋ ପାଖକୁ ଆସିଲା । ସିଡ଼ନି ସସେକ୍ସ କଲେଜ ତରଫରୁ ଏବଂ ଜନ୍‌ ଥର୍ଣ୍ଣଲିଙ୍କ ଦସ୍ତଖତରେ ‘‘ଆମ କଲେଜ’’ ମୋତେ ପ୍ରଶଂସା ରକିଛି ଜାରି ଖୁସି ହେଲି । ଏତେ ବର୍ଷ ପରେ ଜାଣିଲିଣି ଯେ ଥର୍ଣ୍ଣଲିଙ୍କ ଦେହାନ୍ତ ହୋଇସାରିଛି । ସେ ମ୍ୟୁଜିକ୍‌ ଖୁବ୍‌ ଭଲ ପାଉଥିଲେ ତେଣୁ ତାଙ୍କ ନାଆଁରେ ଥର୍ଣ୍ଣଲି ମ୍ୟୁଜିକ୍‌ ସୋସାଇଟି ହୋଇଛି ।

 

କ୍ରିସ୍‌ ଖୁ ମୋର କଲେଜ ସାଙ୍ଗ ବୋଲି ଆଗରୁ କହିଛି । ସେ ମାଲୟେସିଆର । ଖୁବ୍‌ ଧନୀ ପିଲା । ଡଂଗା ଚଳେଇବାରେ ତାଙ୍କର ବେଶି ସଉକ । ତାଙ୍କ ସାଙ୍ଗରେ ବାହାରେ ୨/୪ ଥର ଖାଇବା ଓ ଏକାଠି ମିଶି ଡଂଗା ଚଳେଇବା ଆନନ୍ଦକର ସ୍ମୃତି ଭିତରେ ରହିଛି । ଫେରିଗଲା ପରେ କିଛି ବର୍ଷ ଚିଠି ଦିଆନିଆ । ତା‘ପରେ ସ୍ୱାଭାବିକଭାବେ ଆଉ ଚିଠି ଦେଲିନି କି ପାଇଲିନି ।


      ଆଗରୁ ବ୍ରଜଦୁଲାଲ, ନାଗରାଜ ରାଓ ଓ ଗୌରବାବୁଙ୍କ କଥା ଲେଖିଛି । ମୁଁ ମଧ୍ୟ ଗୌବବାବୁ (ଭାଇ ଓ ବୁଲ୍‌ବୁଲ୍‌ ଭାଉଜ)ଙ୍କ ଘରେ ଅନେକ ସଂଜରେ ଭୋଜନ କଥା ଲେଖୁଛି । ନାଗରାଜ ରହୁଥିବା ଫ୍ଲାଟକୁ ବ୍ରଜ ଓ ଗୌରବାବୁଙ୍କ ପରିବାର ଯାଉ । ଭଲରେ ଦିନ କଟିଯାଏ । ଏତିକି ଲେଖିଲା ବେଳକୁ ଦୁଃଖର ସହ କହିବାକୁ ପଡ଼ୁଛି ନାଗରାଜ ୨୦୧୧ ଶେଷରେ ପୃଥିବୀରୁ ବିଦାୟ ନେଇଛନ୍ତି । ଫେରିବା ପରେ ପୁରାତତ୍ତ୍ୱ ବିଭାଗରେ ଅନେକ କାମ କଲେ । ମୋ ଅନୁରୋଧରେ ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ୍‌ ପୁରାତତ୍ତ୍ୱ ପୋଷ୍ଟକୁ ଆସିଥିଲେ । କର୍ଣ୍ଣାଟକରେ ମଧ୍ୟ ଡିରେକ୍ଟର ପୁରାତତ୍ତ୍ୱ ଦାୟିତ୍ୱ ନେଇଥିଲେ । ସି.ଡି. ନରସିମାୟାଙ୍କ ଦେହାନ୍ତ ହୋଇଯାଇଥାଏ । ତାଙ୍କ ପୁଅ ଶ୍ରୀନାଥ ଓ ନାଗରାଜ ତାଙ୍କ ପ୍ରତିଷ୍ଠିତ ଧ୍ୱନ୍ୟାଲୋକ ଅନୁଷ୍ଠାନଟି ଚଳାଉଥାନ୍ତି । ସେଠ ମୋତେ ବକ୍ତୃତାଟିଏ ଦେବାକୁ ଡାକିଥିଲେ । ଯାଇଥିଲି ୨୦୦୮ରେ ଗୋଟିଏ ସଂଧ୍ୟା ଓ ରାତି କଟେଇଥିଲି । ନରସିମାୟାଙ୍କ ପ୍ରତିଷ୍ଠିତ ଲାଇବ୍ରେରୀ କ୍ରାଇଟେରିୟନ ବ୍ୟତୀତ ଶ୍ରୀନାଥ ‘ସାରସ’ ବୋଲି ପ୍ରତିକାଟିଏ ସଂପାଦନା କରୁଥାନ୍ତି ।

 

ଏଇ ବର୍ଷ ମହୀଶୂର ଯାଇଥିବା ବେଳେ ଜାଣିଲି ନାଗରାଜ କିଡ଼ନୀ ବୋରି ପ୍ରପୀଡ଼ିତ ବୋଇ ସପ୍ତାହକୁ ୨ ଥର ଡାୟାଲିସସ୍‌ ପରେ ଇହଧାନ ଛାଡ଼ିଛନ୍ତି । ସବୁ କଥା ମନେକଡ଼ିଲା ଗୌରବାବୁଙ୍କୁ ଜଣେଇଲି ଓ ସମଦୁଃଖୀ ଭାବେ ଦୁଃଖଦ ଅନୁଭୂତି ଆମକୁ ଘେରି ବସିଲା ।

 

କେମ୍ୱ୍ରିଜ୍‌ର ବଂଧୁ ହିସାବରେ ଗୌରବାବୁ ସୁସ୍ଥ ଅଛନ୍ତି । ରିଟାୟାରମେଣ୍ଟ ପରେ (ଉତ୍କଳ ବିଶ୍ୱବିଦ୍ୟାଳୟ ଭାଇସ୍‌ ଚାନ୍‌ସେଲର ପଦରୁ) ସେ ଦୁଇ ଝିଅଙ୍କ ପାଖରେ ବେଳ କାଟୁଛନ୍ତି । ଗୋଟିଏ ଝିଅ ଆମେରିକାରେ ଆଉ ଜଣେ ନଇଡ଼ାରେ । ବୁଲ୍‌ବୁଲ୍‌ ଭାଉଜ ଆଡ଼ଭୋକେଟ୍‌ କାମ କରୁଛନ୍ତି । ବ୍ରଜ ଦୁଲାଲଙ୍କ ସହ ୨ଥର ଦେଖା ହୋଇଛି । ମଝିରେ ମଝିରେ ଭୁବନେଶ୍ୱର ଆସନ୍ତି । ଶିଲା ଦୀକ୍ଷିତ ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ଦୁର୍ଭାଗ୍ୟବଶତଃ ବଂଧୁ ବିନୋଦ, ଶିଲାଙ୍କ ସ୍ୱାମୀ ଇହଧାମରୁ ବିଦାୟ ନେଇଛନ୍ତି – ବିନୋଦଙ୍କ ପିତା ଉମାଶଙ୍କର ଦୀକ୍ଷିତ କେବେଠୁଁ ଉହଧାମ ତ୍ୟାଗ କଲେଣି । ଅଜିତ୍‌ ମୁଖାର୍ଜୀ (ମେଜୋ) କଲିକତାରେ ପୁରୁଣା ଆବାସସ୍ଥଳୀରେ । ଶ୍ରୀଲଙ୍କାର ବଂଧୁ ତିସ୍‌ସା ଦେବେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଇନ୍ଦ୍ରାଣୀ କଲମ୍ୱୋରେ ଅଛନ୍ତି । ତିସ୍‌ସା ଶ୍ରୀଲଙ୍କା, ସିଭିଲ୍ ସର୍ଭିସ୍‌ରୁ ରିଟାୟାରମେଣ୍ଟ ପରେ ଗଳ୍ପ, ସମାଲୋଚନା ଲେଖୁଛନ୍ତି । ମଝିରେ Pay Commissionର ଚେୟାରମ୍ୟାନ୍‌ ଥିଲେ ଯେତେବେଳେ ମୁଁ ସସ୍ତ୍ରୀକ ଯାଇଥିଲି ଶ୍ରୀଲଙ୍କା ୨୦୦୦ ମସିହାରେ । ପାକିସ୍ଥାନର ତିନି ଜଣ ଅପିସର୍‌ ଥିଲେ – ୨ ଜଣ ପଶ୍ଚିମ ପାକିସ୍ଥାନରୁ ଓ ଜଣେ ପୂର୍ବାପାକିସ୍ଥାନରୁ (ପରେ ଯାହା ବାଂଲାଦେଶ ହେଲା) । ତାଙ୍କ ନାଁ ମନେଅଛି ଜାମସେଦ୍‌ ଅହମଦ୍‌ ଖଣ୍ଡେକାର, ମୋ ସହିତ ଗଭୀର ଦୋସ୍ତି ଥିଲା । ମଝିରେ ମଝିରେ ମନ ଦୁଃଖରେ କହୁଥିଲେ କେମିତି ପଶ୍ଚିମ ପାକିସ୍ଥାନର ଦୁଇଜଣ ଏକା ସର୍ଭିସର (Pakistan Civil Service) ହେଲେ ମଧ୍ୟ ତାଙ୍କ ସହିତ ବେଶି ବନ୍ଧୁ ନ ଥିଲେ । ସେ ଦୁଇ ଜଣ କ୍ଲାସରେ ଖୁବ୍ କମ୍ ଉପସ୍ଥିତ ରହୁଥିଲେ ଏବଂ ଅଧିକାଂଶ ସପ୍ତାହାନ୍ତ ଛୁଟରେ,ଏପରିକି କ୍ଲାସ ହେଉଥିବା ଦିନମାନଙ୍କରେ ଲଣ୍ଡନ ପଳାଉଥିଲେ । ସେମାନେ ନୂଆ ଗାଡ଼ି କିଣିଥିଲେ ଏବଂ ସେଇଥିରେ ଲଣ୍ଡନ ଯାଉଥିଲେ । ଖଣ୍ଡକାର ଦୁଃଖ କରୁଥୁଲେ ଯେ, ଥରେ ବି ତାଙ୍କ ସାଙ୍ଗରେ ଲଣ୍ଡନ ଯିବା ପାଇଁ ଡାକୁ ନ ଥିଲେ । ଇସ୍‌ଲାମ ଧର୍ମର ନୀତିନିୟମ ଖଣ୍ଡକାର ସଂପୂର୍ଣ୍ଣ ପାଳୁଥିଲେ । ୱାଇନ୍‌ ଛୁଉଁ ନ ଥିଲେ । ଅଧ୍ୟାପକମାନେ ଭୋଜି ଦେଲେ ସଭିଏଁ ୱାଇନ୍‌ ପିଇଲେ ବି ସେ ପିଉନଥିଲେ । ଦ୍ୱିତୀୟତଃ ନମାଜ (ଶୁକ୍ରବାର) ପାଳନ କରୁଥିଲେ । ତାଙ୍କ ଦୁଇ ବଂଧୁ ନମାଜ ନାଁ ଧରୁନଥିଲେ । ଖଣ୍ଡକାରଙ୍କର ଗୋଟିଏ ଝିଅ ଏବଂ ତା’ ନାଁ ଜେବୁନ୍ନିସା । ସେ ଭଲ ରବିନ୍ଦ୍ର ସଂଗୀତ ଗାଉଥିଲେ । ‘‘ମୁଁ ତା‘ ଦ୍ୱାରା ପ୍ରଭାବିତ ହୋଇ ଅନେକ ରବୀନ୍ଦ୍ର ସଂଗୀତ ଶିଖିନେଇଛି’’ ଖଣ୍ଡକାର କହୁଥିଲେ । ମଝିରେ ମଝିରେ ସଂଗୀତ ବି ବୋଲୁଥିଲେ । ମୁଁ ଯେ ରବୀନ୍ଦ୍ର ସଂଗୀତ ପ୍ରିୟ ଏକଥା ଜାଣିବା ମାତ୍ରେ ମୋର ଆହୁରି ନିକଟତର ହୋଇଗଲେ । କୋର୍ସ ଶେଷରେ ତାଙ୍କର ଦୁଇ ପାକିସ୍ଥାନୀ ବଂଧୁ ଗାଡ଼ିରେ ଡ୍ରାଇଭ୍‌ କରି ରାୱଲପିଣ୍ଡି ଗଲେ । ଖଣ୍ଡକାର ମୋରି ପରି ଫେରିଲେ ଏୟାରଲାଇନ୍ସ ପ୍ଲେନ୍‌ରେ । ଖଣ୍ଡକାରଙ୍କ ରବୀନ୍ଦ୍ର ସଂଗୀତ ପ୍ରୀତି ଓ ସ୍ନେହଶୀଳ ସ୍ୱାଭାବ ମୁଁ ଭୁଲି ପାରିବିନି ।

 

ଏମିତି ଆହୁରି ବଂଧୁମାନଙ୍କ କଥା ଅନେକ । ସାଙ୍ଗରେ ମାତ୍ର ଜଣେ ଝିଅ ଟ୍ରେନିଂରେ ଥିଲେ । ତାଙ୍କ ନାଁ ଚାଙ୍ଗ । ଅବିବାହିତା ମିସ୍‌ ଚାଙ୍ଗ୍‌ଙ୍କୁ ଆମେ ଶ୍ରଦ୍ଧା କରୁଥିଲେ । ରାମ୍‌କି (ରାମକ୍ରିଷ୍ଣନ୍‌) ତିନି ଚାରୋଟି ଥଟ୍ଟାଳିଆ ଗୀତ ତାଙ୍କ ପାଇଁ ଲେଖିଥିଲା । ମାଲାୱିର ଜଣେ ବଂଧୁ ଥିଲେ । ସେ ମଧ୍ୟ ସଂଗୀତପ୍ରିୟ ଥିଲେ ଏବଂ ଆଫ୍ରିକାର ଲୋକ ସଂଗୀତ ଗାଇ ଆମକୁ ଆପ୍ୟାୟିତ କରୁଥିଲେ ।

 

କେମ୍ୱ୍ରିଜ୍‌ ରହଣି ବେଳେ ମୁଁ ପରୀକ୍ଷାମୂଳକ ଭାବରେ ଦାଢ଼ି କାଟିବା ଚାଡ଼ିଦେଇଥିଲି । ଏମିତି ଖୁସିରେ । ଜଣା ନ ଥିଲା ପରେ ପ୍ୟାରିସ୍‌ ଗଲାବେଳେ ଦାଢ଼ି ସମସ୍ୟା କରିବ । ଆଇନାରେ ନିଜକୁ ମୁଁ ନିଜେ ଚିହ୍ନିବାରେ ଅସୁବିଧା ହେଉନଥାଏ । ପ୍ୟାରିସ୍‌ ଯାତ୍ରା ବେଳେ ପାସ୍‌ପୋର୍ଟ, ଭିସା ତନଖି ହେଲା । ଅଫିସର ଜଣକ ମୋ ପାସ୍‌ପୋର୍ଟ ଫଟୋକୁ ଚାହୁଁଥାନ୍ତି । ତା’ପରେ ମୋତେ ଚାହୁଁଥାନ୍ତି । ତା’ପରେ ମୋତେ ଚାହୁଁଥାନ୍ତି । ପାର୍ଥକ୍ୟ ସୁସ୍ପଷ୍ଟ ଥିଲା । ମୁଁ କହିଲି ‘‘ଯଦି ଚାହାଁନ୍ତି ମୁଁ ଦାଢ଼ି କାଟି (Shave) ଆସିଲେ ଆପଣ ସନ୍ତୁଷ୍ଟ ହେବେ’’ । ସେ ହସିଲେ ଓ ମୋତେ ଓ ମୋ ସାଥି (ମେଜୋ)ଙ୍କୁ ଯିବାକୁ ଦେଲେ ।

 

Unknown

ଡେଭିଡ଼୍ ହଲ୍‌ବ୍ରୁକ୍‌

ସଂସ୍କୃତି ଓ କବିତାର ବିଶାଳ ବ୍ୟକ୍ତିତ୍ୱ :

ଡେଭିଡ଼୍‌ ହଲ୍‌ବ୍ରୁକ୍‌, ବିଟ୍ରିଶ୍‌ କବି ଓ ଶିକ୍ଷାବିତ୍‌ କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ମୋର ଏକବର୍ଷ ରହଣି କାଳରେ ମୋର ବିଶିଷ୍ଟ ବନ୍ଧୁମାନଙ୍କ ମଧ୍ୟରେ ଥିଲେ ପ୍ରମୁଖ । ମୁଁ ସିଡ଼୍‌ନି ସସେକ୍‌ସ କଲେଜରେ ଥିଲି । ସେ କବିତା ସଂପର୍କରେ ବକ୍ତୃତା ଦେଉଥିଲେ ‘ଡାଉନିଂ’ କଲେଜରେ । ତା’ ଆଗରୁ ଥିଲେ କିଙ୍ଗ୍‌ସ କଲେଜ ଫେଲୋ (୧୯୬୧-୬୫) ।

 

ବୟସରେ ମୋ’ଠାରୁ ୧୪ ବର୍ଷ ବଡ଼ । ତାଙ୍କର ପ୍ରଥମ ଓ ଦ୍ୱିତୀୟ କବିତା ସଂକଳନ ‘ଇମାଜିନିଂସ୍‌’ ୧୯୬୧ରେ ଏବଂ ‘ଏଗେନ୍‌ଷ୍ଟ ଦି କ୍ରୁଏଲ୍‌ ଫ୍ରଷ୍ଟ’ ୧୯୬୩ରେ ପ୍ରକାଶିତ ହୋଇସାରିଥାଏ । ପେଙ୍ଗୁଇନ୍‌ ମଡ଼ର୍ଣ୍ଣ ପୋଏଟ୍‌ସ ସିରିଜ୍‌ରେ ସେ ତୃତୀୟ ଖଣ୍ଡରେ ସ୍ଥାନିତ ହୋଇଥା’ନ୍ତି (ପରେ ଏ ସିରିଜ୍‌ ୧୪ ଖଣ୍ଡ କବିତା ସଂକଳନ ପ୍ରକାଶ କରିଛି) । ମୋତେ ଭଲ ଲାଗିଥିବା କବିତା ଭିତରୁ ‘ଫିଙ୍ଗର୍‌ସ ଇନ୍‌ ଦି ଡୋର୍’ ଓ ‘ଏ ୱାକ୍‌ ବାଏ ଦି ରିଭର୍‌ ୱିଥ୍ ମାଇଁ ଡଟର୍‌’ ସଂପର୍କରେ ପ୍ରଭୂତି ଆଲୋଚନା ମନେଅଛି । କବାଟ ଫାଙ୍କରେ ଆଙ୍ଗୁଠି ଚାପିହୋଇ ଯନ୍ତ୍ରଣା ଭୋଗିବା ମଧ୍ୟ ମୋ ପିଲାଦିନର ସମାନ୍ତରାଳ ସ୍ମୃତି । ସେମିତି ବି ତାଙ୍କର ଓ ତାଙ୍କ ବୋଉଙ୍କର ଦୁଃଖ । ‘‘ମୁହୂର୍ତ୍ତକ ପାଇଁ ଅସାବଧାନ ହୋଇ କବାଟ ଫାଙ୍କରେ ଆଙ୍ଗୁଠିସବୁ ଜାକି ହୋଇଗଲା । ମାଆଙ୍କ ନିଃଶ୍ୱାସ ବନ୍ଦ ହେଲା ପରି ଲାଗିଲା । ତା’ ସମଗ୍ର ଶରୀର କମ୍ପିଉଠିଲା ।’’ ଡେଭିଡ଼୍ ମାଆଙ୍କ ମନେ ପକେଇଲେ ।

 

ତା‘ପରେ କବିତାଟି ’ଝିଅ ସୁଶାନ୍‌ ସଙ୍ଗରେ ନଈକୂଳରେ ବୁଲିବା’ । କବିତା ଆରମ୍ଭ ଏମିତି : ‘‘ଆମେ କ’ଣ ଦେଖିଲେ? ଘୋଡ଼ାଟିଏ, ଗୋଟେ ଯୋଡ଼େ ଗାଈ, ଇଷ୍ଟର୍ଣ୍ଣ ଇଲେକ୍ଟ୍ରିସିଟି ବୋର୍ଡ଼ର ଟ୍ରାନ୍‌ସଫର୍ମର୍‌ । ତୋତେ ଲାଗିଲା ଡେଞ୍ଜର୍‌ ଶଦ୍ଦଟିର ଗୁଞ୍ଜନ ।’’

 

ତା‘ପରେ ଧାଡ଼ି ସବୁ ଏମିତି :

‘‘ମୁଁ ଟ୍ରାନ୍‌ସଫର୍ମର କ’ଣ ଠିକ୍‌ ବୁଝେଇ ପାରିଲିନି । କହିଥିଲି ସେଇଟା ‘ଶକ୍ତି’କୁ ଶକ୍ତିରେ ପରିବର୍ତ୍ତନ କରେ (Change power into power) ଆଉ ଅନ୍ତହୀନ ‘‘ଶକ୍ତି’’ ଆମକୁ ଯୋଗାଏ, ଯେମିତି ଆୁ ଗୋଟେ ସୂର୍ଯ୍ୟ । କିନ୍ତୁ ଝିଅଲୋ ତୋ ପାଇଁ ଏସବୁ ଅର୍ଥହୀନ ।’’

 

କବିତା ପଛକୁ ଥିବା ଗୋଟିଏ ପଙ୍‌କ୍ତି ମୁଁ ଉଦ୍ଧାର କରୁଛି । ଖୁବ୍‌ ଭଲ ଲାଗେ ଓ ଡେଭିଡ଼୍‌ଙ୍କ କବିତାରେ ଆକର୍ଷଣୀୟ ବସ୍ତୁ ।

(୧)“And as you grow older you will find your father still more evasive on the subject what did we see’?/ You can countenance violence in the nursery?”

 

ନର୍ସରିରେ ପଢ଼ିବା ଝିଅ କାଳେ ଭାଇଲେନ୍‌ସ ସାମ୍ନା କରିବ ଡେଭିଡ଼୍‌ ଏଇ ଚିନ୍ତା କରିଥିଲେ ତା’ର ଭବିଷ୍ୟ କତା ଭାବି ।

 

ଡେଭିଡ଼୍‌ କହିଥିଲେ, ‘‘ତୁମକୁ ଯେଉଁ କବିତା ଦିଓଟି ଭଲ ଲାଗିଛି, ସତରେ ସେ ଦୁଇଟି ହିଁ ମୋର କବିତା ଲେଖା ଆରମ୍ଭ ବେଳର ପ୍ରିୟ କବିତା ।’’

 

ତାଙ୍କ ପ୍ରେମିକା ଓ ପଛରେ ସ୍ତ୍ରୀ ମାର୍ଗଟ ହଲ୍‌ବ୍ରୁକଙ୍କୁ ମନେ ପକେଇ ଲେଖିଥିବା ‘ଆପ୍ରିସିଏସନ୍‌ସ ଅଫ୍ ମାଚୁଲା’ କବିତାର ଛୋଟ ପଙ୍‌କ୍ତିଟି ଉଦ୍ଧାର କରୁଛି । ‘‘’I see in a window like the one we had in Cornwood once, when we first sle[t away toether. All that romance returns: The sea might be Island : I hear the gulls : yet we are many hours and miles from that day, and many beds hae known our births, our losses and our dead.’

 

କେମ୍ୱ୍ରିଜ୍‌ ଛାଡ଼ିବା ପରେ (୧୯୬୮ରେ) ଦୁଇଥର ପୁଣି ସେଠାକୁ ଯାଉଇି । ବ୍ରିଟିଶ୍‌ ମ୍ୟୁଜିଅମ୍‌ରେ ଭାବା ଫେଲୋସିପ୍‌ ଉପଲକ୍ଷେ ଥରେ; ଏବଂ ଆଉଥରେ ପୁଅବୋହୂ ଓ ସ୍ତ୍ରୀଙ୍କ ସହ ବୁଲି ଯାଇଥିଲି କେମ୍ୱ୍ରିଜ୍‌ । ୨୦୧୧ ପର୍ଯ୍ୟନ୍ତ ତାଙ୍କ ସହ ଚିଠିପତ୍ର ଆଳାପ ଥିଲା । ଆମ ଜୀବନରେ ଯାହା ଘଟେ ପ୍ରଥମେ ବେଶି ଚିଠି, ଧୀରେ ଧୀରେ କମିଯାଏ । ଶେଷ ଚିଠି ଡେଭିଡ଼୍‌ଙ୍କଠୁଁ ଆସିଥିଲା ଅଗଷ୍ଟ ୨୦୧୦ରେ । ସେ ଅସୁସ୍ଥ ଅଛନ୍ତି ଲେଖିଥିଲେ ଛୋଟ ଚିଠିଟିରେ । କହିଥିଲେ ‘ତୁମକୁ ଅଧିକ ଲେଖିପାରୁନି’ ।

 

ସେ ଯେ ୨୦୦୭ରୁ କ୍ରମେ ଅଧିକରୁ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ ସେ କଥା ଲେଖି ନ ଥିଲେ । ସାଧାରଣତଃ ବ୍ରିଟିଶ୍‌ ଲୋକେ ନିଜ ଦୁଃଖରେ ସହଜେ ଅନ୍ୟକୁ ଦୁଃଖୀ କରିବାକୁ ଚାହାନ୍ତିନି । ୯ ଜୁନ୍‌ ୨୦୦୯ରେ ସେ ବଡ଼ ଚିଠିଟିଏ ଦେଇଥିଲେ । ଲେଖିଥିବା କିଛି କଥାର ଅନୁବାଦ ଏମିତି ‘‘ ଶ୍ରଦ୍ଧେୟ ସୀତାକାନ୍ତ, ତମ ଚିଠି ପାଇ ଅତି ଖୁସି ହେଲି । ସେଥିପାଇଁ ଧନ୍ୟବାଦ । ମୁଁ ଏବେ ଡାଉନିଂ କଲେଜ ପଛରେ ଛୋଟ ଓ ଚୁପ୍‌ଚାପ୍‌ ନିରୋଳା ଗଳିଟିରେ ସସ୍ତ୍ରୀକ ରହୁଛି, ଠିକଣା ୧, ଟେନିସ୍‌ କୋର୍ଟ ଟେରାସ୍‌ । ଗୁଡ଼ିଏ ବହି ପ୍ରେସ୍‌ରେ ଅଛି । କେମ୍ୱ୍ରିଜ୍‌ ୟୁନିଭରସିଟି ପ୍ରେସ୍‌ ଦୁଇଖଣ୍ଡ ‘ ଇଂଲିଶ୍‌ ଫର୍‌ ମାଚ୍ୟୁରିଟି’ ଏବଂ ‘ଇଂଲିଶ୍‌ ଫର ଦ ରିଜେକ୍ଟେଡ଼୍’ ବହି ପୁନର୍ମୁଦ୍ରଣ କରିଛନ୍ତି । ସେମାନେ ବି ‘ଦି ସିକ୍ରେଟ୍ ପ୍ଲେସେସ୍‌’ର ପୁନଃମୁଦ୍ରଣ କରିଛନ୍ତି । ମୋର ନୂଆ କବିତା ବହି ତଥା କଲେକ୍ଟେଡ଼୍ ପୋଏମ୍‌ସ, ଆଭନ୍‌ ପ୍ରେସ୍‌ରୁ ବାହାରୁଛି । ମେଲେନ୍‌ ପ୍ରେସ୍‌ ଜେନ୍‌ ଅଷ୍ଟିନ୍‌ଙ୍କ ଉପରେ ବହିଟିଏ ପ୍ରକାଶ କରୁଛନ୍ତି । ତେଣୁ ଦେଖିବ ସୀତାକାନ୍ତ ମୁ୍ଁ ‘‘grumble’’ କରିବାର କିଛି ନାହିଁ । ଏଥି ସହ ମୋର ସଂପୂର୍ଣ୍ଣ ବହି ତାଲିକା ସଂଶ୍ଲିଷ୍ଟ । ଆଶା କରୁଛି ତୁମେ ଭଲ ଅଛ, ନୂଆ କିଛି ଲେଖିଚାଲିଛ । ଆମର ଏଇ ପୃଥ୍ୱୀ କଥା ନେଇ କିଛି ମନ୍ତବ୍ୟ ଦେବିନି – ଗୋଟିଏ ଶଦ୍ଦରେ ଏହା ‘‘disheartening’’ । ତାଲିକାରେ ଥିଲା ଦଶଟି କବିତା ବହି (‘ଅବ୍‌ଜେକ୍ଟ୍‌ ରିଲେସନ୍‌’ ବହିଟି ମୋତେ ପଠାଇଥିଲେ ୧୯୭୬), ୯ଟି ଉପନ୍ୟାସ ଓ ୨୩ଟି ସମାଲୋଚନାମୂଳକ ବହି । ମୋର ପ୍ରିୟ ଏଇ କେତୋଟି ବହି : Dylan Thomas: The code of Night; Sylvia {lath: Poetry and Existence; Human Hope and the Death Instrict; Lost Bearings in English Poetry ଏବଂ Gustav Mahler: and the Courage to Be. ଶେଷରେ ଶିକ୍ଷା ଓ ସଂସ୍କୃତି ଉପରେ ଦଶ ଖର୍ଡ ବହି ସେ ତାଲିକାରେ ଥିଲା । ସେଥିରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବହିର ନାଆଁ Education, Nihilism and Survival ଏବଂ Education andn Philosophical Anthropology.

 

ସେ ଯେ ମୃତ୍ୟୁର ନିକଟରୁ ନିକଟତର ହେଉଛନ୍ତି ମୋତେ ଆଦୌ ଜଣା ନ ଥିଲା । ଏତେ କଥା ଲେଖିବାର ଉଦ୍ଦେଶ୍ୟ ଯାହା ଡେଭିଡ଼୍ ଲୁଚେଇ ରଖିଥିଲେ ମୋ‘ ଠୁଁ । ସେ ଅଗଷ୍ଟ ୧୧ ତାରିଖରେ ୨୦୧୧ରେ ଇହଧାମରୁ ବିଦାୟ ନେଲେ । ଶ୍ରୀମତୀ ମାର୍ଗଟ୍‌ ହଲ୍‌ବ୍ରୁକ୍‌ଙ୍କ ଦୀର୍ଘ ଚିଠିରୁ ଏତିକି ଦେଉଛି; ‘‘ଡେଭିଡ଼୍‌ଙ୍କ ହସ୍‌ପିଟାଲରେ ଦେହାନ୍ତ ବେଳେ ମୁଁ ତ ତିନିଟି ପିଲା ତାଙ୍କ ଶଯ୍ୟା ପାଖରେ ଥିଲୁ । ତାଙ୍କ କିଡ଼୍‌ନି କାମ ନ କରିବା କାରଣରୁ ସ୍ପେସିଆଲ୍‌ ୱାର୍ଡ଼ରେ ଥିଲେ । ଗଲା ଚାରିବର୍ଷ ହେଲା ଧୀରେ ଧୀରେ ତାଙ୍କ ଅବସ୍ଥା ଖରାପ ଆଡ଼କୁ ଯାଇଥିଲା ।’’ ମାର୍ଗଟ୍‌ ଲେଖିଥିଲେ, ‘‘It was all very sad to watch the gradual loss of the man I knew, revered and loved. It is very lonely without my husband.’’

 

ମାର୍ଗଟ୍‌ଙ୍କ ଦୁଃଖ ମୁଁ ବୁଝିଲି । ବୁଝିଲି ତାଙ୍କ ‘‘ଏକାକୀପଣିଆ’’, ଡେଭିଡ଼୍‌ଙ୍କ ପାଇଁ ତାଙ୍କ ସ୍ନେହ ଓ ଭକ୍ତି ।

 

ମୋର ଦ୍ୱିତୀୟ କେମ୍ୱ୍ରିଜ୍‌ ଯାତ୍ରା ବିଷୟରେ କିଛି ଲେଖୁଛି । ମୁଁ ୧୯୭୫-୭୬ରେ ଦୁଇବର୍ଷ ପାଇଁ ଭାବା ଫେଲୋସିପ୍‌ରେ ସାବାଟିକାଲ୍‌ ନେଇ ଗବେଷରା କୁଥାଏ । ସାନ୍ତାଳମାନଙ୍କ ମୟୁରଭଞ୍ଜ ବିଦ୍ରୋହ ସଂପର୍କରେ ବ୍ରିଟିଶ୍‌ ମ୍ୟୁଜିୟମ୍‌ ଲାଇବ୍ରେରିରୁ ତଥ୍ୟ ସଂଗ୍ରହ ପାଇଁ ଲଣ୍ଡନ ଯାଇଥାଏ । ସ୍ୱାଭାବିକ ଭାବେ ମନ ବଳିଲା ମୋ ପୁରୁଣା ବିଶ୍ୱବିଦ୍ୟାଳୟ ଓ ମୋ କଲେଜକୁ ଦେଖିବାପାଇଁ । କେମ୍ୱ୍ରିଜ୍‌ ପହଞ୍ଚି ଡେଭିଡ଼୍‌ଙ୍କ ସହ ଟେଲିଫୋନ୍‌ରେ କଥା ହେବା ମାତ୍ରେ ସେ କହିଲେ, ‘‘ମୁଁ ଏକ୍ଷଣି ଗାଡ଼ି ଧରି ଆସୁଛି । ଆମ ଘରେ ରାତ୍ରିଭୋଜନ ।’’ ସୌଭାଗ୍ୟକୁ ସେତେବେଳେ ସେ ୟୁନିଭର୍‌ସିଟିର ବେଶ୍‌ ନିକଟରେ ରହୁଥିଲେ ।

 

ଦୁଇ ମହଲା କୋଠାଟିଏ । ଉପର ମହଲାରେ ତାଙ୍କ ଲାଇବ୍ରେରି ଓ ଶେଇବା ଘର । ତଳ ଘରେ ଡାଇନିଂ ହଲ୍‌ ଓ ଗୋଟିଏ ବଡ଼ ହଲ୍‌, ଯେୁଁଠି ସଙ୍ଗୀତ ସିଡ଼ି ଭର୍ତ୍ତି ଏବଂ ପିଆନୋଟିଏ । ସେ ନିଜେ ପିଆନୋ ବଜାନ୍ତି ।

 

ଖାଇବା ପିଇବା ସରିବା ପରେ ସେ ଚାହିଁଲେ ତାଙ୍କ ପ୍ରିୟ ସଂଗୀତଜ୍ଞ ଗୁସ୍ତାଭ୍‌ ମାହଲର୍‌ଙ୍କର ଗୋଟିଏ ସଙ୍ଗୀତ ପିଆନୋରେ ବଜେଇ ଶୁଣେଇବେ । ତାଙ୍କ ସ୍ତ୍ରୀ ମାର୍ଗଟ୍‌ ଓ ମୁଁ ମାତ୍ର ଦୁଇଟି ଶ୍ରୋତା ସେ ଅଭୂତ ସଙ୍ଗୀତ ପ୍ରବାହର । ମୋ ପରି ଡେଭିଡ଼୍ ପୋ ଚୁ-ଇ, ଲି-ପୋ, ଡୁ-ଫୁ ଓ ୱାଙ୍ଗୱେଇ (ମୁଖ୍ୟତଃ ତାଙ୍ଗ୍‌ ଯୁଗର କବି)ଙ୍କୁ ଅତି ଭଲ ପାଆନ୍ତି । ତାଙ୍କ ସଂକଳିତ ‘Plucking the rushes’ ଚୀନ୍‌ କବିତା ଆର୍ଥର ୱାଲି ଓ ପାଉଣ୍ଡ୍‌ଙ୍କ ଅନୁବାଦ ସଙ୍ଗେ ତୁଳନା କରାଯାଇଛି । ସେ ଲି-ପୋଙ୍କ ‘ବସନ୍ତ ଋତୁରେ ଦିନେ’ କବିତାର ଜର୍ମାନ ଅନୁଦାନ ଉପରେ ନିର୍ଭର କରି ଗୁସ୍ତାଭ ମାହଲର୍‌ଙ୍କ କମ୍ପୋଜିସନ୍‌ଟି ବଜାଇ ଶୁଣାଇଲେ । ଜାଣିଥିଲି, ଡେଭିଡ଼୍ ଗୁସ୍ତାଭ୍‌ ମାହଲର୍‌ଙ୍କ କଡ଼ା ଭକ୍ତ ଓ ତାଙ୍କ ଉପରେ ବହି ଲେଖିଛନ୍ତି । କମ୍ପୋଜିସନ୍‌ଟି ପାଶ୍ଚାତ୍ୟ ଯନ୍ତ୍ର ନୋଟେସନ୍‌ରେ ଚୀନ୍‌ ଦେଶର ପ୍ରାଚୀନ କବିତା । କିନ୍ତୁ ସଙ୍ଗୀତ ଭିତରେ ଗଭୀର ବ୍ୟଞ୍ଜନା ଥାଏ ଓ ଶୁଭିଯାଉଥାଏ ଯେମିତି ହଳଦୀବସନ୍ତର ଦୁର୍ବାର ସ୍ୱର; ଲି-ପୋଙ୍କ ‘କୋହ କୋହ’, ‘ଦୀର୍ଘଶ୍ୱାସ’ ଓ ଫୁଲକୁଞ୍ଜରେ ଜହ୍ନ ଉଇଁ ଆସିବାର ଦୃଶ୍ୟ । ମାହଲର୍‌ ଦୃଶ୍ୟ ଓ ଶ୍ରୁତିକାବ୍ୟକୁ ଏକାଠି କରିଦେଇଥିଲେ ତାଙ୍କ ମ୍ୟାଜିକ୍‌ରେ । ପାଠକମାନଙ୍କୁ ସ୍ମରଣ କରାଇଦେବାକୁ ଚାହେ ଯେ, ଚୀନ୍‌ କବିତାର ଅନୁବାଦ ସଂକଳନଟିଏ ମୁଁ ସଂପାଦନା କରିଛି ଓ ତା‘ ନାଁ ରଖିଛି ‘‘ବସନ୍ତ ଋତୁରେ ଦିନେ’’ । କାରଣ ଲି-କୋଙ୍କର ଏଇ ଶୀର୍ଷକର କବିତାଟି ମୁଁ ଭଲ ପାଇଥିବା ଚୀନ କବିତା ଭିତରେ ଅନ୍ୟତମ । ଡେଭିଡ଼୍‌ ମୋତେ ମୋ ରହଣି ସ୍ଥାନରେ ଛାଡ଼ିଦେଇ ଯାଇଥିଲେ ।

 

ତାଙ୍କ ବିଚାରରେ ବ୍ରିଟିଶ୍‌ ଶିକ୍ଷା ଓ ସଂସ୍କୃତି ଜୀବନ-ବିମୁଖ ହୋଇପଡ଼ିଥିଲା । ‘‘Benthamite materialsism’’ର ସେ ଥିଲେ ପ୍ରଚଣ୍ଡ ବିରୋଧୀ । ‘‘We are having to battle, to assert the primary need for the ‘significant other’ to use a phrase from Martin Buber” ତାଙ୍କ ମୁଖବନ୍ଧରେ ମୋ ‘ଦି ଏମ୍ପ୍‌ଟି ଡିଷ୍ଟାନ୍‌ସ କ୍ୟାରିଜ୍‌’ରେ ଆଦିବାସୀ କବିତାର ସରଳତା ଓ ଜୀବନ-ପ୍ରୀତି ଓ ମୂଲ୍ୟବୋଧ ଖୋଜାର ପ୍ରଶଂସା କରିଥିଲେ । ତିନି ପୃଷ୍ଠାର ମୁଖବନ୍ଧରେ ସେ ବହୁତ କଥା କହିଥିଲେ ମୁଣ୍ଡା ଓ ଓରାଓଁ କବିତା ବିଷୟରେ । “The songs and the illuminating comments here on Oraon and Munda Culture belong to a world-side struggle of men to find how, since they live in their symbolism, they can find particular meanings and force of “authenticity” in their own lives, in their own place and time.”

 

ଏଇ ଜୀବନ-ସନ୍ଧାନ, ନିଜ ଜୀବନର ମୌଳିକ ସିମ୍ୱଲ୍‌ ଭିତରେ, ନିଜ ସ୍ଥାନ ଓ କାଳରେ ତାହା ନିର୍ଣ୍ଣୟ କରିବା ଡେଭିଡ଼୍‌ଙ୍କୁ ମୁଗ୍ଧ କରିଥିଲା । ଡେଭିଡ଼୍ ଶିକ୍ଷାବିତ୍‌ ଭାବରେ ଇଂଲାଣ୍ଡର ଶିକ୍ଷା ପଦ୍ଧତିରେ ଅବକ୍ଷୟ, ମୂଲବୋଧର ଅବନତି ବିଷୟରେ ଅନେକ କିଛି ଲେଖିଛନ୍ତି । ଏଇ ମୁଖବନ୍ଧରେ ସେ ଇଂଲଣ୍ଡର ଚଳନ୍ତି ‘‘ମନ୍‌ଷ୍ଟ୍ରସ୍‌ ୱେଟ୍‌ ଅଫ୍ ଅବ୍‌ଜେକ୍‌ଟିଭିଟି’’ କତା ମଧ୍ୟ ଲେଖିଛନ୍ତି ।

X                  X                  X

 

ଆଗରୁ କହିଛି ସମୟକ୍ରମେ ଅନେକ ଚିଠି ପାଇଛି ଡେଭିଡ଼୍‌ଙ୍କଠୁ । ପାଇଥିବା ବହୁ ଚିଠିରୁ ଗୋଟିଏ ମୋ ମନକୁ ବେଶି ଛୁଇଁଥିଲା । ସେଇଟି ୧୬ ମାର୍ଚ୍ଚ ୧୯୮୪ର । ମୋ ଆଦିବାସୀ କବିତା-ସଂକଳନ ‘ମେନ୍‌ ପାଟର୍ନସ୍‌ ଅଫ୍ ଡଷ୍ଟ୍’ ମୋ’ ଠୁଁ ପାଇ ଚିଠି ଲେଖିଥିଲେ । ‘‘ମୁଁ ଏଇଟିକୁ ଅତ୍ୟପ୍ତ ଆଦର ସ ଆନନ୍ଦ ସହ ପଢ଼ିଲି । ବହିଟି ବାସ୍ତବରେ ପହଞ୍ଚିଲା ଯେଉଁଦିନ ମୁଁ ହସ୍‌ପିଟାଲକୁ କେତେକ ‘ଟେଷ୍ଟ୍‌’ ପାଇଁ ଯାଉଥିଲି । ହାତରେ ବହିଟି ଧରି ଯାଇଥିଲି ଓ ଆନନ୍ଦରେ ପଢ଼ିବାର ସୁଯୋଗ ପାଇଥିଲି ହସ୍‌ପିଟାଲର ଅପେକ୍ଷାଗାରରେ । ମୁଁ ଏତେ ଭଲ ପାଇଛି ସେଇ ସାର୍ବଜନିକ ମୂଲ୍ୟବୋଧ ଯାହା ଲୋକ-ସଂସ୍କୃତିରେ ବିଛେଇ ହେଇ ରହିଛି ।

 

I love that universal folk-song kind of mode which you have caught so well, the universal patterns of suffering and joy.”

 

‘‘ସ୍ଥାନୀୟ ସଂସ୍କୃତିର ପରିଚାୟକ ଏଇ ଲୋକଗୀତି ସବୁ ସଂଗ୍ରହ କରି ସାରା ବିଶ୍ୱକୁ ଯେ ଦେଇଚାଲିଛ ତାହା ଅତ୍ୟନ୍ତ ମୂଲ୍ୟବାନ୍ ।’’

 

ତା’ପରେ ସେଇ ଚିଠିରେ ସେ ପ୍ରଶ୍ନଟିଏ ପଚାରିଥିଲେ, ‘‘ଆମେ ଇ.ଏମ୍.ଫଷ୍ଟର୍‌ଙ୍କ ‘‘ ପ୍ୟାସେଜ୍‌ ଟୁ ଇଣ୍ଡିଆ’’ ବିଷୟରେ କ’ଣ ଭାବ? ଇଣ୍ଡନରେ କାର୍ଯ୍ୟ କରୁଥିବା ଜଣେ ସାଇକୋଥେରାପିଷ୍ଟ୍‌ (ପାକିସ୍ଥାନର ପୂର୍ବତନ ପ୍ରିନ୍‌ସ ମାସୁଦ୍‌ ଖାନ୍‌ଙ୍କ ପୁଅ) ଫଷ୍ଟର୍ଙ୍କ ରଚନାରେ ସ୍ଥାନୀୟ ଧର୍ମୀୟ ଚେତନା ସ ରୀତିନୀତି ପ୍ରତି ବିଦ୍ରୂପ ଅତ୍ୟନ୍ତ ‘‘annoying” ବୋଲି ବିଚାରୁଛନ୍ତି । ଆଦିବାସୀ-କବିତାରେ ଜୀବନର ଅର୍ଥ ଖୋଜାର ଏତେ ପ୍ରାଧାନ୍ୟ ଯେ ବିଦ୍ରୂପର ସ୍ଥାନ ନାହିଁ ।’’ ସେଇ ଚିଠିରେ ନିଜର ଅପ୍ରକାଶିତ ୨୫ ଖଣ୍ଡ ପାଣ୍ଡୁଲିପି ପଡ଼ି ରହିଥିବା କଥା ଲେଖିଥିଲେ ଏବଂ ବ୍ରିଟିଶ୍ ସାହିତ୍ୟ, ସଂସ୍କୃତି ଓ ପ୍ରକାଶନ ସଂସ୍ଥାକୁ ସମାଲୋଚନା କରିଥିଲେ । ଡେଭିଡ଼୍ ୧୯୬୧-୬୫ କିଙ୍ଗ୍‌ସ କଲେଜ ଫେଲୋ ଥିଲେ । ଫଷ୍ଟର ସେଇ କଲେଜରେ ଥିଲେ ଓ ଗୌରବାବୁ (ଗୌରକିଶୋର ଦାସ) ତାଙ୍କ ଉପରେ ପିଏଚ୍‌.ଡି. କରୁଥିଲେ । ତାଙ୍କ ସହିତ ଫଷ୍ଟର୍‌ଙ୍କୁ ମୁଁ ଦୁଇଥର ଭେଟିଥିଲି । ତାଙ୍କ ବିଷୟରେ ଆଉ ଅଧିକ ଲେଖିବିନି । ସେ ଯେ ଯଶସ୍ୱୀ ଶିକ୍ଷାବିତ୍‌, କବି, ସମାଲୋଚକ, ଅଧ୍ୟାପକ, ସଂସ୍କୃତିର ବ୍ୟାଖ୍ୟାକର କେମ୍ୱ୍ରିଜ୍‌ର ସବୁ ପ୍ରଫେସର ଜାଣିଥିଲେ । ପ୍ରସିଦ୍ଧ କିଙ୍ଗ୍‌ସ ଜଲେଜର ଫେଲୋ ଏବଂ ଡାଉନିଂ କଲେଜ ରାଇଟର୍‌ ଇନ ରେସିଡ଼େନ୍‌ସ ଭାବେ ଅଜସ୍ର ସୁଖ୍ୟାତି ଅର୍ଜନ କରିଥିଲେ ।

 

ଶେଷରେ ଆଉ ଛୋଟ କଥାଟିଏ । ପିଲାଦିନୁ ମୁଁ ଆମ ଗାଁ ଓ ଆମ ଓଡ଼ିଶାର ସବୁ ବୃକ୍ଷଲତା, ପକ୍ଷୀମାନଙ୍କର ନାଁ ଜାଣିଥିଲି । ଆମେ କ୍ୟାମ୍‌ ନଈକୂଳେ ବୁଲିବା ବେଳେ ତାଙ୍କୁ ଏ ଗଛ, ସେ ଗଛ ନାଁ ପଚାରୁଥିଲି । ଅଧିକାଂଶ ସମୟରେ ଉତ୍ତର ମିଳୁ ନ ଥିଲା । ଦିନେ ଡେଭିଡ଼୍ ମୋତେ ଗୋଟିଏ ବହି ଉପହାର ଦେଇ (ତା’ ନାଁ ‘ବ୍ରିଟିଶ୍‌ ଫ୍ଲୋରା ଆଣ୍ଡ୍‌ ଫନା’) ମୋ ଜାଣିବା ପାଇଁ ସହାୟକ ହେବ ବୋଲି ଆଶା ପୋଷଣ କରିଥିଲେ । ଏମିତି ଜରେ ବନ୍ଧୁଙ୍କ ସହ ଚାଳିଶ ବର୍ଷର ସଂପର୍କ ଶେଷ ହେଲା । ସେ ଚାଳିଗଲେ । ମାର୍ଗଟ୍‌ ହଲ୍‌ବ୍ରୂକ୍‌ ଓ ତାଙ୍କ ପିଲାଙ୍କୁ ଚିଠି ଦେଇ ମୁଁ ଲେଖିଲି ଯେ ସେମାନେ ଅନ୍ତତଃ ଜାଣନ୍ତୁ ତାଙ୍କ ପରି ବନ୍ଧୁ ହରେଇ ମୁଁ ଅତ୍ୟନ୍ତ ଶୋକସନ୍ତପ୍ତ ଓ ସମଦୁଃଖୀ ।

 

ନୃତତ୍ତ୍ୱ - ଏଡ଼ମଣ୍ଡ୍‌ ଲିଚ୍‌, ଆର୍ଚର ଓ ଅନ୍ୟମାନେ

 

କେମ୍ୱ୍ରଜ୍‌ ରହଣିରେ ବିଶ୍ୱବିଶ୍ରୁତ ନୃତତ୍ତ୍ୱବିଦ୍‌ ଏବଂ ସମାଜତ୍ତ୍ୱବିଦ୍‌ଙ୍କ ସଂଗେ ଅନେକ ସଂପର୍କ ପ୍ରତିଷ୍ଠା ହୋଇପାରିଲା – ଯାହା ଦୀର୍ଘକାଳ ସ୍ଥାୟୀ ହେଲା ।

 

ଏଡ଼ମଣ୍ଡ୍‌ ଲିଚ୍‌ ସେମାନଙ୍କ ମଧ୍ୟରେ ମୁଖ୍ୟ । ସେତେ‌‌ବେଳକୁ ସେ ଆନ୍ତର୍ଜାତିକ କ୍ଷେତ୍ରରେ ସମ୍ମାନିତ । ପ୍ରୋଭୋଷ୍ଟ, କିଂଗ୍‌ସ କଲେଜରେ ତାଙ୍କୁ ମୁଁ ଭେଟିଲି ଡେଭିଡ଼୍ ହଲବ୍ରୁକ୍‌ଙ୍କ ଜରିଆରେ ଏବଂ ଆମ କୋର୍ସରେ ଗୋଟେ ବକ୍ତୃତା ଦେବା ପରେ ଆଲୋଚନା ଜରିଆରେ । ଲିଚ୍‌ ଭାରତବର୍ଷରେ ବେଶି field କାମ କରି ନାହାନ୍ତି ଯେତେ କରିଛନ୍ତି F.G. Bailey, chistoph von Haimendorff, W.G. Archer ଏବଂ (ପରେ) Piers Vitebsky ଓ Jim Preston । ମୋର ସୌଭାଗ୍ୟ ଏ ସବୁ ବିଦ୍ୱାନ୍‌ମାନଙ୍କ ସହିତ ମିଶିବ, ଆଲୋଚନା କରିବା, ଭଲ ଭାବେ ସେମାନଙ୍କ କାମ ବିଷୟରେ ଧାରଣା କରିବା ସଂଭବ ହୋଇପାରିଥିଲା ।

 

ଲିଚ୍‌ଙ୍କ ସହ ମୋର ଆଲୋଚନା ଅନେକଥର ତାଙ୍କ ବିଭାଗରେ । ସେ ମୋଠୁଁ ଓଡ଼ିଶାର ଏବଂ ଭାରତବର୍ଷର ଆଦିବାସୀ ସଂପ୍ରଦାୟ, ସେମାନଙ୍କର ରୀତିନୀତି, ସାମାଜିକ ପରିବର୍ତ୍ତନ, ଆଧୁନିକ ରାଷ୍ଟ୍ରର ଅର୍ଥନୀତି ଓ ରାଜନୀତିର ସେମାନଙ୍କ ଉପରେ ପ୍ରଭାବ ଏସବୁ ବିଷୟ ଆଲୋଚନା କରିନ୍ତି । ସେତେବେଳକୁ ମୁଁ ଖୁବ୍‌ ଅଳ୍ପ କାମ କରିଥାଏ ସୁନ୍ଦରଗଡ଼ର ଆଦିବାସୀଙ୍କ ସଂପର୍କରେ । କିନ୍ତୁ ବେଶି ପଢ଼ିଥାଏ ଆମ ଆଦିବାସୀଙ୍କ ସଂପର୍କରେ । ସେଯାବତ୍‌ ମୋ ସଂଗ୍ରହ କରିଥିବା ମୁଣ୍ଡା ଓ ଓରାଓଁ ଲୋକସଂଗୀତ ତାଙ୍କୁ ଦେଖାଇଥିଲି ଏବଂ ଏ ଦିଗରେ ଅଧିକ କାମ କରିବାର ଯୋଜନା କଥା କହିଥିଲି । ଭାରତୀୟ ନୃତତ୍ତ୍ୱ ସଂପର୍କରେ ତାଙ୍କର ବହୁ ପ୍ରଶ୍ନ ଥିଲା ।

 

ଏଠି କହିରଖିବା ଉଚିତ ହେବ ଯେ, ସୁନ୍ଦରଗଡ଼ କଲେକ୍ଟର ହେବା ଦିନଠୁଁ ମୁଁ ଓଡ଼ିଶା ଓ ପୂର୍ବ ଭାରତୀୟ ଆଦିବାସୀ ସଂପ୍ରଦାୟଙ୍କ ମୌଖିକ ସଂଗୀତ-କବିତା (Oral Song-poem) ଅଧ୍ୟୟନ କରିବାକୁ ଚାହିଁଲି । ଏଥିରେ ମନ ପଶିଲା ସୁନ୍ଦରଗଡ଼ରେ । ସେଠାକାର ଆଦିବାସୀ ସଂପ୍ରଦାୟ ଝିଅବୋହୂ ଖଣି ବା କମ୍ପାନୀ (ରାଉରକେଲା) ବା ଦିନ ମଜୁରିରୁ ଫେରିବା ବେଳେ ଗୀତ ଗାଇ ଗାଇ ଦଳ ଦଳହୋଇ ଫେରନ୍ତି । ସ୍ୱର ସୁନ୍ଦର, ମନମତାଣିଆ । ଯେତେବେଳେ ଗୀତର ଅର୍ଥ ବୁଝିଲି ଲାଗିଲା ଯେ, ଏଇ ସରଳ ମଣିଷମାନେ ଆପଣାର ଅଜାଣତରେ ‘କବିତା’ ହିଁ ବୋଲୁଛନ୍ତି । ସେମାନଙ୍କ ପାଇଁ ଏ ତିନିଦିନିଆ କର୍ମ-ସଂଶ୍ଲିଷ୍ଟ ଗୀତ କିନ୍ତୁ ସେଇ ଗୀତର ଶବ୍‌ଦଗୁଡ଼ିକ ଯେ କବିତାର ପଂକ୍ତି ସେମାନଙ୍କୁ ଜଣା ନ ଥାଏ । ମନ କହିଲା ଏଇ ମୌଖିକ ସଂଗୀତକୁ ଏକାଠି କରିଲେ କେମିତି ହେବ ? ସେଇ ଯୋଉ ପ୍ରେରଣା ସୁନ୍ଦରଗଡ଼ର କୋଇଡ଼ା, ଟେନ୍ୱା, ରାଉରକେଲାର ସ୍ୱଚ୍ଛଦିନ ରହଣି ଭିତରେ ମିଳିଥିଲା ତା’ କାଳକ୍ରମେ ମୋ ଭିତରେ ନୃତତ୍ତ୍ୱବିଦ୍‌ଟିଏ ସୃଷ୍ଟି କରିବ, ଆଦିବାସୀ ମୌଖିକ ସଂଗୀତର ସଂଗ୍ରାହକ ଓ ବିଶ୍ଲେଷକ ରୂପେ ଜାତୀୟ ଆନ୍ତର୍ଜାତୀୟ ସମ୍ମାନ ଆଣିଦେବ ମୋତେ ଜଣା ନ ଥିଲା ।

 

ସେ ସବୁ ପଛ କଥା । କେମ୍ୱ୍ରିଜ୍‌ରେ ଲିଚ୍‌ଙ୍କ ବଂଧୁତ୍ୱ କଥା ହିଁ ବର୍ତ୍ତମାନ ପ୍ରାସଙ୍ଗିତ । ‌ମୋ ଦ୍ୱାରା ସଂଗୃହୀତ ଆଦିବାସୀ ମୁଣ୍ଡା ଓ ଓରାଓଁଙ୍କ ମୌଖିକ କରିବା ଉପରେ କେମ୍ୱ୍ରିଜ୍‌ରୁ ଫେରିବା ପରେ କାମ କଲି । ଦୁଇଟି ଅନୁବାଦ ସଂକଳନ ପ୍ରସ୍ତୁତ କଲି । ଗୋଟିଏ ହେଲା The Empty Distance Carries ଏବଂ ଦ୍ୱିତୀୟଟି The Wooden Sword । ପ୍ରଥମଟିର ପାଣ୍ଡୁଲିପି ପଠାଇଲି କବିବନ୍ଧୁ ଡେଭିଡ଼୍ ହଲ୍‌ବ୍ରୁକ୍‌ଙ୍କ ପାଖକୁ ଓ ଦ୍ୱିତୀୟଟି ଏଡ଼ମଣ୍ଡ ଲିଚ୍‌ଙ୍କ ପାଖକୁ । ମୋ ଅନୁରୋଧ ଥିଲା ସେମାନେ ଏଇ ସଂକଳନ ଦୁଇଟି ପଢ଼ି ସେମାନଙ୍କ ସୁଚିନ୍ତିତ ମତ ମୋତେ ଜଣାଇବାକୁ ଓ ସଂଭବ ହେଲେ ସେ ଦୁଇଟିର ମୁଖବନ୍ଧ ଲେଖିବାକୁ । ଖୁସି ଲାଗିଲା ଯେତେବେଳେ ଉଭୟ ନିଜ ନିଜର ମୁଖବନ୍ଧ ଲେଖି ପଠାଇଲେ । ସେଥିରେ ପ୍ରଶଂସାସୂଚକ ଅନେକ ବିଶ୍ଲେଷଣ ଥିଲା ଯାହା ମୋର ଭବିଷ୍ୟତ କର୍ମ ପାଇଁ (ଦୁଇ ଦୁଇଥର ଭାବା ଫେଲୋସିପ୍‌ ନେଇ ମୁଁ ୪ ବର୍ଷ ଏ କାମ କରିଛି) ମୂଳଦୁଆ ସ୍ଥାପନ କରିପାରିଲା । ହଲବ୍ରୁକ୍‌ଙ୍କ ମୁଖବନ୍ଧ କଥା ଅନ୍ୟତ୍ର ଲେଖିଛି । ଏଠି ଲିଚ୍‌ଙ୍କ ମୁଖବନ୍ଧ କଥା । ଦୀର୍ଘ ମୁଖବନ୍ଧରୁ ଛୋଟ ଉଦ୍ଧୃତି ଏଠାରେ ପାଠକଙ୍କ ଅବଗତି ପାଇଁ ଦେଲି ।

 

In Sitakanta Mohapatra’s own workds “The Munda is almost obsessed with the passage of time, of the inherent tragedy of this phenomenon. But while life lasts, happiness can be found all rount, in flower, in green leaves, in the streams, in dances, in songs, in company, in love andn sex.” । ଏତିକ ମୋ ଲେଖାର ଉଦ୍ଧୃତି ଦେଇ ସେ ଲେଖିଥିଲେ “The Mundas do not seek consolation for the inevitability of decay by looking forward to a blissful rebirth in an imaginary ‘other world’. Renewal is here and now in this world, in the quickly fading blossoms of the jungle andn the adolescence of our children. This is a philosophy o fwhich all Indians might take account.” ଏତିକି ଲେଖିସାରି ସବା ଶେଷରେ କହିଥିଲେ, “Sitakanta Mohapatra may not have achieved the impossible but he has come quite close to it. This book is a most worthwhile book and I wish its every success.” ଅର୍ଥାତ୍‌ ସୀତାକାନ୍ତ ମହାପାତ୍ର ହୁଏତ ଅସଂଭବ ଲକ୍ଷ୍ୟକୁ ସମ୍ଭବ କରି ନାହାନ୍ତି କିନ୍ତୁ ସେ ଏହାର ଖୁବ୍‌ ନିକଟକୁ ଆସିଛନ୍ତି । ଏ ବହିଟି ଅତ୍ୟନ୍ତ ମୂଲ୍ୟବାନ୍‌ ସୃଷ୍ଟି ଓ ମୁଁ ତା‘ର ସର୍ବବିଧ ସଫଳତା କାମନା କରୁଛି ।

 

କେମ୍ୱ୍ରିଜ୍‌ ଯିବା ପୂର୍ବରୁ W.G. Archerଙ୍କ ବିଷୟରେ ମୁଁ ଅନେକ କଥା ଜାଣିଥାଏ । ଆର୍ଚର ଭାରତୀୟ ପ୍ରଶାସନିକ ସେବା (ICS)ରେ ଚାକିରି କରିଥିଲେ । ତାଙ୍କ ଚାକିରି କାଳର ଅଧିକାଂଶ ବିହାରରେ କଟିଥିଲା । ଛୋଟନାଗପୁର ଅଞ୍ଚଳରେ ସେ ଡେପୁଟି କମିଶନର ଥିଲାବେଳେ ମୁଣ୍ଡା ଆଦିବାସୀଙ୍କ ଉପରେ କିଛି ପଢ଼ିଲେ, ଜାଣିଲେ ଓ ସଂପର୍କରେ ଆସିଲେ । ଛୋଟନାଗପୁର ମୁଣ୍ଡା ଓ ସାନ୍ତାଳୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ମୁଣ୍ଡା ଲୋକଗୀତିର ଦୁଇଟି ସଂକଳନ ଇଂରେଜୀ ଅନୁବାଦରେ ସେ ପ୍ରକାଶ କରିଥିଲେ । ସେ ଦୁଇଟିର ନାଁ ହେଲା The Blue Grove ଏବଂ Dove and the Leopard । ଆଇ.ସି.ଏସ୍‌.ରୁ ଅବସର ଗ୍ରହଣ ପରେ ସେ ସପରିବାର ଲଣ୍ଡନରେ ରହୁଥାଆନ୍ତି । ଲଣ୍ଡନର Victoriea & Albert Museum ମ୍ୟୁଜିୟମ୍ ହିସାବରେ ଦେଶ୍‌ ପ୍ରସିଦ୍ଧ । ସେଥିରେ ଆର୍ଚର ଭାରତୀୟ ବିଭାଗ Indian Section)ର Kee[er (ସଂରକ୍ଷକ) ଭାବେ ଅନେକ ଦିନ କାମ କରିଥିଲେ । ତାଙ୍କ ସ୍ତ୍ରୀ ମିଲଡ଼୍ରେଡ଼୍ ଆର୍ଚର ପଞ୍ଜାବ ହରିଆନା ଓ ଭାରତୀୟ ପଶ୍ଚିମାଞ୍ଚଳର ବାହାଘର ପରେ ଝିଅ ବିଦାବିଦି ବେଳେ ଯେଉଁ କାନ୍ଦଣା ଗୀତ ତା‘ର ଗୋଟିଏ ଭଲ ସଂସ୍କରଣ ପ୍ରକାଶ କରିଥିଲେ ।

 

ଆର୍ଚରଙ୍କ ସହ ପତ୍ରାଳାପ ଜରିଆରେ ବେଶ୍‌ ବଂଧୁତ୍ୱ ହୋଇସାରିଥାଏ । ସେ ଲେଖିଥାନ୍ତି ଯେବେ ମୁଁ ଲଣ୍ଡନ ଆସିବି ତାଙ୍କ ଘରକୁ ନିଶ୍ଚୟ ଆସିବି, ଯଥେଷ୍ଟ ସମୟ ରଖି ଆସବି ଏବଂ ରାତ୍ର ଭୋଜନ ପରେ ହିଁ ଫେରିବି । ଲଣ୍ଡନ ଗଲେ ବେ‌‌ଳେବେଳେ ମୁଁ ପ୍ରଫୁଲ୍ଲ ମହାନ୍ତି (ଓଡ଼ିଆ କଳାକାର)ଙ୍କ ଘରେ ରହେ; କିନ୍ତୁ ଅଧିକାଂଶ ସମୟରେ ଲଣ୍ଡନର ପ୍ରସିଦ୍ଧ ପୋଷ୍ଟଅଫିସ୍‌ ଟାୱାର ପାଖ YMCAରେ ରହେ । ଲଣ୍ଡନର ମେଟ୍ରୋ (ଭୂଇଁତଳ ଟ୍ରେନ୍‌) ତା’ର ଦକ୍ଷତା ପାଇଁ ସୁପ୍ରସିଦ୍ଧ କିନ୍ତୁ ନିର୍ଦ୍ଦିଷ୍ଟ ତାରିଖ ଅନୁସାରେ ୨ଟାବେଳେ ପହୁଞ୍ଚିଯାଏ । ସେ ଓ ତାଙ୍କ ସ୍ତ୍ରୀ ଅପେକ୍ଷା କରିଥାଆନ୍ତି । ଡ୍ରଇଁରୁମ୍‌ରେ ଛୋଟିଆ ଭାରତବର୍ଷଟିଏ ଆଖିରେ ପଡ଼ିଲା । କାନ୍ଥରେ ଆଦିବାସୀ ଲୋକଳାର ପେଣ୍ଟିଂ, ବହି ଥାକରେ ଭାରତୀୟ ସଂସ୍କୃତି ଉପରେ ବହୁତ ବହି ଏବଂ ଛୋଟ ଛୋଟ ଅନେକ ଭାରତୀୟ ସ୍ମାରକୀରେ ଡ୍ରଇଁରୁମ୍‌ ଭରପୂର । ସେ ନିଜର ICS ଦିନଗୁଡ଼ିକ ସ୍ମରଣ କଲେ ଓ ବହୁତ ଗପିଲେ । ‌‌ଛୋଟନାଗପୁରରେ ଥିବାବେଳେ କିଛି ମୁଣ୍ଡା ଭାଷା ଶିଖି ନେଇଥିଲେ କିନ୍ତୁ କିଛି ବର୍ଷ ପରେ ସଂପୂର୍ଣ୍ଣ ଭୁଲିଗଲେ । ତାଙ୍କ ସଂକଳିତ ବହି ଦୁଇଟି ମୁଣ୍ଡା ଭାଷାରୁ କିପରି ଅନୁବାଦ କଲେ ମୁଁ ପଚାରିଲି । ସେ ସ୍ଥାନୀୟ ମୁଣ୍ଡା ସଂସ୍କୃତି ଓ ସଂଗୀତବିଦ୍‌ଙ୍କ ନାମ ନେଲେ ଏବଂ ତାଙ୍କ ସହାୟତାରେ ଅନୁବାଦ ସଂଭବ ହେଲା ବୋଲି କହିଲେ । ବାସ୍ତବତଃ ସେ ମୁଣ୍ଡା ଭାଷାରେ ଗୋଟିଏ ପୁସ୍ତକ ମଧ୍ୟ ପ୍ରକାଶ କରିଛନ୍ତି ।

 

ଆମେ‌ ଭେରିଅର ଏଲ୍‌ୱିନ୍‌ଙ୍କ କଥା, ଏଲ୍‌ୱିନ୍‌ଙ୍କ ବଂଧୁ Samrao Hivaleଙ୍କ କଥା ଏବଂ ଏଲ୍‌ୱିନ୍‌ଙ୍କ ଆଦିବାସୀ ଝିଅଟିଏ ବାହା ହେବା କଥା ବିଷୟରେ ଆଲୋଚନା କଲୁ । ଏଲ୍‌ୱିନ୍‌ ଯେ ନେହେରୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ତାଙ୍କ କଥାନୁସାରେ Philosophy for NEFA ବହିଟି ଲେଖିଥିଲେ ସେ କଥା ବି ପଡ଼ିଲା । ସୁନ୍ଦରଗଡ଼ର ମୁଣ୍ଡାଙ୍କ ବିଷୟରେ କିଛି ଆଲୋଚନା ହେଲା । ନିର୍ମଳ ମୁଣ୍ଡାଙ୍କ ନାଁ ସେ ଶୁଣି ନ ଥିଲେ (ମୋର ଅଳ୍ପଦିନର ସୁନ୍ଦରଗଡ଼ ରହଣିରେ ତାଙ୍କ ବଂଧୁତ୍ୱ ଲାଭ କରିଥିଲି ଓ ମୁଣ୍ଡା ସଂପ୍ରଦାୟର ନେତା ହିସାବରେ ତାଙ୍କୁ ସମ୍ମାନ କରିଥିଲି) । କିନ୍ତୁ ରାମଦୟାଲ ମୁଣ୍ଡାଙ୍କ ନାଁ ଶୁଣିଥିଲେ ଓ ତାଙ୍କର ଆଦିବାସୀ ସଂପ୍ରଦାୟ କାମ ବିଷୟରେ କିଛି ପରିମାଣରେ ପରିଚିତ ଥିଲେ । ପାଠକଙ୍କ ଅବଗତି ପାଇଁ କହିବା ଉଚିତ ମନେକରୁଛି ଯେ, ରାମଦୟାଲ ମୁଣ୍ଡା ମୋର ବ୍ୟକ୍ତିଗତ ବଂଧୁ ଥିଲେ, ରାଞ୍ଚି ବିଶ୍ୱବିଦ୍ୟାଳୟର କୁଳପତି ରହିଥିଲେ । ପରେ ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଥିଲେ ଏବଂ ସଦସ୍ୟ ହିସାବରେ ଦୁଇ ବର୍ଷ ନ ପୂରୁଣୁ ସ୍ୱର୍ଗାରୋହଣ କରିଥିଲେ ।

 

ମିଲ୍‌ଡ଼୍ରେଡ଼୍ କାନ୍ଦଣା ଗୀତ କେମିତି ସଂଗ୍ରହ କଲେ ସେ କଥା ସ୍ମରଣ କଲେ; ବହୁତ ସ୍ଥାନୀୟ ବାହାଘରରେ ଯୋଗ ଦେବା ଦ୍ୱାରା ତା’ ସଂଭବ ହୋଇଥିଲା ବୋଲି କହିଲେ । ସଂଧ୍ୟାଟି ଆନନ୍ଦରେ କଟିଗଲା । ରାତ୍ରିଭୋଜନ ସାହି ମୁଁ ମେଟ୍ରୋରେ ଫେରିଆସି YMCAରେ ରହିଲି ଏବଂ ତା’ ପରଦିନ କେମ୍ୱ୍ରିଜ୍‌କୁ ଫେରିଲି । ଫେରିବା ପୂର୍ବରୁ ଆର୍ଚର ସ୍ୱରଚିତ କବିତା ସଂକଳନଟି Island in the Sun ମୋତେ ଉପହାର ଦେଲେ । ନିଜେ ସେ ଯେ କବିତା ଲେଖିଥିଲେ ମୁଁ ସେ କଥା ପ୍ରଥମ କରି ଜାଣିଲି ।

 

କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟର Centre of South Asian Studies ଖୁବ୍‌ ଜଣାଶୁଣା । ଭାରତବର୍ଷର ଅର୍ଥନୀତି, ସମାଜନୀତି, ନୃତତ୍ତ୍ୱ ଇତ୍ୟାଦି ବିଷୟରେ ଗବେଷଣା କରିବାକୁ ଭାରତୀୟମାନେ ଆସନ୍ତି ଏବଂ ସେଠ ଅଧ୍ୟନ-ଅଧ୍ୟାପନା କରିଥିବା ବ୍ରିଟିଶ ଛାତ୍ର ଓ ଅଧ୍ୟାପକମାନେ ମଧ୍ୟ ମୁଖ୍ୟତଃ ଭାରତ-ସମ୍ପୃକ୍ତ ବିଷୟରେ ଗବେଷଣା କରନ୍ତି । ନୃତତ୍ତ୍ୱ ପରି ବିଷୟ, ଯେଉଁଥିରେ କ୍ଷେତ୍ରାଜ୍ଞାନର ଆବଶ୍ୟକତା ଜରୁରୀ ସେଥିପାଇଁ ସେମାନେ ଭାରତ ଆସନ୍ତି । ମୁଁ ଭାରତ ଫେରିବାର ବହୁଦିନ ପରେ ଏଡ଼୍‌ମଣ୍ଡ ଲିଚ୍‌ଙ୍କ ଠାରୁ ଚିଠିଟେ ପାଇଲି ଜନୈକ ଗବେଷକ ପିଅର୍ସ ଭିଟେବସ୍କିଙ୍କ ବିଷୟରେ । ସେ ଭଦ୍ରବ୍ୟକ୍ତି ଉପରୋକ୍ତ Centreରେ କାମ କରୁଥାନ୍ତି ଏବଂ ଲିଚ୍‌ଙ୍କ ପୂର୍ବତନ ଛାତ୍ରା ସେ ଦକ୍ଷିଣ ଓଡ଼ିଶାର ସଓରାମାନଙ୍କ ଉପରେ ଗବେଷଣା କରିବାକୁ ଆସିବାର ଥାଏ । ଠିକ୍‌ ସମୟରେ ସେ ଆସିଲେ, ଲାଞ୍ଜିଆ ସଓରା (ଶବର)ଙ୍କ ସଂପର୍କରେ ମୋ ସହ ଆଲୋଚନା କଲେ ଏବଂ ପ୍ରାଥମିକ ଭାବେ ସଓରା ଅଞ୍ଚଳ ବୁଲି ଆସିଲେ । ପରେ ପୁଟାସିଙ୍ଗି ଓ ଆଖପାଖ ସଓରା ଗାଁରେ Field work କରିବାକୁ ସ୍ଥିର କଲେ । ସେ ଆସିବା ପୂର୍ବରୁ ମଧ୍ୟ ମୋତେ ଗୋଟିଏ ବ୍ୟକ୍ତିଗତ ଚିଠି ଦେଇଥାନ୍ତି । ମୁଁ ମଧ୍ୟ ସଓରାମାନଙ୍କ ଉପରେ କାମ କରିଥିବା ଓଡ଼ିଶାର ବିଦ୍ୱାନ୍‌ମାନଙ୍କୁ ଭେଟିବାକୁ ପରାମର୍ଶ ଦେଇଥାଏ । ପାଖାପାଖି ୩ ବର୍ଷ ସେ ପୁଟାସିଙ୍ଗି ଅଞ୍ଚଳରେ କାମ କଲେ । କେମ୍ୱ୍ରିଜ୍‌ ଫେରନ୍ତି, ପୁଣି ଠିକଣା ପାଗ ବେଳେ ଆଦି ସଓରା ଗାଆଁକୁ ଯାଆନ୍ତି । ମଝିରେ ଅନେକ ଥର ମୋତେ ଭେଟନ୍ତି ଓ ତାଙ୍କ କାମର ଅଗ୍ରଗତି ଓ ସମସ୍ୟା ସବୁ ବିଷୟ ବଖାଣନ୍ତି । ମେତେ ସବୁଠୁଁ ଭଲ ଲାଗିଥିଲା ତାଙ୍କ କାନର ନୋଳି (ସଡ଼ରା ଶୈଳୀର) ଏବଂ ପାଖରେ ରଖିଥିବା ସଓରା ପୋଷାକ । ଗବେଷଣା କାମ ସରିବା ପରେ ମଧ୍ୟ ଆମ ପତ୍ରାଳାପ ରହିଲା । ଗବେଷଣା ଉପରେ ଆଧାରିତ ତାଙ୍କ ବହିଟି Dialogue with the Dead ପରେ ପ୍ରକାଶ ପାଇଲା ଏବଂ ସେଥିରୁ ଗୋଟିଏ କପି ସ୍ୱାକ୍ଷର କରି ମୋ ପାଇଁ ପଠାଇଥିଲେ । ଆମ ସଂସ୍କୃତିରେ ମୃତଲୋକଙ୍କ ସହ କଥାବାର୍ତ୍ତା କରିବା କଥା ଆମେ ଶୁଣିଛେ; Planchet ଜରିଆରେ ମୃତବ୍ୟକ୍ତିଙ୍କୁ ଡାକି ଆଳାପ କରିବା କଥା ମୁଁ ଦେଖିଛି । ସଓରାମାନଙ୍କ ମଧ୍ୟରେ ଏଇ କଳା ସଂପର୍କରେ ବହିଟି ସୁନ୍ଦର ପ୍ରାମାଣିକ ଗ୍ରନ୍ଥଟିଏ ଓ ମୁଁ ନିଃସନ୍ଦେହ ନୃତତ୍ତ୍ୱବିଦ୍‌ ମହଲରେ ଏହା ଆଦୃତ ହେବ ।

 

କେମ୍ୱ୍ରିଜ୍‌ ରହଣି ବେଳେ ଲଣ୍ଡନରେ ଆଉ ଦୁଇଜଣ ସୁପ୍ରସିଦ୍ଧ ନୃତତ୍ତ୍ୱବିଦ୍‌ଙ୍କୁ ଭେଟିବାର ସୁଯୋଗ ପାଇଥିଲି । ପ୍ରଥମତଃ ଲଣ୍ଡନ ବିଶ୍ୱବିଦ୍ୟାଳୟରେ କାମ କରୁଥିବା F.G. Bailey । ଫୁଲବାଣୀର ‘ବିଶିପଡ଼ା’ ଗାଆଁ ଉପରେ ତାଙ୍କ ଗବେଷଣା ସବୁ ନୃତତ୍ତ୍ୱବିଦ୍‌ଙ୍କୁ ଜଣା । କନ୍ଧ ଗାଆଁଟିଏ ବିଶିପଡ଼ା । ସେ ଗାଆଁରେ ଡମ୍ଓ୍ମାନଙ୍କ ଦ୍ୱାରା ଦେଶୀ ମଦ ଦୋକାନଟିଏ ଖୋଲା ହେଲା । କନ୍ଧମାନେ ମଦ ପିଇବାକୁ ତ ଭଲ ପାଆନ୍ତି । ସମୟକ୍ରମେ ଧୀରେ ଧୀରେ କନ୍ଧମାନେ କେମିତି ନିଜ ଜମି ବିକ୍ରି କରି ବା ବନ୍ଧକସୂତ୍ରେ ଦେଇ ଡମ୍ୱମାନଙ୍କ ଦ୍ୱାରା ପ୍ରତାରିତ ହୋଇ ଜମି ହରେଇ ବସିଲେ ଏତିକ ବେଲିଙ୍କ ଗବେଷଣାର ଅସଲ କଥା ଥିଲା । ଗୋଟିଏ ବାକ୍ୟରେ ବେଲି କହନ୍ତି, “My Study is on a single point : how does the kondh land come to the market” । ପରେ ବେଲିଙ୍କ ସହ ପତ୍ରାରଳାପ କରିଥିଲି । ଏକାଦୃଶ ସମସ୍ୟା ଯେ ମୁ୍ଁ ଭେଟିଛି ତାଙ୍କୁ ଜଣେଇଥିଲି । ମୁଁ ଚାକିରି ଜୀବନରେ ସୁନ୍ଦଗଡ଼ ଓ ମୟୁରଭଞ୍ଜରେ କଲେକ୍ଟର ହୋଇଥିଲି । ଦୁଇଟିଯାକ ଆଦିବାସୀ ପ୍ରଦାନ ଜିଲ୍ଲା । ବିଶିପଡ଼ା ଗାଆଁକୁ ମୁଁ ଯାଇଛି ଏବଂ ଭାବିଛି ଏତେ ଦିନ ବହିଯିବା ପରେ ଆଉଥରେ ସେ ଗାଆଁର ଅଧ୍ୟୟନ ଜରୁରୀ ।

 

ଲଣ୍ଡନ ବିଶ୍ୱବିଦ୍ୟାଳୟର ଓରିଏଣ୍ଟାଲ୍‌ ଓ ଆଫ୍ରିକାନ ଷ୍ଟଡ଼ିଜ୍‌ରେ ଅନ୍ୟ ଜଣେ ସୁପ୍ରସିଦ୍ଧ ନୃତତ୍ତ୍ୱବିଦ୍‌ କ୍ରିଷ୍ଟୋଫ୍‌ ହାଇମେନ୍‌ଡର୍ଫଙ୍କ ସହ ପରିଚୟ ଓ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିଲା । ହାଇମେନ୍‌ଡର୍ଫ ଭାରତୀୟ ଗଣ୍ଡମାନଙ୍କ ସଂପର୍କରେ ଅଧ୍ୟୟନ କରିଛନ୍ତି; ଉତ୍ତରପୂର୍ବ ଭାରତ ଅଞ୍ଚଳର ଆଦିବାସୀଙ୍କ ଜୀବନଶୈଳୀ ସଂପର୍କରେ ମଧ୍ୟ ଅଧ୍ୟୟନ କରିଛନ୍ତି । ସେ ପଢ଼ାଉଥିବା ଅନୁଷ୍ଠାନରେ ଫକୀରମୋହନଙ୍କ ଆତ୍ମଜୀବନୀ ଅନୁବାଦ କରିଥିବା ବୋଲ୍‌ଟନ୍‌ ମଧ୍ୟ କାର୍ଯ୍ୟ କରୁଥିଲେ । ଅନୁଷ୍ଠାନଟିରେ ଭାରତୀୟ ସଂସ୍କୃତି, ସାହିତ୍ୟ, ନୃତତ୍ତ୍ୱ ଇତ୍ୟାଦି ବିଷୟରେ ଅନେକ ଭାରତୀୟ ଓ ବ୍ରିଟିଶ୍‌ ସ୍କଲାର କାମ କରିଛନ୍ତି । ହାଇମେନ୍‌ଡର୍ଫ ଭାରତୀୟ ନୃତତ୍ତ୍ୱର ସମସାମୟିକ ଅବସ୍ଥା, କେଉଁ ସବୁ ବିଷୟରେ ବିଶେଷ ଅଧ୍ୟନ ହେଉଛି ଏବଂ ମୋ କାର୍ଯ୍ୟର ପରିସର ଓ ପରିଧି ସଂପର୍କରେ ଅନେକ କଥା ଆଲୋଚନା କରିଥିଲେ । ତାଙ୍କର ସହକର୍ମୀ ଅଧ୍ୟାପକମାନଙ୍କ ସହ ପରିଚୟ କରାଇ ଦେଇଥିଲେ ଓ ସମସ୍ତେ ଏକାଠି ମଧ୍ୟାହ୍ନ ଭୋଜନ କରିଥିଲୁ । ଫେରିବା ପୂର୍ବରୁ ସେ ଉତ୍ତରପୂର୍ବ ଭାରତର ‘ଆପାତନି’ ଆଦିବାସୀଙ୍କ ସଂପର୍କରେ ତାଙ୍କ ବହିଟି (The Apa Tonis and their Neighbourhood) ମୋତେ ଦେଇଥିଲେ ।

 

ତାଙ୍କର ଜନୈକ ପୂର୍ବତନ ଛାତ୍ରଙ୍କ ସଂପର୍କରେ ପରେ ମୋତେ ହାଇମେନ୍‌ଡର୍ଫ ଲେଖିଥିଲେ । ସେ ଜଣକ Jim Preston । ଓଡ଼ିଆରେ ଅନେକ ଦିନ ରହି କଟକଚଣ୍ଡୀଙ୍କ ଉପରେ ବିଶଦ ଗବେଷଣା କଲେ । ବିବିଧ ସଂସ୍କୃତିରେ ମାତୃପୂଜା ସଂପର୍କରେ ସେ ଆଗରୁ ଅଧ୍ୟୟନ ଆରମ୍ଭ କରିଥିଲେ । କଟକଚଣ୍ଡୀଙ୍କ ଉପରେ ଗବେଷଣା କାଳରେ ମୋତେ ବହୁଥର ଭେଟି ଆଳାପ ଆଲୋଚନା କରିଥିଲେ । ଜିମ୍‌ ପରେ କିଛି ବର୍ଷ ନିୟୁର୍କ ଷ୍ଟେଟ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । କଟକଚଣ୍ଡୀ ଉପରେ ପ୍ରକାଶିତ ବହିଟି Goddess in Indian Philosophy and Literature ଗୋଟିଏ ମୂଲ୍ୟବାନ ବହି ।

 

କେମ୍ୱ୍ରିଜ୍‌ ରହଣି ଭିତରେ ଅନେକଥର ଲଣ୍ଡନ ଆସିଛି । ସେତେବେଳେ ଲଣ୍ଡନକୁ ଟ୍ରେନ୍‌ ଭଡ଼ା ମାତ୍ର ଗୋଟିଏ ପାଉଣ୍ଡ ଥାଏ । ଲଣ୍ଡନ YMCA ଓ ପ୍ରଫୁଲ୍ଲ ମହାନ୍ତିଙ୍କ କଥା ଆଗରୁ ଲେଖିଛି । ପ୍ରଫୁଲ୍ଲଙ୍କ ବହୁଦିନର ସାଙ୍ଗ ବ୍ରିଟିଶ ନାଗରିକ ଡେରେକ୍‌ । ପ୍ରଫୁଲ୍ଳ ଓ ସେ ଦୁହେଁ ଏକତ୍ର ରହୁଥିଲେ । ଆମେ ତିନିହେଁ ମଝିରେ ଥରେ ଅଧେ ବୁଲିଯାଇଛୁ ଲଣ୍ଡନର ବିଭିନ୍ନ ଅଞ୍ଚଳ ଦେକିବାକୁ । ପ୍ରଫୁଲ୍ଲବାବୁ କେବଳ ଚିତ୍ରକର ନୁହଁନ୍ତି, ଲେଖକ ହିସାବରେ ଖୁବ୍‌ ପ୍ରସିଦ୍ଧିଲାଭ କରିଥିଲେ । ତାଙ୍କ ବହିଟି My Village, My Life କଟକ ଜିଲ୍ଲାର ତାଙ୍କ ଗାଁ ନାନପୁର ଉପରେ ଆଧାରିତ । ମୋ ବିଚାରରେ ଭାରି ଉଚ୍ଚକୋଟୀର ବହିଟିଏ । ଓଡ଼ିଆ ପାଠକଙ୍କୁ ପ୍ରଫୁଲ୍ଲ ମହାନ୍ତିଙ୍କ ପରିଚୟ ଦେବା ନିଷ୍ପ୍ରୟୋଜନ । ସେତେବେଳେ ପ୍ରଫୁଲ୍ଲବାବୁ ଭାରତୀୟ ନୃତ୍ୟ ଓ ବିଶେଷକରି ଓଡ଼ିଶୀ ନୃତ୍ୟକୁ ବେଶ୍‌ ଆଦର କରୁଥିଲେ । ଥରେ ତାଙ୍କଠୁଁ ଓଡ଼ିଶୀ ନୃତ୍ୟ ଶିଖୁଥିବା ଜଣେ ଛାତ୍ରଙ୍କ ଘରକୁ ଆମେ ଯାଇଥିଲୁ ।

 

ଲଣ୍ଡନସ୍ଥ ଭାରତୀୟ ହାଇକମିଶନ ଅଫିସରେ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ଫାଷ୍ଟ ସେକ୍ରେଟାରୀ ରୂପେ କାମ କରୁଥାନ୍ତି । ସେ ମୋ ବ୍ୟାଚର (୧୯୬୧) ଆଇ.ଏ.ଏସ୍., ନାଁ ତେଜେନ୍ଦ୍ର ଖାନ୍ନା । ମୁ ତାଙ୍କ ଅଫିସକୁ ଆସିଲେ ବହୁ ବିଷୟ ଆଲୋଚନା କରୁ । ବ୍ରିଟିଶ ରାଜନୀତି, ଅର୍ଥନୀତି ଓ ସଂସ୍କୃତି ବିଷୟରେ ତାଙ୍କଠୁଁ ପ୍ରତ୍ୟକ ଅନୁଭବ କଥା ଶୁଣେ । ତେଜେନ୍ଦ୍ର କାର୍ଯ୍ୟରୁ ଅବସର ନେବା ପରେ ବର୍ତ୍ତମାନ ଦିଲ୍ଲୀର ଲେଫ୍‌ଟନାଣ୍ଟ ଗଭର୍ଣ୍ଣର ଭାବେ କାମ କରୁଛନ୍ତି । ଲଣ୍ଡନ ବିଶ୍ୱବିଦ୍ୟାଳୟର ୟୁନିଭରସିଟି କଲେଜ ଅଫ୍ ଲଣ୍ଡନରେ ଗୋଟିଏ ଜଣାଶୁଣା କବିତା ସୋସାଇଟି ଥାଏ । ତା’ର ପରିଚୟ ମୋତେ ଡାଭିଡ଼୍ ହଲବ୍ରୁକ୍‌ଙ୍କଠୁଁ ମିଳିଥାଏ ଏବଂ କ୍ଲବର ପରିଚାଳକ ସେକ୍ରେଟାରୀ ଟମାସ୍‌ କାବ୍‌ଡ଼େବୋଙ୍କ ସହ ସଂପର୍କ ସ୍ଥାପିତ ହୋଇଥାଏ । ୧୯୬୭ ଅକ୍ଟୋବରରେ କବିତା ସୋସାଇଟି ତରଫରୁ ଗୋଟିଏ ବଡ଼ ଧରଣର ସେମିନାର ଓ କବିତା ପାଠ ଅନୁଷ୍ଠିତ ହୋଇଥିଲା । ସେଥିରେ ମୁଁ ଭାଗ ନେବାକୁ ନିମନ୍ତ୍ରିତ ହୋଇଥିଲି । ସ୍ଥାନୀୟ ବ୍ରିଟିଶ କବି, ଲେଖକଙ୍କ ବ୍ୟତୀତ ସୁପ୍ରସିଦ୍ଧ ନାଇଜେରିଆର ଲେଖକ Wole Soyinkaଙ୍କ ସହ ମଧ୍ୟ ପରିଚୟ ହୋଇଥିଲା । ସୋୟିଙ୍କା ବହୁଦିନ ପରେ ନୋବେଲ ପୁରସ୍କାର ଲାଭ କରିଥିଲେ । ମୋ ପରି ଅନେକ ଭାରତୀୟ ସାହିତ୍ୟିକ ବନ୍ଧୁ ସୋୟକାଙ୍କଠାରୁ ତାଙ୍କରି ଦେଶ ନାଇଜେରିଆର ଚିନୁଆ ଆଚିବିଙ୍କ ଲେଖାକୁ ଅଧିକ ପଦସନ୍ଦ କରନ୍ତି ।

 

ଲଣ୍ଡନରେ ମୋ ବନ୍ଧୁ ଜୟୀଭାଇ, ଭକ୍ତଭାଇ : ଲଣ୍ଡନରେ ମୋର ଜଣେ ଆପଣାର ସଂପର୍କ ଜୟୀଭାଇ ଥିଲେ । ସେ ମୋ ସ୍ତ୍ରୀଙ୍କର ପିଉସୀପୁଅ ଭାଇ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ କଜିନ୍‌ ଜୟୀ କିଶୋର ପଟ୍ଟନାୟକ ପ୍ରସିଦ୍ଧ ପଟ୍ଟନାୟକ ପରିବାରର । ସବା ବଡ଼ ଭାଇ ପ୍ରସିଦ୍ଧ ଲେଖକ ରାଜକିଶୋର ପଟ୍ଟନାୟକ । ଆଉ ଜଣେ ଭାଇ ଆମର ଅତ୍ୟନ୍ତ ଅନ୍ତରଙ୍ଗ ବନ୍ଧୁ ଓ ଭୁବନେଶ୍ୱରରେ ଅତି ଆପଣାର ଥିଲେ । ସେ ହେଉଛନ୍ତି ଅଧୁନା ଦିବଂଗତ ବୀରକିଶୋର ପଟ୍ଟନାୟକ । ଜୟୀ ଭାଇ କେ. କ୍ରିଷ୍ଣମୂର୍ତ୍ତି ଫାଉଣ୍ଡେସନ୍‌ର ବିରାଟ ଭକ୍ତ । ଲଣ୍ଡନରେ ତାଙ୍କ ସହ ପରିଚୟ ହେଲା ପରେ ଲଣ୍ଡନ ରାସ୍ତାରେ ଆମେ ଅନେକଥର ଚାଳି ଚାଲି ବୁଲିଛୁ । ସେ ଆସନ୍ତି ମୋ ରହଣି ସ୍ଥାନ YMCAକୁ ଓ ସେଠୁ ଯାତ୍ରା ଆରମ୍ଭ ହୁଏ; ସରେ କ୍ରିଷ୍ଣମୂର୍ତ୍ତି ଫାଉଣ୍ଡସନ୍‌ ଲଣ୍ଡନ ଅଫିସ୍‌ରେ । କ୍ରିଷ୍ଣମୂର୍ତ୍ତି ଚର୍ଚ୍ଚା ବହୁତ କରୁ । ତାଙ୍କର ସହକର୍ମୀମାନଙ୍କୁ ମୁଁ ଭେଟେ ଓ ସ୍ଥାନଟି ଆପଣାର ଲାଗେ । ପାଠକେ ହୁଏତ ଜାଣିଥିବେ ଯେ ପୁରୀଘାଟରେ କ୍ରିଷ୍ଣମୂର୍ତ୍ତି ଫାଉଣ୍ଡସନ କାର୍ଯ୍ୟ କରୁଛି ଶ୍ରୀ ପଟ୍ଟନାୟକଙ୍କ ଆପଣା ବୁନିଆଦି ପ୍ରାଚୀନ ଘରେ । କ୍ରିଷ୍ଣମୂର୍ତ୍ତିଙ୍କ ଅଧିକାଂଶ ରଚନାବଳୀ ବସନ୍ତକୁମାରୀ (ବସଅପା) ଓ ତାଙ୍କ ଦୁଇ ଭଉଣୀ ମିଶି ଓଡ଼ିଆରେ ଅନୁବାଦ କରିଛନ୍ତି । ଉଚ୍ଚକୋଟୀର ଅନୁବାଦରେ ଓଡ଼ିଆ ପାଠକଙ୍କ ପାଖରେ କ୍ରିଷ୍ଣମୂର୍ତ୍ତି ସୁପରିଚିତ ହୋଇପାରିଛନ୍ତି । ଓଡ଼ିଆ ସାହିତ୍ୟକୁ ସେମାନଙ୍କର ଏ ଗୋଟିଏ ବଡ଼ ଦାନ ।

 

ମୁଁ କେମ୍ୱ୍ରିଜ୍‌ରେ ଥିବା ବେଳେ ଭକ୍ତଭାଇ, ଡକ୍ଟର ଭକ୍ତ କିଶୋର ପଟ୍ଟନାୟକ ଇଂଲଣ୍ଡରେ ଡାକ୍ତର ଭାବେ କାମ କରୁଥାନ୍ତି । ତାଙ୍କ ସହ କିଛି ବେଳ କଟାଇବା ନିମନ୍ତ୍ରଣ ମୁ୍ଁ ରକ୍ଷା କରିପାରି ନ ଥିଲି । ବାର୍ଦ୍ଧକ୍ୟ ଓ ତା’ର ସମସ୍ୟା ସଂପର୍କରେ ସେ ଜଣେ ବିଶେଷଜ୍ଞ । ଦୁଃଖର ସହ କହିବାକୁ ପଡ଼ୁଛି ଉଭୟ ଜୟୀଭାଇ ଓ ଭକ୍ତଭାଇ ଏବେ ସ୍ୱର୍ଗାରୋହଣ କରିଛନ୍ତି ।

 

ଜୟୀଭାଇଙ୍କ ଯୋଗୁଁ ମୁଁ କୃଷ୍ଣମୂର୍ତ୍ତିଙ୍କ ସକଳ ରଚନା ସହିତ ପରିଚିତ ହେଲି । କ୍ରିଷ୍ଣମୂର୍ତ୍ତି ଯେ ଆମ ସମୟର ପ୍ରମୁଖ ଜ୍ଞାନୀ ଓ ଆତ୍ମବୋଧର ଅଧିକାରୀ ଏହା ମୋର ମତ । କ୍ରିଷ୍ଣମୂର୍ତ୍ତି ଫାଉଣ୍ଡେସନ ସଂସ୍ଥାର ଅନୁବାଦକୁ ଛାଡ଼ି ତାଙ୍କ ଉପରେ ଯେତେ ଯେତେ ଇଂରାଜୀରେ ରଚିତ ପୁସ୍ତକ ମୁଁ ଭୁବନେଶ୍ୱର ଫେରିଲା ପରେ ସବୁ କିଣିଲି ଓ ଥାକରେ ସଜେଇ ରଖିଲି । ଜୟୀଭାଇ ଫାଉଣ୍ଡେସନ୍‌ଟି ନଦୀକୂଳରେ ସ୍ଥାପିତ କରିବା ପାଇଁ ଗୋଟିଏ ସ୍ଥାନ ବାଛିଥିଲେ । ତାଙ୍କ ଯିବା ଅନ୍ତେ ସେ କାମ ଅଧୁରା ରହିଛି । ସେମିତି ଭକ୍ତଭାଇ । ଡାକ୍ତର ହିସବରେ କେବଳ ବାର୍ଦ୍ଧକ୍ୟ ଅବସ୍ଥା (Gerontology) ସଂପର୍କରେ ସେ ଜ୍ଞାନୀ ନ ଥିଲେ । ଡାକ୍ତର ହିସାବରେ ମଧ୍ୟ ଇଂଲାଣ୍ଡରେ ସୁନାମ ଅର୍ଜନ କରିଥିଲେ । ମୁଁ କେମ୍ୱ୍ରିଜ୍‌ ଛାଡ଼ିବା ଦିନ ନିକଟ ହେଲା ପରେ ଜୟୀ ଭାଇ କହିଲେ, ‘‘ମୁଁ ଆସିବି, ତୁମକୁ ନେଇ ଏୟାରପୋର୍ଟ ଯିବି ।’’ ମୁଁ ଯେତେ ବାରଣ କଲେ ବି ଶୁଣିଲେନି, ଆସିଲେ । ଟ୍ରେନ୍‌ ଧରି ଆମେ ଗଲୁ । ଏୟାରପୋର୍ଟରୁ ସେ ବିଦାୟ ନେଲେ । ସେ ବିଦାୟ ମୋର ଦୀର୍ଘକାଳ ମନେରହିବ । ଏବେ ଦୁଇ ଭାଇ ଯେ ବସନ୍ତଅପା (ବସନ୍ତ କୁମାରୀ ପଟ୍ଟନାୟକ)ଙ୍କୁ ଏକୁଟିଆ କରି ପଳେଇଗଲେଣି । ତାଙ୍କ ପଛେ ପଛେ ବସନ୍ତଅପା ମଧ୍ୟ ଚାଲିଗଲେ ମାତ୍ର କେଇଦିନ ତଳେ ।

ନେତା ଗଢ଼ିବାର ନର୍ସରୀ : ଛାତ୍ର ୟୁନିଅନ୍‌

 

ବିଶ୍ୱବିଦ୍ୟାଳୟ ଛାତ୍ରଙ୍କର ୟୁନିଅନ୍‌ ଅଫିସ ବେଶ୍‌ ସୁନ୍ଦର ଓ ୨ ତାଲା ବିଶିଷ୍ଟ କୋଠା – ଠିକ୍‌ ‘‘କ୍ୟାମ୍’’ ନଦୀକୂଳରେ ଅବସ୍ଥିତ । କାଣ୍ଟିନରେ ଖାଇବା, ବିଭିନ୍ନ ଖେଳ ସରଞ୍ଜାମ ବ୍ୟବହାର କରି Indoor games ଓ Outdoor games ପାଇଁ ସୁବିଧା ଥାଏ । ମୁଁ ସେଠିକୁ ଯାଏ, ବଂଧୁମାନଙ୍କ ସହ ମିଶେ । ସିଡ଼୍‌ନି ସସେକ୍‌ସର ବହୁ ବଂଧୁଙ୍କ ଛଡ଼ା ଭାରତୀୟ ବଂଧୁ ବି ଅନେକ ଆସନ୍ତି, ଆମେ ଏକାଠି ହେଉ, ଖାଇପିଇ ଗପସପ କରୁ । ସେମାନଙ୍କ ଭିତରେ ମୁଖ୍ୟ ମୋ କଲେଜ ବଂଧୁ ସିଂଗାପୁରର କ୍ରିସ୍‌ ଖୁ, ଭାରତୀୟ କୋର୍ସ-ସାଥି ବିନୋଦ ଦୀକ୍ଷିତ, ଶିଲା ଦୀକ୍ଷିତ, କେ.ଏସ୍.ରାମକ୍ରିଷ୍‌ନନ୍‌ । ଅନ୍ୟ ଦେଶର କୋର୍ସ-ବଂଧୂ ଜାମାଇକାର ମିସ୍‌ ଚାଙ୍ଗ ଓ ଶ୍ରୀଲଙ୍କାର ତିସା ଦେବେନ୍ଦ୍ର, ମାଲାୱିର ମାପେଲୋ ଓ ପାକିସ୍ଥାନର ଜାମସେଦ୍‌ ଅହମଦ୍‌ ଖଣ୍ଡୋକାର । ତା’ଛଡ଼ା ବଂଧୁ ଗୌରକିଶୋର ଦାସ, ବ୍ରଜଦୁଲାଲ ଚଟୋପାଧ୍ୟାୟ ଏବଂ ନାଗରାଜ ରାଓ ।

 

ନାନା ଆଲୋଚନା ହୁଏ । ବ୍ରିଟିଶ ରାଜନୀତି, ସମାଜନୀତି, ସଂସ୍କୃତି, ସାହିତ୍ୟ, ବିଶ୍ୱବିଦ୍ୟାଳୟ ଶିକ୍ଷା ଇତ୍ୟାଦି ଇତ୍ୟାଦି । ଛାତ୍ର ୟୁନିଅନ୍‌ ରାଜନୀତିଭିତ୍ତିକ ନୁହେଁ କିନ୍ତୁ ଛାତ୍ରମାନେ ରାଜନୀତିର ଦୃଶ୍ୟପଟ ସହ ପରିଚିତ ରହିବାକୁ ଭଲ ପାଆନ୍ତି । ରାଜୀତିର ସମାଜ ଉପରେ ପ୍ରଭାବ ଓ ବିବିଧ କ୍ଷେତ୍ରରେ ତା’ର ଭଲ ଓ ଖରାପ ଗୁଣାବଳୀ ବିଷୟ ଔପଚାରିକ ତର୍କ ପ୍ରତିଯୋଗିତା ଓ ତା‘ ବାହାରେ ସାଧାରଣ ବନ୍ଧୁଙ୍କ ଗହଣରେ ଆଲୋଚିତ ହୁଏ । ୟୁନିଅନ୍‌ ସୁପ୍ରସିଦ୍ଧ ସାହିତ୍ୟିକ, ସାଂସ୍କୃତିକ ରାଜନୈତିକ ନେତାଙ୍କୁ ବି ନିମନ୍ତ୍ରଣ କରନ୍ତି ବକ୍ତୃତା ପାଇଁ । ମୁଁ ତ କିଛି ବେଶି ଖେଳେନି କିନ୍ତୁ ଟେବଲ୍‌ ଟେନିସ୍‌ ଖେଳେ । ଛାତ୍ରମାନଙ୍କର ସାମାଜିକ ଓ ସାଂସ୍କୃତିକ ଜୀବନର ପ୍ରତିଫଳନ ଏ ୟୁନିଅନ୍‌ ଅଫିସ୍‌ । ଅଫିସ୍‌ ବୋଲି ବିଶେଷ କିଛି ବଡ଼ ‘ଦପ୍ତର’ ନୁହେଁ: କିନ୍ତୁ ଛାତ୍ରମାନେ ନାନାବିଧ ଯୋଜନାରେ ମନ ଦିଅନ୍ତି । ସଂଗୀତ, ନୃତ୍ୟଠାରୁ ଆରମ୍ଭ କରି ନୌକାଚାଳନ (Boat race) ଏବଂ Rock Music ଠୁଁ ଶାସ୍ତ୍ରୀୟ ସଂଗୀତ ଯାଏ । ଏଇଠି କହି ରଖିବା ଉଚିତ ହେବ ଯେ, ଅକ୍ସଫୋର୍ଡ଼-କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୋଟ୍‌ ରେସ୍‌ ଦୁଇ ବିଶ୍ୱବିଦ୍ୟାଳୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ବୋଟ୍‌ ରେସ୍‌ର ଇତିହାସ ଅତି ଦୀର୍ଘ – ଆରମ୍ଭ ହୋଇଥିଲା ୧୮୨୯ ମସିହାରେ । ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଏଥିପାଇଁ ପ୍ରାଣପାତ କରି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୁଅନ୍ତି । ଟେମ୍‌ସ ନଦୀରେ ପ୍ରତିଯୋଗିତାଟି ଅନୁଷ୍ଠିତ ହୁଏ । ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଓ ତା’ର ୟୁନିଅନ୍‌ ସବୁଠୁଁ ସୁଦକ୍ଷ ବୋଟ-ଖେଳାଳିଙ୍କୁ ବାଛନ୍ତି । ଠିକ୍‌ ଆମ ଟି-୨୦ ପରି ନିର୍ବାଚନ ଏବଂ ଅନ୍ତିମ ପର୍ଯ୍ୟାୟକୁ ଆସିବାକୁ ବହୁ ଅଭ୍ୟାସ, ବହୁ ଆପଣା ବିଶ୍ୱିଦ୍ୟାଳୟସ୍ତରୀୟ (ଅର୍ଥାତ୍‌ କଲେଜସ୍ତରୀୟ) ପ୍ରତିଯୋଗିତାରେ ଭାଗ ନେବାକୁ ପଡ଼େ । ମୋ ରହଣି ଭିତରେ ଗୋଟିଏ Boat race ଆସିଥିଲା ଏବଂ କେତେକ ସାଙ୍ଗଙ୍କ ସହ ଆଗରୁ ଯାଇ ମୁଁ YMCA ରେ ନିର୍ଦ୍ଦିଷ୍ଟ ଦିନ ଓ ସମୟରେ ‘‘ଆମ ବିଶ୍ୱବିଦ୍ୟାୟ’’କୁ ଉତ୍ସାହିତ କରିବାକୁ ପହୁଞ୍ଚିଥିଲି । ସେ ବର୍ଷ ଦୁର୍ଭାଗ୍ୟକୁ ‘ଆମେ’ ଅଳ୍ପକେ ହାରିଗଲୁ, ଅକ୍ସଫୋର୍ଡ଼ ଜିତିଲା । ଟେମ୍‌ସ ନଦୀକୂଳରୁ ବଂଧୁ ଗହଣରେ ମନଦୁଃଖରେ ଫେରିଥିଲୁ ।

 

ଓଡ଼ିଶା ଫେରିବା ପରେ ଏଠିକାର ବିଶ୍ୱବିଦ୍ୟାଳୟ ୟୁନିଅନ୍‌ କଥା ଓ କାର୍ଯ୍ୟର ମୁଁ ପ୍ରାୟ ପ୍ରତ୍ୟକ୍ଷଦର୍ଶୀ । ତା’ ଆଗରୁ ଶିକ୍ଷା ବିଭାଗରେ ୪ ବର୍ଷ (୧୯୮୦-୮୪) ଥିଲି । ଧୀରେ ଧୀରେ ତଳ ସ୍ତରର ରାଜନୀତି ଆମ ୟୁନିଅନ୍‌ମାନଙ୍କୁ ଆକ୍ରାନ୍ତ କରୁଛି । ପ୍ରତ୍ୟେକ ରାଜନୈତିକ ଦଳ ଆପଣାର ଚଣ୍ଡାଚାମୁଣ୍ଡାଙ୍କୁ ବାଛୁଛନ୍ତି, ପଇସା ଖର୍ଚ୍ଚ କରୁଛନ୍ତି ଏବଂ ୟୁନିଅନ୍‌ ନିର୍ବାଚନ ସାଧାରଣ ନିର୍ବାଚନସଦୃଶ ଦୃଶ୍ୟମାନ ହେଉଛି । କେମ୍ୱ୍ରିଜ୍‌ ୟୁନିଅନ୍‌ ପ୍ରତିବର୍ଷ ତା’ର ପ୍ରତିନିଧିମାନଙ୍କୁ ବାଛନ୍ତି, ଏତେ ଘୋ ଘା, ହୋ ହଲ୍ଲା, ମାଇକ୍‌ ବା ମାଡ଼ପିଟ ନ ଥାଏ । ପ୍ରଥମତଃ ଛାତ୍ରମାନେ ରାଜନୈତିକବାଦ ସଂପର୍କରେ ଧାରଣା କରନ୍ତି, ବାହାର ରାଜନୀତି ଓ ନିର୍ବାଚନକୁ ତୀକ୍ଷ୍‌ଣ ଦୃଷ୍ଟିରେ ଦେଖନ୍ତି ଏବଂ ଭବିଷ୍ୟତ ପାଇଁ ନିଜ ରାଜନୈତିକ ପନ୍ଥା ବା ବାଦ (Ideology) ବାଛି ନିଅନ୍ତି । ଛାତ୍ରରାଜନୀତି ଉର୍ଦ୍ଧ୍ୱସ୍ୱରର ରାଜନୀତି ହୋଇ ରହେ । ସାଧାରଣ ନିର୍ବାଚନରେ ପକ୍ଷ ନେଉଥିବା ଦୁଇ ଦଳର ନେତା, ମୁଖ୍ୟତଃ ପ୍ରଧାନମନ୍ତ୍ରୀ ବା ଛାୟା-ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରନ୍ତି ସେମାନଙ୍କ ଦଳର ଅର୍ଥନୀତି, ସମାଜନୀତି ଓ ଆନ୍ତର୍ଜାତିକ ନୀତି ସବୁ ବିଷୟରେ କହିବା ପାଇଁ । ଛାତ୍ରମାନେ ବକ୍ତୃତା ଶେଷରେ ବେଶ୍‌ ପ୍ରଶ୍ନ କରନ୍ତି । ଯାହା ମୁ୍ଁ ଶୁଣିଛି ୨/୩ ଥର ଏବଂ ପ୍ରଶଂସା ନ କରି ରହିପାରିନି ସେଇସବୁ Searching Questions ଓ ନେତାଙ୍କ ଉତ୍ତର । ଛାତ୍ର ୟୁନିଅନ୍‌ ଭାବେ ଶିକ୍ଷାକୁ ବିଶେଷତଃ ବିଶ୍ୱବିଦ୍ୟାଳୟ ସ୍ତରରେ ରାଜନୀତିଠୁଁ ଅଲଗା କରାଯାଇପାରିବନି; କାରଣ ସେଇମାନଙ୍କ ଭିତରୁ କାଲିର ମୁଖ୍ୟମନ୍ତ୍ରୀ ବା ଆଉ ବିଭିନ୍ନ ମନ୍ତ୍ରୀ, ବିପକ୍ଷ ଦଳ ନେତା ଇତ୍ୟାଦି ବାହାରିବେ, ରାଜନୀତିର ପୁରୁଖା ନେତାମାନେ ୟୁନିଅନ୍‌ରେ ବକ୍ତୃତା ଦେଲାବେଳେ ଖୁବ୍‌ ଭାବିଚିନ୍ତି ସୁନ୍ଦର ବକ୍ତୃତା ଦିଅନ୍ତି । ବ୍ରିଟିଶ ସମାଜ, ସଭ୍ୟତା, ସଂସ୍କୃତିର ଖସଡ଼ାଟିଏ ପ୍ରସ୍ତୁତ କରନ୍ତି । ବେଳେବେଳେ ସପକ୍ଷ ଓ ବିପକ୍ଷ (ଅର୍ଥାତ୍‌ ଉଭୟ ଦଳର) ନେତାଙ୍କୁ ପ୍ରତିଯୋଗିତାମୂଳକ ବିତର୍କକୁ ନିମନ୍ତ୍ରଣ କରନ୍ତି । ବିଶ୍ୱବିଦ୍ୟାଳୟ ଉଚ୍ଚତର ରାଜନୀତିର ଏନ୍ତୁଡ଼ିଶାଳ ବୋଲି ସେମାନେ ମନେକରନ୍ତି । ଏଠାରେ ଅବଶ୍ୟ ଯୋଡ଼ିଏ କଥା ମନେରଖିବାକୁ ପଡ଼ିବ । ବ୍ରିଟିଶ୍‌ ଶିକ୍ଷାନୁଷ୍ଠାନମାନଙ୍କ ଭିତରେ କେମ୍ୱ୍ରିଜ୍‌-ଅକ୍ସଫୋର୍ଡ଼ର ସ୍ଥାନ ସବୁଠୁଁ ଉଚ୍ଚରେ । ପ୍ରତ୍ୟେକ ପରିବାରର ବାପା ମାଆ ଏବଂ ଛାତ୍ରଟିର ଚିତ୍ତବୃତ୍ତି, ଶିକ୍ଷାର ମାନ ଓ ଚିନ୍ତନ ଶକ୍ତି ବେଶ୍‌ ଉଚ୍ଚକୋଟୀର । ସମାନ ଭାବରେ ଆମେରିକାରେ ହାଭାର୍ଡ଼, ୟେଲ୍‌, ପ୍ରିନ୍ସଟନ୍‌ ଓ କଲମ୍ୱିଆ ଏଇ ୪ଟି ବିଶ୍ୱବିଦ୍ୟାଳୟ କୁହାଯାଇପାରେ ।

 

ଦ୍ୱିତୀୟତଃ ଛାତ୍ର ୟୁନିଅନ୍‌ ପ୍ରେସିଡେଣ୍ଟଙ୍କୁ ସମାଜ ଓ ରାଜନୀତିରେ ଉଚ୍ଚ ସ୍ଥାନ ଦିଆଯାଏ ଏବଂ ମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ହେବା ପାଇଁ ଏକଦା ପ୍ରାର୍ଥୀ ଯେ କେମ୍ୱ୍ରିଜ୍‌ ଅକ୍ସଫୋର୍ଡ଼ ଅନ୍ତେବାସୀ ଥିଲେ ସେ କଥା ବିଚାରକୁ ନିଆଯାଏ । ଅର୍ଥାତ୍‌ ସମାଜ ୟୁନିଅନ୍‌ ଓ ଛାତ୍ରମାନଙ୍କୁ ସମ୍ମାନ କରେ ଏବଂ ଛାତ୍ରମାନେ ମଧ୍ୟ ସମାଜ, ରାଜନୀତି, ସଂସ୍କୃତି ସହିତ ଗଭୀର ଭାବରେ ଜଡ଼ିତ ରହନ୍ତି ।

 

ତୃତୀୟତଃ କେମ୍ୱ୍ରଜ୍‌ ୟୁନିଅନ୍‌ ଅଫିସ୍‌ ଛୋଟ ହେଲେ ବି ତା’ର କର୍ମ ପରିସର ବେଶ୍‌ ପରିବ୍ୟାପ୍ତ । ୟୁନିଭର୍‌ସିଟି ଜର୍ଣ୍ଣାଲ ବାହାରେ, ଅନ୍ୟ ୟୁନିଭର୍‌ସିଟି ସହ ସଂପର୍କ ରକ୍ଷା କରାଯାଏ ଏବଂ ସବୁ ପ୍ରକାର ଖେଳ (କ୍ରିକେଟ୍‌ଠୁଁ ବୋଟ୍‌ରେସ୍‌ ଟେନିସ୍‌ଠୁଁ ଟେବଲଟେନିସ୍‌, ଗୋଲ୍ଡ ଯାଏ) ଏବଂ ଶିକ୍ଷା ସଂପର୍କିତ ପ୍ରତିଯୋଗିତା (ବକ୍ତୃତା, ପ୍ରବଂଧ, କବିତା ଇତ୍ୟାଦି ଇତ୍ୟାଦି) କରାଯାଏ । ସଂକ୍ଷେପରେ କହିଲେ ୟୁନିଅନ୍‌, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଶିକ୍ଷଣୀୟ ସ୍ଥାନ, ବିଶ୍ୱବିଦ୍ୟାଳୟ ଆଡ଼୍‌ମିନିଷ୍ଟ୍ରେସନ୍‌ରେ ମଧ୍ୟ ଭାଗୀଦାର କରେ । ବିଶ୍ୱବିଦ୍ୟାଳୟର ସବୁଠୁଁ ଉଜ୍ଜ୍ୱଳ ଓ ତୀକ୍ଷ୍‌ଣ ଧୀ-ବିଶିଷ୍ଟ ଛାତ୍ରଙ୍କୁ ମୁଁ ଭେଟିବାର ସୁଯୋଗ ପାଇଛି । ୟୁନିଅନ୍‌ ଅଫିସ୍‌ରେ ସେମାନଙ୍କୁ ଭାଗ ନେବା, କାମ୍‌ ନଈରେ ବୋଟ୍‌ଟିଏ ଧରି ଚଳେଇବା, ଖେଳରେ ଭାଗ ନେବା, ବକ୍ତୃତାରେ ଭାଗ ନେବା ଇତ୍ୟାଦି ଦେଖି ମଝିରେ ମଝିରେ ଲାଗିଛି ଏ ପିଲା, ଏତେ bright ଅଥଚ ପାଠବହି କେତେବେଳେ ପଢ଼ୁଛି । କୋଉଠୁ ବେଳ ପାଉଛି ? ତା’ ପାଇଁ କ’ଣ ଦିନଟା ୨୪ ଘଣ୍ଟାରୁ ଅଧିକ ? ତା’ର ସର୍ବମୁଖ୍ୟ କାରଣ ପାଠପଢ଼ାର ପଦ୍ଧତି । ୪୫ ମିନିଟ୍ କ୍ଲାସ୍‌ରେ ଅଧ୍ୟାପକ ୨୦ ମିନିଟ୍‌ ବା ୨୫ ମିନିଟ୍‌ ସଂପୃକ୍ତ ବିଷୟରେ କୁହନ୍ତି; ଅତିରିକ୍ତ କ’ଣ କ’ଣ ବହି ମାଗାଜିନ୍‌ (ସେଇ ବିଷୟରେ) ପଢ଼ିବେ ସୂଚନା ଦିଅନ୍ତି ଏବଂ ପିଲାଙ୍କୁ ପ୍ରଶ୍ନ ପଚାରିବା ପାଇଁ ସୁଯୋଗ ଦିଅନ୍ତି । ଶିକ୍ଷା ପଦ୍ଧତି ଅତି ଉଚ୍ଚକୋଟୀର ଏବଂ ଲାଇବ୍ରେରୀରେ ପଢ଼ିବା ଏବଂ ଟ୍ୟୁଯୋରିଆଲ୍‌ ସିଷ୍ଟମ୍‌ ଅତି ଉତ୍ତମ । ସେ ବିଷୟରେ ଅଧିକ କହିବାର ଅଛି ।

 

କେମ୍ୱ୍ରିଜ୍‌ ୟୁନିଅନ୍‌ ଉପରେ ପ୍ରାଣକୃଷ୍ଣ ପରିଜା ସାହାବଙ୍କଠୁଁ ବି’ କିଛି ଶୁଣିଥିଲି । କେମ୍ୱ୍ରିଜ୍‌ ଯିବା ଆଗରୁ ତାଙ୍କୁ ତାଙ୍କ ଘରେ ଭେଟିଥିବା କଥା ପ୍ରଥମରୁ କହିଛି । ସେ ମଧ୍ୟ ମତେ ଉପଦେଶ ଦେବା ଛଳରେ ବିଶ୍ୱବିଦ୍ୟାଳୟ ୟୁନିଅନ୍‌ ଯୋଗାଇ ଦେଉଥିବା ସୁଯୋଗ ଆଦୌ ହାତଛଡ଼ା ନ କରିବାକୁ କହିଥିଲେ । ତା’ ସହିତ କହିଥିଲେ ଶହ ଶହ ବର୍ଷର ଏଇ ଐତିହ୍ୟମଣ୍ଡିତ ବିଶ୍ୱବିଦ୍ୟାଳୟର ୟୁନିଅନ୍‌ ମଧ୍ୟ ସମାନ୍ତରାଳ ଭାବେ ଋଦ୍ଧିମନ୍ତ । ତା’ର ପୂର୍ବତନ ପ୍ରେସିଡେଣ୍ଟମାନେ ବ୍ରିଟିଶ ସମାଜର ସବୁ କ୍ଷେତ୍ରରେ (ରାଜନୀତି, ଶିକ୍ଷା, ସଂସ୍କୃତି ଇତ୍ୟାଦି) ସ୍ଥାନ ଅଧିକାର କରିଛନ୍ତି । ଛାତ୍ରମାନଙ୍କ ବାପମାଆମାନେ ମଧ୍ୟ ସ୍ୱପ୍ନ ଦେଖନ୍ତି ତାଙ୍କ ପିଲା ୟୁନିଅନ୍‌ର ସଭାପତି ହେଉ ବା ଉଚ୍ଚ ସ୍ଥାନ ଲାଭ କରୁ । ପ୍ରାଣକୃଷ୍ଣ ପରିଜାଙ୍କ କହିବା ଅନୁଯାୟୀ ୟୁନିଅନ୍‌ ଅଫିସ୍‌ରେ ବେଳ କାଟିଲେ, ପ୍ୟାଣ୍ଟିନ୍‌ରେ ବସି ଖାଇଲେ, ଗପ କଲେ, ବ୍ରିଟିଶ ସମାଜ, ବ୍ରିଟିଶ ଶିକ୍ଷା ସାହିତ୍ୟ ଓ ରାଜନୀତି କଥା ଅନେକ ମନକୁ ଜାଣିଯିବ । ମୁଁ ମୋର ଅନୁଭବରୁ ସେଇଆ ହିଁ ଲକ୍ଷ୍ୟ କଲି । ପଢ଼ା ବହି ଛାଡ଼ି ୟୁନିଅନ୍‌ରେ ବେଳ କାଟିବାକୁ ଆଉ ଗୌଣ ମନେ କଲିନି । ଅର୍ଥାତ୍‌ ‘ପୁସ୍ତକ-କୀଟ’ ବୋଲି ହାଇସ୍କୁଲରେ ବାପାଙ୍କଠୁଁ ଯାହା ଗାଳି ଶୁଣିଥିଲି ସେ ‘ଉପାଧି’ ଇଚ୍ଛାକୃତ ଭାବେ ପରିତ୍ୟାଗ କରିଥିଲି ।

 

ଆଶ୍ଚର୍ଯ୍ୟ ହେଲିନି ଯେତେବେଳେ ଜାଣିବାକୁ ପାଇଲି (Cambridge Alumni Magzine ବା CAM ରୁ) ଯେ ୮୦୦ ବର୍ଷ ଉପଲକ୍ଷେ ବହିଟିଏ Arena of Ambition – A History of the Cambridge Union ବାହାରିଲା । ଲେଖକ ସୁପ୍ରସିଦ୍ଧ ଐତିହାସିକ ଷ୍ଟିପେନ୍‌ ପାକିନସନ୍‌ ଏବଂ ମୁଖବଂଧ ଲେଖିଛନ୍ତି His Royal Highness Prince of Wales ପ୍ରାଣକୃଷ୍ଣ ପରିଜାଙ୍କଠୁଁ ଶୁଣିଥିଲି ଏବଂ ସେଠି ପ୍ରସ୍ତୁତ ତାଲିକାରୁ ଦେଖିଲି ଯେ ୟୁନିଅନ୍‌ ପ୍ରେସିଡେଣ୍ଟମାନେ ଭବିଷ୍ୟତରେ ବ୍ରିଟିଶ ରାଜନୀତିରେ ଉଚ୍ଚ ସ୍ଥାନ ଅଧିକାର କରିଛନ୍ତି ଓ ଅନେକ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଛଡ଼ା ବଡ଼ ବଡ଼ କର୍ପୋରେସନ୍‌ର ମୁଖ୍ୟ ହୋଇଛନ୍ତି ।

 

ଆଠଶହ ବର୍ଷ ପୂର୍ତ୍ତି : ପଶ୍ଚାତ୍‌ଦୃଷ୍ଟି ଓ

ସେଥିପାଇଁ ବିବିଧ ଯୋଜନା; ସ୍ମୃତିର

ପୁନର୍ଜୀବନ

କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଯେ ବିଶ୍ୱବିଶ୍ରୁତ ବହୁ ଚିନ୍ତାନାୟକ, ବୈଜ୍ଞାନିକ, ଦାର୍ଶନିକ, କବି ଅଧ୍ୟୟନ କରିଥିଲେ ସେ କଥା ଇତିହାସର ବସ୍ତୁ । ୧୨୦୯ ଖ୍ରୀଷ୍ଟାବ୍‌ଦରେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଟି ୨୦୦୯ରେ ତା’ର ଜୀବନକାଳର ୮୦୦ ବର୍ଷ ଅତିବାହିତ କଲା । କେମ୍ୱ୍ରିଜ୍‌ରେ ମୁଁ ସିଡ଼୍‌ନି ସସେକ୍‌ସ କଲେଜରେ ବର୍ଷଟିଏ ମାତ୍ର କାଟିଥିଲି (୧୯୬୮-୬୯) ଅତଚ ୨୦୦୯ ପର୍ଯ୍ୟନ୍ତ ୪୦ବର୍ଷ ଯାଏ ପ୍ରତିବର୍ଷ ସିଡ଼୍‌ନି ସସେକ୍‌ସର ବାର୍ଷିକ ପ୍ରକାଶିତ ପୁସ୍ତିକାଟି (Annual Report) ପାଇ ଆସୁଥିଲି ଏବଂ ଏବେବି ପାଉଛି । ସେଠୁଁ ଫେରିବା ପରେ ପରେ ୧୯୬୯ରେ ଗାଆଁ ଠିକଣାରୁ redirect ହୋଇ ଓ ପରେ ସେମାନଙ୍କୁ ମୋ ପରିବର୍ତ୍ତିତ ଠିକଣା ବରାବର ପଠାଇବାରୁ ବାର୍ଷିକ ପୁସ୍ତିକା ପାଇବାର ସୌଭାଗ୍ୟ ହୋଇଥିଲା । ସେ ପୁସ୍ତିକାରେ ପ୍ରତି ନୂଆବର୍ଷ ପାଇଁ ଅଧିକ ଯୋଜନା, ପାଠ୍ୟକ୍ରମ ଓ ପ୍ରସିଦ୍ଧି ଲାଭ କରିଥିବା ଅନ୍ତେବାସୀଙ୍କ ସଂପର୍କରେ ପ୍ରତ୍ୟେକ କଥା ଲିପିବଦ୍ଧ ହୋଇଥାଏ । ୮୦୦ ବର୍ଷ ପାଳନ ପାଇଁ ଅସଂଖ୍ୟ ଉଲ୍ଲେଖନୀୟ କାର୍ଯ୍ୟ ବିଶ୍ୱବିଦଞାଳୟ ହାତକୁ ନେଇଥିଲା । ସେଥିରେ ପ୍ରତ୍ୟେକ ଜଲେଜ ବିଷୟରେ ଛୋଟ ହେଉ ବା ବଡ଼ ହେୁ ପୁସ୍ତକ ଲିଖିତ ଓ ପ୍ରକାଶିତ ହୋଇଥିଲା । ମୋ କଲେଜର ଅତି ସୁନ୍ଦର ବହି ଖଣ୍ଡିଏ ପ୍ରକାଶିତ ହୋଇଥିଲା । ନାଆଁ Sidney Sussex College, 2011 Annual । ପ୍ରଚ୍ଛଦରେ ଅଛି କଲେଜ ଚର୍ଚ୍ଚ ଓ ତା’ର ଟାୱାର ଏବଂ ପାଚେରି ଉପରେ ସୁନ୍ଦର Pink ରଙ୍ଗର ଲଟାର ଫୁଲ । ମନୋମୁଗ୍‌ଧକର ଦୃଶ୍ୟଟି ମୋର ସ୍ମୃତିପଟଳରେ ପୁଣି ଉଭାସିତ ହୋଇଉଠିଲା ।

 

ଏଠାରେ ଉଲ୍ଲେଖନୀୟ ଯେ, ଏଇ ପ୍ରାଚୀନ ବିଶ୍ୱବିଦ୍ୟାଳୟ ପ୍ରତ୍ୟେକ ଅନ୍ତେବାସୀଙ୍କ ସହ ସଂପର୍କ ରଖିବାରେ ଅଦ୍‌ଭୁତ ଭାବେ ଉଦ୍‌ଯୋଗୀ । ୮୦୦ ବର୍ଷ ପାଳନ ଉପଲକ୍ଷେ ଗୋଟିଏ ଅତି ସୁନ୍ଦର ଏବଂ ବିଶଦ ତାଲିକା ଅନ୍ତର୍ଭୁକ୍ତ ହୋଇ Alumni World Wide Directory (2009-2010) ପ୍ରକାଶିତ ହୋଇଛି ଏବଂ ମୁଁ ସେଥିରୁ ଖଣ୍ଡିଏ ପାଇଛି । ବିଶ୍ୱବିଦ୍ୟାଳୟ ନିଜର ଏଇ ୮୦୦ ବର୍ଷ ପାଳନ ଉପଲକ୍ଷେ ୯୬ଟି ଦେଶରେ ଥିବା ଏକଲକ୍ଷ ଅଶୀ ହଜାର ଅନ୍ତେବାସୀଙ୍କୁ Network ଜରିଆରେ ଏକାଠି ଆଣିପାରିଥିଲେ । ବିଶ୍ୱବିଦ୍ୟାଳୟର ଭାଇସ୍‌ ଚାନ୍ସେଲର ଏଥିପାଇଁ CARO (ଅର୍ଥାତ୍‌ Cambridge Alumni Relations Office) ଟି ଉଦ୍‌ଘାଟନ କରିଥିଲେ । ଅନ୍ତେବାସୀମାନେ ମଧ୍ୟ ଆପଣା ଆପଣା College ର Alumni Groups ଗଢ଼ିଥାଆନ୍ତି । ୧୬ଟି କଲେଜ (ମୋ କଲେଜ ସମେତ) ଏମିତି ଅନୁଷ୍ଠାନ ଗଢ଼ି ସାରିଛନ୍ତି । ସେଗୁଡ଼ିକ ହେଲା ଟ୍ରିନିଟି ହଲ୍, ସିଡ଼ନି ସସେକ୍‌ସ, କ୍ରାଇଷ୍ଟର, କ୍ଲେୟାର ହଲ, ଡାଉନିଂ, ଫିଜ୍‌ ଉଇଲିୟମ୍‌, ଗିର୍‌ଟନ୍‌, ଗୋନ୍‌ଭିଲ୍‌ ଓ କେଏସ୍‌, ଯୀଶସ୍‌, ମଡ଼ଲିନ୍‌, ମରେ ଏଡ଼୍‌ୱାର୍ଡ଼, ନିଉନ୍‌ହାମ୍‌, ସେଲ୍‌ଉଇନ୍‌, ସେଣ୍ଟ କାରେଟିନ୍‌ ଓ ଉଲ୍‌ଫସନ । ଏ ଭିତରେ ଅନ୍ୟାନ୍ୟ ସବୁ କଲେଜ ମଧ୍ୟ ନିଜ ଆଲୁମ୍‌ନି ଗ୍ରୁପ୍‌ ଗଢ଼ି ସାରିଛନ୍ତି । ଉପରିଲିଖିତ ବହିଟି (Alumni Worldwide Directory) ୩୪ ପୃଷ୍ଠାବିଶିଷ୍ଟ ଏବଂ ସବୁ ଦେଶରେ କେମ୍ୱ୍ରିଜ୍‌ ସୋସାଇଟିର ବିବରଣୀ ସେଥିରେ ଲିପିବଦ୍ଧ । ସର୍ବଶେଷରେ ଯେଉଁ କେଇଟି ଦେଶରେ ଅନ୍ତେବାସୀ ଗ୍ରୁପ୍‌ ଗଠିତ ହୋଇପାରିନି ଏବଂ ସମୟକ୍ରମେ ହେଉଛି ବୋଲି ଉଲ୍ଲିଖିତ ଥିଲା ସେମାନଙ୍କ ମଧ୍ୟରେ ବାଂଲାଦେଶ, ଆଲ୍‌ଜେରିଆ, ଆଫ୍‌ଗାନିସ୍ଥାନ ଫିଜି ଓ ମରିସସ୍‌ ମୁଖ୍ୟ ।

ଏକଥା ଲେଖିବାର ଉଦ୍ଦେଶ୍ୟ ଯେ, ଆମେ ଜାଣୁ ବ୍ରିଟିଶ ସମାଜ ଐତିହ୍ୟବାଦୀ ଓ ଯେତିକି ପୁରୁଣା ଅନୁଷ୍ଠାନ, ସଂପର୍କ, ଘଟଣା ଓ ବସ୍ତୁମାନଙ୍କୁ ଯତ୍ନ ସହକାରେ ସାଇତି ରଖେ । ସେ ସଂପର୍କ ରଖିବାର ଅଦ୍‌ଭୁତ ସୌନ୍ଦର୍ଯ୍ୟ ଓ କୌଶଳ ମତେ ମୁଗ୍‌ଧ ଓ ଚକିତ କରିଆସିଛି । ୧୯୬୮ରୁ ୪୦ ବର୍ଷ କାଳ ମୋ ସହ କଲେଜ ଓ ବିଶ୍ୱବିଦ୍ୟାଳୟ ସଂପର୍କ ରଖିବା ବଡ଼ ବିସ୍ମୟକର । ଉଦାହରଣସ୍ୱରୂପ କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟ ଭାଇସ୍‌-ଚାନ୍‌ସେଲରଙ୍କ ଭାରତବର୍ଷ ଗସ୍ତ ପ୍ରୋଗ୍ରାମ୍‌ ଭାରତବର୍ଷର ସବୁ ଅନ୍ତେବାସୀଙ୍କୁ (ମୋ ସମେତ) ବରାବର ମିଳେ । ସର୍ବଶେଷ ଭାଇସ୍‌ ଚାନ୍‌ସେଲର ଶ୍ରୀମତୀ ଆଲିସନ୍‌ ରିଚାର୍ଡ଼ସ୍‌ଙ୍କ ବ୍ୟକ୍ତିଗତ ଚିଠି (Dear Cambridge Alumni Mohapatra)ରେ ସୂଚନା ଦେଇଥିଲେ ସେ କୋଉ କୋଉ ତାରିଖରେ ଦିଲ୍ଲୀ, କଲିକତା, ବମ୍ୱେ ଓ ବାଙ୍ଗାଲୋର ଆସୁଛନ୍ତି ଏବଂ ସଂଭବ ହେଲେ ସେଇଠି ସ୍ଥାନୀୟଭାବେ ଆଲ୍ଲମ୍‌ନି ଗ୍ରୁପ୍‌ ସହ ସେ ମିଶିବାକୁ ଚାହିଁବେ । କଲିକତା ଗ୍ରୁପ୍‌ ସଂଗଠନ କରୁଥିଲେ ପ୍ରଫେସର୍‌ ଡକ୍ଟର ଅମୀୟ ବାଗ୍‌ଚି, ଜଣାଶୁଣା ଅର୍ଥନୀତିଜ୍ଞ ଓ ମୋର ବଂଧୁ । ତାରିଖଟି ମୋତେ ବି ସୁହାଇଲା । ବଡ଼ ଆନନ୍ଦକର ସେ ଅନୁଭୂତି । ଆଲିସନ୍‌ ଚିଚାର୍ଡ଼ ଲେଖିଥିଲେ ଯେ ପ୍ରାୟ ଏଇଟି ଶେଷଥର ତାଙ୍କ ଭାରତ ଭ୍ରମଣ । ଖୁବ୍‌ ଅଳ୍ପ ସମୟ ପରେ ତାଙ୍କ ‘‘ଟର୍ମ’’ ସାରି ସେ ଅନ୍ୟତ୍ର ଚାଲିଯିବେ । ଲେଖିଥିଲେ ଭାରତକୁ ଓ ଭାରତୀୟ କେମ୍ୱ୍ରିଜ୍‌ ଅନ୍ତେବାସୀଙ୍କୁ ସେ ଏତେ ସ୍ନେହ କରନ୍ତି ଯେ, ସପ୍ତାହଟିଏ ଭାରତରେ କଟାଇବାର ଯୋଜନା କରିଛନ୍ତି । ସୁନ୍ଦର ବ୍ୟକ୍ତିଗତ ଚିଠି । ସବୁ ଅନ୍ତେବାସୀ ଓ ସବୁ ସ୍ଥାନୀୟ ସଂଗଠନକୁ ।

 

ପ୍ରୋଗ୍ରାମ୍‌ ଥିଲା ଏମିତି :

କଲିକତା ୯ ଜାନୁୟାରୀ ୨୦୦୯

ଦିଲ୍ଲୀ ୧୧ ଜାନୁୟାରୀ ୨୦୦୯

ବାଙ୍ଗାଲୋର ୧୩ ଜନୁୟାରୀ ୨୦୦୯

ଓ ବମ୍ୱେ ୧୭ ଜାନୁୟାରୀ ୨୦୦୯

 

କଲିକତା ବାଟେ ଆସି ସେ ବମ୍ୱେ ବାଟେ ଫେରୁଥାଆନ୍ତି । ଆଲିସନ୍‌ ରିଚାର୍ଡ଼ଙ୍କୁ କେବଳ ଭାଇସ୍‌ ଚାନ୍‌ସେଲର ଭାବେ ନୁହଁ, ତାଠୁଁ ବେଶି ଜ୍ଞାନୀ, ସୁଲେଖକ ଓ ଅମାୟିକ ବ୍ୟକ୍ତିତ୍ୱ ଭାବେ ମୁଁ ବିଚାର କରିଥାଏ (ତାଙ୍କ Biodataରୁ ସବୁ କଥା ଜାଣି) ଏବଂ କଲିକତାରେ ଭେଟିବା ସ୍ଥିର କରିଥାଏ । ୨୦୧୦ରେ ତାଙ୍କ କାର୍ଯ୍ୟ ସରିବା ଅନ୍ତେ ନୂଆ ଭାଇସ୍‌-ଚାନ୍ସେଲର ଲାସ୍‌ଜେକ ବୋରିସିୱିଚ୍‌ ଦାୟିତ୍ୱ ନେଇଥିଲେ ।

 

କେମ୍ୱ୍ରିଜ୍‌ ଆଲୁମ୍‌ନି ଗ୍ରୁନ୍‌ ଏଇ ଚାରି ସ୍ଥାନରେ ବେଶ୍‌ ସଂଗଠିତ ଓ ସ୍ଥାନୀୟ ଡାଇରେକ୍ଟରି ମଧ୍ୟ ଅଛି । ଦିଲ୍ଲୀର ସୋସାଇଟିର ନାଁ Oxford – Cambridge Society । ଏ ସୋସାଇଟି ବର୍ଷ ଭିତରେ ବହୁ ପ୍ରୋଗ୍ରାମ୍‌, ବିଶିଷ୍ଠ ଲୋକଙ୍କ ବକ୍ତୃତା, ବ୍ରିଟିଶ ହାଇକମିଶନରଙ୍କ ଘରେ ଲଂଚ୍‌ ଡିନର ଇତ୍ୟାଦି ଆୟୋଜନ କରନ୍ତି । ମୁଁ ଦିଲ୍ଲୀ ଛାଡ଼ିବା ଦିନଠୁଁ ମାଧ୍ୟତଃ (୧୯୯୬) ଟିକିଏ ଦୂରେଇ ଯାଇଛି । କେମ୍ୱ୍ରିଜ୍‌ରେ ଅଧ୍ୟୟନ କରିଥିବା ବହୁ ବିଶିଷ୍ଟ ବ୍ରକ୍ତିଙ୍କୁ ନେଇ ପ୍ରତି ବର୍ଷ ପ୍ରତିନିଧି ଓ ସୋସାଇଟି ଗଢ଼ାଯାଏ । ସୋସାଇଟିର Patron ବା ପୃଷ୍ଠପୋଷକ ଏବେ ୨ ଜଣ – ଏମ୍.ଏସ୍. ସ୍ୱାମୀନାଥନ ଏବଂ ଅମର୍ତ୍ତ୍ୟ ସେନ । ପ୍ରେସିଡେଣ୍ଟ, ଭାଇସ୍‌ ପ୍ରେସିଡେଣ୍ଟ, ଏକ୍‌ଜିକ୍ୟୁଟିଭ ବୋର୍ଡ଼ରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯିଏ କେମ୍ୱ୍ରିଜ୍‌ (ବା ଅକ୍ସଫୋର୍ଡ଼)ରେ କିଛି କାଳ ବିତେଇଛନ୍ତି ।

 

ସେଇ ସବୁ ହସ୍ତାକ୍ଷର – ଇତିହାସର : ୮୦୦ ବର୍ଷ ପାଳନ ଉପଲକ୍ଷେ ଯେଉଁ ବିଶିଷ୍ଟ କାର୍ଯ୍ୟମାନ ହାତକୁ ନିଆଯାଉଥାଏ (ବିଶ୍ୱବିଦ୍ୟାଳୟର ବା ନିର୍ଦ୍ଦିଷ୍ଟ ଭାବେ ମୋ କଲେଜର) ତା’ର ସୂଚୀ ଯଥେଷ୍ଟ ଆଗରୁ ମିଳିଯାଉଥାଏ । ସବିଶେଷ ବିବରଣୀ ଓ ୮୦୦ ବର୍ଷର ପଶ୍ଚାତ୍‌ଦୃଷ୍ଟି ଏଇ ଐତିହ୍ୟ-ସଚେତନ ଶିକ୍ଷାନୁଷ୍ଠାନ ତା’ର Cambridge Alumni Magazine (CAM) ରେ ପ୍ରକାଶ କରି ଲାଗିଥାଏ । ମୋ କଲେଜ ସିଡ଼୍‌ନି ସସେକ୍‌ସ ମଧ୍ୟ ନିଜ Newsletter Pheonରେ ସବୁ କଥା ଲିପିବଦ୍ଧ କରନ୍ତି ଓ ସେଇଟି ମଧ୍ୟ ମୁଁ ପାଏ । ବିଶ୍ୱବିଦ୍ୟାଳୟ ଯୋଜନା ଭିତରୁ ଗୋଟିଏ ବିଷୟ ମୋତେ ଖୁବ୍‌ ଆନନ୍ଦ ଦେଇଥିଲା । ଆଗରୁ କହିଛି ଏବଂ ସଭିଙ୍କୁ ଜଣାଶୁଣା ଯେ, କେମ୍ୱ୍ରିଜ୍‌ରେ ବହୁ ଇତିହାସ-ପ୍ରସିଦ୍ଧ ଲେଖକ, କବି, ବୈଜ୍ଞାନିକ ଏକଦା ଅଧ୍ୟୟନ କରିଥିଲେ । CAMର ଗୋଟିଏ ନମ୍ୱର (ନଂ୫୭, Easter, 2009)ରେ Letters to the Future ବୋଲି ଗୋଟିଏ ପ୍ରବଦ୍ଧ ପ୍ରକାଶିତ ହୋଇଥାଏ । ବାଇରନ୍‌, ଡାରଉଇନ୍‌, ଚର୍ଚ୍ଚିଲ୍‌, ଫ୍ରାନ୍ସିସ୍‌ ବେକନ, ସିଲ୍‌ଭିଆ ପ୍ଲାଥ ଓ ଆଉ ଅନେକ ବିବିଧ ବିଷୟରେ ଓ ଆପଣା ଆପଣା ସଂପର୍କଙ୍କୁ ଚିଠି ଦେଇଥିଲେ । ପ୍ରଥମ ୪ଜଣଙ୍କ ମୂଳ ଚିଠି ଫଟୋକପି ସହିତ ଦିଆଯାଇଥାଏ । ସେଗୁଡ଼ିକୁ ପ୍ରଥମେ ବିଶ୍ୱବିଦ୍ୟାଳୟ ‘ଆର୍କାଇଭ୍‌’ରେ ଦେଖିଥିଲି ଏବଂ ଏବେ ପ୍ରକାଶିତ ହୋଇଥାଏ ।

 

କବି ବାଇରନ୍‌ (ଟ୍ରିନିଟି କଲେଜ ଛାତ୍ର ଥିଲେ – ଯେଉଁଠି ଅମର୍ତ୍ତ୍ୟ ସେନ୍‌ ପରେ ପ୍ରସିଡେଣ୍ଟ ଥିଲେ) ଲେଖିଥିଲେ, “I have got a new friend, the finest in the world, a tame bear. When I brought him here, they asked me what I meant to do with him and my raply was ‘He should sit for a fellowship” ଅର୍ଥାତ୍, ‘‘ମୋତେ ଗୋଟିଏ ନୂଆ ବଂଦୁ ମିଳିଛି ଯିଏ ବିଶ୍ୱରେ ଅତି ଲୋଭନୀୟ – ସେଇଟି ହେଉଛି ପୋଷା ଭାଲୁଟିଏ । ତାକୁ ମୁଁ କଲେଜ ଆଣିବା ପରେ ବଂଧୁମାନେ ପ୍ରଶ୍ନ କଲେ । ‘‘ ଏଇଟିକୁ କ’ଣ କରିବ’’ ମୋ ଉତ୍ତର ଥିଲା ‘‘ ସେ ଗୋଟେ ଫେଲୋସିପ୍‌ ପାଇଁ ପରୀକ୍ଷା ଦେବ ।’’

 

ସବୁଠୁଁ ବିଷାଦଗ୍ରସ୍ତ ଓ ପ୍ରାଣଛୁଆଁ ଚିଠିଟି ଉଇନ୍‌ଷ୍ଟନ୍‌ ଚର୍ଚ୍ଚିଲଙ୍କର ତାଙ୍କ ସ୍ତ୍ରୀଙ୍କୁ । ତାଙ୍କ ନାମରେ ନାମିତ ଚର୍ଚ୍ଚିଲ କଲେଜ ଅଭିଲେଖାଗାରରୁ ଏଇ ଚିଠିଟି ସଂଗୃହୀତ । ଚିଠିଟି ଥିଲା Western Frontର ଯୁଦ୍ଧକ୍ଷେତ୍ରକୁ ଯିବା ବେଳର ଓ କଥା ଥିଲା କେବଳ ଯଦି ତାଙ୍କ ମୃତ୍ୟୁ ଘଟେ ଯୁଦ୍ଧରେ ଏଇଯି ଖୋଲା ହେବ । ପରେ ତାଙ୍କ ଅନୁମତି ସହ ଚିଠିଟି ଖୋଲା ହୋଇଛି । ସ୍ତ୍ରୀଙ୍କୁ ଚିଠିଟିର କଥାବସ୍ତୁ ହେଲା “Do not grievbe for me too much. I am a spirit confident of my right. Death is only an incident and not the most important which ha[[ens to us in this state of being. On the whole; es[ecially since I met you my darling I have been happy and you have taught me how noble a women’s heart ca be. If there is any where else, I shall be on the look out for you. Meanwhile look forward, feel free, rejoice in life, cherish the children, guard my memory. God bless you. Good bye. W”

 

ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲଙ୍କ ସଂପର୍କରେ ଆମାନଙ୍କର ଯେଉଁ ଧାରଣା, ଯେ ଖୁବ୍‌ ଟାଣୁଆ, ଖୁବ୍‌ ଦୁର୍ଦ୍ଧର୍ଷ ଲୋକ ତା’ର ଆୁ ଗୋଟିଏ ଦୃଶ୍ୟପଟ ଚିଠିଟି ଖୋଲିଦିଏ ।

 

ଅନିବାଦ କଲେ ଏମିତି ହେବ, ‘‘ମୋ ପାଇଁ ବେଶି ଦୁଃଖ କରିବ ନାଇଁ । ମୁଁ ଗୋଟେ ପ୍ରାଣୀ ଯିଏ ନିଜର ଅଧିକାଂଶ ସଂପର୍କରେ ଦୃଢ଼ପ୍ରତିଜ୍ଞ । ମୃତ୍ୟୁ କେବଳ ଗୋଟିଏ ଘଟଣା ଏବଂ ଆମ ଜୀବନରେ ଘଟୁଥିବା ସବୁ ଘଟଣାଠୁଁ ମଧ୍ୟ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ । ମୋଟାମୋଟି ଭାବେ କହିଲେ, ପ୍ରିୟ ମୋର, ତମକୁ ଭେଟିବା ଦିନୁ ମୁଁ ଖୁବ୍‌ ଖୁସି ରହିଛି ଓ ତୁମେ ମୋତେ ଶିକ୍ଷା ଦେଇଛ ନାରୀ ହୃଦୟ କେତେ ଉଦାର ହୋଇପାରେ । ଯଦି ଅନ୍ୟତ୍ର, କୋଉଠିକୁ ଅନେଇବାକୁ ଚାହେଁ ତୁମକୁ ହିଁ ଖୋଜିବି । ତୁମେ ଆଗକୁ ଅନାଅ, ମୁକ୍ତଭାବେ ଜୀବନକୁ ଦେଖ, ଜୀବନକୁ ଆନନ୍ଦ କର, ପିଲାଙ୍କୁ ଭଲ ପାଅ ଓ ମୋ ସ୍ମୃତିକୁ ବଞ୍ଚେଇ ରଖ । ଈଶ୍ୱର ତୁମର ମଙ୍ଗଳ କରନ୍ତି । ବିଦାୟ । W”

 

ପୂରା ନାଆଁ ପରିବର୍ତ୍ତେ ସେ W ବୋଲି (Winston) ତାଙ୍କ ସ୍ତ୍ରୀଙ୍କୁ ବରାବର ଲେଖୁଥିଲେ ।

 

ବାଇରନ ଓ ଚର୍ଚ୍ଚିଲଙ୍କ ବହୁତ ଚିଠି ଅଭିଲେଖାଗାରରେ ନାହିଁ । ମାତ୍ର ଚାର୍ଲସ୍‌ ଡାରଉଇନ୍‌ ବହୁତ ଚିଠି ଲେଖୁଥିଲେ । ବହୁ ବୈଜ୍ଞାନିକ ଓ ବଂଧୁମାନଙ୍କ ସହ ପତ୍ରାଳାପ ନିରଂତର କରି ଚାଲିଥିଲେ । ୧୮୫୯ ଖ୍ରୀଷ୍ଟାଦ୍ଦରେ Origin of Species ପ୍ରକାଶିତ ହେଲା । ଜାହାଜ HMS Beagleରୁ ଅନେକ ଚିଠି ଓ ସଂଗୃହୀତ Specimen ସେ ତାଙ୍କ ଶୁଭାଧ୍ୟାୟୀ ଓ Mentor ପ୍ରଫେସର ଜନ୍‌ ହେନ୍‌ସ୍ଲୋଙ୍କୁ ପଠାଉଥିଲେ । CAMର ତଥ୍ୟ ଅନୁସାରେ ସେ ହିଁ କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟର ସୁପ୍ରତିଷ୍ଠିତ ଓ ଐତିହାସିକ ବ୍ୟକ୍ତିଙ୍କ ମଧ୍ୟରେ ସବୁଠୁଁ ଅଧିକ ଚିଠି ଲେଖିଥିଲେ ଏବଂ ତାଙ୍କ ନାମରେ ନାମିତ Darwin ଜଲେକ ଅଭିଲେଖାଗାରରେ ସେଗୁଡ଼ିକ ସାଇତା ରହିଛି । ହାତଲେଖା ତାଙ୍କ ଚିଠିର ଟାଇପ୍‌ ହୋଇଥିବା କପି ଅନୁପଲବ୍‌ଧ ହେତୁ ମୁଁ ସେଥିରୁ କିଛି ଉଦ୍ଧୃତି ଦେଇପାରୁନି । ସେଇ କଥା ମଧ୍ୟ ପ୍ରଯୁଜ୍ୟ Francis Baconଙ୍କ ଚିଠି ସବୁର । ହାତଲେଖା ତାଙ୍କର ଚିତ୍ର ଆଙ୍କିଲା ପରି ଓ ତାହା ମୋତେ ବିଶେଷ ମୁଗ୍‌ଧ କରିଛି ।

 

ଏ ତ ଗଲା Cambridge Alumni Magazine, 2009 Easter ସଂଖ୍ୟାରେ ସ୍ଥାନିତ ଅଳ୍ପ ଚିଠିର ହାତଲେଖା ଆସ୍ୱାଦନ । କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟ ପ୍ରେସ୍‌ ୮୦୦ ବର୍ଷ ପାଳନ ଉପଲକ୍ଷେ ଡାରଉଇନ୍‌ଙ୍କ ସବୁ ଚିଠି ଏକତ୍ର କରି ଦୁଇଖଣ୍ଡ (Volume)ରେ ପ୍ରକାଶ କରିଛନ୍ତି । ତା’ ନାଆଁ Origins-Selected Letters of Charles Darwin (1822-1859) ଏବଂ ଦ୍ୱିତୀୟ ଖଣ୍ଡର ନାଆଁ Evolution- Selected Letter of Charles Darwin । ଦୁଇ ଖଣ୍ଡର ସଂପାଦନା କରିଛନ୍ତି ଭିନ୍ନ ଭିନ୍ନ ସଂପାଦକ ମଣ୍ଡଳୀ ଓ ଦ୍ୱିତୀୟ ଖଣ୍ହର ମୁଖବନ୍ଧ ଲେଖିଛନ୍ତି ସାର୍‌ ଡାଭିଡ଼୍‌ ଆଟେନ୍‌ବରୋ ।

ଡାରଉଇନ୍‌ଙ୍କ ଗବେଷଣା ଓ Origin of Species ସମ୍ଭବ ହୋଇ ନ ଥାନ୍ତା ଯଦି କେମ୍ୱ୍ରିଜ୍‌ର ଦୁଇଟି ଉଦ୍‌ଭିଦ ସଂଗ୍ରହଶାଳା (Plant Collection) ନ ଥାନ୍ତା । ଉଭୟର ଜନକ ଓ ପ୍ରତିଷ୍ଠାକାରୀ ପ୍ରଫେସର ଜନ୍‌ ହେନ୍‌ସ୍ଲୋ (ଆଗରୁ ତାଙ୍କୁ ଡାରଉଇନ୍‌ଙ୍କ ବହୁ ଚିଠି କଥା ଲେଖିଛି ।) ଦୁଇଟି ସଂସ୍ଥା ହେନ୍‌ସ୍ଲୋଙ୍କ ଯୋଗୁଁ ସମ୍ଭବିଥିଲା – ସେ ଦିଓଟି ନାଆଁ Botanic Garden, ବହୁବିଧ ଜୀବନ୍ତ ବୃକ୍ଷଲତାର ସଂଗ୍ରହାଳୟ । ଆରଟି ତତୋଧିକ ପ୍ରସିଦ୍ଧ Unversicty Herbarium । ହର୍ବାରିଅମ୍‌ରେ ଦଶଲକ୍ଷ ଶୁଖିଲା Plantକୁ ବୈଜ୍ଞାନିକ ପଦ୍ଧତିରେ ଭବିଷ୍ୟତ ପାଇଁ ସୁରକ୍ଷିତ ରଖାଯାଇଛି । ହର୍ବାରିଅମ୍‌ Department of Plant Science ଅଧିନରେ । ପ୍ରଫେସର ଜନ୍‌ ପାର୍କରଙ୍କ କହିବା ଅସୁସାରେ “Herbarium has a special place in Western Thought, for the sheets themselves are individual historic documents that represent the redical thinking of henslow on the species question’’ ଅର୍ଥାତ୍ ହର୍ବାରିଅମ୍‌ର ଦଶଲକ୍ଷ specimen ‘‘ପାଶ୍ଚାତ୍ୟ ଚିନ୍ତାଧାରାରେ ବିଶେଷ ସ୍ଥାନ ଅଧିକାର କରେ କାରଣ ସେଗୁଡ଼ିକ “Species” ପ୍ରଶ୍ନ ଉପରେ ହେମ୍‌ସ୍ଲୋଙ୍କ radical ଓ ଅସାଧାରଣ ଚିନ୍ତନର ପରିପ୍ରକାଶ’’ । ଡାରଉଇନ୍ ହେନ୍‌ସ୍ଲୋଙ୍କ ଛାତ୍ର ଏବଂ ତାଙ୍କର Origin of Species ପରି ଗ୍ରନ୍ଥ ପ୍ରଣୟନ ପଛରେ ହେନ୍‌ସ୍ଲୋଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । HMS Beagle ଜାହାଜରେ ଡାରଉଇନ୍‌ ଯାତ୍ରା ଆରମ୍ଭ କଲାବେଳେ ହେନ୍‌ସ୍ଲୋଙ୍କଠୁଁ ଶିକ୍ଷା ପାଇଥିଲେ ଏବଂ “Theory of evolution by natural selection” କଥାଟି ତାଙ୍କ ମୁଣ୍ଡରେ ବସା ବାନ୍ଧିଥିଲା ।

 

ହେନ୍‌ସ୍ଲୋ ପ୍ରଥମ Mathematics ପଢ଼ିଥିଲେ କେମ୍ୱ୍ରିଜ୍‌ରେ । ତା’ପରେ ଭୂତତ୍ତ୍ୱ, ଖଣିଜତତ୍ତ୍ୱ (Geology ଏବଂ Mineralogy) ବାଟେ ଅବଶେଷରେ ପ୍ରାଣୀବିଦ୍ୟା Zoologyରେ ପହଞ୍ଚିଥିଲେ । ପ୍ରକୃତିରେ ବହୁବିଧ ବିଭିନ୍ନତା ଅଧ୍ୟୟନ କରି ବ୍ରିଟିଶ ଉଭିଦମାନଙ୍କ ଶିକ୍ଷାକୁ Collation ଆଖ୍ୟା ଦେଲେ । ସେ କେତେକ ବୃକ୍ଷଲତା Species ହଠାତ୍‌ ରୂପରଂଗ ଫୁଲ ଇତ୍ୟାଦି ବଳଳେଇବା ଅଧ୍ୟନ କଲେ ଏବଂ ଗବେଷଣାତ୍ମକ ପ୍ରବଦ୍ଧଟିଏ ଲେଖିଲେ “The laws that govern nature” । ୧୮୨୯ରେ ତାଙ୍କ ଦ୍ୱାରା ପ୍ରସ୍ତୁତ Catalogue of British Plants ଡାରଉଇନ୍‌ଙ୍କ ପରି Divinity school ଛାତ୍ରଙ୍କୁ ଅବଶେଷରେ ବଟାନି କୋର୍ସରେ ୧୮୨୯-୩୧ ଯାଏ ସହାୟକ ହେଲା । ହେନ୍‌ସ୍ଲୋ ୧୮୩୧ରେ ଡାରଉଇନ୍‌ ବିଶ୍ୱ ପରିକ୍ରମା କରିବା ବିଧେୟ ବୋଲି ବିଶ୍ୱବିଦ୍ୟାଳୟକୁ ମତ ଦେଲେ କାରଣ ତାଙ୍କ କହିବାନୁସାରେ “He knew to note everything worthy to be noted in natural history” । ହେନ୍‌ସ୍ଲୋ ଏଥର ତାଙ୍କ ସଂଗେ ଗଲେ ଏବଂ ଦୁହେଁ ଏକତ୍ର ସଂଗ୍ରହ ଓ ବିଶ୍ଲେଷଣ କାର୍ଯ୍ୟ କଲେ । ପାର୍କରଙ୍କ ଭାଷାରେ “It is clear that without Henslow there would have been no Darwin.” ମୋର ପରମ ସୌଭାଗ୍ୟ ପ୍ରଥମେ ବଟାନିକାଲ୍‌ ଗାର୍ଡ଼େନରେ ତ ଅନେକ ଥର ବୁଲିଲି କିନ୍ତୁ ଗୋଟିଏ ଥର ‘herbarium’ର Guided Tourର ସୁଯୋଗ ନେଇଥିଲି । ଡାରଉଇନ୍‌ଙ୍କ ବହୁ ଚିଠି ହେନ୍‌ସ୍ଲୋଙ୍କୁ ଯେ ଲେଖା ତା’ର କାରଣ ଏଥିରୁ ସ୍ପଷ୍ଟ ହେବ ।

 

ଏତିକିରେ କଥା ସରିଲାନି । ବିଶ୍ୱବିଦ୍ୟାଳୟ ଏଥିସହ ଯୋଜନା କଲେ ଯେ, ବର୍ତ୍ତମାନ ଜୀବିତ କେମ୍ୱ୍ରିଜ୍‌ ଅନ୍ତେବାସୀଙ୍କଠାରୁ ଚିଠି ସଂଗ୍ରହ କରିବେ – ସେମାନେ ନିଜ ଇଚ୍ଛାନୁସାରେ ଯେକୌଣସି ବିଷୟରେ ଲେଖିପାରିବେ । ଚିଠି ଲେଖିବା ପାଇଁ ବିଜ୍ଞାପନ CAMରେ ସ୍ଥାନିତ ହୋଇଥିଲା । ୨୦୦୯ ରେ ପ୍ରାପ୍ତ ସବୁ ଚିଠିରୁ ଗୋଟିଏ କମିଟି (୮୦୦ ବର୍ଷ ଉପଲକ୍ଷେ) ୧୦୦ଟି ନିର୍ବାଚିତ କରି ସିଲ୍‌ କରି ରଖିଲେ । ଉଦ୍ଦେଶ୍ୟ ୯୦୦ ବର୍ଷ ପାଳନ ଉପଲକ୍ଷେ ସେଇ ଚିଠିସବୁ ଓ ଲେଖକଙ୍କର ଠିକଣା ଇତ୍ୟାଦି ବିଶେଷ ବିବରଣ ସହ ୨୧୦୯ ଖ୍ରୀଷ୍ଟାଦ୍ଦରେ ସିଲ୍‌ ଖୋଳି ମାଗାଜିନ୍‌ରେ ଛପା ହେବ । ଯେଉଁମାନେ ଚିଠି ଲେଖି ପଠାଇଛନ୍ତି ସେମାନଙ୍କୁ ଗୋଟେ ଗୋଟେ ସ୍ୱୀକୃତି ପତ୍ର ବି ମିଳିଛି । ଏକଥା ନିଶ୍ଚିତ ପ୍ରାୟ କେହି ଚିଠି ଲେଖକ ୨୧୦୯ରେ ଜୀବିତ ନ ଥିବେ ! କିନ୍ତୁ ଇତିହାସକୁ କେମ୍ୱ୍ରିଜ୍‌ ଆଗେଇ ନେବାର ଇଏ ଅନ୍ୟତମ ପ୍ରଚେଷ୍ଟା । ତା’ଛଡ଼ା କିଏ ଜାଣେ ୨୧୦୯ରେ ଆଉ ଜଣେ ବାଇରନ୍‌, ଡାରଉଇନ୍‌ ସିଲ୍‌ଭିଆ ଓ ବେଞ୍ଜାମିନ୍‌ ଫ୍ରାଙ୍କ୍‌ଲିନ୍‌ ଯେ ନ ବାହାରିବେ !

 

ଏଇଠି କହି ରଖିବା ଉଚିତ ହେବ ଯେ, ମୋ ରହଣି ଭିତରେ ଏଇ ସବୁ କଲେଜ ଅଭିଲେଖାଗାରର ସଂପର୍କରେ ଆସି ମୁଁ କିଛି ଚିଠି ଦେଖିବାକୁ ସୁଯୋଗ ପାଇଥିଲି । ସବୁଠୁଁ ଆନନ୍ଦକର ଓ ବିସ୍ମୟକର ଅନୁଭବ ଥିଲା ନିଉଟନ୍‌ଙ୍କର ଗୋଟିଏ ଦିନର ଖର୍ଚ୍ଚ ହିସାବ । ବ୍ୟକ୍ତିଗତ ଭାବେ ମୁଁ ଗୋଟିଏ ଲୋକ ଯାହାର ଖର୍ଚ୍ଚ ହିସାବ ରଖିବା ପାଠପଢ଼ା ଦିନୁ ଅଭ୍ୟାସରେ ପରିଣତ । ନିଉଟନ୍‌ ବରାବର ନିଜ ବାପା ଓ ପରିବାରଙ୍କଠାରୁ ପାଉଥିବା ପଇସାର ଟିକିନିଖି ହିସବ ରଖୁଥିଲେ ।

 

ଉଦାହରଣସ୍ୱରୂପ; ଦିକର ହିସବରେ ଥିଲା ‘‘ଯୋତା ମରାମତିରେ ୨ ପେନ୍ସ’’, ’’ନୂଆ ପ୍ୟାଣ୍ଟ କିଣା ୧ ଶିଲିଂ’’ – ଏମିତି ଅନେକ କଥ୍ୟ ତାଙ୍କ ଡାଇରୀରେ ଅଛି ଓ କେମ୍ୱ୍ରିଜ୍‌ ତାକୁ କୋଟିନିଧି କରି ସାଇତି ରଖିଛି । ସେ ଡାଇରୀ ତାରିଖ ଏବଂ ଆହୁରି ଅଧିକ ତଥ୍ୟ ମୋ ଆପଣା ଡାଇରୀରେ ଟିପି ରଖିଥିଲି । ମୋର ଦୁର୍ଭାଗ୍ୟ କାଳକ୍ରମେ ସେ ଡାଇରୀଟି ହଜେଇ ବସିଲି ।

 

ଆଗରୁ ଲେଖିଛି କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ବର୍ଷର ତିନୋଟି ଟର୍ମ ବା ଅବଧି । ସେଗୁଡ଼ିକ ହେଲା – ମିଜେଲମାସ୍‌, ଲେଣ୍ଟ ଓ ଇଷ୍ଟର । ପ୍ରତ୍ୟେକ ଅବଧି ଓ ତା’ର ପରବର୍ତ୍ତୀ ଅବଧି ମଧ୍ୟରେ ବିଶ୍ୱବିଦ୍ୟାଳୟର ଛୁଟି ଥାଏ । ଉଦ୍ଦେଶ୍ୟ ହେଲା ଯେ, ପରିଶୟମ କରି ଛାତ୍ର, ଛାତ୍ରୀମାନେ କ୍ଲାନ୍ତ ହୋଇ ପଡ଼ିଥିବେ । ସୁତରାଂ ଛୁଟି ପାଇଲେ କିଏ ଘରକୁ ଯିବ ବା ଅନ୍ୟ ଦେଶ ପରିଭୟମଣରେ ଯିବ ଓ ତା’ପରେ ନୂଆ ଟର୍ମ ଆରମ୍ଭ ବେଳକୁ ସଂପୂର୍ଣ୍ଣ ତୀକ୍ଷ୍‌ଣ ଓ ସୁସ୍ଥ ମନ ନେଇ ଆଉଥରେ ପାଠ ଆରମ୍ଭ କରିବ । ଏମିତିଆ ଛୁଟିଟଏର ସୁବିଧା ନେଇ (ଲେଣ୍ଟ ଓ ଇଷ୍ଟର ମଝିରେ) ଅଜିତ୍‌ ମୁଖାର୍ଜୀ ଓ ମୁଁ ୟୁରୋପରେ କିଛି ଦିନ ବୁଲିବାକୁ ଆୟୋଜନ କଲୁ । ୟୁରୋରେଲ ପାସ୍‌ ବ୍ୟବସ୍ଥା କରି ଫ୍ରାନ୍ସ, ଜର୍ମାନୀ, ଓ ହଲାଣ୍ଡ ଭ୍ରମଣ କରି ପୁନରପି କେମ୍ୱ୍ରିଜ୍‌କୁ ଫେରିଆସିଲୁ । ଡସେଲଡର୍ଫ (ଜର୍ମାନୀ)ରେ ଅଜିତ୍‌ଙ୍କର ଜଣେ ବଂଧୁଙ୍କ ଘରେ ୨ ଦିନ କାଟିବାକୁ ବ୍ୟବସ୍ଥା କରି ଆମେ ବାହାରିପଡ଼ିଲୁ । ସେତେବେଳେ ଇଂଲିଶ୍‌ ଚାନେଲ୍‌ରେ ପାଣିତଳ ଟନେଲ ହୋଇନଥିଲା । ସୁତରାଂ ସିଧାଖଳଖ କେମ୍ୱ୍ରିଜ୍‌ରୁ ଯାଇ ଚାନେଲ ପାରିହୋଇ ଟ୍ରେନ୍‌ରେ ପ୍ୟାରିସ୍‌ରେ ପହଞ୍ଚିଥିଲୁ ।

 

କେମ୍ୱ୍ରିଜ୍‌ରୁ ଇଂଲାଣ୍ଡର ଅନ୍ୟ ଦିଗନ୍ତ

ଦ୍ରଦ ଅଞ୍ଚଳ

କେମ୍ୱ୍ରିଜ୍‌ ରହଣି ଭିତରେ ବହୁ ଆଗରୁ ଶୁଣିଥିବା ଏବଂ ୱାର୍ଡ଼ସ୍‌ୱାର୍ଥଙ୍କ କବିତାରେ ପଢ଼ିଥିବା Lake District (ହ୍ରଦ-ଅଞ୍ଚଳ) ବୁଲି ଯାଇଥିଲି । ରାତିଟିଏ ସେଠି ରହିବାର ବ୍ୟବସ୍ଥା କରିଥିଲି । ବସ୍‌ଯାତ୍ରା ବେଶି ସମୟ ନେଲାନି । ହ୍ରଦ ଅଞ୍ଚଳ ବାସ୍ତବରେ ଛୋଟ ବଡ଼, ଅନେକ ହ୍ରଦର ସମାହାର । ପ୍ରତ୍ୟେକ ହ୍ରଦ ପାଖରେ କିଛି ନା କିଛି ଦେଖିବାର, ଖାଇବା ଓ ରହିବାର ବ୍ୟବସ୍ଥା ଅଛି । ମୁଁ ବସ୍‌ରେ ପ୍ରଥମେ ଯେଉଁ ହ୍ରଦ କୂଳରେ ରହଣିର ବ୍ୟବସ୍ଥା କରିଥିଲି ତା’ ଚାରିକଡ଼ ଦେଇ ଥରେ ବୁଲି ଆସିଲି । ଛୋଟ ପାନ୍ଥଶାଳା ପରି ସ୍ଥାନଟିଏ । ଚାହା ପିଇ, କିଛି ଜଳଖିଆ ଖାଇ ହ୍ରଦରେ ନୌକା ବିହାର ପାଇଁ ଗଲି । ହ୍ରଦକୂଳ ଓ ସମସ୍ତ ଅଂଚଳ ସାବ୍‌ଜା । ଦୂସରତାର ସ୍ପର୍ଶ ବି ନାହିଁ । ସେମିତି ସେମାନେ ରକ୍ଷଣାବେକ୍ଷଣର ସଂପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି । ସ୍ଥାନୀୟ ‘କାଉଣ୍ଟି’ ତା’ର ଦାୟିତ୍ୱରେ । ନୌକାରେ ମୋ ସାଙ୍ଗାରେ ୧୦/୧୨ ଜଣ ଗଲେ । ଖୁବ୍‌ ଆନୋଦଦାୟକ ଅନୁଭବ ଯାହା ମୋର ବହୁଦିନ ପାଇଁ ମନେ ରହବ । ପ୍ରଥମରୁ ଇଚ୍ଛା ଥିଲା ଅନ୍ତତଃ ଯେତୋଟି ହ୍ରଦ ଦେଖିବା ସମ୍ଭବ ମୋର ସଂକ୍ଷିପ୍ତ ରହଣି ଭିତରେ ଦେଖିବି । ଶେଷକୁ ତିନୋଟି ମାତ୍ର ହ୍ରଦ ଦେଖିପାରିଲି ସେଇ ସୀମିତ ସମୟ ଭିତରେ । ଲାଗିଲା ବ୍ରିଟିଶ ଲୋକମାନେ ଛୋଟ ଜିନିଷକୁ ବି ସୁନ୍ଦର ସଜାସଜି କରି ଟୁରିଷ୍ଟମାନଙ୍କୁ ଆକର୍ଷଣ କରିପାରୁଛନ୍ତି । ଚିଲିକା ହ୍ରଦକୁ କେଡ଼େ ସୁନ୍ଦରଭାବେ ଆକର୍ଷଣୀୟ କରି ହୁଅନ୍ତା; କିନ୍ତୁ ସେଥିପାଇଁ ଆମେ ଦୃଷ୍ଟି ଦେଇନୁ (୧୯୬୮ କଥା) । ଚିଲିକା ହ୍ରଦକୂଳ ଶୂନ୍‌ଶାନ୍‌ ପଡ଼ିଛି; ମଇଁଷି ଗୋରୁ ଚରୁଛନ୍ତି, ପାଖ ଗାଁ ଲୋକେ ମାଛ ଧରିବା ଓ ଡଂଗା ଚଳାଇବା ବ୍ୟତୀତ ଆଉ କିଛି କରିପାରି ନାହାନ୍ତି । ରାଥାନାଥଙ୍କ ‘ଚିଳିକା’ ବହିରେ ହିଁ ରହିଛି । ମୋର ମନ ଦୁଃଖ ହେଲା ଯେ, କେତେ କିଛି କରିହେବ ଅଥଚ ଆମେ ତା’ର କାଣିଚାଏ ବି କରି ନାହୁଁ । ଭାଲେରି ପାହାଡ଼ ସେମିତି ଛିଡ଼ା ନିର୍ବାକ ଭାବରେ , ରାଥାନାଥଙ୍କ ଧାଡ଼ି ‘‘ପାରିଲେଣି ଏବେ ଦେବ ବିକର୍ତ୍ତନ, ଭାଲେରି ଶିଖରେ ସ୍ୱର୍ଣ୍ଣ ସିଂହାସନ’’ କବିଙ୍କ ଚିଲିକା କୂଳର ପାହାଡ଼ରେ ଘର ଖଣ୍ଡିଏ କରି ରହିବାର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା ।

 

Lake District ରେ ତା’ ପରଦିନ ସକାଳ ହେଲା । ଋତୁ ଥିଲା ଶରତ । ଗଛପତ୍ର ଲାଲ , ହଳଦୀ ଓ ତମ୍ୱାଟିଆ ପତ୍ରରେ ବିଭୂଷିତ ହୋଇ ଅତି ମନୋରମା ଦିଶୁଥିଲେ । ଏମିତି ଗୋଟିଏ ରାତ୍ରି ରହଣି ପରେ ହ୍ରଦ ଅଞ୍ଚଳକୁ ବିଦାୟ ଦେଇ କେମ୍ୱ୍ରିଜ୍‌ ଫେରିଆସିଲି ।

 

ୱେଲ୍‌ସ୍‌, ବାଥ୍‌ ଓ ସେକ୍ସପିଅରଙ୍କ ଘର :

୧୯୯୯ ମସିହାରେ ଆମ ମଝିଆଁ ଝିଅ ମିତାଲି ମଧୁସ୍ମିତା (ଯିଏ ଇନ୍‌କମ୍‌ ଟ୍ୟାକ୍ସ କମିଶନର) ବର୍ମିଂହାମ୍‌ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଟ୍ରେନିଂ ପାଇଁ ବର୍ଷକ ସକାଶେ ଯାଇଥିଲା । ତା’ ସ୍ୱାମୀ ଆନନ୍ଦରାଜନ ପ୍ରଧାନମନ୍ତ୍ରୀଙ୍କ ପାଖରେ ଉଚ୍ଚପଦସ୍ଥ କର୍ମୀ ଭାବେ କାମ କରୁଥିବାରୁ ତାଙ୍କୁ ଯିବା ପାଇଁ ସୁବିଧା ମିଳି ନ ଥିଲା । ମୁଁ ଏବଂ ସ୍ତ୍ରୀ ସେଥିପାଇଁ କିଛି ବେଳ ଝିଅ ପାଖକୁ ଯାଇଥିଲୁ ଓ ତା’ର ବିବିଧ ଗସ୍ତ କାଳରେ ଛୋଟ ନାତି ଅଦ୍ୱୈତକୁ ପାଖରେ ରଖିଥିଲୁ । ସେଇ ସମୟରେ ପୁଅ ସତ୍ୟକାମ ହଂକଂରୁ ଆସିଲା ଆମ ପାଖକୁ କିଛି ଦିନ ପାଇଁ ଓ ଗୋଟିଏ ଯୋଜନା କରିଥିଲା ୱେଲ୍‌ସ୍‌ ବୁଲିଯିବା ପାଇଁ । କେମ୍ୱ୍ରିଜ୍‌ ରହଣି ଭିତରେ ମୁଁ ଅନେକଥର ଲଣ୍ଡନ ପାଇଥିଲି । ଲଣ୍ଡନରେ ସବୁ ମୁଖ୍ୟ ଦର୍ଶନୀୟ ସ୍ଥାନ ଯଥା ସେଣ୍ଟପଲ୍‌ କାଥେଡ଼୍ରାଲ, ଟାୱାର ବ୍ରିଜ୍‌, ଟାୱାର ଅଫ୍ ଲର୍ଡନ, ୱେଷ୍ଟମିନିଷ୍ଟର (ପାର୍ଲିଆମେଣ୍ଟ), ୱେଷ୍ଟ ମିନି‌ଷ୍ଟର ଆବେ, ମାଡ଼ାମ୍‌ ତୁସୋଙ୍କ ମ୍ୟୁଜିୟମ୍‌, ହାଇଡ଼ପାର୍କ ଇତ୍ୟାଦି ବୁଲି ଦେଖିଥିଲି । ତେଣୁ ୱେଲ୍‌ସ ଯିବା ପାଇଁ ବିଶେଷ ଇଚ୍ଛା ଥିଲା । କାର୍‌ରେ ବୁଲିଗଲୁ ।

 

ଗୋଟିଏ ଦିନ ସକାଳ, ୯ଟାରେ ବାହାରି ରାତି ୮ ସୁଦ୍ଧା ୱେଲ୍‌ସର ଅନେକ ସ୍ଥାନ ଦେଖିନେଲୁ । ପ୍ରଥମେ Ross-on-Wye ବାଟେ ଯାଇଥିଲୁ ମନ୍‌ମାଉଥ୍‌ । ୱେଲ୍‌ସରେ ଏଇଟି ଗୋଟିଏ ବିଶିଷ୍ଟ ସ୍ଥାନ । ଏଠାରେ କହିରଖିବା ଉଚି୍ ଯେ, ୱେଲ୍ସ ପ୍ରାଚୀନ ଦୁର୍ଗ ଓ Castle ପାଇଁ ପ୍ରସିଦ୍ଧ । ସେ ଅଞ୍ଚଳରେ ରାଜୁତି କରିଥିବା ରାଜାମାନେ ସୁନ୍ଦର ସୁନ୍ଦର Castle ସମତଳଭୂମିରେ ବା ଅଳ୍ପ ଉଚ୍ଚ ପାହାଡ଼ ଉପରେ ଗଢ଼ିଥିଲେ । ମନ୍‌ମାଉଥ୍‌ଠୁଁ ଯାଇ ସେମିତି ଯୋଡ଼ିଏ ଉଲ୍ଲେଖନୀୟ ସ୍ଥାନ ଓ ଦୁର୍ଗ ଦେଖିଲୁ । ଗୋଟିଏ ହେଲା ଆବେରଗାଭେନି ଏବଂ ଦ୍ୱିତୀୟଟି ମେରଥିରଟିଡ଼୍‌ଫିଲ୍‌ । ଦ୍ୱିତୀୟଟିରେ ମାଉଣ୍ଟେନ୍‌ ରେଲୱେ ଥିଲା । ନାତିଟୋକା ସେ ଟ୍ରେନ୍‌ରେ ଚଢ଼ି କିଛି ବୁଲିବା ପାଇଁ ଅଥୟ ହେଉଥିଲା । ତା’ ଅତୟତା ମୁଁ ଲକ୍ଷ୍ୟ କଲି ଯାହା ମୋତେ ବେଶ୍‌ ସଂକ୍ରମିତ କରିଥିଲା । ସେ ଟ୍ରେନ୍‌ଯାତ୍ରା ଅତ୍ୟନ୍ତ ଉପଭୋଗ୍ୟ ହେଲା । ଦୁଇଟି ସ୍ଥାନରେ ପୁରୁଣା ଐତିହାସିକ କୀର୍ତ୍ତୀ ଦେଖିସାରି ସ୍ୱାନସିଆ ଭିତରେ ପଶି, ସେଠି ଅଳ୍ପ ବେଳ ରହି ଲାଣ୍ଡିଲୋ ଓ ତା’ ପାଖରେ ଥିବା ଖୁବ୍‌ ସୁନ୍ଦର ଓ ବିଶାଳ Castle Caregcannon ଦେଖିଲୁ । ଦୁଇ ସ୍ତରରେ ପ୍ରାଚୀର ଓ ପ୍ରାଚୀର ମଧ୍ୟରେ ଗଭୀର ଜଳ ଦୁର୍ଗକୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ନିର୍ମିତ ହୋଇଥିଲା । ସମତଳ ଭୂମିରୁ ପ୍ରାୟ ୪୦୦ ଫୁଟ ଉଚ୍ଚ ଗୋଟିଏ ଛୋଟ ପାହାଡ଼ ଉପରେ ଦୁର୍ଗଟି ଅବସ୍ଥିତ ଏବଂ ବେଶ୍‌ ଚିତ୍ତାକର୍ଷକ । ତା’ କଡ଼ରେ ଛୋଟ ଗାଆଁଟିଏ ଟ୍ରାପ୍‌, ତା’ ଭିତରେ ପଶି ଗ୍ରାମ୍ୟ ଦୃଶ୍ୟ ଦେଖିବାର ସୁଯୋଗ ନେଲୁ । କେତେଜଣ ଗ୍ରାମବାସୀଙ୍କ ସହ ମଧ୍ୟ କଥାଭାଷା ହେଲୁ । ସେଠୁ ଗଲୁ ବ୍ରେକନ୍‌ । ଛୋଟ ସହରଟି ୱେଲ୍‌ସରେ ଜଣାଶୁଣା । ସେଠାରୁ ରାତିରହଣି ପାଇଁ (ସେତେବେଳକୁ ସଂଧ୍ୟାର ଅନ୍ଧାର ଘେରି ଆସୁଥାଏ) ଆମେ କ୍ଲିଫୋଡ଼ିଶ୍‌ ନାମକ ଫାର୍ମ ହାଉସ୍‌କୁ ଗଲୁ । ୱେଲ୍‌ସର ଫାର୍ମ ହାଉସ୍‌ ସବୁ ପ୍ରସିଦ୍ଧ । ଅନେକ ଗୋରୁଗାଈ ରଖାଯାଇଥାଏ; ସେମାନେ ଚରିବୁଲି ଘାସ ଖାଇବା ପାଇଁ ଘାସପଡ଼ିଆ ହୋଇଥାଏ । ଅଳ୍ପସଂଖ୍ୟକ ଘୋଡ଼ା ମଧ୍ୟ ଫାର୍ମହାଉସ୍‌ ମାନେଜର୍‌ ନିଜ ବ୍ୟବହାର ପାଇଁ ରଖିଥାନ୍ତି । ଗୋରୁପଲ ରାତିରେ ରହିବା ପାଇଁ ବେଶ୍‌ ବଡ଼ ଖୁଆଡ଼ ଥାଏ । ସେମାନଙ୍କୁ ଖୁଆଡ଼ ଭିତରକୁ ସଂଜରେ ଫେରାଇ ଆଣିବାକୁ ଟ୍ରେନିଂ ପାଇଥିବା ଦୁଇ ତିନି କୁକୁର ଥାଆନ୍ତି । ଏଇ ରହଣି ସ୍ଥାନ ଠିକ୍‌ ପୂର୍ବରୁ ଆଉ ଗୋଟିଏ ଦର୍ଶନୀୟ Castle, ତା’ର ନାଁ Raglan, ମଧ୍ୟ ଦେଖିଥିଲୁ ।

 

ଫାର୍ମହାଉସ୍‌ରେ ଖୁବ୍‌ ଭଲ ଖାଇବା ଓ ରହିବା ପାଇଁ ଗେଷ୍ଟ ହାଉସ୍‌ ଥିଲା । ଆମକୁ ସକାଳେ ଶ୍ରୀମତୀ ଫିଲିସ୍‌ ିଭାନ୍ସ ଫାର୍ମର ଇତିହାସ ଓ ବିଭିନ୍ନ ଅଂଶ ବିୟେ ବୁଝେଇଥିଲେ । ପୂର୍ବଦିନ ସଂଜକୁ ଆକାଶରେ ସୁନ୍ଦର ଇନ୍ଦ୍ରଧନୁ ଦେଖିବାକୁ ସୁଯୋଗ ମିଳିଥିଲା । ମୁଁ ପ୍ରଥମଥର (ଓ ବୋଧହୁଏ ଶେଷଥର) ଇଂଲାଣ୍ଡରେ ଏପରି ସୁନ୍ଦର ଇନ୍ଦ୍ରଧନୁ ଦେଖିଲି ।

 

ହେ-ଅନ୍‌-ୱାଇ :

ସେଠୁ ପ୍ରଥ‌ମେ ଗଲୁ Hay-on-Wye ନାମକ ଛୋଟ ସହରକୁ । Wye ନଦୀ ଉପରେ Hay ସହରଟିର ଅବସ୍ଥିତି – ସେଇଥିପାଇଁ ଏପରି ନାମ । ପୂର୍ବରୁ Ross-on-wye ସହର କଥା ଲେଖିଛି । Hay-on-Wye ପୁରୁଣା ବହିର ସଂଗ୍ରହାଳୟ, ବହିର ଦୋକାନ ବଜାର ପାର୍ଇ ବିଶ୍ୱବିଶ୍ରୁତ । ଅତି ଚୋଟ ସହର । ସେଥିରେ ପ୍ରାୟ ୩୦/୩୫ଟି ବହି ଦୋକାନ ଆଉ ଅଭୁତ ସଂଖ୍ୟାର ପୁରୁଣା ବହି । “It is the world capital of secondhand books” ବୋଲି Timesରେ ଗୋଟିଏ Article ପଢ଼ିଥିଲି । ସହରଟି ଇଂଲାଣ୍ଡ ଓ ୱେଲସର ସୀମାନ୍ତରେ । ବହି ଭଲ ପାଉଥିବା ଲୋକଙ୍କ ପାଇଁ ସାକ୍ଷାତ୍‌ ସ୍ୱର୍ଗ । ପ୍ରତିବର୍ଷ ଏଠି ଗୋଟିଏ ଆନ୍ତର୍ଜାତିକ ସାହିତ୍ୟମେଳା ହୁଏ, ଯେଉଁଥିରେ ବହୁ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଲେଖକ ଯୋଗ ଦିଅନ୍ତି । ଭାରତବର୍ଷରୁ ବିକ୍ରମ ସେଠ ଏକାଥିକବାର ଯାଇଛନ୍ତି କାରଣ ସେ ସେତେ‌‌ବେଳେ ଇଂଲାଣ୍ଡରେ ରହୁଥିଲେ । ଅଳ୍ପ ଦିନ ତଳେHay-Dacca ଫେଷ୍ଟିଭାଲ୍‌ରେ ତାଙ୍କ ସହ ଏକାଠି ହେବାର ସୁଯୋଗ ମିଳିଲା । ଜାଣିଲି Hayର ସାହିତ୍ୟ ସଂସ୍ଥା Hay Festival ପୃଥିବୀର ବିଭିନ୍ନ ଅଞ୍ଚଳରେ କରିବା ପାଇଁ ଇଚ୍ଛୁକ । ବାଂଲାଦେଶ ଏଥିପାଇଁ ଆଗ୍ରହ ପ୍ରକାଶ କରିବାରୁ ସେଇଠି ଏ ବର୍ଷର ‘‘ହେ’’ ଫେଷ୍ଟିଭାଲ୍‌ (୩ ଦିନିଆ ସାହିତ୍ୟ ପର୍ବ) ଅନୁଷ୍ଠିତ ହୋଇଥିଲା । ସାହିତ୍ୟ କଳା ଓ ଚଳଚ୍ଚିତ୍ର ସବୁ ବିଷୟକୁ ନଇେ ପର୍ବଟି ଅନୁଷ୍ଠିତ ହୋଇଥିଲା । ଭାରତବର୍ଷରୁ ମୁଁ ଏବଂ ବିକ୍ରମ ସେଠଙ୍କ ବ୍ୟତୀତ ସୁଶ୍ରୀ ନନ୍ଦିତା ଦାସ ଓ ଅନେକ ପ୍ରସିଦ୍ଧ ଜର୍ଣ୍ଣାଲିଷ୍ଟ ମଧ୍ୟ ଯାଇଥିଲୁ । ବାଂଲାଦେଶର ଏକାଡ଼େମୀର ଏଥିପାଇଁ ନିମନ୍ତ୍ରଣ ଥିଲା । କବିତା ପାଠୋତ୍ସବ ବଡ଼ ଚିତ୍ତାକର୍ଷକ ଥିଲା । କବିତା ପଢ଼ିବା ପାଇଁ ଅଲଗା ସୁନ୍ଦର ଷ୍ଟେଜ୍‌ ଓ ଶ୍ରୋତାଙ୍କ ବସିବା ସ୍ଥାନ ନିର୍ଦ୍ଦିଷ୍ଟ ହୋଇଥିଲା । ସେଠାରେ ମୁଁ, ବିକ୍ରମ ସେଠ୍‌ ଓ ବାଙ୍ଗ୍‌ଲାଦେଶର ପ୍ରସିଦ୍ଧ କବି ସାମସୁଲ୍‌ ହକ୍‌ ଭିନ୍ନ ଭିନ୍ନ ସମୟରେ କବିତା ପଢ଼ିଥିଲୁ । ପ୍ରତ୍ୟେକ କବିତା ପାଠୋତ୍ସବ ଏକଘଣ୍ଟାର ଅବଧି ପାଇଁ । କବି ନିଜ କବିତା ପଢ଼ିବା ବ୍ୟତୀତ ନିଜ ଦେଶର କବିତା ସଂପର୍କରେ କିଛି କହିବା ପାଇଁ ବ୍ୟବସ୍ଥା ହୋଇଥାଏ । ତା’ଛଡ଼ା ଶ୍ରୋତାଙ୍କୁ କବିଙ୍କୁ ପ୍ରଶ୍ନ ପଚାରିବାର ଓ ସେ ଉତ୍ତର ଦେବାର ବ୍ୟବସ୍ଥା ମଧ୍ୟ ଥାଏ । Hay-on-Wye ୱେଲ୍‌ସ କଥା ଲେଖୁଁ ଲେଖୁଁ ଏତେ ଦୂର ପକାଇଗଲିଣି । ସେ କଥା ଏଠାରେ ଇତି ହେଉ ।

 

ପୁରୁଣା ବହିର ସହର :

ଆମେ ପଢ଼ିଥିଲୁ ପୃଥିବୀରେ ସବୁଠୁଁ ବିଶାଳ ପୁରୁଣା ବହିର (Second hand) ପ୍ରଦର୍ଶନ ଓ ବିକ୍ରି ଏଇଠି । ସହରର ପ୍ରତି କୋଠାଘରେ ବହି ଥାକ ଥାକ । ୧୯୮୮ରୁ ଇଂଲାଣ୍ଡର ଗାର୍ଡ଼ିଆନ୍‌ ଖବରକାଗଜ ଦ୍ୱାରା ପ୍ରୟୋଜିତ ସାହିତ୍ୟମେଳା ଏଇଠି ଅନୁଷ୍ଠିତ ହେଉଛି ।

 

ବେଶ୍‌ ଅଣ-ଓସାରିଆ ଛୋଟ ୱାଇ ନଦୀ ଉପରେ ପ୍ରତିଷ୍ଠିତ ସହର ହେ । ଆମ Gopalpur-onsea ପରି ବ୍ୟବହୃତ ପୁରୁଣା ବହି ବିକ୍ରି ଆରମ୍ଭ କଲେ । ସେତେବେଳେ ହେ ର ଲୋକସଂଖ୍ୟା ପ୍ରାୟ ୨୦୦୦ ଏବଂ ସେମାନେ ଚାଷ ଉପରେ ଥିଲେ ନିର୍ଭରଶୀଳ । ଚାଷବାସରୁ ଅର୍ଜନ ଦ୍ୱାରା ପରିବାର ଚଳିବା ଧୀରେ ଧୀରେ କଷ୍ଟସାଧ୍ୟ ହୋଇପଡ଼ିଲା । ଏଇ ନିପଟ ଗ୍ରାମାଞ୍ଚଳ (ବଡ଼ ଗାଆଁଟିଏ) କୁ ନୂଆ ଉନ୍ନୟନ ମନ୍ତ୍ର ଦେଲେ ରିଚାର୍ଡ଼ । ସେ ଘୋଷଣା କଲେ ସହରର ସ୍ୱାଧିନତା, ମୃତପ୍ରାୟ ସହରକୁ ବଞ୍ଚାଇବା ପାଇଁ । ପାସ୍‌ପୋର୍ଟ ଦେବା ଆରମ୍ଭ କରି ଦି ହେଗ (ହଲାଣ୍ଡ) କୁ ପଠେଇଲେ ଦୂତ । ୱାଇ ନଦୀ Gunboat ଟିଏ ଖଂଜିଲେ ।

ହେ ଧୀରେ ଧୀରେ ଟୁରିଷ୍ଟ କେନ୍ଦ୍ର ହେବାକୁ ଲାଗିଲା । ଗୀର୍ଜା ସମେତ ସବୁ କୋଠାରେ ସେ ଲୋକଙ୍କୁ ମନେଇ ବ୍ୟବହୃତ ବହି ରଖାଇଲେ । ହେ ଦୁର୍ଗ (hay castle) ନିଜ ବାସସ୍ଥାନ କରି ହେ ସହରବାସୀଙ୍କ ଦ୍ୱାରା ବର୍ଷକୁ ୧୦ଲକ୍ଷ ବ୍ୟବହୃତ ବହି ବିକ୍ରି କଲେ । ତା’ ପୁଣି ବେଶ୍‌ କମ୍‌ ଦାମରେ । ବହି ଭିତରେ ରହିଲା ଅନେକ ଅନୁପଲବ୍ଧ ବିରଳ ବହି (rare books) । କେତେବର୍ଷ ତଳେ ଘୋଡ଼ାଗାଡ଼ିରେ ବହିପତ୍ର ସେ ନେବାଆଣିବା କରୁଥିଲେ; ଏବେବି ବେଳେବେଳେ କରୁଛନ୍ତି । ତାଙ୍କୁ ଭେଟିବା ଥିଲା ମହା ଆନନ୍ଦର କଥା । ଘୋଡ଼ାଗାଡ଼ି କାହିଁକି ? କାରଣ ଏହା ଫଳରେ Energy ସଂଚୟ ସମ୍ଭବ ଓ ତା’ ସହ ସ୍ଥାନୀୟ Blacksmiths ଏବଂ Saddler ମାନଙ୍କର କର୍ମସଂସ୍ଥାନ ସଂଭବ ହେଉଛି । ଏବେ ରିଚାର୍ଡ଼ଙ୍କୁ ୬୭ ବର୍ଷ ବୟସ । ହେ ବାସିନ୍ଦା ତାଙ୍କୁ ସହରର ତ୍ରାଣକର୍ତ୍ତାର ସମ୍ମାନ ଦିଅନ୍ତି ।

 

ଗୋଟିଏ ସଂସ୍ଥାର ମାପ ଅନୁସାରେ ହେ ସହରର ବହି ଥାକମାନଙ୍କର ସାମୂହିତ ଦୈର୍ଘ୍ୟ ୧୩ କିଲୋମିଟର । ଚାରିଆଡ଼େ ବହି ହିଁ ବହି । ସବୁ ରାସ୍ତା କଡ଼ରେ, ଘରମାନଙ୍କରେ ସର୍ବତ୍ର ସର୍ବବ୍ୟାପୀ । ଭାରି ଭଲ ଲାଗିଲା । ୱାଇ ନଦୀ ଆମ ଗାଁ ପାଖରେ ଚିତ୍ରୋତ୍ପଳାର ଓସାରର ପ୍ରାୟ ଏକତୃତୀୟାଂଶ । ପୋଲ ଉପରେ ଚାଲିଲୁ, ପୋଲଳ ଆରପଟେ କିଛି ଦୂର ଯାଇ ରାସ୍ତା କଡ଼ର ଉନ୍ନତ ଚାଷ ଦେଖିଲୁ ।

 

ପୁରୁଣା ବହି କିଛି କିଣିବା ଲୋଭ ସଂବରଣ କଲି । କାରଣ ମୋ ନିଜର ବହି ସଂଖ୍ୟା ଘରେ ଭର୍ତ୍ତି ହୋଇ ରହିଥିଲା । ସ୍ତ୍ରୀ, ପୁଅ ଓ ନାତି ଅଦୁ କିଛି ବହି ଦେଖିସାରି ଫେରିଥିଲୁ । କାଳକାଳକୁ ମୋର ମନେ ରହିବ ଏଇ ଛୋଟ ସହର ଯାହାର ଦେହ, ମନ, ପ୍ରାଣ ସବୁଥିରେ ବହି । କଳ୍ପନା କରିଲେ ବଡ଼ ଆଶ୍ଚର୍ଯ୍ୟ ଲାଗେ ଛୋଟ ସହରରେ ୩୫ଟି ବହି ଦୋକାନ, ମୁଖ୍ୟତଃ ପୁରଣା ବହିର । କୁହାଯାଏ ‘ସେକେଣ୍ଡହ୍ୟାଣ୍ଡ ବହିର ବିଶ୍ୱ ରାଜଧାନୀ’ ହେଉଛି ଏହି ସହର ।

 

‘ହେ’ ଛାଡ଼ି ପାଖରେ ଥିବା କାଇରଫିଲି ଦୁର୍ଗଟି ଦେଖୁ । ଗୋଟିଏ ବୃତ୍ତ ପରେ ଆଉ ଗୋଟେ ବୃତ୍ତ ପରି ଯୋଡ଼ିଏ ପାଚିରି, ମଝିରେ ପାଣିର ପରିଖା । ଡୋଭର୍‌ ଓ ୱିଣ୍ଡସର୍‌ ପ୍ରାସାଦ ପରେ ଏଇଟି ବ୍ରିଟେନ୍‌ର ତୃତୀୟ ବୃହତ୍‌ ଦୁର୍ଗ ।

 

ୱାଇ ନଦୀ ଯେୁଁଠି ସେଭର୍ଣ ଉପସାଗରରେ ପଡ଼ିଛି ତା‘ ପୂର୍ବରୁ ଚେପ୍‌ଷ୍ଟାଓ ନାମଧେୟ ଆଉ ଗୋଟିଏ ଦୁର୍ଗ ଦେଖି କିଛି ବାଟ ଉପରକୁ ଯାଇ Tintern Abbey ଦେଖିଲୁ ଏବଂ ବହିରେ ପଢ଼ିଥିବା ଏଇ Abbey କଥା ମନକୁ ଆସିଲା । ସେଭର୍ଣ୍ଣ ପୋଲ ଟପି ଏଥର ଆମେ ‘ବାଥ୍‌’ ସହର ଅଭିମୁଖେ ଗଲୁ ଓ ତା୩ର ଉପକଣ୍ଠରେ ପୂର୍ବରୁ ନିର୍ଦ୍ଧାରିତ ଆଉ ଗୋଟିଏ ଫାର୍ମ ହାଉସ୍‌ରେ ରହିଲୁ । ସେଇଟି Hatt firm, ତା’ର ପରିଚାଳନା ଓ ଅଧିକାର ମାଇକେଲ୍‌ ପୋପ୍‌ ଏବଂ କାରୋଲ ପୋପ୍‌ଙ୍କର । ସ୍ୱାମୀ ସ୍ତ୍ରୀ ଆମର ଏତେ ଯତ୍ନ ନେଲେ ଯେ ଘର ପରି ଲାଗିଲା । ସୁସ୍ୱାଦୁ ଖାଦ୍ୟଠାରୁ ସୁନ୍ଦର ବିଛଣା, ତାଠୁଁ ସୁନ୍ଦର ପ୍ରାଚୀନ ଉପାଖ୍ୟାନ ଶୁଣି ଦିନର କ୍ଲାନ୍ତି ତୁଟିଗଲା । ୱେଲସ୍‌ର ଇତିହାସ, ବିଭିନ୍ନ ଦୁର୍ଗର ଐତିହାସିକ କ୍ରମ ସେମାନେ ମୁଖସ୍ଥ କଲା ପରି କହି ଲାଗିଲେ । ଦୁହେଁ ସନ୍ତାନ-ସନ୍ତତି-ହୀନ । ‘‘ଫାର୍ମର ଗୋରୁଗାଈ ଓ ଫୁଲବଗିଚାକୁ ମୁଁ ନିଜ ପିଲାଙ୍କ ପରି ଆଦର କରେ ।’’ କାରୋଲ କହିଲେ ।

 

ସକାଳୁ ‘‘ବାଥ୍‌’’କୁ ବାହାରିବା ଦେଳକୁ ବର୍ଷା ଆରମ୍ଭ ହୋଇଯାଇଥିଲା । ବାଥ୍‌ରେ ମୁଖ୍ୟ ଦର୍ଶନୀୟ ବସ୍ତୁ ରୋମାନ୍‌ ସମୟହ ‘‘ବାଥ୍’’ । ରାଜାଙ୍କର ଓ ରାଣୀଙ୍କର ଅଲଗା, ଅଲଗା, ଅତି ସୁନ୍ଦର ସ୍ନାନାଗାର । ବାଥ୍‌ ଏକ ପ୍ରାଚୀନ ଐତିହାସିକ ସହର । ବାଥ୍‌ ମ୍ୟୁଜିୟମ୍‌ ଘଣ୍ଟାକରେ ବୁଲି ବୁଲି ସହରର ପ୍ରାଚୀନତା ଆଖିକୁ ଦୁଶିଲା । ଦୁଶିଲା ଇତିହାସର ଶୋଭାଯାତ୍ରା ।

 

ବାଥ୍‌ ଦେଖିସାରି ଇଂଲାଣ୍ଡର ସୁନ୍ଦର ଗ୍ରାମାଞ୍ଚଳ ଯାହାର ନାଁ Cotswold Country (ଅର୍ଥାତ୍‌ କଟ୍‌ସୋଲଡ଼୍ ପ୍ରଦେଶ)ରେ ପ୍ରବେଶ କଲୁ । ସମୁଦାୟ ଅଞ୍ଚଳଟି ବ୍ରିଟିଶ ସରକାର ଅତି ଯତ୍ନରେ ସୁରକ୍ଷିତ ରଖିଛନ୍ତି । ଅନେକ ଗାଁ ଭିତରୁ ଆମେ ଯୋଉ ଯୋଡ଼ିକ ଭଲ ଭାବେ ଦେଖିଲୁ ସେ ଦୁଇଟି ହେଲା Burton-on-water ଓ Bidurg । ଦୁଇଟିଯାକ ଗାଆଁରେ ସରୁ ପାଣିନାଳ ରାସ୍ତାକଡ଼ରେ । ସେଥିରେ କୁଳୁକୁଳୁ ସ୍ୱନରେ ଝରଣା ପରି ଅଣଓସାରିଆ ନାଳ ବହି ଚାଲିଛି । କଡ଼ରେ ରାସ୍ତା ଯାହାର ସିମେଣ୍ଟ ଆଚ୍ଛାଦିତ ଅଞ୍ଚଳରୁ ପାଣିଧାରଯାଏ ସାବ୍‌ଜା ଘାସରେ ଭରପୂର । କିଛି ବେଳ ପାଣିରେ ଗୋଡ଼ ଲମ୍ୱେଇ ବସିଲୁ । ବାସ୍ତବରେ ଉଠିବାକୁ ଇଚ୍ଛା ହେଉ ନ ଥାଏ । ଦୁଇଟିଯାକ ଗାଆଁ ଏକ ପ୍ରକାର । ଆଗେ ସେଠାରେ କିଛି ଲୁଗାବୁଣାଳି ତନ୍ତୀ ଥିଲେ (ଶୁଣି ଆଶ୍ଚର୍ଯ୍ୟ ହେଲି) ଏବେ ସେ ବେଉସା ବୁଡ଼ିଗଲାଣି । ପାଣିକୂଳ ଓ ରାସ୍ତାର ଦୁଇ କଡ଼ରେ ବଡ଼ ବଡ଼ ଗଛ, ସମଗ୍ର ଅଞ୍ଚଳଟି ଛାୟାଚ୍ଛନ୍ନ । ତା’ପରେ ଗଲୁ ପାଖ ଦୁଇ ଗାଆଁ । ତାଙ୍କ ନାଁ ଅଭୂତ – Upper slaughter ଏବଂ Lower slaughter । ଶୁଣିଲୁ ସେଠାରେ ମେଣ୍ଢାଙ୍କ ଲୋମ କଢ଼ାଯାଇ ବିକ୍ରି ହେଉଥିଲା । ତାକୁ ଟପି ପହଞ୍ଚିଲୁ ଛୋଟ ସହରଟିରେ; ତା’ର Stow-on-th-world । ଏ ଅଞ୍ଚଳରେ ଗାଁ ନାଆଁ ଦବାର ପଦ୍ଧତି ବଡ଼ ବିଚିତ୍ର । ସେଇଥିପାଇଁ କୌଳିକ କର୍ମ ବା ଗାଆଁର ବିଶେଷତ୍ୱ ଯାହା ସେଇ ଅନୁସାରେ ତାହା ନାମିତ ।

 

ସେଦିନର ଶେଷ ଯାତ୍ରା ଆଭନ୍‌ ନଦୀକୂଳର ସହର ଷ୍ଟ୍ରାଟ୍‌ଫୋର୍ଡ଼ ଅର୍ଥାତ୍‌ Stratford-on-Avonରେ । ଐତିହାସିକ ସହର, ଐତିହାସିକ ନଦୀ । ବିଶ୍ୱବିଖ୍ୟାତ ନାଟ୍ୟକାର ସେକ୍‌ସପିଅରଙ୍କ ଜନ୍ମସ୍ଥାନ । ଯେଉଁ ଛାତରେ ଟାଇଲ୍‌ ବିଛା ହୋଇଥିବା ଘରେ ସେ ସବୁଠୁଁ ବେଶି ଦିନ ରହିଥିଲେ ସେଇଟିକୁ ଯଥାରୀତି ସମ୍ଭବ ବ୍ରିଟିଶ ଗବେଷକ, ପ୍ରତ୍ନତତ୍ତ୍ୱବିତ୍‌ ଓ ଐତିହାସିକ ମିଳିମିଶି ଠିକ୍‌ ସେମିତି ରଖିବାର ପ୍ରୟାସ କରିଛନ୍ତି । ୬.୩୦ରେ ସହରରେ ପହଞ୍ଚି ଆମେ ୮ଟା ଯାଏ ରହିଲୁ । ସେକ୍ସପିଅରଙ୍କ ସ୍ମୃତିରେ ମନ ଭରିଯାଇଥାଏ । ତାଙ୍କର ସବୁ ନାଟକ ଓ ନାଟକଙ୍କର ଚରିତ୍ର, ତାଙ୍କର ବ୍ୟକ୍ତିଗତ ଜୀବନ, ପରିବାର, ବାପା ମାଆ ଏସବୁ ଆଜି ଇତିହାସର ବସ୍ତୁ ଯେମିତି ସେକ୍ସପିଅର୍‌ ସନେଟ୍‌ ବା ନାଟକ । ଘର ସାମ୍ନାରେ ସରୁ ରାସ୍ତାରେ ଛିଡ଼ା ହୋଇ ଆମେ ଲକ୍ଷ୍ୟ କରୁଥିଲୁ ଶତାଧିକ ଭିଜିଟର୍‌ଙ୍କୁ । ଆମେ ଆଉ ଅଧିକ ଡେରି ନ କରି ଫେରିଲୁ ବର୍ମିଂହାମ୍‌ । ତା’ପର ଦିନ ଜୁନ୍‌ ୩୦ ମୁନୁର ଜନ୍ମଦିନ । ଇଚ୍ଛା ଥାଏ ପୁଅର ଯଥାଯୋଗ୍ୟ ଜନ୍ମଦିନ ପାଳନ କରିବୁ ।

 

ଘରକୁ ଫେରି ବିଶ୍ରାମ ନେଲୁ । ଅଦ୍ୱୈତ (ନାତି) ଅଜା ଆଈଙ୍କ ଉପରେ ଅଧା ବାଟ ଶୋଇ ଶୋଇ ଆସିଲା । ବିଚାରା ଖୁବ୍ କ୍ଲାନ୍ତ ହୋଇପଡ଼ିଥିଲା । ମୁଁ ଭାବୁଥିଲି ସେ ଯେଉଁଦିନ ସେକ୍ସପିଅରଙ୍କୁ ପଢ଼ିବ ସେଇଦିନ କଥା ।

 

ତା‘ପରଦିନ ମୁନୁ ଜନ୍ମଦିନ ରୀତି ମୁତାବକ ମୋ ସ୍ତ୍ରୀ ପାଳନ କଲେ । ଗାଧୁଆପାଧୁଆ ସାରି ଟିକେ ପ୍ରାର୍ଥନା କଲେ । ମୁଁ ମଧ୍ୟ ସେଥିରେ ଯୋଗ ଦେଲି । ମୁନୁକୁ ସହଳ ସ୍ନାନ କରି ଧୀରସ୍ଥିର ଭାବରେ ମନେ ମନେ ପିଲାଦିନୁ ମୁଁ ଶିଖେଇଥିବା ଧ୍ୟାନ ମନ୍ତ୍ର, ମହାମୃତ୍ୟୁଞ୍ଜୟ ଶ୍ଲୋକ ଇତ୍ୟାଦି ଉଚ୍ଚାରଣ କରିବାକୁ କହିଲି । ସେ ତାହାହିଁ କଲା । ପିଲାଦିନୁ ‘ବାପାଙ୍କ’ କଥା ତା’ ପାଇଁ ସବୁଠୁଁ ବଡ଼ ଆଦେଶ ।

 

ସଂଧ୍ୟାରେ କିନ୍ତୁ ବିଶେଷ ଭଲ ଭାବରେ ଖାଇବାର ବ୍ୟବସ୍ଥା ହୋଇପାରି ନ ଥିଲା । ଆମେ ଚାରିଜଣ ଯାକ ବଜାରକୁ ଯାଇଥିଲୁ । ମୁନୁ ଭଣଜାକୁ ଅଧିକରୁ ଅଧିକ ଚକୋଲେଟ୍‌ ଖୋଇବାରେ ଲାଗିଗଲା । ଆଗରୁ ସିଏ କହିଥାଏ, ‘‘ଅଜା ଆଜି ପାର୍ଟି ହେବ ।’’

 

ଚକୋଲେଟ୍‌ରେ ସିଏ ସନ୍ତୁଷ୍ଟ ହେଲା କି ନାହିଁ ଜାଣିପାରିଲିନି । ଇଂଲଣ୍ଡର ସୁପ୍ରସିଦ୍ଧ କେତେକ ଅଞ୍ଚଳ ଏକାଠି ଦେଖିବାର ସୁଯୋଗ ମିଳିଥିଲା ।

 

ପ୍ୟାରିସ୍‌ :

ଇତିହାସ, ବିପ୍ଲବ ଓ ସଂସ୍କୃତିର ପ୍ରାଣକେନ୍ଦ୍ର

 

ପ୍ୟାରିସ୍‌ ପ୍ରଥମଥର ପରେ ବହୁଥର :

ପ୍ୟାରିସ୍‌: ଫେସନ୍, ସଂସ୍କୃତି, ସାହିତ୍ର, ଆଭିଜାତ୍ୟ, ବିଳାସ ସାମଗ୍ରୀର ବିପଣି ଓ ବିପ୍ଲବର ଇତିହାସ ସବୁ ମିଶି କେବଳ ୟୁରୋପର ନୁହେଁ ସମଗ୍ର ବିଶ୍ୱର ଅଦ୍‌ଭୁତ ସହର, ସଭ୍ୟତାର ଇତିହାସରେ ଅନବଦ୍ୟ ତା‘ ସ୍ଥାନ ।

 

କେମ୍ୱ୍ରିଜ୍‌ରୁ ମୁଁ ଓ ମୋ ବଂଧୁ ଅଜିତ୍‌ ମୁଖାର୍ଜୀ (ମେଜୋ) ଖୁବ୍‌ ଅଳ୍ପ ବଜେଟରେ ୟୁରୋରେଲ୍ ପାସ୍‌ ଧରି ପ୍ୟାରିସ୍‌ରେ ପହଞ୍ଚିଥିଲୁ ଓ ସେଠୁ ଜର୍ମାନୀର ବ୍ଲାକ୍‌ଫରେଷ୍ଟ, ବନ, କଲୋନ୍‌, ଆମଷ୍ଟରଡ଼ାମ୍‌, ବ୍ରସେଲସ୍‌ ହୋଇ କେମ୍ୱ୍ରିଜ୍‌ ଫେରିବା ସ୍ଥିର କରିଥିଲୁ । କିନ୍ତୁ ମୋତେ ଜଣା ନ ଥିଲା ଯେ ପ୍ୟାରିସ୍‌କୁ ଅନ୍ତତଃ ସାତଥର ସମୟକ୍ରମେ ଯିବି । ଏବେ ଲେଖିବାବେଳକୁ ମୋତେ ଲାଗିଲା ଯେ, ଭିନ୍ନ ଭିନ୍ନ ଯାତ୍ରାରେ ଭିନ୍ନ ଭିନ୍ନ ଅନୁଭବକୁ ଏକତ୍ର କରି ଏକାଥରେ ପ୍ରକାଶ କଲେ ବୋଧହୁଏ ଭଲ ହେବ । ଅନୁଭବ କେଭେ ଏକକ ରହେନି, ସମୟକ୍ରମେ ମିଶିଯାଏ ।

 

ସେ ସମୟ ଆସିଥିଲା ଯେବେ ୧୯୯୩-୯୫ ଦୁଇବର୍ଷରୁ ଅଧିକ ସଂସ୍କୃତି ସଚିବ ରହିଲି ଓ ୟୁନେସ୍କୋର World Decade for Cultural Developmentର ୩୫ ରାଷ୍ଟ୍ର-ବିଶିଷ୍ଟ କମିଟିର ଦୁଇବର୍ଷ ପାଇଁ ପ୍ରେସିଡେଣ୍ଟ ରହିଲି । ସେତେବେଳେ ଆମର ୟୁନେସ୍କୋରେ ପ୍ରତିନିଧି ନୀନା ସିବଲ୍‌ ମୋ ପାଇଁ ୟୁନେସ୍କୋ ଅଫିସ୍‌କୁ ଚାଲି ଚାଲି ପହୁଞ୍ଚିବା ଦୂରତାରେ ହୋଟେଲ ରହଣି ବ୍ୟବସ୍ଥା କରୁଥିଲେ । ମୁଁ ଏସିଆ-ଫାସିଫିକ୍‌ ଅଞ୍ଚଳର ପ୍ରତିନିଧି ଭାବେ ଥିଲି ପ୍ରେସିଡେଣ୍ଟ । ସେହିପରି ପୂର୍ବ ୟୁରୋପ, ପଶ୍ଚିମ ୟୁରୋପ, ଆଫ୍ରିକା, ଲାଟିନ୍‌ ଆମେରିକା ଓ ଆରବ ବିଶ୍ୱପାଇଁ ଆଉ ୫ ଜଣ ଭାଇସ୍‌-ପ୍ରେସିଡେଣ୍ଟ ରହିଥିଲେ । World Decadeର ସ୍ୱୟଂସମ୍ପୂର୍ଣ୍ଣ ସେକ୍ରେଟାରୀଏଟ୍‌ ଥିବା ଯିଏ ମୋତେ ଓ କମିଟିକୁ ସାହାଯ୍ୟ କରେ । ଭାଇସ୍‌-ପ୍ରେସିଡ଼େଣ୍ଟମାନଙ୍କ ନାମ ଏହିପରି । ପୂର୍ବ ୟୁରୋପ : ରୋମାନିଆରେ ଅଧ୍ୟାପକ ଓ Literary Romaniaର ସଂପାଦକ ୟୁଜେନ୍‌ ସିମିଅନ୍‌; ପଶ୍ଚିମ ୟୁରୋପ ପାଇଁ ପର୍ତ୍ତୁଗାଲ୍‌ର ହେଲେନା ଭାଭା ବା ସିଲ୍‌ଭା; ଆଫ୍ରିକା ପାଇଁ ସୁଦାନର ସବିର ଏଲ୍‌ ବିକ୍ରି; ଲାଟିନ୍‌ ଆମେରିକା ପାଇଁ କ୍ୟୁବାର ଫ୍ରାନ୍‌ସିସ୍କୋ ଲୋପେଜ୍‌ ସେଗ୍ରେରା; ଆରବ-ବିଶ୍ୱ ପାଇଁ ମିଃ ଚିମ୍‌ୱାଜା । ଏଇ ୫ ଜଣ ଭାଇସ୍‌ ପ୍ରେସିଡେଣ୍ଟ ନିଜ ନିଜ ଦେଶରେ ଉଚ୍ଚ ପଦବୀର ଅଧିକାରୀ ଥିଲେ । ଯେମିତି ବସିର ଏଲ୍‌. ବକ୍ରି ଫ୍ରାନ୍ସରେ ସୁଦାନର ପୂର୍ବତନ ରାଷ୍ଟ୍ରଦୂତ ଓ ସୁଦାନ ନ୍ୟାସନାଲ୍‌ ବ୍ୟାଙ୍କର ଚେୟାରମାନ୍‌ । ଆମ ସେକ୍ରେଟାରିଏଟ୍‌ ମୁଖ୍ୟ ଥାଆନ୍ତି ଫ୍ରାନ୍ସର ହାର୍ଭେ ବାରେ । ମୋର ୨ବର୍ଷର ପ୍ରେସିଡେଣ୍ଟ ଦାୟିତ୍ୱ ଭିତରେ ୫ ଥର ଆନ୍ତଃ-ରାଷ୍ଟ୍ର କମିଟି ମିଟିଂ ହୋଇଥିଲା ଏବଂ ପ୍ରତ୍ୟେକଟିରେ ୟୁନେସ୍କୋ ଡାଇରେକ୍ଟର ଜେନେରାଲଙ୍କୁ ରିପ୍ରେଜେଣ୍ଟ କରି ତାଙ୍କ ଜଏଣ୍ଟ ଡିରେକ୍ଟର ଜେନେରାଲ୍‌ ହେନରୀ ଲୋପେଜ୍‌ କମିଟିରେ ଯୋଗ ଦେଉଥିଲେ । କିନ୍ତୁ ବେଳେବେଳେ ନିଜେ ଡିରେକ୍ଟର ଜେନେରାଲ ଯୋଗ ଦେଉଥିଲେ । ତାଙ୍କ ନାଁ ଫେଡ଼େରିକୋ ମାୟୋର । ସେ ସ୍ପାନିଶ ଏବଂ ସ୍ପାନିଶ୍‌ ଭାଷାରେ ବି କବିତା ଲେଖନ୍ତି । ତେତେବେଳେକୁ ମୋର ବଡ଼ କବିତା ସଂକଳନଟିଏ ସ୍ପାନିଶ୍‌ରେ (ଶ୍ରୀକୃଷ୍ଣଙ୍କ ମୃତ୍ୟୁ ଓ ଅନ୍ୟାନ୍ୟ କବିତା) ପ୍ରକାଶିତ ହୋଇସାରିଥାଏ ଏବଂ ସେଥିରେ ସୁପ୍ରସିଦ୍ଧ ଜନୈକ ସ୍ପାନିଶ୍‌ ଚିତ୍ରକାର, ଆଲ୍‌ମା ରିଭୋରାଙ୍କ ତିନୋଟି ଚିତ୍ର ବି ସ୍ଥାନିତ ହୋଇଥାଏ । ସେଇଟିକୁ ଫେଡ଼େରିକଙ୍କୁ ଉପହାର ଦେଇଥିଲି । ପେଡ଼େରିକୋ ତାଙ୍କ ସ୍ପାନିଶ୍‌ କବିତାର ଇଂରେଜୀ ଅନୁବାଦ ସଂକଳନ Patterns ମୋତେ ଦେଇଥିଲେ । ୨ ଥର ଆମ ଆନ୍ତଃ-ରାଷ୍ଟ୍ରୀୟ ମିଟିଂରେ UN Chief Perez de Cuellar (ପେରେଜ ଦେ କୁଏଲାର) ମଧ୍ୟ ଯୋଗ ଦେଇଥିଲେ । ଏଇଠି କହିବା ପ୍ରୟୋଜନ ଯେ, ପରେ ପରେ Unesco Commission for Culture and Development ନାମ ଏକ କମିଶନ କାର୍ଯ୍ୟ କଲା । ଆନ୍ତଃରାଷ୍ଟ୍ରୀୟ କମିଟି ସଭାପତି ଭାବେ ମୁଁ ଏଥିରେ ସଦସ୍ୟ ଭାବେ କାମ କରିଥିଲି । ଏ କମିଶନ ବିଭିନ୍ନ ଜାଗାରେ (ଟୋକିଓ, ପ୍ରିଟୋରିଆ, ମସ୍କାଟ, ନିୟୁର୍କ ଇତ୍ୟାଦି ସ୍ଥାନୀୟ ସ୍କଲାରମାନଙ୍କ ସହ ବାର୍ତ୍ତାଳାପ କରିବା ପାଇଁ ମିଟିଂ କରାଇଥିଲେ । ମୁଁ ଉପରୋକ୍ତ ୪ଟିରେ ଯୋଗ ଦେଇଥିଲି । ଆଉ ବୋଧହୁଏ ଦୁଇଟିରେ ଯୋଗ ଦେଇପାରି ନ ଥିଲି ।

 

୧୯୬୮ ରେ ପ୍ୟାରିସ୍‌ ଆସିବା କଥା ଲେଖୁ ଲେଖୁ ମୁଁ ଦେଖୁଛି ଏତେ ବାଟ ଦୂରକୁ (ସମୟକ୍ରମେ) ପଳାଇଆସିଲିଣି । ଉଦ୍ଦେଶ୍ୟ ଏତିକି ଯେ, ୧୯୬୮ରେ ସାମାନ୍ୟ ଫେଲୋସିପ୍‌ ଅର୍ଥରୁ ବଂଚେଇ ଆମେ ଦୁଇ ବଂଧୁ ସାହସିକ ଯାତ୍ରା (Adventure)ରେ ବାହାରିଥିଲୁ । ସେଇ କାରଣରୁ ପରେ ସିନା ପାରିସ୍‌ ଦେଖିବା ଓ ତା’ର ସବୁ ସାଂସ୍କୃତିକ ସଂପଦ ଦେଖିହେଲା । ୧୯୬୮ରେ ଚାଲି ଚାଲି ବା ମେଟ୍ରୋ ଧରି ଆପଣା ଉପାୟରେ ଆମେ ଅନେକ କିଛି ଦେଖିପାରିଥିଲୁ । ଆଗରୁ ଯାହା ଲେଖିଛି ପରେ ପ୍ୟାରିସ୍‌ ‘ଚରାଭୂଇଁ’ ହେଲା ସିନା କିନ୍ତୁ ୧୯୬୮ର ପ୍ରଥମ ପ୍ରେମ ଅଭୁଲା ରହିଛି, ତା’ର ବିକଳ୍ପ ନାହିଁ । ପ୍ୟାରିସ୍‌ରେ ପହଞ୍ଚି ପ୍ରଥମ ଦିନ ଏଇଫିଲ୍‌ ଟାୱାର ଦେଖିବାକୁ ଗଲୁ ।

 

ଏଇଫିଲ୍‌ ଟାୱାର :

ପ୍ୟାରିସ୍‌ ରହଣି ଭିତରେ ସ୍ୱାଭାବିକଭାବେ ଆମେ ଟାୱାର ଭଲଭାବେ ଦେଖିଲୁ । ଇଏ ଥିଲା ପ୍ରଥମ ପ୍ୟାରିସ୍‌ ଦର୍ଶନ । ପ୍ୟାରିସ୍‌ର I Iron Lady ବୋଲି ତା’ର ଅନ୍ୟ ନାଁ । ଛିଡ଼ା ହୋଇଛି ୧୮୮୯ ଖ୍ରୀଷ୍ଟାଦ୍ଦରୁ । ଫରାସୀ ରାଷ୍ଟ୍ର ବିପ୍ଲବର ଠିକ୍‌ ଶହେ ବର୍ଷ ପରେ ଏଇଟି ଗଢ଼ା ହୋଇଛି । ସିନ୍‌ ନଦୀର ବାମକୂଳରେ ସାଁ ଦେ ମାର୍‌ (Champ de Mars)ର ମଧ୍ୟସ୍ଥଳରେ । ୭୩୦୦ ଟନ୍‌ର ଟାଣୁଆ ଲୁହାରେ ନିର୍ମିତ ଓ ଉଚ୍ଚତା ୩୨୪ ମିଟର । ଏକଦା ପୃଥିବୀର ସବୁଠୁଁ ଉଚ୍ଚ ଟାୱାର ଥିଲା । ୧୯୩୦ରେ ଏ ବୈଶିଷ୍ଟ୍ୟ ହରେଇ ବସିଲା ଯେତେବେଳେ ନିୟୁର୍କ ସହରରେ କ୍ରାଇସ୍ଲର ବିଲ୍‌ଡ଼ିଂ ତିଆରି ହେଲା । ୩୧ ମାର୍ଚ୍ଚ ୧୮୮୯ରେ ଏଇମଣିଷ ତିଆରି ସବୁଠୁଁ ଉଚ୍ଚ ଟାୱାର ସର୍ବସାଧାରଣଙ୍କ ପାଇଁ ଖୋଲା ହେଲା । ପ୍ୟାରିସ୍‌ Skylineର ଏଇଟି ସବୁଠୁଁ ସୁନ୍ଦର, ସତେଜ, ଟାଣୁଆ ଚିହ୍ନ । ବର୍ଷାରେ, ଶୀତଦିନ ବରଫରେ ଘନ କୁହୁଡ଼ିରେ ଏବଂ ଶରତଋତୁରେ ଆଖପାଖ ଗଛବୃଛ ରଂଗିନ ହୋଇ ପତ୍ର ଝାଡ଼ିଲାବେଳେ ସବୁ ଋତୁରେ ତା’ର ବୈଶିଷ୍ଟ୍ୟ ଅତୁଟ ରହେ । ଦୂରରୁ ବେଞ୍ଚରେ ବସି ବହୁ ସମୟ ଅନେଇଥିଲୁ । ପାଖରୁ ବେକ ଭାଙ୍ଗି ବି ଅନେଇଥିଲୁ । ରାତିରେ କୋଡ଼ିଏ ହଜାର Flash ବଲ୍‌ବ ଜଳେ ଓ ଦୂରରୁ ବି ଅତି ସୁନ୍ଦର ଦିଶେ । ହାରାହାରି ଦିନକୁ ୨୦ ହଜାର ଟୁରିଷ୍ଟ ଆସନ୍ତି । ପ୍ରବେଶ ଖୋଲା ରହେ ସକାଳ ୯ ରୁ ରାତି ୧୨ ଯାଏ । ଟାୱାରର ଦାୟିତ୍ୱରେ ଥିବା ବ୍ୟକ୍ତି ଆମକୁ ବୁଝାଇଲେ ଯେ, ୧୮୮୯ରୁ ଏ ଯାଏ (ଆମେ ଯାଇଥାଉ ୧୯୬୮ରେ) ଟାୱାରର କିଛି ପରିବର୍ତ୍ତନ ହୋଇନି । ପ୍ରତି ୬ ମାସରେ ସବୁ କେବଲ୍ ଚେକ୍‌ କରାଯାଏ । ପ୍ରତି ୬ ବର୍ଷରେ ବଦଳାଯାଏ; କାରଣ ଖରାବର୍ଷା ବରଫରେ କ୍ଷୟକ୍ଷତି ଯୋଗୁଁ କଂପ୍ୟୁଟର ସ୍କ୍ରିନ୍‌ର ଦାୟିତ୍ୱରେ ଥିବା ବି‌ଶେଷଜ୍ଞ ବରାବର ଦେଖନ୍ତି ଯେମିତି କୋଉଠି ଦୁର୍ବଳ ଅଂଶ ଆଖିରେ ପଡ଼ିବ ।

ଟାୱାରଟିର ଡିଜାଇନ୍‌ର ଥିଲେ gustav Eiffel, ତାଙ୍କରି ତତ୍ତ୍ୱାବଧାନରେ ଗୋଟିଏ ବଡ଼ ଇଂଜିନିୟର୍‌ ଆର୍କିଟେକ୍ଟ, ଜଳବାୟୁ ବିଶେଷଜ୍ଞ, ମେଟାଲର୍ଜିଷ୍ଟ ପରିବାର ଏଇଟି ଗଢ଼ିଥିଲେ । ୧୯୪୦ରେ ଯେତେବେଳେ ନାଜି ଆକ୍ରମଣ ହେଲା ଏଲିଭେଟର କେବଲ୍‌ ସବୁ କାଟି ଦିଆଯାଇଥିଲା ଯେମିତି ସେମାନେ ସବା ଉପରକୁ ଯାଇ ସ୍ୱସ୍ତିକ ଚିହ୍ନର ପତାକା ଉଡ଼େଇପାରିବେନି । ଏଇଫିଲ୍‌ ଟାୱାରକୁ ନେଇ ପ୍ୟାରିସ୍‌ ଓ ଫ୍ରେଞ୍ଚଲୋକଙ୍କର ଗର୍ବ ।

 

ଆମେ କଷ୍ଟକରି (ବୟସ କମ୍‌ ଥାଏ ତ) ତୃତୀୟ ମହଲାଯାଏ ଚଢ଼ିଥିଲୁ । ସେଇ ମହଲାରେ ଗୋଟିଏ ଫ୍ରେଞ୍ଚ ସାଂପେନ୍‌ ବାର (ମଧୁଶାଳା) – ସେଥିରେ ଦୈନିକ ହାରାହାରି ୧୦୦ ବୋତଲ ସାଂପେନ୍‌ ବିକ୍ରି ହୁଏ । ପାଠକେ ଜାଣିଥିବେ ସାଂପେନ୍‌ ବୋତଲ ଏବେ ଖେଳରେ ସ୍ବାର୍ଲଡ଼୍‌ କପ୍‌ରେ ଜିତିଥିବା ଖେଳାଳି ପରସ୍ପର ଉପରକୁ ବୋତଲ ଠିପି ଖୋଲି ପିଚ୍‌କାରୀ ପରି ପକୋଉଛନ୍ତି । କେମ୍ୱ୍ରିଜ୍‌ରୁ ଯାଇଥିବା ଆମେ ଦୁଇ ‘‘ଟୁରିଷ୍ଟ’’ ବଂଧୁ ସର୍ବନିମ୍ନ ଖର୍ଚ୍ଚରେ ଚଳିବା ପାଇଁ ଚେଷ୍ଟାଚରିତ୍ର କରି ଲାଗିଥାଉ । ସାଂପେନ ବୋତଲକୁ ଅନେଇବା ଓ ଚିହ୍ନିବା ଛଡ଼ା ଆଉ କିଛି କରିବାର ସମ୍ୱଳ ନ ଥିଲା । ଟୁରିଷ୍ଟମାନଙ୍କ ପାଇଁ ଫ୍ରେଞ୍ଚ, ସ୍ପାନିଶ୍‌, ଜର୍ମାନ ଓ ଇଟାଲିଆନ୍‌ ଭାଷାଭାଷୀ ଗାଇଡ଼୍‌ ଥାଆନ୍ତି ।

 

ଆମ ଗାଇଡ଼ଠୁଁ ଶୁଣିଲୁ ଥରେ ଅଧେ ଟାୱାରରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଦି’ଜଣ । ବିଦେଶୀ ବର ଓ କନ୍ୟା ୩ ମହଲାକୁ ଯାଇ ପରସ୍ପରକୁ ବିବାହ ମୁଦି ବି ପିନ୍ଧେଇ ଦିଅନ୍ତି । ଶୁଣିଲୁ ଜଣେ କନ୍ୟା ଆଙ୍ଗୁଠିରେ ହୀରକ ମୁଦ୍ରିକା ପିନ୍ଧୋଉ, ପିନ୍ଧୋଉ ସେଇଟି ଗଳି ପଡ଼ିଲା । ବିଚାରାଙ୍କୁ ଓହ୍ଲେଇ ମୁଦି ପିନ୍ଧିବା କାର୍ଯ୍ୟ କରିବାକୁ ପଡ଼ିଥିଲା ।

 

ଏଇଫିଲ୍‌ ଟାୱାରରୁ ପ୍ରଥମେ Notre Dame (Out Lady)କୁ ଯାଇଥିଲୁ । ସିନ୍‌ ନଦୀ ସେଇଟି ଅଳ୍ପ ଦୂରପାଇଁ ଛୋଟିଆ ଦ୍ୱୀପ ପରି ହୋଇଛି ଓ ଦୁଇ ଆଡ଼େ ତା’ର ଦୁଇ ଧାର ପ୍ରବାହିତ । Hunchback of Notre Dame ବହି ପଢ଼ିଥିଲି ଆଗରୁ । ଟୁରିଷ୍ଟଙ୍କ ଏଠି ଅସମ୍ଭବ ଭିଡ଼ । ପୃଥିବୀର ପ୍ରସିଦ୍ଧ ଚର୍ଚ୍ଚ ବା ବାସିଲିକା ଭିତରେ ଏହାର ପ୍ରମୁଖ ସ୍ଥାନ, ପ୍ୟାରିସ୍‌ର ବିଶ୍ୱବିଶ୍ରୁତ ଲାଣ୍ଡମାର୍କ । ଆମେ ଭିତରେ କିଛି ୗସମୟ ବସିଲି, ବାହାରେ ବୁଳି ବେକ ଭାଙ୍ଗି ଅନେଇଲୁ । ପ୍ରଥମ ଓ ଦ୍ୱିତୀୟ ମହଲା ହୋଇ ଏଇ ଯୁଗଳବନ୍ଦୀ ବାସିଲିକାର ଅନତିକ୍ରମଣୀୟ ସୌନ୍ଦର୍ଯ୍ୟ ଉପଭୋଗ କଲୁ । ଯୁଗଳବନ୍ଦୀ ଯୁବକ ଯୁବତୀ ଠୁଙ୍ଗାରେ ଖାଦ୍ୟ ଧରି ସିନ୍‌ ନଦୀକୂଳରେ ବସି ଖାଉଥାଆନ୍ତି । ମେଜୋ କ୍ଷୁଧା ପ୍ରଶ୍ନ ଉଠେଇବାରୁ ଆମେ ‘‘ଜ୍ୟାକେଟ୍‌ ପଟାଟୋ’’ ଓ ‘ବାଗୁଏଟ୍‌’ ଖାଇଲୁ; ତା’ ସହ ପପ୍‌କର୍ଣ ।

 

ମୁଁ ସବୁବେଳେ ଆମେରିକାନ୍‌ ଟୁରିଷ୍ଟଙ୍କୁ ସମାଲୋଚନା କରିଥାଏ ଯେ, ହୁଏତ ୧୦ଟି ଦର୍ଶନୀୟ ତାଲିକା Lonely Planet ବା ଟୁରିଜମ୍‌ ଅଫିସ୍‌ରୁ ଧରି ଗୋଟିଏ ପରେ ଗୋଟିଏରେ (Done, ମାନେ ଦେଖିଲୁ) ଚିହ୍ନିତ କରନ୍ତି । ଏତରକ, ଏଇ ପ୍ରଥମ ପ୍ରେମ ଅଧ୍ୟାୟରେ ବାଧ୍ୟତଃ ସେମିତି କରିଥିଲୁ । ପ୍ୟାରିସ୍‌ର ଇତିହାସ ପଢ଼ି ମ୍ୟାପ ଧରି ବୁଲିଥିଲୁ । ହଠାତ୍‌ ଗୋଟି, ସ୍ମରଣୀୟ ଘଟଣା ମନେପଡ଼ିଗଲା । ମୁଁ ଫ୍ରେଞ୍ଚରେ ଡିପ୍ଲୋମା କରିଥିଲି । ଫରାସୀ ଆଧୁନିକ କବିତା ଓ ତା’ର ଇଂରାଜୀ ଅନୁବାଦ ଥିବା ଦ୍ୱିଭାଷୀ ବହି ପଢ଼ୁଥିଲି ଯାହା ଫଳରେ ଇଂରେଜୀ ଫ୍ରେଞ୍ଚ ଏକାଠି ତୁଳନା କରି ଫ୍ରେଞ୍ଚ ଜ୍ଞାନ ବଢ଼ାଇଥିଲି । ସେତେବେଳେ ଫ୍ରେଞ୍ଚ ଜ୍ଞାନ ଟିକେ ଥିଲା । ହୋଟେଲରେ ଚେକ୍‌ଇନ୍‌ କରି ବାହାରିଗଲା ବେଳେ ମୁଁ ଫ୍ରେଞ୍ଚରେ ମେଟ୍ରୋ ଅର୍ଥାତ୍‌ ଅଣ୍ଡରଗ୍ରାଉଣ୍ଡ ଟ୍ରେନ୍‌ କେତେ ରାତିଯାଏ ଚାଲେ ବୋଲି ରିସେପ୍‌ସନ୍‌ରେ ପଚାରି ଦେଇଥିଲି । ତା’ ସକାଳୁ ମୋ ଦୁଃଖ କହିଲେ ନ ସରେ । ସେମାନେ ମୋତେ ସବୁ କଥା ଫ୍ରେଞ୍ଚରେ ରହିବାକୁ ଲାଗିଲେ । ଅଗତ୍ୟା ମୋତେ ‘ସତ୍ୟପାଠ’ କରିବାକୁ ହୋଇଥିଲା । ଜାରିଥିଲି ଫ୍ରେଞ୍ଚ ଲୋକେ ତାଙ୍କ ଭାଷାକୁ ପୃଥିବୀର ସବୁଠୁଁ ପ୍ରସିଦ୍ଧ ବୋଲି ବିଚାରନ୍ତି । ଇଂରେଜୀକୁ ସାଧାରଣତଃ ଅବଜ୍ଞା କରନ୍ତି । ନେପୋଲିଅନ୍‌ ଇଂରେଜ ଲୋକଙ୍କୁ ତାଚ୍ଛଲ୍ୟ କରି କହିଥିଲେ, ‘‘a nation of shopkeepers’’ ଅର୍ଥାତ୍‌ ଦୋକାନୀ ଜାତିଟିଏ । ତୁମେ ଦୁଇପଦ ଫ୍ରେଞ୍ଚ କହିଲେ ତାଙ୍କୁ କୋଟିନିଧି ପରି ଲାଗେ ଓ ବନ୍ଧୁତ୍ୱ ଡୋରରେ ବାନ୍ଧି ପକାନ୍ତି ।

 

ସିନ୍‌ ନଦୀ ଓ ଗାନ୍ଧିଜୀ :

ଏଇଫିଲ୍‌ ଟାୱାର ପରେ ସିନ୍‌ ନଦୀ କୂଳରେ ବୁଲିଲୁ । ସେଠି ବହୁ ସଂଖ୍ୟାରେ ଆର୍ଟିଷ୍ଟ ବସି ଚିତ୍ର କରୁଥାନ୍ତି । ଏକଥା ବି ବହିରୁ ପଡ଼ିଥିଲୁ । ନଦୀ ଆରପଟେ ପ୍ରସିଦ୍ଧ Trocadero ଅଞ୍ଚଳ ବୁଲି ଦେଖିଲୁ । ତା’ ଆଗରୁ Invalides ଯେଉଁଠି ନେପୋଲିଅନ୍‌ଙ୍କୁ ସମାଧି ଦିଆଯାଇଛି ଓ ବିଶାଳ ସ୍ମୃତି-ସ୍ମାରକୀ କୋଠା ତା’ ଭିତରେ ବୁଲିଆସିଲୁ । ପାଠକେ ଜାଣିଥିବେ ସେଣ୍ଟ ହେଲେନାରୁ ବନ୍ଦୀଭାବେ ମୃତ୍ୟୁ ପରେ ଅନୁରକ୍ତ ଫରାସୀ ଜାତି ତାଙ୍କ ପାଇଁ ୧୮୪୦ ମସିହାରେ ଏଇ Invalidesଟି ତିଆରି କରିଥିଲେ ।

 

ସିନ୍‌ ନଦୀ ଉପରେ ବହୁତ ପୋଲ (ଟେମ୍‌ସ ନଦୀ ପରି) । ସବୁଠୁଁ ପ୍ରସିଦ୍ଧ ପୋଲ Port Neuf । ସେଇ ପୋଲ Palais Royal, ଆଗ ନାଁ ଥିଲା Palais Cardinal ପାଖରେ । ଆମେ ସିନ୍‌ ନଦୀ ଆରକୂଳେ ବୁଲିବାବେଳେ ମହାତ୍ମାଗାନ୍ଧୀ ମନକୁ ଆସିଲେ । ସୁଏ ଫେରୁଥାନ୍ତି ଲଣ୍ଡନର ଦ୍ୱିତୀୟ ଗୋଲଟେବୁଲ୍‌ ବୈଠକରେ ଯୋଗ ଦେଇସାରି ପ୍ୟାରିସ୍‌ ବାଟେ ଜେନେଭାରେ ରୋମାଂରୋଲାଙ୍କୁ ଭେଟିବାକୁ । ପ୍ୟାରିସ୍‌ରେ ୫ ଡିସେମ୍ୱର ୧୯୩୧ କିଛି ଲୋକ ତାଙ୍କୁ ସାକ୍ଷାତ୍‌ କରିଥିଲେ । ଜଣାଶୁଣା କିଛି ପତ୍ରକାର ଓ ନେତା ତାଙ୍କ ମିଟିଂ ଆୟୋଜନ କରିଥିଲେ । ସେଥିରେ ପ୍ରମୁଖ ଥିଲେ ପତ୍ରକାର ରବର୍ଟ ଗୋଥିୟର । ପ୍ରସିଦ୍ଧ ପାରିସ୍‌ ପତ୍ରିକା Le Tempsରେ ସେ ଲେଖିଥିଲେ ମିଂର ପରିବେଶ ଥିଲା କିଛି ପରିମାଣରେ ସର୍କସ, କିଛି ପରିମାଣରେ ନୃତ୍ୟଶାଳା ପରି । ରୁମ୍‌ ଖୁବ୍‌ ଗରମ ଥିଲା । ଆଉ ଜଣେ ରିପୋର୍ଟର ଜର୍ଜ ସୁଆରେସ୍‌ ଲେଖିଥିଲେ, “Mahatma Gandhi proved himself to be a great comic. He a[[reared crusted by his lamentable half-nakedness.”

 

ଗାନ୍ଧିଜୀ ପ୍ୟାରିସ୍‌ରେ ପହୁଞ୍ଚିଲା ସମୟକୁ ସିଏ ଆନ୍ତର୍ଜାତୀୟ ଖ୍ୟାତି ଲାଭ କରିସାରିଥିଲେ । କିନ୍ତୁ ପ୍ୟାରିସ୍‌ର ପତ୍ରିକାର ଏମିତି ‘ଜୋକରାମି’ ପ୍ରିୟ । ଦାଣ୍ଡି ମାର୍ଚ୍ଚ ଓ ଲବଣ ସତ୍ୟାଗ୍ରହ ସଂପର୍କରେ ’Saint and Satan’ ଗୋଟିଏ ବିଦ୍ରୂପାତ୍ମକ କବିତାର ଶେଷଧାଡ଼ି ଏମିତି ଥିଲା :

 

Sugar was Sweet

But contraband salt was sweeter!

କିନ୍ତୁ ଦାୟିତ୍ୱସଂପନ୍ନ ଅନ୍ୟ ପତ୍ରକାର ଓ ଲେଖକମାନେ ଲବଣ ସତ୍ୟାଗ୍ରହର ବହୁ ପ୍ରଶଂସାମୂଳକ ଲେଖା ଲେଖିଥିଲେ । ବ୍ରିଟିଶ ସରକାରଙ୍କ ଅମାନୁଷିକ ଅତ୍ୟାଚାର ସତ୍ତ୍ୱେ ଗାନ୍ଧିଜୀଙ୍କ ‘ଦାଣ୍ଡିମାର୍ଚ୍ଚ’ ବହୁତ କାଜଜରେ ପ୍ରକାଶିତ ହୋଇଥିଲା । ଜାନୁୟାରୀ ୧୯୩୧ରେ ଟାଇମ୍‌ ମାଗାଜିନ୍‌ କଭର୍‌ ପୃଷ୍ଠାରେ ଗାନ୍ଧିଜୀଙ୍କ ଫଟୋ ଦେଇ ତାଙ୍କୁ Man of the year ଭାବେ ନାମିତ କରିଥିଲେ । ମହାଦେବ ଦେଶାଇ ଜାଣିଥିଲେ ଗାନ୍ଧିଜୀ କ୍ଲାନ୍ତ ହୋଇପଡ଼ିଥିଲେ । ପରେ ପ୍ୟାରିସ୍‌ରୁ ମାର୍ଶେଲିସ୍‌ ଯାତ୍ରା କରିଥିଲେ । ସେଠାରେ ତାଙ୍କୁ ବିପୁଳ ସଂବର୍ଦ୍ଧନା ଦିଆଯାଇଥିଲା । ତା‘ ପରିସରରେ କିଛି ବେଳ ବୁଲିଲୁ । ୧୨୫୩ରେ ପ୍ରତିଷ୍ଠିତ ଏଇ ବିଶ୍ୱବିଦ୍ୟାଳୟ ଆଉ ଟିକେ ପୁରୁଣା (୧୨୧୫ରେ ପ୍ରତିଷ୍ଠିତ) । ହ୍ୟୁଗୋ, ବୋଦ୍‌ଲେୟାର (ସେ ଏଠାରୁ Expel ହୋଇଥିଲେ), ମୋଲିଏର୍‌ ଏବଂ ଭୋଲ୍‌ତେୟାର ଏଠି ଛାତ୍ର ଥିଲେ ।

 

ବାସ୍ତାଇଲ ଦୁର୍ଗ ପତନର ବେଳ :

ସେଦିନ ଆମେ ବାସ୍ତାଇଲ୍‌ ଦୁର୍ଗର ରହିଥିବା ଅବଶିଷ୍ଟାଂଶ ଦେଖିବାକୁ ଗଲୁ । ବାସ୍ତାଇଲର ପତନ (୧୭୮୯) ଫରାସୀ ରାଷ୍ଟ୍ରବିପ୍ଲବର ପ୍ରଥମ ଓ ଶ୍ରେଷ୍ଠ ତୂର୍ଯ୍ୟନାଦ । ଫରାସୀ ରାଷ୍ଟ୍ର ବିପ୍ଲବ ବିଷୟରେ ଏତେ ବହି, ଏତେ ’ସାହିତ୍ୟ’ ରଚିତ ସେ କଥା ବେଶି ନ କହିଲେ ବି ଚଳିବ । ସମ୍ରାଟ୍‌ ଚତୁର୍ଦ୍ଦଶ ଲୁଇଙ୍କ ଅମଳରୁ ଏ ବିପ୍ଲବର ମଂଜି ପୋତାହୋଇ ଷୋଡ଼ଶ ଲୁଇ ଏବଂ ତାଙ୍କ ସ୍ତ୍ରୀ ମେରୀ ଫାଶୀ ଚଢ଼ିବାଯାଏ (Guillotine) ଏ ସମୟ ଖର୍ଡର ପରିସୀମା । ଆମେ ଜାଣିଛେ ଫ୍ରେଞ୍ଚ ସାଧାରଣ ଜନତା କ୍ଷୁଧିତ ଥିବାରୁ ସେମାନଙ୍କୁ ଶୁଣିବାକୁ ପଡ଼ିଥିଲା, ‘‘ଯଦି ରୁଟି ମିଳୁନି ତେବେ କେକ୍‌ ଖାଉନା’’ । ସେଇ ଶ୍ଲେଷ Place de la Concordeର ବହି ଚାଲିଥିବା ଭୟଙ୍କର ରକ୍ତସ୍ରୋତରେ ସମାପ୍ତ ହୋଇଥିଲା । ଭୋଲ୍‌ତେୟାର, ରୋବେସ୍ପେରି ଏ ସବୁ ନାମ ଇତିହାସର କଥାବସ୍ତୁ । ଏବେ Concorde ଚାରିପଟେ ଅଗଣିତ କାର୍‌ର ସ୍ରେତା । ସେମାନଙ୍କ ଭିତରୁ କିଛି ଅପେରାହାଉସ (୧୮୭୫ରେ ପ୍ରତିଷ୍ଠିତ) ଆଉମାନେ ସାଂଜେ ଲିଜେର ଅତି ରମଣୀୟ ରାସ୍ତା ଯାହାକୁ ସ୍ୱର୍ଗପୁରୀ ବୋଲି ଟୁରିଷ୍ଟମାନେ କହିଆସିଛନ୍ତି ସେ ଆଡ଼େ ବାହାରିଯାଆନ୍ତି । ସାଂଜେ ଲିଜେର ଆଲୋକ ସଜ୍ଜା, ପ୍ରଶସ୍ତ ରାସ୍ତା (ଗାଡ଼ିର ସ୍ରୋତ ପାଇଁ, ପଦାଚାରୀଙ୍କ ପାଇଁ ଏବଂ ସାମାନ୍ୟ ପଛକୁ ରେସ୍ତୋରାଁମାନଙ୍କ ପାଇଁ)ର ଅପରୂପ ସୌନ୍ଦର୍ଯ୍ୟ ନ ଦେଖିଲେ ବିଶ୍ୱାସ କରିହେବନି । ଦୁଇପଟେ ଛୋଟ ପ୍ରାସାଦ, ବଡ଼ ପ୍ରାସାଦ (Petit Palace ଏବଂ Grand palace) କୁ ଟପି ସାଂଜେ ଲିଜେ Arc De Triumphe (ବିଜୟ ତୋରଣଦ୍ୱାର) ଆଡ଼େ ଯାଇଛି । ୧୯୪୪ରେ ୨ୟ ବିଶ୍ୱଯୁଦ୍ଧରେ ବିଜୟ ପରେ (ନାତ୍‌ସୀମାନଙ୍କ ବିରୋଦରେ) ଡିଗଲ୍‌ ବିଜୟ ଯାତ୍ରା ଏଇ ସାଂଜେ ଲିଜେରେ କରିଥିଲେ । ଆଉ ଗୋଟିଏ ଦିନ ଆମେ ସଂରକ୍ଷିତ ରଖିଥାଉ ଇତିହାସ ପ୍ରସିଦ୍ଧ ଲୁଭ୍ର (Louvre) କଳା-ମ୍ୟୁଜିୟମ୍‌ ଦେଖିବା ପାଇଁ । ଜାଣିଥିଲୁ ଏହା ପୃଥିବୀର ସବୁଠୁଁ ଖ୍ୟାତିସଂପନ୍ନ ମ୍ରୁଜିୟମ୍‌ ଏବଂ ୟାର ତୁଳନା କେବଳ ଲେନିନ୍‌-ଗ୍ରାଡ଼ର ହର୍ମିଟେଜ୍‌ ମ୍ୟୁଜିୟମ୍‌ ସହିତ । ’ମୋନାଲିସା’ କଥା ତ ଶୁଣିଥିଲୁ । ଦର୍ଶନୀୟ ବସ୍ତୁ ଏତେ ବେଶି ଯେ ସଂକ୍ଷେପରେ କହିଲେ ୟୁରେପୀୟ କଳାର ଇତିହାସ ରେନେସାଁରୁ ଆରମ୍ଭ କରି, କଳାର ବହୁବାଦ (Impressionism, expressionism, cubism ଇତ୍ୟାଦି ଇତ୍ୟାଦି) ଏବଂ ବିଶେଷ କରି ଇଟାଲୀୟ ଚିତ୍ରକଳାର ସାମଗ୍ରିକ ଇତିହାସ ଏଇଠି ଠୁଳ । ଯେମିତି ଠୁଳ ଏସିଆର, ଭାରତର ଓ ଜାପାନର ଚିତ୍ରକଳା । ସବୁଠୁଁ ପ୍ରସିଦ୍ଧ ଗ୍ୟାଲେରି ଡଚ୍‌ କଳାକାର ତିନି ପିଢ଼ିର ଯାହା ଦର୍ଶାଯାଇଛି । ସେ ତିନିହେଁ ହେଲେ ରେମବ୍ରାଁ, ଭାନ୍‌ଗୋଗ୍‌ (ଊନବିଂଶ ଶତାବ୍ଦୀ) ଓ ବିଂଶ ଶତାବ୍ଦୀର ପିଏଟ୍‌ ମଂଦ୍ରିଆନ୍‌ । ଚାଲି ଚାଲି ସବୁ ବୁଲିବା ଗୋଡ଼କୁ କଷ୍ଟ ହେଉଥାଏ । ଭାବିଲୁ ସଂପୂର୍ଣ୍ଣ ଦିନଟିଏ ବି ଯଥେଷ୍ଟ ନୁହେଁ ଅଥଚ ଆମେ ମାତ୍ର ୬ ଘଣ୍ଟା ହାତରେ ଏଥିପାଇଁ ରଖିଥିଲୁ । ଲୁଭ୍ର ବିଷୟରେ ତ କଳା-ଇତିହାସରେ ହଜାର ହଜାର ବହି ଲେଖାଯାଇଛି କିନ୍ତୁ ଯାହା ସବୁ ପ୍ରସିଦ୍ଧ ଦର୍ଶନୀୟ ବସ୍ତୁ ସେ ବସୁର ତାଲିକା କରି ଦେଖିଲୁ । ପରେ ବାହାରକୁ ଆସି କିଛି ଖାଇଲୁ । ପାଠକଙ୍କ ଅବଗତି ପାଇଁ କହିବା ଦରକାର ଯେ, ପ୍ୟାରିସ୍‌ରେ ଖାଇବା ଆଦୌ ସମସ୍ୟା ନୁହେଁ । ବାହାରେ ରେସ୍ତୋରାଁମାନେ ଚୌକି ପକେଇଥାଆନ୍ତି । ସେଠାରେ ବସି ଶହ ଶହ ଲୋକ ଖାଆନ୍ତି । ହାତରେ ଖାଇବା ଜିନିଷ ପାକେଟ୍‌ ଧରି ଖାଇଖାଇକା ରାସ୍ତାରେ ଚାଲିବା ଲୋକଙ୍କ ସଂଖ୍ୟା ବି କମ୍‌ ନୁହେଁ । ଯା’ହେଉ ସେଦିନ ଆଉ ଦୁଇଟି ମ୍ୟୁଜିୟମ୍‌ ସମୟ କରି ଦେଖିଥିଲୁ । ସେ ଦୁଇଟି ହେଲା ପିକାଶୋ ମ୍ୟୁଜିୟମ୍‌ (୧୯୮୫ରେ ଖୋଲିଛି) ଏବଂ ସୁପ୍ରସିଦ୍ଧ ‘‘ଡି’ଅର୍ସେ’’ ମ୍ୟୁଜିୟମ୍‌ ଯାହା ସାଇଜ୍‌ରେ ଲୁଭ୍ରଠୁଁ ଛୋଟ କିନ୍ତୁ ଦର୍ଶନୀୟ ବସ୍ତୁ ଭରପୂର । ସବା ଶେଷରେ ସେଦିନ ପମ୍ପିଦୁ ସେଣ୍ଟର ଅଫ୍ ଆର୍ଟସ୍‌ ଦେଖିଲୁ ଯାହା ୧୯୭୭ରେ ଖୋଲିଥାଏ । ବିଚିତ୍ର ଶୈଳୀର ‘‘ମ୍ୟୁଜିୟମ୍‌’’ । ତା’ର ପ୍ରଶଂସକ ଯେତିକି, ତୀବ୍ର ସମାଲୋଚକ ବି ସେତିକି । ଜାରିନଥିଲି Festival of Indiaରେ ମୋ ସମେତ ୧୦ ଜଣ କବି ଏଇଠି ଭିନ୍ନ ଭିନ୍ନ ରାତିରେ ଦୁଇ ଦୁଇ କରି ଡିନର୍‌ ପରେ କବିତା ପଢ଼ିବୁ । ଏ ପଢ଼ିବାର ବିଶେଷତ୍ୱ ଥିଲା ମୂଳ କବିତାରୁ ଫ୍ରେଞ୍ଚ ଅନୁବାଦ ହୋଇସାରିଥିଲା । ଯେମିତି ମୋର ଦୁଇଟି କବିତା ଫରାସୀ ଭାଷାରେ ପ୍ରକାଶିତ ମୋ କବିତା ସଂଜଳନ ‘‘ଶ୍ରୀକୃଷ୍ଣଙ୍କ ମୃତ୍ୟୁ ଓ ଅନ୍ୟାନ୍ୟ କବିତା’’ (Mort de Krishan autre Poemas)ରୁ ଦିଆଯାଇଥିଲା । କବିତା ନିର୍ବାଚିତ କରିଥିଲେ ଦିବଂଗତବଂଧୁ ଲୋନାଥ ଭଟ୍ଟାଚାର୍ଯ୍ୟଙ୍କ ସ୍ତ୍ରୀ ଫ୍ରାଁସ୍‌ ଭଟ୍ଟଚାର୍ଯ୍ୟ । ମୋ ସହିତ ସେଦିନ ବଂଗଳା କବିତା ପଢ଼ା ହୋଇଥିଲା । କବି ଥିଲେ ନୀରେନ ଚକ୍ରବର୍ତ୍ତୀ । ପ୍ରଥମେ କବିମାନଙ୍କ ସହ ନିମନ୍ତ୍ରିତ ଅତିଥିଙ୍କର ଏକାଠି ରାତ୍ରିଭୋଜନ (ସାମ୍ପେନ୍‌ ସହ) ଏବଂ ତା’ପରେ କବିତା ପଢ଼ା । ଫ୍ରେଞ୍ଚ ସଂସ୍କୃତି ସାହିତ୍ୟ ଓ କବିତାକୁ ବହୁତ ଗୁରୁତ୍ୱ ଦିଏ, ଶ୍ରଦ୍ଧା କରେ । ସାର୍ତ୍ତଙ୍କ ମୃତ୍ୟୁ ପରେ ଯେଉଁ ବିଶାଳ ଶୋଭାଯାତ୍ରା ତା’ ଅକଥନୀୟ । ସେମିତି ଆଲ୍‌ବେଆର କାମ୍ୟୁଙ୍କ ପାଇଁ । କବିତା ପଢ଼ିବା ପାଇଁ ତାଙ୍କ ମତରେ ସ୍ୱତନ୍ତ୍ର ପରିବେଶ ଲୋଡ଼ା । ଯା’ହେଉ ସେଦିନ ପଂପିଦୁ ସେଣ୍ଟର ସହ ପରିଚିତ ହୋଇଥିଲି । ଆଗରୁ ଲେଖିଛି ୧୯୬୮ରେ ପ୍ୟାରିସ୍‌ ଯେତିକି ଦେଖିଥିଲି ପରେ ବହୁଥର ସେଠାକୁ ଯିବା ଓ ବୁଲି ଦେଖିବାର ସୁଯୋଗ ମିଳିଥିଲା । ୟୁନେସ୍କୋର ୱାର୍ଲଡ଼୍ ହିକେଡ଼୍ ଫର କଲ୍‌ଚରାଲ ଡେଭଲପ୍‌ମେଣ୍ଟର ଅଧ୍ୟକ୍ଷ ଭାବେ ୪/୫ ଥର ଏବଂ ଶେଷରେ ୧୯୯୯ରେ ଝିଅ ଓ ନାତିଙ୍କ ସହ (ସେମାନେ ବର୍ମିଂହାମ୍‌ରେ ଥିଲେ – ଝିଅ ଇନ୍‌କମ୍‌ ଟ୍ୟାକ୍ସ କମିଶନର ଭାବେ ଟ୍ରେନିଂ ନେଉଥାଏ ଓ ନାତି ଖୁବ୍ ଛୋଟ ଥାଏ) ।

 

ପୃଥିବୀର ପ୍ରଥମ ‘କାଫେ’ :

ଆଉ ଛୋଟିଆ କଥାଟିଏ ବିଷୟ ଏଠି ଉଲ୍ଲେଖ କରିବି । ଅବଶ୍ୟ ମୁଁ ଜାଣୁଛି ଭର୍ସାଇଲ୍‌ ବିଷୟ ଏଠି ଲେଖୁନି କାରଣ ସେ ବିଷୟରେ ବହୁତ ଲେଖିବାକୁ ପଡ଼ିବ । ଏଠି କେବଳ ଗୋଟିଏ ପ୍ରାଚୀନ କାଫେ (Cafe) ଅର୍ଥାତ୍‌ ରେସ୍ତୋରାଁ କଥା ଦୁଇପଦ ଲେଖୁଛି । ତା’ର ନାଁ Café Procope - ଏଇଟି ପୃଥିବୀର ପ୍ରଥମ ପାଫେ ବୋଲି ପରିଚିତ – ପ୍ରତିଷ୍ଠା ୧୬୮୬ରେ ଜଣେ ଇତାଲୀୟ ବ୍ୟକ୍ତିଙ୍କ ଦ୍ୱାରା । ତାଲିକାରେ ଅଛନ୍ତି ୧୬୮୯ ରୁ ୧୮୦୦ ଯଂଏ ଯିଏ ସେଠିକୁ ଆସିଛନ୍ତି । ସେମାନେ ରୁଷୋ, ଭୋଲ୍‌ତେୟାର, ଦାନ୍ତଁ, ରୋବେଶପିଅର୍‌, ମାରାଟ୍‌ (ଫରାସୀ ବିପ୍ଲବ ବେଳର) । ନେପୋଲିଅନ୍‌ ମଧ୍ୟ ଥରେ ଅଧେ ବିକ୍ଟର ହ୍ୟୁଗୋ, ବାଲ୍‌ଜାକ ଏବଂ ୧୯୫୦-୬୦ ଭିତରେ ସାର୍ତ୍ତ ଓ ସାଇମନ୍‌ ଦେ ବୋଭେୟାର । କାଫେଟି ଫ୍ରାନ୍ସ ଓ ପାରିସ୍‌ର ଇତିହାସ ପ୍ରସିଦ୍ଧ ଓ ସଂସ୍କୃତିର ଇତିହାସରେ ବି ନାମିତ । ଆଉ ଗୋଟିଏ ଦିନ ପ୍ରଥମେ ମଁମାତର ଦେଇ ସାକ୍ରେକର ବାସିଲିକା ଦେଖିବାକୁ ଗଲୁ । ‘‘ସେକ୍ରେକର’’ (Sacred Heart) କେନ୍ଦ୍ର ପ୍ୟାରିସଠୁଁ ବେଶ୍‌ ଦୂରରେ ଗୋଟିଏ ଉଚ୍ଚ ସ୍ଥାନରେ ଅବସ୍ଥିତ ଯେଉଁଠୁ ଏଇଫିଲ୍‌ ଟାୱାର ସମେତ ସମଗ୍ର ପ୍ୟାରସ୍‌ର ପାନୋରାମା ଦୃଶ୍ୟମାନ ହୁଏ । ଏଇଟିକୁ ପ୍ୟାରସସ୍‌ବାସୀ ନିଜ ପଇସାରେ, ନିଜ ଦାନରେ ୧୮୭୬ରେ ଗଢ଼ିଥିଲେ । ଆମେ ବସ୍‌ ଧରି ସେଠାକୁ ଯାଇଥିଲୁ ପ୍ରଥମେ ‘ଭିଜିଟ୍‌’ରେ – ପରେ କାର୍‌ରେ । ଦୃଶ୍ୟପଟ ଡାହାଣ ବାଆଁ ଓ ସାମ୍ନାରେ ଅତ୍ୟନ୍ତ ରମଣୀୟ । Notre Dame ସହରର କେନ୍ଦ୍ର ସ୍ଥଳରେ ବୋଲି ବେଶି ଦର୍ଶନ । କିନ୍ତୁ ଏଠି ଦର୍ଶକଙ୍କ ସଂଖ୍ୟା ଅପେକ୍ଷାକୃତ ଅଳ୍ପ । ଭିତରର ଆବହାୱା, ଗଢ଼ଣ, Pulpit ଇତ୍ୟାଦି ମୋତେ ‘Our Lady’ ଠୁଁ ଅଧିକ ଭଲ ଲାଗିଲା । ସାକ୍ରେକର ଦୂରରୁ ଧଳା ଦୃଶ୍ୟ, ପାଖରୁ ଧଳା କେକ୍‌ ପରି । ଭିତରେ ଖ୍ରୀଷ୍ଟଙ୍କ ବାହୁମେଲା କରିଥିବା ଖୁବ୍‌ ବଡ଼ mosaic ଛବି, କାନ୍ଥ ଉପରକୁ । ‘କପୋଲା’ (Cupola)ଟି ଖୁବ୍ ବଡ଼ । Pulpitରେ ଅସଂଖ୍ୟ ମହମବତୀ ଜଳୁଥାଏ । ମେଜୋ କହିଲା Igt is a forest of candles. ସାକ୍ରେକର୍‌ର ଷ୍ଟାଇଲ୍‌ ରୋମାନ୍‌-ବାଇଜାଣ୍ଟାଇନ୍‌ ଶୈଳୀର ।

 

ପ୍ରୁସିଆ ସହ ଯୁଦ୍ଧରେ (୧୮୭୦-୭୧) ଫ୍ରାନ୍ସର ଶେଚନୀୟ ପରାଜୟ ପରେ ଏ ବାସିଲିକାଟି ଥିଲା ‘‘ଭବିଷ୍ୟ’’ରେ ଆଶାର ପ୍ରତୀକ । ୧୯୮୦ରେ ସ୍ୱୟଂ ପୋନ୍‌ ଏଇଟିକୁ ‘‘ଭିଜିଟ୍‌’’ କରିଥିଲେ । ଆମେ ଏଠି ଗୋଟିଏ ଗୋଟିଏ ଫ୍ରେଞ୍ଚ ପେଣ୍ଟିଂ କିଣିଲୁ । ସ୍ଥାନୀୟ ପେଣ୍ଟର ଏଇଠି ବସି ଆଙ୍କୁଥାନ୍ତି । ଓହ୍ଲେଇବା ବେଳେ ଖୁବ୍‌ ଦର୍ଶନୀୟ ଅଞ୍ଚଳ ଥିଲା, Montmatre (ମଁମାତର) । ଏଇଟି ପାରିସ୍‌ର ‘‘ବୋହେମିଆନ୍‌’’ ଅଞ୍ଚଳ । ବହୁତ ନାଇଟ୍‌ କ୍ଲବ, କାବାରେଟ୍‌ ଷ୍ଟ୍ରିପ୍‌ଟିଜ୍‌ ହଲ୍‌ ଅଛି । ତା‘ଛଡ଼ା ପ୍ରସିଦ୍ଧ ମୁଲାଁରୁଜ (Moulin Rouge) ଯାହା ନୃତ୍ୟ ପ୍ରଦର୍ଶନ ପାଇଁ ସର୍ବଜନାଦୃତ ସେଇଟି ବାଟରେ ପଡ଼ିଲା । ୧୯୨୦ ମସିହା ପର୍ଯ୍ୟନ୍ତ ପ୍ୟାରିସ୍‌ର ସର୍ବଶ୍ରେଷ୍ଠ କଳା କେନ୍ଦ୍ରାଞ୍ଚଳ ଭାବେ ଏଇଟି ପରିଚିତ ଥିଲା । ସେଇବର୍ଷ ଏ ସ୍ଥାନ ଅଧିକାର କଲା ମଁପାର୍ନାସ୍‌ (Montparnasse) । ମଁମାତର ମୁଲାଁରୁଜ୍‌, ଲିଡ଼ୋ ଓ ପିଗାଲ ଅଞ୍ଚଳକୁ ଏକତ୍ର କରିଛି । ରାସ୍ତା (Rue) ସାଁ ଲାଜାର୍‌ ଓ ରାସ୍ତା ରୋସେଫୁକୋଲଡ଼୍ ଏ ଦୁଇଟିକୁ ଡେଇଁଗଲା ପରେ ସେ ଅଞ୍ଚଳର Neo-classical ସ୍ଥାପତ୍ୟ ଆଖିରେ ପଡ଼ିଲା । ବୁଝିଲୁ କାହିଁକି ୟାର ନାଁ ନୂଆ ଏଥେନ୍ସ ଦିଆ‌ହୋଇଥିଲା । ମଁପାର୍ନାସ୍‌ ଅଞ୍ଚଳରେ ଏବେ ‘ଇଣ୍ଟେଲେକ୍‌ଚିଆଲ’, ସାହିତ୍ୟିକ, କଳାକାର, ସଂଗୀତଜ୍ଞ, ଆକ୍ଟର ବହୁ ସଂଖ୍ୟାରେ ବସବାସ କରୁଛନ୍ତି । ଜର୍ଜ ସ୍ୟାଣ୍ଡ, ସୋପାନ୍‌ (Chopin) ଓ ବର୍ଲିଓଜ୍‌ଙ୍କ ପରି ସଂଗୀତଜ୍ଞ, ଡେଲାକ୍ରୋଆ, ଆଁରି ମର୍ଗରଙ୍କ ପରି କଳାକାର ଏଇଠି ପ୍ରାଧାନ୍ୟ ଲାଭ କରିଛନ୍ତି । ଘର ସାମ୍ନାରେ ସବୁଠିଁ ପୋର୍ଟିକୋ, ପ୍ରଶସ୍ତ ଅଗଣା, ଖୋଦିତ ପଥରର ବାଲକୋନି ଇତ୍ୟାଦି ଖୁବ୍‌ ସୁନ୍ଦର ଓ ଦର୍ଶନୀୟ ।

 

ମ୍ୟୁଜିଅମ୍‌ ଅଫ୍‌ ଗୁସ୍ତାଭ୍‌ ମୋରୋ ଏଇଠି ଊନବିଂଶ ଶେଷ ପାଦରେ ଗଢ଼ି ଉଠିଥିଲା । ସ୍ଥାନଟି ପ୍ରଥମେ ଥିଲା ତାଙ୍କ ଘର । ସେ ସାରା ଜୀବନ ହଜାର ହଜାର ଡ୍ରଇଁ ଆଙ୍କିଥିଲେ, ୱାଟର କଲରର ଚିତ୍ର ଆଙ୍କିଥିଲେ । ଏସବୁ ଦେଶପାଇଁ ଛାଡ଼ିଗଲେ ଓ ନିଜ ଇଚ୍ଛାରେ ଏଇଟିକୁ ମ୍ୟୁଜିଅମ୍‌ କରିଦେଲେ । କଳା ଐତିହାସିକଙ୍କ ମତରେ କେବଳ ଟର୍ନର୍‌ ଓ ପିକାଶୋ ଏତେ ଡ୍ରଇଁ ଓ ଚିତ୍ରକଳା ଛାଡ଼ି ଯାଇଛନ୍ତି । ଗୁସ୍ତାଭଙ୍କ ଶିଷ୍ୟ ଭିତରେ ଥିଲେ ମାତିସ୍‌, ରୁଓଲଟ୍ (Rouault), ଆଲବର୍ଟ ମାରକ୍ୱେଜ୍‌ଙ୍କ ପରି କଳାକାର । କୁହାଯାଏ ଏଇଠି ଜର୍ଜ ସ୍ୟାଣ୍ଡ ଓ ସୋପାଁ ପରସ୍ପରର ପ୍ରେମିକ ଭାବେ ପରିଚୟ ଦେଇଥିଲେ । ପାଖରେ ଇତିହାସ ପ୍ରସିଦ୍ଧ ଲାଇବ୍ରେରୀ । Adolphe Thierଙ୍କ ନିଜ ଘର ପରେ ଲାଇବ୍ରେରୀରେ ପରିଣତ ହୋଇଛି । ସେଇ ଲାଇବ୍ରେରୀକୁ ଊନବିଂଶ ଶତାବ୍ଦୀ ତଥା ବିଂଶ ଶତାବ୍ଦୀର ବହୁ କଳାକାର ଓ ସ୍କଲାର ଆସୁଥିଲେ । ପ୍ରତି ଶୁକ୍ରବାର ଥିଲା ରିସେପ୍‌ସନ୍‌ ପାର୍ଶ୍ୱବର୍ତ୍ତୀ ମ୍ୟୁଜିଅମ୍‌ ରେନାଁ-ସେଫରରେ । ସେଠାକୁ ଡେଲାକ୍ରୋଆ, ଲିଷ୍ଟ, ଇନ୍‌ଗ୍ରେସ୍‌, ତୁର୍ଗିନେଭ୍‌ ଇତ୍ୟାଦି ଆସୁଥିଲେ । ଜର୍ଜ ସ୍ୟାଣ୍ଡ ଗୋଟିଏ ସଂଖ୍ୟାରେ କ୍ୟାରିକେଚର୍‌ ଭାବେ ନିଜକୁ ମେଷ ରଖୁଆଳ ସ୍ତ୍ରୀ ବେଶରେ ଏବଂ ତାଙ୍କ ପାଦତଳେ ରୋମାଣ୍ଟିକ ହିରୋ ଭାବେ ସୋପାଁଙ୍କୁ ଛିଡ଼ା କରାଇ ଦେଇଥିଲେ । ସେଇ ଫେଣ୍ଟିରେ ଡେଲାକ୍ରୋଆଙ୍କ ଲମ୍ୱା ନାକ ମଧ୍ୟ ଦର୍ଶନୀୟ । ରେନାଁ-ସେଫରଙ୍କ ଝିଆରୀ ଆର୍ଟେଷ୍ଟ ରେନାନଙ୍କୁ ବିଭା ହେଲେ । ଗୋଟିଏ ରୁମ୍‌ ଭର୍ତ୍ତି ତାଙ୍କ Life of Jesus ଫେଣ୍ଟିରେ ।

 

Victor Hugo କହିଥିଲେ Whoever looks at the depth of Paris gets dizzy. Nothing so fantastic nothing to forgive nothing so superb.

 

ଖଣ୍ଡେ ଦୂରରେ ସେଇ ରାସ୍ତାରେ Victor Hugoଙ୍କ ଘର (୫ ନମ୍ୱର), ଜୁଲିଏଟ୍‌ଡ୍ରୁଏଙ୍କ ପ୍ରତି ପ୍ରେମ ଜଣାଶୁଣା । ରାସ୍ତାର-୧୦ ନମ୍ୱର ଘର ତୁଲୋଲୋତ୍ରେଙ୍କର । ବଡ଼ ବଡ଼ ଫ୍ଲାଟ୍‌ କିଛି ସେ ରାସ୍ତାରେ କିନ୍ତୁ ଧୁଆ ଲୁଗା ପବନରେ, ଝର୍କାରେ ଉଡ଼ବାର ଦୃଶ୍ୟ ।

 

ସବା ଶେଷରେ ମୁଁ ବ୍ୟାଙ୍କରେ ପାଉଣ୍ଡକୁ ଫ୍ରାଙ୍କରେ ଭଙ୍ଗେଇ Ecole Militaric (ମିଲିଟାରୀ ଏକାଡ଼େମୀ) ଦେଖି ଫେରି ଆସିଥିଲୁ ।

 

ଅବଶେଷରେ ପାରିସ୍‌ ରହଣି ଶେଷ ହେଲା । ୟୁରୋରେଲ୍‌ ପାସ ଧରି ରାତି ଟ୍ରେନ୍‌ ଚଢ଼ି ତା’ ପରଦିନ ସକାଳୁ ଜର୍ମାନୀର Black forest ଅଞ୍ଚଳର ଫ୍ରାଇବର୍ଗ ସହରରେ ପହଞ୍ଚିଥିଲୁ ।

 

ପ୍ୟାରିସ୍‌ରୁ ବ୍ଲାକ୍‌ ଫରେଷ୍ଟ

ଜର୍ମାନୀ, ଆମଷ୍ଟଡ୍ୟାମ, କ୍ୟୁକେନହଫ୍ସର ଟ୍ୟୁଲିପ୍‌ ବଗିଚା ଓ

କେମ୍ୱ୍ରିଜ୍‌ ପ୍ରତ୍ୟାବର୍ତ୍ତନ :

ଜର୍ମାନୀର Black Forest ଅଞ୍ଚଳ ୟୁରୋପର ସୁନ୍ଦରତମ ଅଞ୍ଚଳ ବୋଲି ପରିଗଣିତ । ପ୍ରକୃତିର ଶୋଭାସଂପଦ, ଜଂଗଲ, ପାହାଡ଼, ଝରଣା – ଏସବୁ କିଛି ମନେପକେଇ ଦେଲା, କୋରାପୁଟ । ଫ୍ରାଇବର୍ଗ ବିଶ୍ୱବିଦ୍ୟାଳୟକୁ ଦୁହେଁ ଗଲୁ । କେମ୍ୱ୍ରିଜ୍‌ରୁ ଆସିଛୁ ଏବଂ କଲମ୍ୱୋ ପ୍ଲାନର ଭାରତୀୟ ସିନିଅର ଅଫିସର ବୋଲି ସେଠି ସମ୍ମାନ ଲାଭ କଲୁ । ଅପରାହ୍‌ଣରେ ଭାରତୀୟ ସଂସ୍କୃତି ଓ ଆମ କେମ୍ୱ୍ରିଜ୍‌ କୋର୍ସ ବିଷୟରେ ଆମଠୁଁ ଶୁଣିବାକୁ ଚାହିଁଲେ ।

 

ସେଠାରେ ଦିନୁଟିଏ କଟେଇ ଆମେ ରାଇନ୍‌ ନଦୀକୂଳର ଗୁଡ଼େସାଇମ୍ ବୋଲି ଗୋଟିଏ ସ୍ଥାନକୁ ଗଲୁ । ଫ୍ରାଇବର୍ଗରେ ସେମାନେ ଏତାକୃଶ ପ୍ରୋଗ୍ରାମ୍‌ ଭଲ ହେବ ବୋଲି କହିଲେ ଏବଂ ଉପଦେଶ ଦେଲେ ଯେ, ରାଇନ୍‌ରେ ଯାତାୟାତ କରୁଥିବା ସୁନ୍ଦର ଷ୍ଟିମର ଯାତ୍ରା ମନୋମୁଗ୍ଧକର ହେବ ।

 

ତାହାହିଁ ହେଲା । ରୁଡ଼େସାଇମ୍‌ ସେ ଅଞ୍ଚଳର ଜଣାଶୁଣା Wine-growing area ଚଉକତି ଅଂଗୁର ବଗିଚା ଭରପୂର । ଛୋଟିଆ ସହରଟିଏ ରୁଡ଼େସାଇମ୍ । ସେଠି Wine-tasting ଅର୍ଥାତ୍ ଓ୍ୱାଇନ୍‌ ପିଇ ପରଖିବା କାର୍ଯ୍ୟ ଚାଲୁଥାଏ । ତଥାପି ‘‘ଆଡ଼୍‌ଭେଞ୍ଚର’’ ହିସାବରେ ଯୋଗ ଦେଲୁ ଏବଂ ଆମର ସାଂସ୍କୃତିକ ପୃଷ୍ଠଭୂମିରେ ଆମେ କେବଳ ପ୍ରଶଂସିତ ହେଲୁ ତା’ ନୁହେଁ, ସେମାନେ ରୁଡ଼େସାଇମ୍‌ର ସ୍ଥାନୀୟ ଲୋକକଳା କିଛି ଉପହାର ଦେଲେ ଏବଂ ଗୋଟିଏ ଲେଖାଏଁ Sparkling wine ବା ସାଂପେନ୍‌ ମଧ୍ୟ ଉପହାର ସହ ଆସିଲା । ରୁଡ଼େସାଇମ୍‌ରୁ ଖୁବ୍‌ ବଡ଼ ଷ୍ଟିମର ପ୍ରାୟ ରାଇନ୍‌ର ମୁହାଣ ପର୍ଯ୍ୟନ୍ତ ଯାଏ । ଆମେ ଡୁସେଲଡର୍ଫ ଯାଏ ଟିକଟ୍‌ କଲୁ । କାରଣ ସେଇଠି ‘‘ମେଜୋ’’ର ଜନୈକ ‘ଶଳା’ ହିସାବର ସଂପର୍କୀୟ କାମ କରୁଥାଆନ୍ତି ଏବଂ ଆଗରୁ ତାଙ୍କ ନିମନ୍ତ୍ରଣ ଥାଏ ତାଙ୍କ ଘରେ ଦୁଇଦିନ କଟେଇବା ପାଇଁ । ରାଇନ୍‌ ନଦୀରେ ଷ୍ଟିମର ଯାତ୍ରାର ଅନୁଭବ ସହଜରେ ଭୁଳିହେବ ନାହିଁ । ପାହାଡ଼ ଅଞ୍ଚଳରେ ନଈଟି ଗଭୀର ଶଯ୍ୟାରେ ପ୍ରବାହମାନା । ପାହାଡ଼ ଉପରେ ଏଠି ସେଠି ଅନେକ ପ୍ରାଚୀନ ଦୁର୍ଗ ଆଖିରେ ପଡ଼ିଲା । ନଦୀ କୂଳରେ ଉଭୟ ପଟେ ଖୁବ୍ ଦ୍ରୁତଗାମୀ ଟ୍ରେନ୍‌ ଯିବାଆସିବା କରୁଥାଏ ଏବଂ ପାହାଡ଼ର ଢାଲୁ ଅଞ୍ଚଳ ଓ ଉପତ୍ୟକାରେ ଅଙ୍ଗୁର ବଗିଚା ସବୁ ସୁନ୍ଦର ସବୁଜ ଦିଶୁଥାଏ । ରାତିରେ ଷ୍ଟିମର ୪ ଘଣ୍ଟା ପାଇଁ ରହିଲା । ଷ୍ଟିମର୍‌ରେ ରାତ୍ରିଭୋଜନ ଶେଷ କରିଥିଲୁ । ବାଟରେ ବନ୍‌ ଓ କଲୋନ୍‌ ସହର ଦିଓଟି ନଦୀକୂଳରେ ଗଲା । ବନ୍‌ ଜର୍ମାନୀର ରାଧାଜୀ ଓ କଲୋନର କାଥେଡ୍ରାଲ ବିଶ୍ୱବିଶ୍ରୁତ । ଏମିତି ସୁନ୍ଦର ଯାତ୍ରା ମୋଟେ ନ ସରୁ ଆମ ଦୁହିଁଙ୍କୁ ଏମିତି ଲାଗୁଥାଏ । ଷ୍ଟିମର ଯେୁଁଠି ଯେଉଁଠି ରହିଲା ସେ ସବୁ ସ୍ଥାନରେ ଯାତ୍ରୀ ଓହ୍ଲେଇଲେ, ଚଢ଼ିଲେ । ସବୁ ସ୍ଥାରେ ୱାଇନ୍‌ ଟେଷ୍ଟିଂ ପାଇଁ ଆମକୁ ସୁବିଧା ମିଳିଲା । କିନ୍ତୁ ବନ୍‌, କଲୋନ୍‌ ଦେଖିବା ସଂଭବ ହୋଇନଥିଲା । ଅବଶେଷରେ ଡୁସେଲଡ଼ର୍ଫରେ ପହଞ୍ଚିଲୁ ଏବଂ ଷ୍ଟିମରରୁ ଓହ୍ଲେଇ ଭେଟିଲୁ ଅପେକ୍ଷମାଣ ‘‘ମେଜୋ’’ (ଅଜିତ୍‌ ମୁଖାର୍ଜୀ)ଙ୍କ ସଂପର୍କୀୟଙ୍କୁ । ଘରକୁ ପାଛୋଟି ନେଲେ । ବିଶ୍ରାମ ଓ ଲଞ୍ଚ ପରେ ନିକଟସ୍ଥ ଡୁଇସବର୍ଗ, ଏସେନ ଓ ଲୌହ-ଇସ୍ପାତ କାରଖାନା ଅଞ୍ଚଳ ବୁଲେଇନେଲେ । ଜର୍ମାନୀର ଏ ଅଞ୍ଚଳକୁ Black Country କୁହାଯାଏ; କାରଣ ଇସ୍ପାତ ତିଆରି ଏଠାକାର ପ୍ରମୁଖ ଶିଳ୍ପ ଓ ଅନେକ ଚିମ୍‌ନିର ଧୂଆଁ ବରାବର ଅଞ୍ଚଳଟିକୁ ଛାୟାଚ୍ଛନ୍ନ କରି ରଖିଥାଏ । ପରଦିନ ‘ମେଜୋ’ର ସଂପର୍କୀୟ କାର୍‌ରେ କଲୋନ୍‌ର ସୁପ୍ରସିଦ୍ଧ କାଥେଡ୍ରାଲ ଦେଖାଇବାକୁ ଆମକୁ ନେଲେ । ସୁନ୍ଦର କାଥେଡ୍ରାଲ, ବେଶ୍‌ ପୁରାତନ । ଆମକୁ ଅତି ଭଲ ଲାଗିଲା । ପରେ ଅବଶ୍ୟ ଦୁଇଥର କଲୋନ୍‌ ଓ ବନ୍‌ ଦେଖିବାକୁ ସୁଯୋଗ ମୋତେ ମିଳିଥିଲା କିନ୍ତୁ ଆଗରୁ ଯାହା ଲେଖିଛି ଏହା ଥିଲା ‘‘ପ୍ରଥମ ପ୍ରେମ’’ ପରି ଭୁଲି ନ ହେବା ଅନୁଭବ । କଲୋନ୍‌ରୁ ଫେରି ତାଙ୍କ ଘରେ କଟିଲା । ତା’ ପରଦିନ ରାଇନ୍‌ ନଦୀ ଯାତ୍ରା କିଛି ଦୂର ଯାଏ କରି ଉପଦେଶାନୁସାରେ ଆମଷ୍ଟରଡାମ୍‌ (ହଲାଣ୍ଡର ରାଜଦାନୀ) ଦେଖିବା ପାଇଁ ନିକଟତମ ଷ୍ଟେସନରୁ ରେଲ ଧରିଲୁ ।

 

ଆାମଷ୍ଟରଡାମ୍ :

ଆମଷ୍ଟରଡାମ୍ ୟୁରୋପର ସୁନ୍ଦର ସହର ଭିତରେ ଅନ୍ୟତମ । ‘‘ସିଫୋଲ୍‌’’ ଏୟାରପୋର୍ଟ ୟୁରୋପର ଖୁବ୍‌ ବଡ଼ ଓ ବ୍ୟସ୍ତ ଏୟାରପୋର୍ଟ । ବୋଧହୁଏ ଫ୍ରାଙ୍କଫର୍ଟ ଓ ହିଥ୍ରୋ ତଳକୁ । ଯା’ ହେଉ ଆମଷ୍ଟରଠାମ୍‌ରେ ଦୁଇଦିନ କଟେଇଲୁ । ଅଥିକାଂଶ ଅଞ୍ଚଳ ପାଦରେ ଚାଲି ଚାଲି ଏବଂ କିଛି ଅଞ୍ଚଳ ଲୋକାଲ୍‌ ଟ୍ରେନ୍‌, ବସ୍‌ ଅଥବା ଟ୍ୟାକ୍ସି ଧରି ଦେଖିଲୁ । ପ୍ରମୁଖ ଥିଲା ଦୁଇଯି ମ୍ୟୁଜିୟମ୍‌ Steljic ଓ Rijks ମ୍ୟୁଜିୟମ୍‌ । ଏଥିରେ ଭାନ୍‌ଗଗ୍‌ଙ୍କ ମୌଳିକ Painting ସବୁଠୁଁ ବେଶି ସ୍ଥାନିତ ହୋଇଛି କାରଣ ସେ ଥିଲେ ଡଚ୍‌ମାନଙ୍କର ସବୁଠୁଁ ପ୍ରିୟ ଚିତ୍ରକାର । ତାଙ୍କର ଜୀବନ ଓ କଳା ଆମଷ୍ଟରଡାମ୍‌ର ଜୀବନସ୍ରୋତ ସହ ମିଶି ରହିଛି । ଦୁଇ ମ୍ୟୁଜିୟମ୍‌ରେ ପିଏଚ୍‌ ମୋନ୍ଦ୍ରିଆନ୍‌ ଓ ରେମ୍‌ବ୍ରାଂ (Rembrandt)ଙ୍କ ପ୍ରସିଦ୍ଧ ପେଣ୍ଟିଂର ନାଁ ହେଲା Night watch ଏବଂ Clothemakers Guild. ରେମ୍‌ବ୍ରାଂ କେଭେ ହଲାଣ୍ଡ ଛାଡ଼ି ନ ଥିଲେ କିନ୍ତୁ ତାଙ୍କର ଏ ଦୁଇଟି ପ୍ରମୁଖ ପେଣ୍ଟିଂ ଇତାଲୀୟ ଶୈଳୀରେ (ସମୁଦାୟ ୧୦) । ଇତାଲୀୟ ଓ ଫ୍ରେଞ୍ଚ ରେନେସାଁ ଅମଳର ପେଣ୍ଟିଂ ଭରପୂର ହୋଇଥାଏ । ଦୁଇଟି ମ୍ୟୁଜିୟମ୍‌ ଆମେ ମନଭରି ଉପଭୋଗ କଲୁ ।

 

ଏଠାରେ ସହର ବିଷୟରେ କହିବା ଉଚିତ । ଆମ୍‌ଷ୍ଟାରଡାମ୍‌ କିୟତ୍‌ ପରିମାଣରେ ଭେନିସ୍‌ ବା ଲେନିନ୍‌ଗ୍ରାଡ଼ ପରି । ଅନେକ କେନାଲ ସହର ଭିତରେ ରାସ୍ତା କାମ ଚଳାଏ । ଛୋଟ ଛୋଟ ନୌକାରେ ବିଭିନ୍ନ ସ୍ଥାନ ଓ ଅଞ୍ଚଳ ସୁବିଧାରେ ଦେଖିହୁଏ । ଆମେ ପ୍ୟାଡ଼ଲ୍‌ ବୋଟ୍‌ ଓ Water-taxi ରେ ବି କିଛି ବୁଲିଲୁ । କେନାଲରୁ ସହର ଖୁବ୍‌ ସୁନ୍ଦର ଦୃଶ୍ୟ । ଆମେ ଯେଉଁ ଯେଉଁ ସ୍ଥାନ ବା ସହରକୁ ଯାଉ ସେଠ ପ୍ରଥମେ ସେଇ ସେଇ ସହରର ମାନଚିତ୍ରଟିଏ କିଣି ତା’ର ସଦ୍‌ବ୍ୟବହାର କରୁ । ହଲାଣ୍ଡର ଅର୍ଥନୀତି କୃଷି ଓ ବିଶେଷଭାବେ ଗୋପାଳନ ଉପରେ ନିର୍ଭରଶୀଳ । ୪୦ କିସମ୍‌ର ଡଚ୍‌ ଛେନା (Cheese) ବଜାରରେ ବିକ୍ରି ହେଉଥାଏ ଏବଂ Bed-and-Breakfast ହୋଟେଲ୍‌ ଯେଉଁଠି ଆମେ ଦୁହେଁ ରହୁଥିଲୁ, ସେଠି ମଧ୍ୟ ବ୍ରେକ୍‌ଫାଷ୍ଟରେ ଦଶ କିସମର ‘‘ଚିଜ୍‌’’ ଆମକୁ ଦିଆଯାଇଥାଏ । ସହରରେ ପହଞ୍ଚିଲା ପୂର୍ବରୁ ଟ୍ରେନ୍‌ରେ ଅତି ଦୃଷ୍ଟପୁଷ୍ଟ ଗୋରୁଗାଈ ଦେଖି ପ୍ରଚୁର ଗୋସଂପଦ ଯେ ହଲାଣ୍ଡର ଗର୍ବ କରିବାର ବସ୍ତୁ ତାହା ଆମେ ବୁଝି ଯାଇଥିଲୁ । ତେରୁ କ୍ଷର, ଛେନା, ଲହୁଣି, ଘିଅ ଏତେ ପ୍ରଚୁର ଯେ, ସେମାନେ ୟୁରୋପର ସବୁ ଅଞ୍ଚଳକୁ ପଠାନ୍ତି ଯେମିତ ‘‘ଟ୍ୟୁଲିପ୍‌’’ ମଧ୍ୟ ସେମାନେ ସମଗ୍ର ୟୁରୋପକୁ ଯୋଗାଇ ଦିଅନ୍ତି ।

 

ଆମଷ୍ଟରଡାମ୍‌ର ‘ନାଇଟ୍‌ ଲାଇଫ୍‌’ ଓ ନାଇଟ୍‌କ୍ଲବ୍‌ ବିଷୟରେ ଆମେ ସଂଗ୍ରହ କରିଥିବା ‘‘Literature’’ରେ ପ୍ରଚୁର ବର୍ଣ୍ଣିତ ହୋଇଥାଏ । ସେଇ ସବୁ ଅଞ୍ଚଳ ମଧ୍ୟ ସହରର ମ୍ୟାପ୍‌ରେ ଚିହ୍ନିତ । ପାଠକଙ୍କ ଅବଗତି ପାଇଁ କୁହାଯାଇଛି ଯେ, ହଲାଣ୍ଡରେ ବେଶ୍ୟାବୃତ୍ତି ଆଇନ-ସମ୍ମତ, ବେଶ୍ୟାମାନେ ସରକାର ବା କର୍ପୋରେସନ୍‌ଙ୍କୁ ଟ୍ୟାକ୍ସ ଦିଅନ୍ତି । ଶୁଣିବାକୁ ପାଇଲୁ ଯେ, ଆମ୍‌ଷ୍ଟାରଡାମ୍‌ ସହରର ୧୫% ଆୟ ସେମାନଙ୍କର ଯିକସରୁ ମିଳିଥାଏ । ଅର୍ଥାତ୍‌ ସେକ୍ସ ଏ ଦେଶରେ କିଛି ଲୁଚାଛପା କାରବାର ନୁହେଁ । ସମାଜଦ୍ୱାରା ସମ୍ମାନିତ ଓ ଗୃହୀତ ‘‘ପ୍ରଫେସନ୍‌’’ ହିସାବରେ ମାନ୍ୟତା ଲାଭ କରିଛି । ହୋଟେଲ୍ରେ ଜିନିଷ ରଖି ଦେଇ ଆମେ ଆଉ କିଛି ଅଂଚଳ ରାତିରେ ବୁଲି ବୁଲି ଦେଖିଲୁ ଓ ରାତିରେ ବି ହୋଟେଲ୍ ନ ଖାଇ ବାହାରେ ଖାଇଲୁ । ତୁଳନାତ୍ମକ ଭାବରେ ‘‘ମେଜୋ’’ ହିସାବ କରିଥାଏ ଯେ, ବାହାରେ ଖାଇବା ଶସ୍ତା ଏବଂ ସବୁରକମ ଖାଇବା ମଧ୍ୟ ସୁରିଖୁରୁରେ ମିଳିପାରିବ । ତେଣୁ ଦିନରେ ଦୁଇ ମ୍ୟୁଜିୟମ୍‌ ଦେଖା, କେନାଲ୍‌ମାନଙ୍କରେ ନୌକାରେ ସମୁଦ୍ର ପର୍ଯ୍ୟନ୍ତ ବି ଯିବାଆସିବା ଖୁବ୍‌ ଆନନ୍ଦକର ହୋଇଥାଏ । ଖାଇସାରି ଫେରିଲା ବେଳେ ଦେଖିଲୁ ସେ ଅଞ୍ଚଳ ଯାହାକୁ ଆମ ଭାଷାରେ Red-light area କୁହାଯିବ ଅଥାତ୍‌ ବେଶ୍ୟାମାନଙ୍କର ଆଳୟ ବୋଲି କୁହାଯିବ ।

 

ଖୁବ୍ କ୍ଲାନ୍ତ ହୋଇଥିଲୁ । ବିଛଣା ଧରିଲା ମାତ୍ରେ ନିଦ ଆସିଗଲା । ତା’ ପରଦିନ ସକାଳୁ ଆଉ କିଛି ବୁଲି ଦେଖିଲୁ । ପୁରୁଣା ଘର, Windmill, ଦୋକାନ ବଜାର ଅଞ୍ଚଳ, ପାର୍କ (Vondel ତା’ ନାଁ), ସିଉପ୍‌ (Cuyp) ମାର୍କେଟ୍ (ଆମ ଦେଶର flea market ପରି ଯେଉଁଠି ଅପେକ୍ଷାକୃତ ଶସ୍ତାରେ ସବୁ ମିଳେ) । ସବୁ ଦେଖି ଖୁସି ଲାଗିଲା । ସହରର ଆତ୍ମୀୟତା ମନକୁ ଛୁଇଁଲା । ରାସ୍ତାରେ ସବ୍‌, ଟ୍ରାମ୍‌, ସାଇକେଲ୍‌ ପଦଚାରୀ ସମସ୍ତେ ନିଜ ନିଜ କାମରେ ନିରାପଦରେ ଚାଲିବା ଆନନ୍ଦକର ଦୃଶ୍ୟ ମନକୁ ଛୁଇଁଲା ।

 

ଏଠାରେ କହି ରହିବା ଉଚିତ ହେବ ଯେ, ଆମ୍‌ଷ୍ଟାରଡ଼ାମ୍‌ ଗୋଟେ ଦୃଷ୍ଟିରୁ ମ୍ୟୁଜିୟମ୍‌ର ସହର । ସହରରେ ୪୦ଟି ମ୍ୟୁଜିୟମ୍‌ । ପୃଥିବୀର ସବୁଠୁଁ ବଡ଼ ଫୁଲ-ବଜାର (Flower market), ୧୯୬୨ରେ ଆରମ୍ଭ ହୋଇଥିଲା । ଆମେ ଏ ବଜାରରେ ଆଖି ପକେଇବାକୁ ଭୁଲି ନ ଥିଲୁ ।

 

ସହର ୧୩ଶହ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇଥିଲା । ସେତେବେଳେ ଇଏ ଗୋଟେ ମାଛ ଧରିବାବାଲାଙ୍କ ଛୋଟ ସହର ଥିଲା । ସମୁଦ୍ର ପତ୍ତନରୁ ନିମ୍ନରେ ହୋଇଥିବାରୁ ମାଛ ଧରାଳି ଅଗଭୀର ପାଣିରେ ବାଉଁଶ ଓ କାଠରେ ଘର ତିଆରି କରି ସହରଟି ଗଢ଼ିଥିଲେ । ଇତିହାସ କହେ ସପ୍ତଦଶ ଶତାବ୍ଦୀରେ ଆମ୍‌ଷ୍ଟାରଡାମ୍‌ ବିଶ୍ୱ ଅର୍ଥନୀତିର କେନ୍ଦ୍ରସ୍ଥଳ ଥିଲା । ସବୁଠୁଁ ସଘନ ଜନବସତି ଥିବା ଏ ସହରକୁ କିନ୍ତୁ ସବୁଠୁଁ ବେଶି ଭ୍ରମଣକାରୀ ଆସୁଥିଲେ ।

 

ଆମକୁ ଲାଗିଲା ଆମ୍‌ଷ୍ଟାରଡାମ୍‌ର ଜୀବନଯାତ୍ରାର ସ୍ରୋତ ସତେ ଯେମିତି ସମୟ ବାହାରେ, ସତେ ଯେମିତି ଇତିହାକୁ ସେ ସହର ଭୂକ୍ଷେପ କରେନି ।

 

ଅସଂଖ୍ୟ ‘ବାଇକ୍‌’ ରାସ୍ତାରେ, ତେଣୁ ଗାଡ଼ି ଚଳେଇବା, ରାସ୍ତାରେ ଖୁବ୍‌ ନିରାପଦ ନୁହେଁ । ଯା’ ହେଉ ଆମେ ନିଶ୍ଚିତ କରିଥିଲୁ, ଆନ୍‌ ଫ୍ରାଙ୍କ ମ୍ୟୁଜିୟମ୍‌ ଦେଖିବାକୁ ଓ ସେଠାକୁ ଗଲୁ । ପାଠକେ ଜାଣିଥିବେ ଏଇ ଝିଅଟି ଓ ତା’ର ପରବାର ନାତ୍‌ସି ଆକ୍ରମଣରୁ କେତେ କଷଣ ଓ ଯନ୍ତ୍ରଣା ଭିତର ଦେଇ ଗଲେ ଓ ୨ ବର୍ଷକାଳ ଏଇଠି ଲୁଚି ରହିଲେ । ଇତିହାସରେ ଇଏ ଗୋଟେ ବଡ଼ ଘଟଣା ଓ ଆନ୍‌ଫ୍ରାଙ୍କଙ୍କର ଡାଇରୀ ଅସଂଖ୍ୟ କପି ବିକ୍ରି ହୋଇସାରିଲାଣି । ଆନ୍‌ ଫ୍ରାଙ୍କକୁ ୧୫ ବର୍ଷ ବେଳେ ସେ ମୃତ୍ୟୁବରଣ କରିଥିଲା କିନ୍ତୁ ବହିଟି ଏତେ ମାର୍ମିକ ଓ ହୃଦୟବିଦାରକ ଯେ ବହିଟି ୭୦ଟି ଭାଷାରେ ଅନୂଦିତ ହୋଇସାରିଛି । ୨ ବର୍ଷ ଲୁଚି ରହିବା ପରେ ୧୯୪୫ ରେ ନାତ୍‌ସିମାନେ ଆନ୍‌ର ପରିବାରଙ୍କୁ ଆବିଷ୍କାର କଲେ । ଏଇ ମ୍ୟୁଜିୟମ୍‌ଟି ଆକାରରେ ଛୋଟ, ସତେ ଯେମିତି ସେଇ ଛୋଟ ଝିଅଟି ପରି । କିନ୍ତୁ ଅଜସୟ ସ୍ମୃତି ବିଜଡ଼ିତ ଏଇ ମ୍ୟୁଜିୟମ୍‌ରେ । ନାତ୍‌ସିମାନେ ଲୁଚିଥିବା ଘରର ସବୁ ଫର୍ଣ୍ଣିଚର କାଢ଼ି ନେଇଥିଲେ । ମ୍ୟୁଜିୟମ୍‌ର ମୁଖ୍ୟ ରୁମ୍‌ରେ ଆନ୍‌ ଫ୍ରାଙ୍କ୍‌ ପରିବାରର ଅନେକ ଫଟୋ ଓ ସ୍ମରଣୀୟ ବସ୍ତୁ ରହିଛି । ବିଶେଷକରି ଛୋଟ ଝିଅଟିର ଅଦ୍‌ଭୁତ କଷଣ ସହିଥିବା ବାପା ସହ ଫଟୋ ।

 

ଆନ୍‌ର ଶୋଇବା ଘର ଖୁବ୍‌ ଛୋଟ ମାତ୍ର ୧୦ ଫୁଟ ଲମ୍ୱ । କାନ୍ଥାରେ ସିଏ ମାଗାଜିନ୍‌ ଓ ଖବରକାଗଜରୁ କାଟି ଲଗେଇଥିବା ଅନେକ ଚିତ୍ର । ସେ ଚିତ୍ରସବୁ ମୁଖ୍ୟତଃ ଫୁଲର, ହସହସ ମୁହଁ ମଣିଷଙ୍କର । ସେତିକି ହିଁ ଥିଲା ଗୋପନରେ ଦୀର୍ଘକାଳ ରହିବାବେଳେ ବାହାର ବିଶ୍ୱ ସହ ସଂପର୍କ ।

 

ବହୁ ସଂଖ୍ୟାରେ ଟୁରିଷ୍ଟ ବେଶ୍‌ ଭିଡ଼ କରିଥାନ୍ତି । ମ୍ୟୁଜିୟମ୍‌ରୁ ବାହାରି ଆସି ମନଟା ବଡ଼ ଉଦାସ ହୋଇଗଲା । ସ୍ମୃତି ସବୁ ଯେମିତି କଳାମେଘ ପରି ହୃଦୟାକାଶକୁ ଢାଙ୍କି ଦେଲା । ମନେ ପଡ଼ିଲା ତା’ ଡାଏରୀଟି ପଢ଼ିଲା ବେଳେ ବି ମୁଁ ଏଇ ଦଶ ଭୋଗିଥିଲି । ଆମେ ଭୂଗୋଳ ବହିରୁ ପଢ଼ିଥିଲୁ ଯେ, ହଲାଣ୍ଡର କିଛି ଅଂଚଳ ସମୁଦ୍ର ପତ୍ତନରୁ ନିମ୍ନରେ; ସୁତରାଂ ସମୁଦ୍ରରେ ବନ୍ଧଦ୍ୱାରା ଏ ସବୁ ଅଞ୍ଚଳକୁ ସୁରକ୍ଷିତ କରାଯାଇଥାଏ । ଜ୍ୱିଡ଼ର୍‌ଜି ଅଞ୍ଚଳ ଏହିପରି । ହଲାଣ୍ଡର ଭୂପୃଷ୍ଠରୁ ସବୁଠୁଁ ଉଚ୍ଚ ସ୍ଥାନ କୁହାଯାଏ ୫ ଫୁଟ ।

 

ଗୋଟିଏ ପ୍ରାଚୀନ ଗାଆଁର ମ୍ୟୁଜିୟମ୍‌ ସେଦିନ ଦେଖିସାରି ଟ୍ରେନ୍‌ ଧରିଲୁ ହାର୍‌ଲେମ୍‌ ଓ କିଉକେନହଫ୍‌ ପାଇଁ । ସେ ମ୍ୟୁଜିୟମ୍‌ଟି ପାରମ୍ପରିକ ଘର (ପଞ୍ଚଦଶ ଶତାବ୍ଦୀରୁ ଏଯାବତ୍‌), ବିଭିନ୍ନ କିସମର Windmill ଏବଂ ସମୟକ୍ରମେ କିପରି ତାହା ବଦଳିଛି ଏବଂ ବିଭିନ୍ନ କିସମର ‘‘ଚିଜ୍‌’’ Processing ବାସ୍ତବରେ ଦେଖିବାକୁ ମିଳିଲା । ରୁଡ଼େସାଇମ୍‌ରେ Wine-tasting ପରି ଏଠି Cheese-tasting ପାଇଁ ସୁଯୋଗ ମିଳିଲା ।

 

ଟ୍ରେନ୍‌ରେ କ୍ୟୁକେନ୍‌ହଫ୍‌କୁ ଗଲୁ । କିଉକେନ୍‌ହଫ୍ ପୃଥିବୀର ସବୁଠୁଁ ବଡ଼ ଓ ପ୍ରସିଦ୍ଧ ଟ୍ୟୁଲିପ ଉଦ୍ୟାନ । ବିରାଟ ଅଞ୍ଚଳସାରା ଟ୍ୟୁଲିପ୍‌ ଫୁଲ ହିଁ ଟ୍ୟୁଲିପ୍‌ ଫୁଲ । ଅନ୍ତତଃ ପକ୍ଷେ ଟ୍ୟୁଲିପ୍‌ ବଗିଚାର କ୍ଷେତ୍ରଫଳ ୨ ବର୍ଗ କିଲୋମିଟର, ଯାହାକୁ କୁହାଯିବ ଆଖି ଖୋଷିହୋଇଯିବା ଦୃଶ୍ୟ । କେତେ ରଂଗର ଟ୍ୟୁଲିପ୍‌, କେତେ ବିସ୍ତୃତ କିଆରି ପରେ କିଆରି- ଆଖି ପାଇବନି । ସାରା ୟୁରୋପକୁ କିଉକେନ୍‌ହଫ୍ ଟ୍ୟୁଲିପ୍‌ ଫୁଲ ଯୋଗାଏ । ସେଠି ସବୁବେଳେ ଗବେରୋ ଚାଲୁ ରହିଛି hybridization ପ୍ରଣାଳୀରେ ଅଧିକରୁ ଅଧିକ ରଂଗର ଫୁଲ ପ୍ରସ୍ତୁତି ପାଇଁ । ପଚାରି ବୁଝିଲୁ ଏବଂ ବାସ୍ତବରେ ଦେଖିଲୁ ଧଳା ରଂଗର ଟ୍ୟୁଲିପ୍‌ ୧୭ ପ୍ରକାରର ଅର୍ଥାତ୍‌ ୧୭ ପ୍ରକାରର ଧଳା । ପରସ୍ପରଠାରୁ ଏତେ ସାମାନ୍ୟ ପାର୍ଥକ୍ୟ ସେମାନଙ୍କ ଭିତରେ ଯେ ସହଜରେ ଖାଳି ଆଖି ତାକୁ ଥରିପାରିବନି । ସମୁଦାୟ ୪୫୩ ରଙ୍ଗର ଟ୍ୟୁଲିପ୍‌ ଏଠି ବଢ଼ାଯାଉଛି ବୋଲି ସେମାନେ ବୁଝାଇଲେ । ହାର୍ଲେମ୍‌ ସହର ଅନ୍ୟତମ ପ୍ରାଚୀନ ମଧ୍ୟଯୁଗର ସହର । ଅନେକ ପ୍ରାଚୀନ ଗୀର୍ଜା ଏବଂ ମଧ୍ୟଯୁଗୀୟ ଗୃହସମୂହ ଏ ସହରର ବୈଶିଷ୍ଟ୍ୟ । ଏଠାରୁ ଆରମ୍ଭ କରି କିଉକେନ୍‌ହଫ୍‌ ଯାଏ ପ୍ରତି ବର୍ଷ ମାର୍ଚ୍ଚ-ଏପ୍ରିଲରେ ଟ୍ୟୁଲିପ୍‌ ପାରେଡ଼୍ ହୁଏ ଏବଂ ରାସ୍ତାର ଦୁଇପାର୍ଶ୍ୱରେ ଲୋକାରଣ୍ୟ ପରିବେଶ । ଆମେ ଆନନ୍ଦିତ ହେଲୁ ଯେ, ବେଶ୍‌ ଭଲ ସମୟରେ ଆମେ ହଲାଣ୍ଡ ଆସିପାରିଛୁ । ଶୋଭାଯାତ୍ରା ଅସରନ୍ତି ପରି ଲାଗିଲା । ସ୍ୱାଥିନତା ଦିବସରେ ଆମର ‘‘ଟାବ୍ଲୋ’’ ପରି ଗୋଟିକ ପରେ ଗୋଟିଏ ବିବିଧ ପ୍ରକାରେ ପ୍ରଦର୍ଶିତ ଟ୍ୟୁଲିପ୍‌ର ଶୋଭାଯାତ୍ରା ଯାହା କିଉକେଡ଼୍‌ହଫ୍‌ରେ ହିଁ ସମାପ୍ତ ହୁଏ । ‘‘ଫୁଲର ପାରେଡ଼୍‌’’ (Flower Parade) ପ୍ରତିବର୍ଷର ଅନୁପମ ପାରେଡ଼୍ ।

 

ହାର୍ଲେମ୍‌ ଯାଇ ଆମେ ବେଶି ବେଳ କାଟିବାର ସୁଯୋଗ ନ ଥିଲା । ଟ୍ରେନ୍‌ ସମୟ ହୋଇଯାଇଥିଲା । ଆମେ ଇଂଲିଶ୍‌ ଚାନେଲ୍‌ ପାରି ହେବା ପାଇଁ ନିର୍ଦ୍ଦିଷ୍ଟ ସ୍ଥଳରେ ପହୁଞ୍ଚିବା ପାଇଁ ଜିନିଷପତ୍ର ଧରି ଟ୍ରେନ୍‌ ଚଢ଼ିଲୁ ଓ ୟୁରୋରେଲ୍‌ ପାସ୍‌ରେ ଇଂଲିଶ୍‌ ଚାନେଲ୍‌ ପାରି ହୋଇ ମୁଁ କେମ୍ୱ୍ରିଜ୍‌ ଓ ‘‘ମେଜୋ‘‘ ଅକ୍ସଫୋର୍ଡ଼କୁ ଫେରିଆସିଲୁ । ମୁଁ ୟା’ ପରେ ବହୁଥର ଫ୍ରାନ୍ସ ଯିବା କଥା ଆଗରୁ ଲେଖିଛି ମୋର ୟୁନେସ୍କୋ କାର୍ଯ୍ୟ ପରିପ୍ରେକ୍ଷୀରେ । ସେମିତି ଜର୍ମାନୀକୁ ମଧ୍ୟ ପରେ ୩ ଥର ଯାଇଛି । ଥରେ ଫ୍ରାଙ୍କ୍‌ଫର୍ଟ ପୁସ୍ତକ ମେଳାରେ ଭାରତୀୟ ସାହିତ୍ୟିକଙ୍କ ଭିତରେ (୨୫ଜଣ) । ସେଥିରେ ମୁଲ୍ଲରାଜ ଆନନ୍ଦ, ଅତିତା ଦେଶଇ, ରାମାନୁଜମ୍‌ ଇତ୍ୟାଦି ଆମେ ୨୫ ଜଣ ଥିଲୁ । ୧୦ ଦିନ ଫ୍ରାଙ୍କଫର୍ଟ ପ୍ରୋଗ୍ରାମ୍‌ରେ ଆମେ କବିତା ପଢ଼ିଲୁ । କବିତା ପଢ଼ା ବ୍ୟତୀତ ଭାରତୀୟ ସାହିତ୍ୟ ଉପରେ ଏବଂ ଭାରତୀୟ-ଜର୍ମାନୀ ସାହିତ୍ୟର ସୁସଂପର୍କ ସ୍ଥାପନ କରି ତାକୁ ଅଧିକ ଗଭୀର କରିବାର ପନ୍ଥା ବିଷୟ ମଧ୍ୟ ଆଲୋଚିତ ହୋଇଥିଲା । ଦ୍ୱିତୀୟଥର ଚେୟାରମ୍ୟାନ୍‌ ନାସ୍‌ନାଲ୍‌ ବ୍ଲକ୍‌ ଟ୍ରଷ୍ଟ ହିସାବରେ ସେଇ ଫ୍ରାଙ୍କ୍‌ଫର୍ଟ ବିଶ୍ୱପୁସ୍ତକ ମେଳାରେ ଯୋଗ ଦେଇଥିଲି । ପିଟର୍‌ ୱାଇଧାସ୍‌, ପିଟର ରିପ୍‌କିନ୍‌ ଅଫିସରମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ଏବଂ ଦୀର୍ଘକାଳ ସଂବଂଧ ସ୍ଥାପିତ ହୋଇପାରିଥିଲା । ଭାରତୀୟ ପୁସ୍ତକ ଜର୍ମାନରେ ଏବଂ ଜର୍ମାନ ସାହିତ୍ୟ ଭାରତୀୟ ଭାଷାରେ ଅନୁବାଦ ଏ ବିଷୟ ବହୁ ଦୃ‌ଷ୍ଟିକୋଣରୁ ବିଚାର କରାଯାଇଥିଲା ।

 

ତୃତୀୟଥର ବ୍ୟକ୍ତିଗତ ନିମନ୍ତ୍ରଣକ୍ରମେ ଜର୍ମାନୀର ଏର୍‌ଲାଙ୍ଗେନ୍‌କୁ ମୁଁ ଯାଇଥିଲି । ୨୦ଟି ଦେଶର ପ୍ରତିନିଧି ନିମନ୍ତ୍ରିତ ହୋଇଥାନ୍ତି । ଭାରତବର୍ଷରୁ ମୁଁ ଓ କବିବଂଧୁ କେକି ଦାରୁୱାଲା ଯାଇଥାଉ । ବିଷୟବସ୍ତୁ ଥିଲା ତୃତୀୟ ବିଶ୍ୱ-ଆମରି ବିଶ୍ୱ (Third World- Out world) ଏର୍‌ଲାଙ୍ଗେନ୍‌ର ଅନୁଭୂତି ଜୀବନର ବଡ଼ ସାହିତ୍ୟିକ ଅନୁଭୂତି ବୋଲି ଉଭୟ ମୁଁ ଓ କେକି ଦାରୁୱାଲା ସହବତ ହୋଇଥିଲୁ । ଆଫ୍ରିକାର ୭ଟି ଦେଶରୁ ଏବଂ ବାକିମାନେ ଏସିଆ ୟୁରୋପ ଦେଶ ମାନଙ୍କରୁ ଆମେ ଯୋଗ ଦେଇଥାଉ । ଏର୍‌ଲାଙ୍ଗେନ୍‌ର ମ୍ୟୁନିକ୍‌ ନିକଟତମ ବଡ଼ ସହର । ସେଠାରେ ମଧ୍ୟ କବିତା ପଢ଼ିବା ପାଇଁ ଯାଇଥିଲୁ । ସେମିତି ଫ୍ରାଙ୍କଫର୍ଟ ପୁସ୍ତକମେଳାରୁ ବିବିଧ ବିଶ୍ୱବିଦ୍ୟାଳୟକୁ କବିତା ପଢ଼ିବା ପାଇଁ ନିମନ୍ତ୍ରଣ ପାଇଥିଲୁ । ସେଥିରୁ ହାଇଡେଲ୍‌ବର୍ଗ ଥିଲା ସବୁଠୁଁ ପ୍ରସିଦ୍ଧ ଏବଂ ଲୋଥାର୍‌ ଲୁତ୍‌ସେ ପ୍ରଫେସର ଥିଲେ ଭାରତୀୟ ସାହିତ୍ୟ ଏକ୍ଓପର୍ଟ । ମୋ କବିତାର ଜର୍ମାନ୍‌ ସଂକଳନଟିଏ ପ୍ରସ୍ତୁତ କରୁଥାନ୍ତି ଟ୍ୟୁବିଙ୍ଗେନ ବିଶ୍ୱବିଦ୍ୟାଳୟର ପ୍ରଫେସର ହାଇନରିକ୍‌ ଷ୍ଟିଟେନକ୍ରନ୍‌ । ତାଙ୍କ ସହ ଆଳାପ ଆ‌ଲୋଚନା ପାଇଁ ମୁଁ ଯାଇଥିଲି । ପରେ ସେ ଅନୁବାଦ କରିଥିବା ମୋ କବିତା ୫-୧୦ଟି Indo-Asia ପତ୍ରିକାରେ ପ୍ରକାଶିତ ହୋଇଥିଲା ଏବଂ ଶେଷରେ କୁକୁଡ଼ା ଲଢ଼େଇ (Hankamp) ନାଆଁରେ ଜର୍ମାନ ଭାଷାରେ Waldgut ପବ୍ଲିଶର୍ସ (ସ୍ୱିଜରଲାଣ୍ଡର) ପ୍ରକାଶ କରିଥିଲେ । ବହିଟି ବିବିଧ ଜର୍ମାନ ସାହିତ୍ୟ ପତ୍ରିକାରେ ରିଭ୍ୟୁ ହୋଇଥିଲା ଏବଂ ବିଶିଷ୍ଟ ଜର୍ମାନ ସମାଲୋଚକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା । ବଂଧୁ ହାଇନ୍‌ରିକ୍‌ ସେ ସବୁର ବିବରଣୀ ମୋତେ ଯଥାସମୟରେ ପଠାଇଥିଲେ ।

 

ଏମିତି ଦେଖିବାକୁ ଗଲେ ଫ୍ରାନ୍ସ ଓ ଜର୍ମାନୀରେ ଭିନ୍ନ ଭିନ୍ନ ସମୟରେ ବହୁଥର ବୁଲିବାର ଓ ସାହିତ୍ୟିକ ସେମିନାର ଇତ୍ୟାଦିରେ ଯୋଗ ଦେବାର ସୁବିଧା ପାଇଥିଲି । କେମ୍ୱ୍ରିଜ୍‌ରେ ଥିବାବେଳେ ଆମେ ଦୁଇବଂଧୁଙ୍କ ୟୁରୋପ ଯାତ୍ରାକୁ ସେ ଦୃଷ୍ଟିରୁ ପ୍ରଥମ ବା ପ୍ରାଥମିକ ବୋଲି ଧରାଯାଇପାରେ ।

 

ଜୁନ୍‌ ମାସରେ କେମ୍ୱ୍ରିଜ୍‌ରେ କୋର୍ସ ଶେଷ ହୋଇଥିଲା । ପରୀକ୍ଷାରେ ମୁଖ୍ୟ ୩ଟି ବିଷୟ ଥିଲା (ଉନ୍ନୟନର ଆର୍ଥନୀତିକ, ସାମାଜିକ, administrative ଦିଗ) । ମୁଁ ସେ ପରୀକ୍ଷାରେ କଲମ୍ୱୋ ପ୍ଲାନର ଅଫିସରମାନଙ୍କ ଭିତରେ ପ୍ରଥମ ସ୍ଥାନ ଅଧିକାର କରିଥିଲି ଓ ମୋ କଲେଜ ସିଡ଼୍‌ନି ସସେକ୍ସ ଦେଇଥିବା ଗୋଟିଏ କଲେଜ ପ୍ରାଇଜ୍‌ ମୁଁ ଭାରତ ଫେରିବା ପରେ ପାଇଥିଲି ।

 

ଶେଷ ଦୁଇପଦ

କେମ୍ୱ୍ରିଜ୍‌ରେ ବର୍ଷଟିଏ ବିତାଇବାକୁ ଯିବାର ପୃଷ୍ଠଭୂମି କଥା ଆରମ୍ଭରୁ ଲେଖିଛି । ଭୁବନେଶ୍ୱରରେ ଛାଡ଼ି ଯାଇଥିଲା ମୋ ପରିବାର ସ୍ତ୍ରୀ ତଥା ତିନୋଟି ଛୋଟ ଝିଅ, ବାପା ବୋଉଙ୍କ କଥା ସବୁବେଳେ ମନେପଡ଼ୁଥାଏ । କେମ୍ୱ୍ରିଜ୍‌ର ପରିବଶେ, ନୂଆ ନୂଆ ସାଙ୍ଗସାଥୀ, ଅନେକ ଭ୍ରମଣ, ଲାଇବ୍ରେରୀରେ ଅଧିକରୁ ଅଧିକ ସମୟ ବ୍ୟୟ, ଏ ସବୁକୁ ଟପି ସ୍ମୃତି ଫେରିଯାଉଥାଏ ଭୁବନେଶ୍ୱରକୁ । ଛୋଟ ଝିଅଙ୍କ ନୂଆ ଶିଖା ହସ୍ତାକ୍ଷରର ଆବେଗମୟ ଧାଡ଼ିସବୁ ଏବଂ ଖୁବ୍‌ କମ୍ କଥା କହି ସବୁ ନୀରବରେ କରିଯିବାର କ୍ଷମତା-ସମ୍ପନ୍ନା ମୋ ସ୍ତ୍ରୀଙ୍କ ସ୍ମୃତି ବେଶି ମନେପଡ଼େ ।

 

ବ୍ରିଟିଶ କାଉନସିଲ ଦେଇଥିବା ଫେରନ୍ତା ଏୟାରଟିକେଟ୍‌ରେ ଦୁଇଟି ୟୁରୋପୀୟ ସହରରେ ସଂକ୍ଷିପ୍ତ ରହଣିର ସୁଯୋଗ ଥାଏ । ଶିଲା ଓ ତା’ର ସ୍ୱାମୀ ବିନୋଦ ଏବଂ ସସ୍ତ୍ରୀକ ପଦ୍ମନାଭନ ୟୁରୋପ ରହଣି ପାଇଁ ଆଗରୁ ଆୟୋଜନ କରିଥାନ୍ତି । ରାମ୍‌କି, ‘‘ମେଜୋ’’ (ଅଜିତ୍‌ ମୁଖାର୍ଜୀ) ମୋ ପରି ବୋଧହୁଏ ଘରମୁହାଁ, ସିଧାସଳଖ ଫେରୁଥାନ୍ତି । ମଝିରେ ମୋ ମନକି ଛୁଇଁଥିଲା ରୋମ୍‌ ଓ ଏଥେନ୍ସରେ ସଂକ୍ଷିପ୍ତ ରହଣି କଥା । ରୋମାନ୍‌ ଓ ଗ୍ରୀକ୍‌ ସଭ୍ୟତାର ଗରିମାମୟ ଇତିହାସ ଓ ସଂସ୍କୃତି ବିୟେ ପଢ଼ିଥାଏ, ପ୍ରତ୍ୟକ୍ଷ ଅନୁଭବ ପାଇଁ ବେଳେବେଳେ ମନ ଡାକୁଥାଏ । କିନ୍ତୁ ଏ ସବୁକୁ ଅନାୟାସରେ ରଦ୍ଦ କରିଦେଇଥିଲା ଘର ଫେରିବାର ଆକର୍ଷଣ । ଗୋପମାମୁଁ ଲେଖିଥାନ୍ତି ‘‘ତୁମ ଆସିବା ଦିନକୁ ସମସ୍ତେ ଅନେଇ ବସିଛନ୍ତି ।’’ ଜାଣିଥିଲି ସେତେବେଳକୁ ସେ ଚାକିରିରୁ ଅବସର ନେଇ ସାରିଥିବେ । ନୂଆ ଜୀବନର ନୂଆ ସମୟ କାଟୁଥିବେ । ଏମିତି ସୁଖଦୁଃଖରେ ବର୍ଷଟିଏ ରହଣି ଶେଷ ହେଲା । ସେତେବେଳେ ଜଣା ନ ଥିଲା ସମୟକ୍ରମେ ରୋମ ଓ ଏଥେନ୍ସ ଦେଖିବାର ସୁଯୋଗ ଆସିବ । ଜଣା ନ ଥିଲା ପୁଣି ଥରେ ହାର୍ଭାର୍ଡ଼ ବିଶ୍ୱବିଦ୍ୟାଳୟରେ କାଟିବା ପାଇଁ ବର୍ଷଟିଏ ଘର ଛାଡ଼ିବି ।